ସବୁଦିନ ସକାଳ ହେଉଛି

ଭବିଷ୍ୟତ ପୃଥିବୀ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ହିଁ ସମସ୍ତଙ୍କ ଲକ୍ଷ୍ୟ କିନ୍ତୁ ଏହାକୁ ସମୂହ ଭାବେ ହିଁ ହାସଲ କରାଯାଇପାରେ ଏବଂ ଏଇ ଶିବିରଟି ହିଁ ଅବସର । ମୋ ପାଇଁ ଏଇଟା ମୋ ସ୍ୱପ୍ନମାନଙ୍କୁ ଛୁଇଁବାର ପ୍ରୟାସ । ଜୀବନକୁ ଜାଣିବା ପାଇଁ ଏମିତି ଶିବିର ଲୋଡ଼ା ।


ଫଟୋ - ସୁମିତ୍ରା ପାଢୀ

ସୁଜୟ ଆଇ.ଆଇ.ଟିରେ ପି.ଏଚ.ଡି କରିବାର ସୁଯୋଗ ପାଇଥାଏ । ନୂଆ ବଡ଼ ରୁମ୍ ସାଙ୍ଗକୁ ଏୟାର କଣ୍ଡିସନର୍ ବି ଲାଗିଥାଏ । ଟେବୁଲ, ଚେୟାର୍, ବେଡ଼୍, ଆଲମିରା ସବୁ ଥାଏ । ସିଙ୍ଗଲ୍ ରୁମ୍, ବଡ଼ ବଡ଼ ଝରକା, ସବୁକିଛି ସଫାସୁତୁରା । ନିଜପାଇଁ ଏକୁଟିଆ ଜାଗାଟେ ପାଇ ସେ ଭାରି ଖୁସି । ତା’ର ପ୍ରିୟ ବଡ଼ଭାଇଟି ତା’ ପାଖକୁ କେଉଁ ଦିନ ଆସିବ ବୋଲି ଅପେକ୍ଷା କରିଥାଏ । ସେଇ ଉଦବେଗରେ ଏମ୍.ଟେକ୍ ସମୟରୁ ଜାଣିଥିବା ହଷ୍ଟେଲ ୱାର୍ଡେନ୍‌ଙ୍କୁ କେହି ଆସି ତା’ ରୁମ୍‌ରେ ରହିପାରିବେ କି ନାହିଁ ବୋଲି ପଚାରନ୍ତେ ସେ ଟିକେ ସମୟ ସୁଜୟର ମୁଣ୍ଡଠାରୁ ଗୋଡ଼ ଯାଏ ଅନାଇଲେ । ସୁଜୟ କ’ଣ ବୁଝିଲା କେଜାଣି; କହିଲା - “ଚିନ୍ତା କରନ୍ତୁନି । ମୋ ସାଙ୍ଗ ସବୁ ଟିକେ ଅଲଗା । ପିଆପିଇ, ସୋର୍ ଶବ୍ଦ ବା ଫିଲ୍ମ ଦେଖି ଆଡ୍ଡା ଜମାଇବା ପରି କାମ କରନ୍ତିନି କେହି । ଆମେ ଭେଟ ହେଲେ କେଉଁ ସାମାଜିକ ସ୍ଥିତି ନହେଲେ ଶିକ୍ଷା ବା କେଉଁ ଫିଲୋସଫର୍ ଓ ତାଙ୍କ ଫିଲୋସଫି ଉପରେ ଆଲୋଚନା କରୁ ।” ଏତିକି କଥା ଶୁଣି ସେ ହୋ ହୋ ହୋଇ ହସି ଉଠିଲେ । ବାଇଶି, ତେଇଶି ବର୍ଷର ପିଲାଟେ ମୁହଁରୁ ଏ କଥା ଶୁଣିବା ଅସ୍ୱାଭାବିକ ମନେହେଲା ତାଙ୍କୁ । ଆମକୁ ବି ହୁଏତ ଠିକ୍ ସେମିତି ହିଁ ଲାଗିବ । କିନ୍ତୁ ସତରେ କ’ଣ ଆଜିକାଲିର ପିଲାମାନଙ୍କ କର୍ମ ଓ ଜୀବନଶୈଳୀ ଏତେମାତ୍ରାରେ ଆମକୁ ବାଧ୍ୟ କରିଛି ତାଙ୍କୁ ଏମିତି ଢଙ୍ଗରେ ଆକଳନ କରିବାକୁ... ଅବିଶ୍ୱାସ କରିବାକୁ ...??

