ନାଟୁଆ ଓ ପାଠୁଆ

ଆମେ ପଢ଼ିଲାବେଳେ ଅନେକ ସମୟରେ ନିଜ ବ୍ୟକ୍ତିତ୍ୱଠୁ ଅଲଗା ପ୍ରକାରର ଚରିତ୍ର ସମ୍ପର୍କରେ ପଢ଼ିଥାଉ । ସେମାନଙ୍କ ଆଚାରବ୍ୟବହାର, ଚାଲିଚଳଣ, ହାବଭାବ ଆଦି ପଢ଼ିବାବେଳେ ଆମକୁ ଆନନ୍ଦ ଲାଗେ । ଗୋଟିଏ ଦିଗରୁ ଅନ୍ୟ ଏକ ଦିଗରେ ଭାବିବାକୁ ସାହାଯ୍ୟ କରିଥାଏ ।


ଆଜି ସଖି ଫୋନ୍ କଲା । ମୋବାଇଲ୍‌ରେ ସଖିର ନମ୍ବର ଦେଖି ବହେ ଖୁସି ଲାଗିଲା । ନୂଆ ନୂଆ ସିନେମା ଖେଳୁଛି ବଜାରରେ । ଭଲ ଓଡ଼ିଆ ସିନେମା । ନିକଟରେ ରିଲିଜ୍ ହୋଇଥିବା କିଛି ଓଡ଼ିଆ ସିନେମାକୁ ବହୁ ବର୍ଗର ଦର୍ଶକମାନେ ପସନ୍ଦ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଖୁବ୍ ଲେଖୁଛନ୍ତି ।

ବହୁତ ଦିନ ତଳେ ଏକ କଥା ଲେଖିଥିଲି ଫେସ୍‌ବୁକ୍‌ରେ ।

ହିନ୍ଦୀ ସାହିତ୍ୟରେ କିଛି ନୂଆ ପୁସ୍ତକ ପ୍ରକାଶ ପାଇଲା ପରେ ଦେଖିଲି ସେ ପୁସ୍ତକ ସମ୍ପର୍କରେ ବହୁ ଆଲୋଚନା । ସମୀକ୍ଷା । ଫେସବୁକ୍‌ରେ । ନିଶ୍ଚିତ ଭାବେ ସେ ପୁସ୍ତକର ବିକ୍ରି ସଂଖ୍ୟା ବଢ଼ିଥିବ । ଲେଖକ ମଧ୍ୟ ଖୁବ୍ ଖୁସି ହେଉଥିବେ । ନିଜ ପୁସ୍ତକର ପ୍ରଚାର, ପ୍ରସାର ଓ ପାଠକୀୟତାରେ ।

ଆମର ଏଠି ସେମିତି ହଏନି । କ୍ୱଚିତ୍ ଏଠି କେହି ଅନ୍ୟର ପୁସ୍ତକ ସମ୍ପର୍କରେ ଚର୍ଚ୍ଚା କରନ୍ତି । ହଁ କେହିକେହି କେବେକେବେ କରନ୍ତି । ତା ବି ନିଜ ବଳୟ ମଧ୍ୟରେ ଥିବା ଲେଖକଙ୍କ ସମ୍ପର୍କରେ ।

ଛାଡ଼ । ସଖି ପାଖକୁ ଆସେ । ସଖିର ଫୋନ୍ ଦେଖି ଭାବିଲି ବୋଧହୁଏ ସିନେମା ଦେଖି ଯିବାକୁ ଡାକୁଛି । ମାତ୍ର ସଖି ପଚାରିଲା

-ପୁସ୍ତକ ମେଳା ଯିବା ଆଜି ?

-ଆଜିଠୁ ତ ଆରମ୍ଭ । ଯିବା କେବେ ।

-ନା ଆଜି ଯିବା ।

-ଆଜି ରିହରସଲ ଅଛି ।

-ତୁମ ନାଟକବାଲା ଖାଲି ରିହରସଲରେ ବ୍ୟସ୍ତ ।

-ଦେଖ ନାଟକବାଲା କହିବନି । ନାଟକର ଲୋକ କହିପାର ।

-ହେଲା ସରି । ଯିବ କି ନା କୁହ ?

