ଅଭିନୟ ବି ହୋଇପାରେ ପିଲାଙ୍କ ମନସ୍ତତ୍ତ୍ୱ ବୁଝିବାର ଗୋଟେ ବାଟ

ନାଟକରେ ପିଲାଏ ବଡମାନଙ୍କୁ ଅନୁରୋଧ କରିବାକୁ ଯାଇ ‘ସେମାନଙ୍କର ଅର୍ଥର ପ୍ରାଚୁର୍ଯ୍ୟ ଦରକାର ନାହିଁ ’କହିବା ବେଳେ‘ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦରକାର ବୋଲି କହୁଛନ୍ତି । ‘ମାଆ ! ତୁ ଆମ ଅଝଟ, ଅଳି ସବୁ ପୂରା କରିବାକୁ ଯାଆନା କି ମେଞ୍ଚାଏ ଜିନିଷପତ୍ର ଆମକୁ ଦେ’ନା ।


ଫଟୋ - ସୁମିତ୍ରା ପାଢୀ

ମୋ ବିକଳ୍ପ ଶିକ୍ଷା ପ୍ରୟୋଗ ଲାଗି ଯିଏ କ୍ଷେତ୍ର ପ୍ରସ୍ତୁତ କରି ରଖିଥିଲା, ମୋ କାର୍ଯ୍ୟ ପଛରେ ଯିଏ ଦୃଢ଼ ମେରୁ ହୋଇ ଠିଆ ହୋଇଥିଲା, ମୋତେ ଆଗେଇବା ଲାଗି ଓ ନୂଆ ନୂଆ ପ୍ରୟୋଗ କରିବା ଲାଗି ଯିଏ ଅହରହ ପ୍ରେରଣା ଦେଉଥିଲା, ସିଏ ହେଉଛି ମୋ ମାଆ । ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାଟିର ଡୋର ଥିଲା ତା ହାତରେ । ତେଣୁ ଶିକ୍ଷା ପ୍ରୟୋଗ ପାଇଁ ଅଭିଭାବକମାନଙ୍କୁ ମୁଖ୍ୟ ସ୍ଥାନ ସେ ଆଗରୁ ଦେଇସାରିଥିଲା । କାରଣ ସେ ବିଶ୍ୱାସ କରେ ଯେ, ‘କେବଳ ସୁନ୍ଦର ପରିବେଶ କି ଶିକ୍ଷକ ନୁହେଁ, ପିଲାର ଜୀବନ ଗଢ଼ିବାରେ ଅଭିଭାବକମାନଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି ।’ ବିଦ୍ୟାଳୟଟି ଆବାସିକ ଥିଲା ଓ ସେଠାରେ ପ୍ରଥମରୁ ଦଶମ ଯାଏ ପ୍ରାୟ ଶହେ ସରିକି ପିଲା ରହୁଥିଲେ । ତେଣୁ ପ୍ରତି ମାସ ପ୍ରଥମ ରବିବାର ଦିନ ସେଠାରେ ଅଭିଭାବକ ବୈଠକ ସଂଗଠିତ ହେଉଥିଲା ଆଗରୁ, ଯାହା ମୁଁ ଗଲାବେଳକୁ ହେଉଥିଲା ମାସର ଦ୍ୱିତୀୟ ରବିବାର ଦିନ । ସକାଳଠୁ ସଞ୍ଜଯାଏ ପରିବାରର ଯେ କେହି ସଦସ୍ୟ ଆସି ପିଲା ସହ ତା’ ନିଜ ରୁମ୍‌ରେ ସମୟ ବିତାଇ ପାରୁଥିଲେ । ତଥାପି କିଛି ଅଭିଭାବକ ସକାଳ ଆଠଟାରୁ ଆସି ସନ୍ଧ୍ୟା ପାଞ୍ଚଟାରେ ଯାଉଥିବାବେଳେ କେହି କେହି ଦିନ ବାରଟା ଗୋଟାଏରେ ପହଞ୍ଚି ଦୁଇ ମିନିଟ ରହି ପଇସା ଦେବା କାମଟି ଅଫିସ୍‌ରେ ସାରିଦେଇ ପିଲାଙ୍କୁ ଦେଖା ନକରି ବି ଫେରିଯାଆନ୍ତି । ସବୁ ରବିବାର ଫୋନ୍ କରିବା ସୁଯୋଗ ଥିବା ସତ୍ତ୍ୱେ ବି କେହି କେହି ସବୁ ରବିବାର କଥା ହୁଅନ୍ତି ତ କେହି କେହି ମାସ ମାସ, ବର୍ଷ ବର୍ଷ ଧରି ଫୋନ୍ କରନ୍ତିନି । କାହା ବାପା କି ମାଆ ସବୁବେଳେ ଆସନ୍ତି ତ କାହାର କେବଳ ବନ୍ଧୁବାନ୍ଧବ କି ଘରେ କାମ କରୁଥିବା ପିଲା ଆସି ମାସିକ ଦେୟ ପୈଠ କରି ଚାଲିଯାଆନ୍ତି । କିଛି ପିଲା ଉଦ୍‌ବେଗ ସହ ଘର ଲୋକଙ୍କ ଆସିବା ବାଟକୁ ଚାହିଁ ରହିଥାନ୍ତି ତ ଆଉ କାହାର ସେ ଆଡ଼କୁ ନଜର ନଥାଏ ବା କେହି ଆସିଲେ ବି ଫରକ୍ ପଡେ଼ନି ।