କିନ୍ତୁ ସୁଜୟ କହିଥିବା କଥାଟି ସତ । ତା’ ଭଳି ଅନେକ ପିଲାଙ୍କର ଏ ଯେଉଁ ପାଦଚିହ୍ନ ଆଜି ବଡ଼ ହେବା ପରେ ନିଜ ବିଦ୍ୟାଳୟକୁ ଲେଉଟାଣି ପଥରେ ପଡ଼ିଛି, ସେସବୁ ଅନେକ ଦିନ ତଳେ ଖୁବ୍ କୁନି କୁନି ଥିବାବେଳେ ମାଡ଼ି ଯାଇଥିଲେ ବିଭିନ୍ନ ପ୍ରାନ୍ତରକୁ ଆଗକୁ ଚାଲିବାର ସ୍ୱପ୍ନରେ । ପାରି ହୋଇଥିଲେ ବିଭିନ୍ନ ପ୍ରାନ୍ତରକୁ ଆଗକୁ ଚାଲିବାର ସ୍ୱପ୍ନରେ । ପାରି ହୋଇଥିଲେ ଅରମା ବଣବୁଦା ସବୁ । ସେଦିନର କୁନି ପିଲାଟିର ସ୍ୱପ୍ନ ଖୁବ୍ ନିଜସ୍ୱ ଥିଲା ସିନା, କିନ୍ତୁ ସମୟ ବିତେଇବାର ପରିସର ଗୋଟିଏ ଥିଲା ।

ଆମେ ସଭିଏଁ ଗୋଟିଏ ବିଦ୍ୟାଳୟରେ ପଢ଼ୁଥିଲୁ । ହଷ୍ଟେଲ୍‌ରେ ରହୁଥିଲୁ । ସେଠାରେ ଆମକୁ ଅସୀମ ସ୍ୱାଧୀନତା ମିଳିଥିଲା ନିଜ କଥାକୁ ଚିତ୍ର, ଗପ, କବିତା ମାଧ୍ୟମରେ କହିବା ଲାଗି । ନିଜର ପୁଞ୍ଜିଭୂତ ପ୍ରତିକ୍ରିୟା ଓ ମତାମତକୁ ଖୋଲା ଆଲୋଚନାରେ ବଡ଼ମାନଙ୍କ ସାମ୍ନାରେ ପ୍ରକାଶ କରିବା ଲାଗି । ବର୍ଷ ଶେଷରେ ବଡ଼ମାନଙ୍କୁ ଅର୍ଥାତ୍ ଶିକ୍ଷକମାନଙ୍କୁ ମୂଲ୍ୟାୟନ କରି ତିଆରି କରୁଥିବା ରିପୋର୍ଟରେ ତାଙ୍କ ବିଷୟରେ ଉଭୟ ଭଲମନ୍ଦ ଲେଖିବା ଲାଗି ସ୍ୱାଧୀନତା ଭିତରେ ବି ଭଲ ପାଇବାର ଯେଉଁ ଗଭୀର ଅଥଚ ସୂକ୍ଷ୍ମ ଡୋରଟି ଥିଲା ତାହା ଅନେକ ଦିନ ଯାଏ ସମସ୍ତଙ୍କୁ ଯୋଡ଼ି ରଖିଥିଲା । ସେ ଡୋର ଓ ସ୍ୱାଧୀନତାର ରହସ୍ୟ ଥିଲେ ସମସ୍ତଙ୍କର ପ୍ରିୟ ମୀରା ଅପା । ଅମାପ ସ୍ନେହ ଓ ଅବାଧ ସ୍ୱାଧୀନତା କେବଳ ସେ ହିଁ ଦେଉଥିଲେ ପିଲାଙ୍କୁ ।