-ହବନି ଆଜି

-ଆରେ ନାଟକର ଲୋକ କିଛି ପଢ଼ାପଢ଼ି କର.....

-କି କଥା; ଆମେ କ’ଣ ପଢ଼ୁନୁ ?

-କେଜାଣି, ଦେଖିଛି କିଛି ନାଟକ, ଲାଗୁନି ତ ତମେମାନେ କିଛି ପଢ଼ୁଛ ବୋଲି ।

କାଟି ଦେଲି ଫୋନ୍ । ବିରକ୍ତରେ ଗଲିନି ଆଜି ପୁସ୍ତକମେଳା ।

ଭାବିଲି । ସତରେ କ’ଣ ଆମ ନାଟକର ଲୋକମାନେ ପଢ଼ନ୍ତିନି ? ଆଜିକାଲି ତ ଗୁଗଲରେ ଅନେକ କିଛି ସର୍ଚ୍ଚ କରାଯାଇପାରୁଛି । କ’ଣ କେହି ପଢ଼ୁନାହାନ୍ତି ?

ମନେ ପଡ଼ିଲା କିଛି ନାଟକ । ଯଦିଓ ବାରମ୍ବାର ଅଭ୍ୟାସ କରିବା ଯୋଗୁ ଚରିତ୍ର ସହିତ ଚରିତ୍ରର ସଂଳାପକୁ ମଧ୍ୟ କଳାକାରଟି ମନେ ରଖି ନିଜ ସାଧ୍ୟମତେ କହିଥାଏ । ତେବେ ଏହା ସତ ଯେ ଆମ ନାଟକରେ ଅନେକ କଳାକାରଙ୍କ ନିକଟରେ ପଠନମନସ୍କ କମ୍ ରହିଛି । ଯାହା ଜଣାପଡ଼ିଯାଏ । ନାଟକ ଅଭ୍ୟାସବେଳେ ଓ ନାଟକ ମଂଚାୟନବେଳେ ।

ରଂଗମଞ୍ଚ କରିବାକୁ ପ୍ରଥମ ସର୍ତ୍ତ ହେଉଛି ବହୁତ ପଢ଼ିବାକୁ ପଡ଼ିବ । ପଢ଼ିବା ଆବଶ୍ୟକ । ନିର୍ଦ୍ଦେଶକକୁ ତ ବହୁତ ଅଧିକ । କଳାକାରକୁ ମଧ୍ୟ । ନିର୍ଦ୍ଦେଶକ ହେଉ ଅବା ଅଭିନେତା; ଦୁନିଆର ରୀତିନୀତି, କାଇଦାକଟକଣାକୁ ଭଲକରି ବୁଝିବା ଦରକାର ।

ରାଗରୁଷା, ଭଲମନ୍ଦ, କଟନୀ -ଛଟନୀ, ଲାଜସରମ, ପ୍ରେମ - ପ୍ରତାରଣା, ବିବାହ - ବିଚ୍ଛେଦ, ବିରହ - ମିଳନ, ଭାବ - ସମ୍ବାଦ, କଥାନଥା, ଉତ୍ଥାନ - ପତନ, ଆରୋହଣ - ଅବତରଣ ଆଦି ଅନେକ କଥା ଥାଏ ଦୃଶ୍ୟରେ ଓ ଅଦୃଶ୍ୟରେ । ଏସବୁକୁ ଧରି ରଖିବାକୁ ହୁଏ ନାଟକରେ ।