ଏଇ ଯେମିତି ସେଦିନ ବରୁଣର ଘରୁ ତା’ ମାଆ ଓ ଅନ୍ୟମାନେ ଆସି ତାକୁ ଗାଡ଼ି ପାଖକୁ ଡାକିଲେ । ସେ ଯାଇ ସିଧା ଗେଟ୍‌କୁ ଧରି ଠିଆ ହେଲା । ତା’ର କୁନି ଭାଇଟିଏ ବି ଆସିଥାଏ ତାଙ୍କ ଘରୁ । ବରୁଣର ସାର୍ଟକୁ ଧରି ଟାଣୁଥାଏ । ହେଲେ ବରୁଣର କିଛି ପ୍ରତିକ୍ରିୟା ନଥାଏ । ନା ସେ ପିଲାଟାକୁ ଟିକେ ଧରିଲା ନା ବାଇକ୍ ପାଖକୁ ଯାଇ କିଛି ଅଳି ଅର୍ଦ୍ଦଳି କଲା ନା କିଛି ଖାଇବା ଜିନିଷ ଖୋଜାଖୋଜି କଲା । ସମୟଟା ଦ୍ୱିପହର ଥାଏ, ଧୁ ଧୁ ଖରାବେଳ । କେହି ବଡ଼ ବା ଶିକ୍ଷକ ତା’ ଆଖପାଖରେ କି ଦୂର ଦୂରାନ୍ତରେ ନଥିଲେ । ସମସ୍ତେ ଅନ୍ୟ ଗୋଟିଏ ଜାଗାରେ ଶୋଇଥିଲେ । ତେଣୁ ତାକୁ କେହି ଦେଖିପାରୁନଥିଲେ । ତଥାପି ତା’ର କିଛି ଆକର୍ଷଣ ହିଁ ଯେମିତି ନଥିଲା । ମୁଁ ତିନି ତାଲା ଉପର ଝରକାରୁ ତା’ ଅଗୋଚରରେ ହିଁ ଲକ୍ଷ୍ୟ କରୁଥିଲି ତାକୁ । ଏମିତି ଅନେକ ସମୟରେ ଅନେକ ଘଟଣା ଆଖିରେ ପଡିଛି । ଦିଶିଯାଇଛି ପିଲା ଓ ଅଭିଭାବକଙ୍କ ଭିତରେ ଥିବା ଫାଙ୍କଟି । ତେଣୁ ଏହିସବୁ ସମସ୍ୟା ଦୂର କରିବାକୁ ଅଭିଭାବକ ବୈଠକ ସହ କେବେ କେବେ ପିଲାଟି ସମ୍ବନ୍ଧରେ କିଛି ପ୍ରଶ୍ନ ଦେଇ ବାପାମାଆମାନଙ୍କଠାରୁ ଉତ୍ତର ଆଦାୟ କରେ ତ କେବେ ଏକାନ୍ତରେ କଥାବାର୍ତ୍ତା ହୁଏ । ସେଇଥିରୁ ହିଁ ମୁଁ ଜାଣିପାରେ ଯେ, ନିଜ ପିଲା ବିଷୟରେ ଅନେକ ସାଧାରଣ କଥା ବି ଜଣାନଥାଏ ବାପାମାଆଙ୍କୁ । ଏଇ ଯେମିତି; ପିଲା ଛୁଟିରେ ଘରକୁ ଗଲେ ତାକୁ କ’ଣ କରିବାକୁ ଭଲ ଲାଗେ ? ନିଜ ନଜରରେ ପଡ଼ିଥିବା ପିଲାର କିଛି ଭଲଗୁଣ । ପିଲା କେଉଁ କାମଟି ଭଲ ଭାବେ କରିପାରେ ? ପିଲା ନିଜେ କ’ଣ ହେବାକୁ ଚାହେଁ ? ପିଲାର ସବୁଠୁ ବେଶୀ ଆଗ୍ରହ କେଉଁ କାମଟି କଲାବେଳେ ଥାଏ ?