ବିଦ୍ୟାଳୟରେ ପଢ଼ିଥିବା ପ୍ରାୟ ସବୁ ପିଲା ବଡ଼ ହେବା ପରେ ଅନେକ ବର୍ଷ ଧରି ସେଇ ବିଦ୍ୟାଳୟରେ ହିଁ ଏକାଠି ହେଉଥିଲେ । ସଭିଏଁ ମିଶି ଶିବିର କରୁଥିଲୁ । ସାଙ୍ଗ ହୋଇ ଭବିଷ୍ୟତ ପୃଥିବୀର ସ୍ୱପ୍ନ ଦେଖୁଥିଲୁ । ଶିବିର ଆରମ୍ଭର ଦାୟିତ୍ୱ ନେଇଥିଲେ ନାରାୟଣ ଭାଇ । ଏକାଠି ପଢ଼ୁଥିଲୁ ଶ୍ରୀଅରବିନ୍ଦ, ଜେ. କ୍ରିଷ୍ଣମୂର୍ତ୍ତି, ଚିତ୍ତରଞ୍ଜନ ଦାସ, କ୍ରିଷ୍ଣେନ କଲଲ୍, ଭାସିଲି ସୁଖମୋଲିନିସ୍କ, ଗିଜୁ ଭାଇ ବଧେକା, ଏ.ଏସ୍.ନିଲ୍ ଓ ଆଇଭାନ୍ ଇଲିଚଙ୍କୁ । ତାଙ୍କୁ ପଢ଼ିବା ଭିତରେ ବୁଝିବାର ପ୍ରୟାସ କରୁଥିଲୁ, ବିଦ୍ୟାଳୟ ମୁକ୍ତ ସମାଜର ସ୍ୱପ୍ନ ଦେଖୁଥିଲୁ ଓ ଶିବିରଟିରୁ ଜୀବନ ବଞ୍ଚିବାର ଖୋରାକ୍ ସାଉଁଟୁଥିଲୁ ।

ଶିବିରଟି ଟିକେ ଅଲଗା ବାଗରେ ହୁଏ । ଆମ ପାଇଁ କେହି ଜଣେ ବାହାରର ମଣିଷ କାର୍ଯ୍ୟକ୍ରମଟେ ତିଆରି କରିଦିଏନି । ଯଦିଓ ମୁଁ ଆପେକ୍ଷିକ ଭାବରେ କିଛି ଯୋଜନା କରି ରଖିଥାଏ, କିନ୍ତୁ ପିଲା କେମିତି ନିଜ କଥା କହିବେ ସେ ପାଇଁ ଆଗ ବ୍ୟବସ୍ଥା କରେ । ସମସ୍ତେ ପ୍ରଥମ ଦିନ ପହଞ୍ଚିବା ପରେ ସନ୍ଧ୍ୟାରେ ଯେଉଁ ସାମୂହିକ ଆଲୋଚନାଟି ଲାଗି ବସୁ, ସେଇଠି ହିଁ ସମ୍ପୂର୍ଣ୍ଣ ଯୋଜନା ତିଆରି ହୁଏ । କେବେ ସାମୂହିକ ଆଲୋଚନା ଭିତରୁ ଖିଅଟିଏ ମିଳିଯାଏ ଆଗାମୀ ଦୁଇଦିନ ଧରି ଆଲୋଚନା କରିବାକୁ ତ କେବେ ସମସ୍ତେ କାଗଜ କଲମ ଧରି ଚୁପଚାପ ବସିଯାଉ ନିଜ ଦୈନନ୍ଦିନ ଜୀବନର ଅସୁବିଧାଗୁଡ଼ିକ ଲେଖିବା ଲାଗି । ଲେଖା ସରିବା ପରେ ସବୁଠୁ ଅଧିକ ଜଣ ଲେଖିଥିବା ଏକା ପ୍ରକାର ବିଷୟବସ୍ତୁକୁ ବାଛି ନେଉ ଆଲୋଚନାର ପ୍ରସଙ୍ଗ ଭାବେ । ସାଙ୍ଗ ହୋଇ ସମାଧାନର ବାଟ ଖୋଜିବା ଲାଗି ରହେ । ତେଣୁ ଶିବିରର ବିଭିନ୍ନ ଅଧିବେଶନରେ ଅନେକ ବିଷୟରେ ସାମୂହିକ ଆଲୋଚନା ହୁଏ । ଆମ ପାଇଁ ଯୋଜନା, ସମୟ କି ବକ୍ତା ଆଉ କେହି ସ୍ଥିର କରିଦିଅନ୍ତିନି । ଅନ୍ୟ କାହାର ଶାସନଟିକୁ ଏକପାଖିଆ ଭାବେ ଓ ବିନା ମତାମତରେ ମାନିନେବାର ଅଭ୍ୟାସ ବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ କାହିଁକି ନାହିଁ କେଜାଣି ।