ତ ନିର୍ଦ୍ଦେଶକ ଓ ଅଭିନେତାକୁ ଏ ସବୁ ଭାବପ୍ରବଣତାର କଥାକୁ ଜାଣିବା ଜରୁରୀ । କିଛି ଅନୁଭବରୁ ଓ କିଛି ପଠନରୁ ଜଣାହୁଏ । ନ ପଢ଼ିଲେ ଏସବୁ ବୁଝି ହେବନି, ବୁଝିଲେ ବି ମନରେ ଧରି ହେବନି । ନାଟକ ତ ସୁକ୍ଷ୍ମ କଳା । ସଂଳାପରେ, ଅଂଗରେ, ଭାବନାରେ, ନୀରବତାରେ, ଚାଲିରେ, ଠିଆ ହେବାରେ ଏ ସବୁ ଫୁଟାଇବାକୁ ପଡ଼ିବ ।

ଗଭୀରତାର ସହ ଚରିତ୍ର ଭିତରକୁ ନ ଓହ୍ଲାଇଲେ ଏ ସବୁ ନିଜ ଅଭିନୟରେ ଫୁଟାଇବା ସମ୍ଭବ ନୁହେଁ । ଚରିତ୍ରର ଭିତରକୁ ଯାଇ ଚରିତ୍ରର ଆତ୍ମାକୁ ନ ଚିହ୍ନିଲେ ମଂଚ ଉପରେ ଚରିତ୍ର ଚିତ୍ରଣ ସମ୍ଭବ ନୁହେଁ ।

ତେବେ ଆମ ନାଟକର କଥା କୁହାଗଲେ କେତେକାଂଶରେ ମୋତେ ସତ ଲାଗେ କି ଆମେ ବୌଦ୍ଧିକ କ୍ଷମତାର ଅଭାବରେ ପୀଡ଼ିତ । ଆମ ଭିତରେ ଅନେକ ଅଛନ୍ତି; ଯଦିଓ ସେମାନେ ନିତ୍ୟ ନିୟମିତ ପଢ଼ନ୍ତି । କେବଳ ପଢ଼ନ୍ତିନି ଖୁବ୍ ପଢ଼ନ୍ତି ଓ ବୁଝନ୍ତି । କିନ୍ତୁ ସେମାନଙ୍କ ସଂଖ୍ୟା ହାତ ଗଣତି । ଆମ ନାଟକରେ ବୌଦ୍ଧିକ କ୍ଷମତା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ଅଭାବ ଯୋଗୁ ଆମ ନାଟକ ପ୍ରଭାବିତ ହେଉଛି । ଏହା ସ୍ୱୀକାର୍ଯ୍ୟ ।

ଅତଏବ୍ ବୌଦ୍ଧିକ କ୍ଷମତା ସମ୍ପନ୍ନ ନିର୍ଦ୍ଦେଶକଙ୍କ ନାଟକ ନିଶ୍ଚିତ ଭାବେ ଭିନ୍ନ ହେଉଛି ।

ଏବେ ଅନେକ କହନ୍ତି କି ଆମ ନାଟକରେ ନୂଆ ରଚନା ଆସୁନି । ନୂଆ ନାଟକ ଲେଖା ହେଉନି । ସିନେମାକୁ ନେଇ ବି ଏପରି ଖୁବ୍ କୁହାଯାଉଥିଲା । ନୂଆ କିଛି ହେଉନି ।

ଭଲ ନାଟକ ଲେଖାଯାଉନି । ଭଲ ନାଟକ ଆସୁନି । ସେଥିଲାଗି ତ ଅନେକ ଅନୁଦିତ ନାଟକ ଉପରେ ନିର୍ଭର କରୁଛନ୍ତି । ଅନୁଦିତ ନାଟକ ଅପେକ୍ଷାକୃତ ସହଜ ହୋଇଥାଏ । ଏପରି ନାଟକରେ ଡିଜାଇନ୍‌, କଷ୍ଟ୍ୟୁମ୍‌ସ, ଆଲୋକସଂପାତ ଆଦି ଉପରେ ଅଧିକ କାମ କରିବାକୁ ପଡ଼େନି । ଯାହା କିଛି ହୋଇଯାଇଛି ତାକୁ କିଛି ବଦଳାବଦଳି କରି କିମ୍ବା ନୂଆ କିଛି ପ୍ରୟୋଗ କରିବା ସହଜ ହୋଇଥାଏ । ରେଡି ଟୁ ୟୁଜ୍ । ଯଦିଓ ଏହା ଏକ ଅପବାଦ । ଅନୁଦିତ ନାଟକକୁ ନେଇ ଅନେକ ନିର୍ଦ୍ଦେଶକ ଆହୁରି ଉଚ୍ଚକୋଟୀର ପରିବେଷଣ କରିଛନ୍ତି ।