ଉତ୍ତର ତ ଆସେନି କାହାରିକୁ; ଅଧାରୁ ଅଧିକ ବାପା ମା’ ଭଲଗୁଣ ବି କିଛି କହିପାରନ୍ତିନି । ଅଥଚ୍ ଚଟାପଟ୍ ଦଶ - ପଚାଶ ଖରାପ ଗୁଣର ତାଲିକା ଦେବାରେ କିଛି କମ୍‌ତି କରନ୍ତିନି । ବିଦ୍ୟାଳୟର ଅଧ୍ୟକ୍ଷ ଥିବାରୁ ମାଆ କିନ୍ତୁ ବର୍ଷ ଶେଷରେ ପରୀକ୍ଷା, ମାର୍କ ଏସବୁକୁ ପ୍ରାଧାନ୍ୟ ନଦେଇ ପିଲାର ଭଲଗୁଣମାନଙ୍କର (ନିହାତି ଚାଳିଶ, ପଚାଶ) ତାଲିକା କରି ବାର୍ଷିକ ବିବରଣୀ ହିସାବରେ ଦିଏ । ଏହି ରିପୋର୍ଟ ଦେଖି କିନ୍ତୁ ଅନେକଙ୍କ ମୁହଁରେ ଖୁସି ଦେଖାଯାଏନି । ଉତ୍ତର ମିଳେ, ‘କ’ଣ ହେବ ଏସବୁ ? ମାର୍କ ତ ନାହିଁ । ଏଥିରେ କ’ଣ ପେଟ ପୂରିବ ନା ଚାକିରି ମିଳିବ?’ ‘ଟିକେ ପିଲା ସହ ମିଶି କଥାହୁଅ, ଜାଣିବାକୁ ଚେଷ୍ଟା କର ତାଙ୍କୁ, ସମୟ ଦିଅ’ ବୋଲି ବାରମ୍ବାର ଅନୁରୋଧ କରିବା ପରେ ବି ସେତକ ହୋଇପାରେନି । ସମୟର ଘୋର ଅଭାବ ସମସ୍ତଙ୍କ ପାଖେ ।