ଦୀପକ ସେଥର ଅନ୍ୟ ଗୋଟେ ବିଦ୍ୟାଳୟରେ ପଢ଼ୁଥିବା ତା’ କମ୍ପାନୀ ମ୍ୟାନେଜରଙ୍କ ସହ ତାଙ୍କର ତିନିଦିନିଆ ବୈଠକକୁ ଯାଇଥିଲା । ସେଠାକାର ବ୍ୟବସ୍ଥା ତାକୁ ଏମିତ ବାନ୍ଧି ପକାଇଲା ପରି ଲାଗିଲା ଯେ ସେ ଗୋଟିଏ ଦିନରେ ଛାଟିପିଟି ହୋଇ ପଳାଇ ଆସିଲା । ତାଙ୍କର କାର୍ଯ୍ୟକ୍ରମସବୁ ମାସେ ଆଗରୁ ବଡ଼ମାନଙ୍କ ଦ୍ୱାରା ସ୍ଥିର କରି ଛପାଯାଇ ସାରିଥିଲା । କାର୍ଯ୍ୟକ୍ରମଟି ଯଦିଓ ସ୍କୁଲରେ ପଢ଼ି ସାରିଥିବା ପିଲାମାନଙ୍କର, ତେବେ ତାକୁ ପ୍ରସ୍ତୁତ କରିଥିଲେ ଟ୍ରଷ୍ଟର ସମ୍ପାଦକ ଓ ମେମ୍ବରମାନେ । ସେଥିରେ ପୁଣି ଦିନକୁ ତିନି ଚାରିଜଣ ବକ୍ତାଙ୍କର ଭରପୂର ଭାଷଣର କାର୍ଯ୍ୟକ୍ରମ । ଅବସର ବା କାହିଁ ନିଜକୁ ଖୋଜିବାର... ପାଇବାର... ବୁଝିବାର....??? କେତେଦିନ ବା ଆଉ ଏମିତି ନିଜକୁ ଲୁଚେଇ, ନିଜଠୁ ଦୂରେଇ ଭେଳିକିରେ ମାତିଥିବା ବୋଲି ମୋର ପଚାରିବାକୁ ଇଚ୍ଛା ହୁଏ ।

ଏଇ ଘଟଣାଟି ଆମ ଅନୁଭୂତି ଅଧ୍ୟାୟରେ ଆଲୋଚନା ହୋଇ ଚାଲିଗଲା । ଅନୁଭୂତି ସହ ଜୀବନର ଅସୁବିଧା ସମ୍ପର୍କୀୟ ପ୍ରଶ୍ନୋତ୍ତର, ଚିତ୍ର ଅଙ୍କା, ଗପ - ଗୀତ ଲେଖା, ମ୍ଯୁଜିକ୍ ଶୁଣା, ଅଭିନୟ ଆଦି ବିଭିନ୍ନ କାର୍ଯ୍ୟକ୍ରମ ପୂରି ରହିଥାଏ ତିନିଦିିନରେ ।