କିନ୍ତୁ ବଂଗଳା ଓ ହିନ୍ଦୀ ନାଟକରେ ଯେପରି ନିଜ ଭାଷା ଉପରେ ଅଧିକ କାମ କରାଯାଉଛି । ସେପରି ଆମ ଓଡ଼ିଶାରେ ହେଉନି । ଅର୍ଥାତ ହିନ୍ଦୀ ଓ ବଂଗଳାରେ କ୍ଷୁଦ୍ର ଗଳ୍ପ ଓ ଉପନ୍ୟାସକୁ ନେଇ ଯେପରି ପରୀକ୍ଷାନିରୀକ୍ଷା କରାଯାଉଛି; ଆମ ଓଡ଼ିଆ ନାଟକରେ ନିର୍ଦ୍ଦେଶକମାନେ ସେପରି କିଛି କରିବାକୁ ପଛଘୁଂଚା ଦେଇଆସିଛନ୍ତି । ଏହା ଭାବିଲେ ଲାଗେ କି ସତରେ କ’ଣ ଆମ ନିର୍ଦ୍ଦେଶକ ଓ ଅଭିନେତାଙ୍କ ମଧ୍ୟରେ ବୌଦ୍ଧିକତାର ଅଭାବ । ବୌଦ୍ଧିକତାର ଭୋକ ନାହିଁ ?

ଯଦିଓ ସମ୍ପୂର୍ଣ୍ଣ ଯେ ହେଉନି ତା ନୁହେଁ; କିନ୍ତୁ ସଂଖ୍ୟା କମ୍ ନିଶ୍ଚିତ ।

ଏ କ୍ଷେତ୍ରରେ ମରାଠୀ ରଂଗମଂଚ ଅଧିକ ସମୃଦ୍ଧ । ସେଠି ଗଳ୍ପ ଓ ଉପନ୍ୟାସକୁ ନେଇ ବହୁତ କାମ କରାଯାଉଛି । ମୌଳିକ ନାଟକ ଅଧିକ ହେଉଛି । ଦର୍ଶକ ଟିକେଟ୍ କାଟି ନାଟକ ଦେଖୁଛନ୍ତି । ନିକଟରେ ଓଡ଼ିଶା ନାଟ୍ୟସଂଘ ସବୁ ନାଟକ ଟିକେଟେଡ୍ ସୋ’ କରିବାକୁ କହୁଥିଲା । ଆଗାମୀ ନାଟକ ଋତୁ ଆରମ୍ଭ ହେଉଛି । ଦେଖାଯାଉ ବଡ଼ ଦଳମାନେ ଟିକେଟେଡ୍ ସୋ’ କରିବାକୁ ସାହସ କରୁଛନ୍ତି କି ନାହିଁ ।

ଆମ ନାଟକରେ ସବୁ ଦଳର ନିର୍ଦ୍ଦିଷ୍ଟ କିଛି ଦର୍ଶକ ଅଛନ୍ତି । ନିଜ ପସନ୍ଦର ଦଳ ନାଟକ ପରିବେଷଣ କଲେ ବହୁ ସଂଖ୍ୟାରେ ସେମାନେ ଆସନ୍ତି । ପ୍ରେକ୍ଷାଳୟ ଭରପୁର ଥାଏ । କିଛି ନାଟକ ଦଳ ସେପରି କରିପାରିନାହାନ୍ତି; ଅର୍ଥାତ୍ ନିଜ ପରିବେଷଣରେ ଦଶର୍କଙ୍କ ଭରସା ଜିତିପାରିନାହାନ୍ତି । ସରକାରୀ ଅନୁଦାନ ଉପରେ ଭରସା କରି ନାଟକ କରୁଥିବା ନାଟ୍ୟଦଳ ମାଗଣା ନାଟକ ଦେଖାଇ ଟିକେଟେଡ୍ ସୋ’ କରିବାର ଅଭ୍ୟାସ କରିପାରୁ ନାହାନ୍ତି ।