ଯେଉଁ ଅଭିଭାବକମାନେ ପିଲାକୁ ମାଟି ପିଣ୍ଡୁଳା ପରି ବା ବସ୍ତୁଟିଏ ପରି ଭାବନ୍ତି ମୋର ସେମାନଙ୍କୁ ପଚାରିବାକୁ ଇଚ୍ଛା ହୁଏ ଯେ, ‘ଏଇ ଯେଉଁ ସମୟର ଅଭାବ ବୋଲି କହୁଛନ୍ତି, ତାହା କାହା ପାଇଁ...? ରୋଜଗାର ପାଇଁ ତ...? ଆଉ ଯାହା ପାଇଁ ସବୁ ରୋଜଗାର ସେ ଯଦି ଅଲୋଡ଼ା ହେଲା, ନିଜକୁ ନ୍ୟୁନ ଓ ପରିତ୍ୟକ୍ତ ମନେ କଲା, ତେବେ କ’ଣ କରିବେ ? କ’ଣ ହେବ ଏ ଜମି, ବାଡ଼ି, ରୋଜଗାର, ବ୍ୟାଙ୍କ୍ ବାଲାନ୍ସ ସବୁ ?’ କିନ୍ତୁ ଯେଉଁମାନେ ପିଲାଟିକୁ ମଣିଷ ବୋଲି ଭାବୁଛନ୍ତି, ଯେଉଁମାନେ ଜାଣିଛନ୍ତି ଜିନିଷପତ୍ର, ଅର୍ଥ କି ଐଶ୍ୱର୍ଯ୍ୟ ନୁହେଁ ପିଲାଟିକୁ ଭଲପାଇବା ଦରକାର, ଆପଣାର କଥା ଶୁଣିବା ଲାଗି ଧୈର୍ଯ୍ୟ ଥିବା ବାପାମାଆ ଦରକାର, ସେମାନେ ନିଶ୍ଚୟ ପିଲାଟିକୁ ଶୁଣିବେ..., ତା’ ଇଚ୍ଛାକୁ ସମ୍ମାନ ଦେବେ ଓ ତା’ ନିଜ ନିଷ୍ପତ୍ତି ନେବାର ଅଧିକାର ତାକୁ ହିଁ ଦେବେ ବୋଲି ମୁଁ ଜାଣେ । ଏସବୁ କଥା ଏଠି କହିବା ଆଗରୁ ଅଭିଭାବକମାନଙ୍କୁ ମଧ୍ୟ ଅନେକ ଥର ଅଭିଭାବକ ବୈଠକରେ ଓ ଏକା ଏକା କଥା ହେବାବେଳେ ଏସବୁ କହିଛି । ଛୁଟିରେ ଘରକୁ ନେବାବେଳେ ଏଇ ଏଇ କାମ ନିହାତି କରିବେ’ର ଲମ୍ବା ଚିଠା ମଧ୍ୟ ଧରେଇଛି । ତଥାପି ହୋଇପାରିନି କିଛି । ଶେଷରେ ଅଭିଭାବକଙ୍କ ହୃଦୟକୁ ଓ ଆବେଗକୁ ଛୁଇଁ ପାରିବା ଲାଗି ଉପାୟଟେ କଲି । ଏଇ ମାଧ୍ୟମଟି ଥିଲା ଅଭିନୟ । ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବାକୁ ଥିବା ନାଟକଟିକୁ ଶିଶୁ ମନୋବିଜ୍ଞାନକୁ ଆଧାର କରି ଲେଖିଲି । ପ୍ରଥମ ଥର ଏହା ଖୁବ୍ ଭଲ ହୋଇଥିଲା । ସେ ବିଷୟରେ ଆଗରୁ ଥରେ ଆଉ ଗୋଟେ ପ୍ରବନ୍ଧରେ ଏଇଠି ଲେଖିଥିଲି । ସେଥର ଉଭୟ ପିଲା ଓ ବାପାମାଆଙ୍କ ଭିତରେ ଏକ ସମ୍ପର୍କର ସେତୁ ତିଆରି ହୋଇପାରିଥିଲା ବୋଲି ଲଗାତର ଦୁଇ ବର୍ଷ ଆଉ ଦୁଇଟି ନାଟକ ମଧ୍ୟ ଲେଖିଥିଲି । ସମସ୍ତେ ନିଜ ପିଲା ସହ ସମ୍ପର୍କ ଓ ଭାବର ଆଦାନ - ପ୍ରଦାନର ଡୋରଟି ଦୃଢ଼ କରିବା ଥିଲା ଉଦ୍ଦେଶ୍ୟ ।