ନୂଆ - ପୁରୁଣା ସଭିଙ୍କ ଭିତରେ ନିଜ ଜୀବନ, ସ୍ୱପ୍ନ ଓ ଲକ୍ଷ୍ୟକୁ ନେଇ ସ୍ପଷ୍ଟତା ଆସିବା ପାଇଁ ଶିବିର ଆରମ୍ଭ ହୁଏ କିଛି ପ୍ରଶ୍ନକୁ ନେଇ । ଏଇ ଯେମିତି; ଶିବିରର ଉଦ୍ଦେଶ୍ୟ କ’ଣ ? ମୁଁ ଏଠାକୁ କାହିଁକି ଆସେ ? ମୋତେ କ’ଣ କରିବାକୁ ଭଲ ଲାଗେ ? ଉତ୍ତର ବି ମିଳେ ଅନେକ । ଏଇ ଯେମିତି; ପରସ୍ପର ମଧ୍ୟରେ ଆଲୋଚନା ହେଲେ, କିଛି ନୂଆ କଥା ଜାଣିବାକୁ ମିଳେ । ସାଙ୍ଗମାନଙ୍କ ସହ ମିଶିବା ଫଳରେ ବର୍ତ୍ତମାନ ଜୀବନରେ ସେମାନେ କରୁଥିବା କାର୍ଯ୍ୟ ଓ ପରିସ୍ଥିତିରୁ କିଛି ଶିଖିବାକୁ ମିଳେ । ଆମ ସମସ୍ତଙ୍କ ଭିତରେ ଏକ ଭାତୃତ୍ୱ ଓ ଆପଣାପଣିଆର ଭାବ ତିଆରି ହୋଇ ଅଧିକ ଦୃଢ଼ ହୁଏ । ଆମେ ସମସ୍ତେ ନିଜ କାମ ବ୍ୟତୀତ ଏମିତ ଏକ କାର୍ଯ୍ୟ ମିଶି କରିବାକୁ ଇଚ୍ଛା ହୁଏ ଯାଏ ପ୍ରକୃତରେ କରିବାକୁ ଅଛି, ଯାହାକୁ ଚାହିଁଲେ ବି ଏକା ଏକା କରିହେବନି । ଭବିଷ୍ୟତ ପୃଥିବୀ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ହିଁ ସମସ୍ତଙ୍କ ଲକ୍ଷ୍ୟ କିନ୍ତୁ ଏହାକୁ ସମୂହ ଭାବେ ହିଁ ହାସଲ କରାଯାଇପାରେ ଏବଂ ଏଇ ଶିବିରଟି ହିଁ ଅବସର । ମୋ ପାଇଁ ଏଇଟା ମୋ ସ୍ୱପ୍ନମାନଙ୍କୁ ଛୁଇଁବାର ପ୍ରୟାସ । ଜୀବନକୁ ଜାଣିବା ପାଇଁ ଏମିତି ଶିବିର ଲୋଡ଼ା । ନିଜ ବିଷୟରେ ସଚେତନ ହେବାର ଓ ଏକ ପ୍ରକୃତ ଶିକ୍ଷାକୁ ବୁଝିବାର ଅବସର ଏ ।

ଏମିତି ଅନେକ କାମ ଓ ସେଥିରେ ପିଲାମାନଙ୍କର ଅଂଶଗ୍ରହଣର ଅନେକ ନମୁନା ରହିଛି । ଏମିତି କାମ ଭିତରେ ସଭିଏଁ ବୁଡ଼ି ରହିଥିବାବେଳେ ବାହାରୁ ପଶି ଆସୁଥିବା ମଣିଷମାନଙ୍କୁ ଆଶ୍ଚର୍ଯ୍ୟ ଲାଗେ ଅଳ୍ପବୟସ୍କମାନେ ଚୁପଚାପ ବସି ତତ୍ତ୍ୱ ଆଲୋଚନା କରୁଥିବାର ଦେଖି । କେତେଜଣଙ୍କୁ ସମୟ ନଷ୍ଟ କରୁଛନ୍ତି ବୋଲି ବି ଲାଗେ । ଆଉ କିଛି ବଡ଼ମାନଙ୍କୁ ଏତେ କମ୍ ସଂଖ୍ୟାରେ ପିଲା ଏକାଠି ହେବାଟା ଏତେ ବଡ଼ ହୋଇ ଦିଶେ ଯେ, ସେମାନେ ଆସନ୍ତିନି । ସବୁଠି ସଂଖ୍ୟା/ନମ୍ବରର ରାଜୁତି ।