ରଂଗମଂଚ ପ୍ରତି ଭୁବନେଶ୍ୱର ଦର୍ଶକଙ୍କ ଆତ୍ମୀୟତା ଟିକେ କମ୍ ଲାଗେ । ସ୍ୱାଭାବିକ୍ । ରଂଗମଂଚ କେବଳ ମନୋରଂଜନ କରେନା । ବିଶୁଦ୍ଧ ମନୋରଂଜନ ଏହାର ଉଦ୍ଦେଶ୍ୟ ନୁହେଁ । ତଥାପି ରଂଗମଂଚକୁ ଅଧିକରୁ ଅଧିକତର ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ସାମାଜିକ ଉଦ୍ଦେଶ୍ୟ ସହିତ ମନୋରଂଜନର ପୁଟ ଦେବାକୁ ପଡ଼ିବ । ଆଜିର ଦର୍ଶକ ଆଜିର ଯୁବ ସମାଜ କ’ଣ ଚାହୁଁଛି, କିପରି ଚାହୁଁଛି, ସେ କଥାକୁ ବୁଝିବାକୁ ହେବ । ପ୍ରୟାସ କରିବାକୁ ହେବ କିପରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ଆମେ ପହଞ୍ଚିପାରିବା ।

ଆମ ନାଟ୍ୟସଂଘ ଏବେ ଖୁବ୍ ଚଳଚଂଚଳ ଅଛି । ଏଠି ଖୁବ୍ ନାଟକ ମଧ୍ୟ ହେଉଛି । ନାଟ୍ୟସଂଘର ପ୍ରୋତ୍ସାହନରେ ନାଟ୍ୟ କର୍ମଶାଳା ଓ ଆଲୋଚନାଚକ୍ରମାନ ମଧ୍ୟ ହେଉଛି । ତେବେ ସେ ସବୁର ସମୀକ୍ଷା ହେଉନାହିଁ । ଆଲୋଚନା ହେଉନାହିଁ ।

ପ୍ରତିମାସରେ ସରକାରଙ୍କ ପ୍ରୋତ୍ସାହନରେ ୬ଟି ନାଟକ ହେଉଛି । ଘରୋଇ ଭାବେ ଦଳୀୟ ପ୍ରଦର୍ଶନ ରହିଛି । ଅତଏବ୍ ପ୍ରତିମାସରେ ହାରାହାରି ୧୫ରୁ ଊର୍ଦ୍ଧ୍ୱ ନାଟକ ତ ହେଉଛି ନିଶ୍ଚିତ । ନାଟ୍ୟସଂଘ ସକ୍ରିୟ ରହିଛି ।

ତେବେ କିଛି ସମୀକ୍ଷା ହେବା ଦରକାର । ନିରପେକ୍ଷ ଆଲୋଚନା ହେବା ଦରକାର । ଆମ ନାଟକର । ଏ ବାବଦରେ ନାଟ୍ୟସଂଘ କିଛି ସ୍ୱତନ୍ତ୍ର ଭାବେ ଦେୟଯୁକ୍ତ ସମୀକ୍ଷକ ନିଯୁକ୍ତି ଦେଇ ନାଟକର ସମୀକ୍ଷା କରାଇପାରେ । ପ୍ରଥମତଃ ଉପାଦେୟ ଲାଗୁନଥିବା ଏ ଯୋଜନା ଭବିଷ୍ୟତରେ ଉପାଦେୟ ହେବ ନିଶ୍ଚିତ ।