ଦ୍ୱିତୀୟ ବର୍ଷର ନାଟକ ‘ଆରମ୍ଭ’ ଆରମ୍ଭ ହୋଇଥିଲା ଗୋଟିଏ ଗୀତରୁ, ଯାହା ବାର୍ତ୍ତା ଦେଉଥିଲା ଯେ ‘ପ୍ରତିଟି ପିଲା ନିଜେ ହିଁ ଜଣେ ସ୍ରଷ୍ଟା, ନିଜ ଭବିଷ୍ୟତର ନିଜେ ହିଁ ନିର୍ମାତା ଓ ନିଜ ସ୍ୱପ୍ନର ନିଜେ ଅଭିନେତା । ଆମେ କ’ଣ ପ୍ରକୃତରେ ତାଙ୍କ ସ୍ୱପ୍ନକୁ ଛୁଇଁ ପାରିବା କି ତାଙ୍କ ଦୁନିଆରେ ତାଙ୍କ ସାଥି ହୋଇ ? ଆଜି ସେମାନେ ଯେଉଁଠି ବି ଛିଡ଼ା ହୋଇଛନ୍ତି ସବୁଠି ଆମରି ହିଁ ସ୍ପର୍ଶ ରହିଛି । ପିଲାବେଳେ ଆମେ ଯାହା ଯେମିତି କରିଛନ୍ତି, ତାହାର ପ୍ରଭାବ ହିଁ ପଡ଼ିଛି । ଏବେ ଆମେ କ’ଣ ସେ ପ୍ରଭାବଗୁଡ଼ିକ ପୋଛି ଦେଇ ତାଙ୍କୁ ପୁଣିଥରେ ଜୀବନର ନୂଆ ଆରମ୍ଭଟେ କରିବାକୁ ସୁଯୋଗ ଦେଇପାରିବା ?’

ନାଟକରେ ପିଲାଏ ବଡମାନଙ୍କୁ ଅନୁରୋଧ କରିବାକୁ ଯାଇ ‘ସେମାନଙ୍କର ଅର୍ଥର ପ୍ରାଚୁର୍ଯ୍ୟ ଦରକାର ନାହିଁ’ କହିବାବେଳେ ‘ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦରକାର ବୋଲି କହୁଛନ୍ତି । ‘ମାଆ ! ତୁ ଆମ ଅଝଟ, ଅଳି ସବୁ ପୂରା କରିବାକୁ ଯାଆନା କି ମେଞ୍ଚାଏ ଜିନିଷପତ୍ର ଆମକୁ ଦେ’ନା । ଆମକୁ ଜୀବନର ସ୍ପନ୍ଦନ ଟିକକ ଦେ, ଜୀବନ ବଂଚିବାକୁ ଦମ୍ଭ ଦେ, ନିଜକୁ ଗଢ଼ିବାର ସୁଯୋଗ ଦେ’।’ ଏସବୁ ଦେଇପାରିବା କି ଆମେ ? ଆମେ କ’ଣ ସତରେ ଆମର ପିଲାଙ୍କୁ ସୁନ୍ଦର ଆରମ୍ଭଟେ ଦେଇପାରିବା ? ତାଙ୍କର ନିଜ ବାପା, ମାଆ, ଶିକ୍ଷକଙ୍କ ପ୍ରତି ଥିବା ବିଶ୍ୱାସ, ଭଲ ପାଇବା ବଦଳରେ ତାଙ୍କ ସ୍ୱଭାବ ଓ ସମ୍ଭାବନାକୁ ବିକାଶ କରିବାର ସୁଯୋଗ ଦେଇପାରିବା ? ସେମାନେ କ’ଣ ଏତିକି ପାଇବାର ବି ହକ୍‌ଦାର ନୁହଁନ୍ତି କି ? ସେମାନେ ତ କେବଳ ନୂଆ ଆରମ୍ଭଟେ ଆମେ ତାଙ୍କୁ ଦିଅନ୍ତୁ ବୋଲି ପ୍ରତିଶ୍ରୁତି ଚାହୁଁଛନ୍ତି ।

ଏ କଥାଟି ଗୀତ ଭିତରେ ଜଣେ ଦର୍ଶକମାନଙ୍କୁ ପଚାରିବା ପରେ କେତୋଟି ପରିବାରକୁ ନେଇ କାହାଣୀ ଆରମ୍ଭ ହେଉଛି । ଯେଉଁଠି ଦର୍ଶାଯାଇଛି ଯେ ପିଲାଏ ବଡ଼ମାନଙ୍କୁ ଅନୁକରଣ କରି ହିଁ ଶିଖନ୍ତି । କିନ୍ତୁ ଆମେ ଜୀବନସାରା ତାଙ୍କୁ ହିଁ ଦାୟୀ କରିଥା’ନ୍ତି ସେମାନଙ୍କର ଦୋଷ ଦୁର୍ବଳତା ପାଇଁ । ତାଙ୍କର ଅବ୍ୟବସ୍ଥିତ ଜୀବନଶୈଳୀ ପାଇଁ । କେତେବେଳେ ମାଆ ଫୋନ୍‌ରେ ‘ବାପା ନାହାନ୍ତି’ ବୋଲି ମିଛ କହିବାର ପିଲା ଶୁଣିଲାଣି ତ କେତେବେଳେ ଜେଜେବାପା, ଜେଜେମା’ଙ୍କ ପ୍ରତି ତାଙ୍କର ଦୁର୍ବବ୍ୟହାର ଦେଖିଲାଣି । କେତେବେଳେ ଘରର ପ୍ରତିଟି ସଦସ୍ୟ ପରସ୍ପରକୁ ଦୋଷାରୋପ କରିବାର ଦେଖିଲାଣି ତ କେତେବେଳେ ଅନ୍ତରଙ୍ଗତା ଅଭାବରୁ ବାପା - ମାଆ ଦିନ ଦିନ ଧରି କଥା ନ ହେବାର ଦେଖିଲାଣି ।

କାହାଣୀର ଶେଷ ଆଡ଼କୁ ଜଣେ ମନୋବିଶେଷଜ୍ଞ ଆସୁଛନ୍ତି ଯିଏ ଏସବୁ ଘଟଣା ଦେଖୁଛନ୍ତି । ଦେଖିବା ପରେ ଭବିଷ୍ୟତରେ ଏମିତି ଘଟଣା ସବୁର କ’ଣ ପ୍ରଭାବ ପଡ଼ିବ ପିଲାଙ୍କ ଉପରେ ତାହାର ସୂଚନା ଦେଉଛନ୍ତି । ଶେଷରେ କାହାଣୀଟି ‘ଆମକୁ ଗୋଟିଏ ନୂଆ ଆରମ୍ଭ କରିବାର ସୁଯୋଗ ଦେବ କି ?’ ପ୍ରଶ୍ନଟି ପିଲାଏ ବାପାମାଆଙ୍କୁ ପଚାରିବା ପାଖରେ ସରୁଛି ।

ଏଇ ଘଟଣାଟି ପରେ ଅନେକ ଅଭିଭାବକ ପିଲାଙ୍କ ମାର୍କ ନଖୋଜି ପିଲା କ’ଣ କରିବାକୁ ଭଲ ପାଉଛି ବା କେଉଁଟା ଭଲ କରିପାରୁଛି ପଚାରିବାକୁ ଆରମ୍ଭ କରିଥିଲେ ଅଧ୍ୟକ୍ଷଙ୍କୁ । ଆମେ କ’ଣ କେବେ ଭାବି ନାହାନ୍ତି ସତରେ ଏସବୁ ବିଷୟରେ ? ମୁଁ କହିବାକୁ ଚାହୁଁଥିବା ପ୍ରତିଟି କଥା ଏଇ କାହାଣୀ ଭିତରେ ରହିଥିଲା । ଶେଷରେ ଏତିକି କହିବି; ଆମେ ଯେତେ ସମ୍ଭବ ପିଲାଙ୍କୁ ସେତେ ସମୟ ଦେବା, ତାଙ୍କୁ ବୁଝିବାକୁ ଚେଷ୍ଟା କରିବା । ସମ୍ପର୍କକୁ ଆଶା - ପ୍ରତ୍ୟାଶା କି କର୍ତ୍ତବ୍ୟ ବୋଲି ମନେ ନକରି ଜୀବନରେ ଆଗେଇବାର, ସମ୍ଭାବନାର, ଅନ୍ତରଙ୍ଗ ଆଳାପର, ଖୁସିର, ଆନନ୍ଦର, ସ୍ୱପ୍ନର, ସହଯୋଗର ଆଧାର କରିବା । ନୂଆ ଆରମ୍ଭଟେ କରିବା ।

Report an Error