ଫେରିବି ମୂଳ କଥାକୁ ।

ପଢ଼ିବା ଯେ କେବଳ ଆମର ବୌଦ୍ଧିକ ପରିସୀମାକୁ ବିସ୍ତୃତ କରେ ସେତିକି ନୁହେଁ; ଏହା ଅଭିନେତା ମଧ୍ୟରେ ସଂସ୍କାର ଆଣିବା ସହିତ ଅଭିନେତାକୁ ଚିରାଚରିତଠୁ ଅଲଗା କରି ଏକପ୍ରକାର ‘ଏକ୍ସ’ ଫ୍ୟାକ୍ଟର ଦେଇଥାଏ ।

ଆମେ ପଢ଼ିଲାବେଳେ ଅନେକ ସମୟରେ ନିଜ ବ୍ୟକ୍ତିତ୍ୱଠୁ ଅଲଗା ପ୍ରକାରର ଚରିତ୍ର ସମ୍ପର୍କରେ ପଢ଼ିଥାଉ । ସେମାନଙ୍କ ଆଚାରବ୍ୟବହାର, ଚାଲିଚଳଣ, ହାବଭାବ ଆଦି ପଢ଼ିବାବେଳେ ଆମକୁ ଆନନ୍ଦ ଲାଗେ । ଗୋଟିଏ ଦିଗରୁ ଅନ୍ୟ ଏକ ଦିଗରେ ଭାବିବାକୁ ସାହାଯ୍ୟ କରିଥାଏ ।

ଅଭିନେତା ପାଇଁ ପଢ଼ିବା ଏକ ବହୁ ଉପାଦେୟ ଉଦାହରଣ ନାଟକ ଶିକ୍ଷାରେ । ଚରିତ୍ର ସହ ସଂଯୋଗ ସ୍ଥାପନ କରିପାରୁ ନଥିବା ଅଭିନେତାମାନେ ଗପ, ଉପନ୍ୟାସ ଆଦି ପଢ଼ିବା ଦ୍ୱାରା ଭିନ୍ନ ଭିନ୍ନ ଚରିତ୍ରମାନଙ୍କ ସହିତ ନିଜକୁ ବାରମ୍ବାର ସଂଯୋଗୀକରଣ କରିଥାନ୍ତି । ଯଦ୍ୱାରା ଅଭିନୟ ସମୟରେ ଚରିତ୍ର ସହ ସଂଯୋଗୀକରଣ ସହଜ ହୋଇଥାଏ ।

ପଠନ ଦ୍ୱାରା ଭିନ୍ନ ଭିନ୍ନ ପରିବେଶ ଜାଣିବାକୁ ମିଳିଥାଏ । ଭିନ୍ନ ସାଂସ୍କୃତିକ, ସାମାଜିକ, ଭୌଗୋଳିକ ଓ ରାଜନୈତିକ ଦର୍ଶନ ଭାବଧାରା ସହ ପରିଚୟ ହୋଇଥାଏ । ଏପରି ବ୍ୟାପକ ସଚେତନତା ଅଭିନୟରେ ଉପାଦେୟ ହୋଇଥାଏ ।

ଏହା ସ୍ମରଣଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ପଢ଼ିବା ଦ୍ୱାରା ନିଜ ଭିତରେ କିଛି ଅନ୍ୱେଷଣ ଜନ୍ମ ନେଇଥାଏ । ଫଳରେ ନିର୍ଦ୍ଦେଶକ ସହିତ ଅଭିନେତା ଓ ଅଭିନେତା ସହ ନିର୍ଦ୍ଦେଶକ ଅଧିକ ଅନୁସନ୍ଧିତ୍ସା ସହ ଆଲୋଚନା କରିପାରନ୍ତି । ଫଳରେ ଉଭୟଙ୍କ ଦାୟିତ୍ୱ ଲାଘବ ହୋଇଥାଏ । ଚରିତ୍ରକୁ ବୁଝିବାରେ ଓ ଅଭିନୟ କରିବାରେ ।

Report an Error