ଜଣେ ଶିଳ୍ପୀର କଥା ଓ ବ୍ୟଥା

୭ ମାର୍ଚ୍ଚ ୧୯୭୧ରେ ଲଣ୍ଡନର ପାଡିଙ୍ଗଟନରେ ଜନ୍ମିତ ଗ୍ରାଣ୍ଟ ଫେଣ୍ଟ ବାଲ୍ୟକାଳରୁ ହିଁ ପାରିବାରିକ ଦ୍ୱନ୍ଦ୍ୱରେ ବଢ଼ିଥିଲେ । ନିଜ ପିତୃ ପରିଚୟ ପାଇବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । ଅନେକ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଭାବେ ସେ ପାଇଛନ୍ତି ବିଭିନ୍ନ ବିଶ୍ୱସ୍ତରୀୟ ସମ୍ମାନ।


"ଜୀବନରେ ଅନେକ ସମୟରେ ମଣିଷକୁ ଅନେକ ସଂକଟମୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହା ପ୍ରକୃତିର ନିୟମ । ପରିସ୍ଥିତିକୁ ହୃଦୟଙ୍ଗମ କରି ସହଜ ଭାବେ ସେହି କଠିନ ପରିସ୍ଥିତିରୁ କିଛି ଭଲ ଖୋଜିବା ହିଁ ମଣିଷପଣିଆ ।"- ଏକଥା କହନ୍ତି ବିଶ୍ୱପ୍ରସିଦ୍ଧ ଅଭିନେତା, ସିନେନିର୍ମାତା ତଥା ଚିତ୍ରୋତ୍ତଳନକାରୀ (ଫଟୋଗ୍ରାଫର) ଗ୍ରାଣ୍ଟ ଫେଣ୍ଟ ।

ସମସ୍ତ ପ୍ରକାର ପରିସ୍ଥିତିରେ ସମ୍ଭାବନାକୁ ଦେଖିବା ଓ ତାକୁ ନିଜ କ୍ୟାମେରା ଲେନ୍ସରେ ବାନ୍ଧି ନେବାର ଗୁଣ ହିଁ ଏହି କଳାକାର - ସିନେନିର୍ମାତା ତଥା ଫଟୋଗ୍ରାଫରଙ୍କୁ ଜଣେ ବିଶ୍ୱସ୍ତରୀୟ ଟ୍ରାଭେଲ ଫଟୋଗ୍ରାଫରର ପରିଚୟ ଦେଇଥିଲା । ଯଦିଓ ବଜାରରେ ନେଗେଟିଭ୍ କଣ୍ଟେଣ୍ଟ୍ ବିଶିଷ୍ଟ ଫଟୋର ଚାହିଦା ଅଧିକ ଥାଏ, ଯେପରିକି କଳାହାଣ୍ଡିର ଭୋକର ଭୂଗୋଳ ହେଉ ଅବା ଦକ୍ଷିଣ ଆଫ୍ରିକାର, ଯୁଦ୍ଧଗ୍ରସ୍ତ ଅସହାୟ ନାଗରିକର ହେଉ ଅବା ଧ୍ୱଂସ ବିଧ୍ୱସ୍ତର ଚିତ୍ର; ଏହି ସମସ୍ତ ଚିତ୍ର ମଧ୍ୟରେ ସେ ଖୋଜି ନିଅନ୍ତି ସମ୍ଭାବନାର କେତୋଟି ଫୁଲ । ଆନନ୍ଦର କେତୋଟି ଚିତ୍ର । ଯାହା ତାଙ୍କ ଭିତରେ ଥିବା ଜୀବନବୋଧର ପରିଚୟ ହୋଇ ବାହାରି ଆସିଥାଏ ।

ଦେବାରେ ହିଁ ଥାଏ ଆନନ୍ଦ

ପ୍ରକୃତି ଆମକୁ ଦେଇଛି ବହୁତ । ଏବେ ତ ଫେରାଇବାର ବେଳ । ଜୀବନ ଦେଇଛି ଅନେକ; ସମାଜକୁ କିଛି ତ ଫେରେଇବାକୁ ହେବ । କହନ୍ତି ଗ୍ରାଣ୍ଟ ଫେଣ୍ଟ । ତାଙ୍କର ବାଲ୍ୟଜୀବନ କଟିଥିଲା ଦାରିଦ୍ର୍ୟରେ । ସିନେମା, ଅଭିନୟ ଓ ଫଟୋଗ୍ରାଫିରୁ ସେ ଅନେକ କମାଇଛନ୍ତି । କିଛି ତ ଦେବାକୁ ହେବ । ୨୦୦୦ ମସିହାର ପୂର୍ବବର୍ତ୍ତୀ ସମୟରେ ଯେତେବେଳେ ବିଶ୍ୱରେ ଏଡ୍ସ ର ଭୟାବହତା ଦେଖାଇବା ଆରମ୍ଭ କରିଥିଲା; ଦକ୍ଷିଣ ଆଫ୍ରିକାର ନିୟୁତାଧିକ ପିତାମାତାଙ୍କୁ ଏହି ଦୂରାରୋଗ୍ୟ ବ୍ୟାଧି କବଳିତ କରି ନିୟୁତ ନିୟୁତ ପିଲାମାନଙ୍କୁ ଅନାଥ କରିଥିଲା । ସେତେବେଳେ ଗ୍ରାଣ୍ଟ ଫେଣ୍ଟ ଓ ତାଙ୍କ ପତ୍ନୀ ନିଜର ସମସ୍ତ ଜମାପୁ୍ଞ୍ଜି ଅଜାଡି ଦେଇଥିଲେ ସେହି ଅସହାୟ ତଥା ଅନାଥ କୋମଳମତି ଶିଶୁଙ୍କ ପାଇଁ ।

ନିକଟରେ ଏହି ଫଟୋଗ୍ରାଫର ଦମ୍ପତି ବାଂଲାଦେଶ, କାମ୍ବୋଡିଆ ଓ ଲାଓସ ଆଦି ଦେଶରେ କାଟାରାକ୍ଟ ଅପରେସନ୍ ପାଇଁ ଏକ ବୃହତ୍ ପରିମାଣର ପୁଞ୍ଜି ଦାନ କରିଛନ୍ତି । ଏଯାବତ୍ ଉଭୟ ୯୦ଟି ଅପରେସନ୍ ପାଇଁ ଅର୍ଥରାଶି ଦାନ କରିଛନ୍ତି । ଏକ ହଜାର ଅପରେସନ୍ ର ଲକ୍ଷ୍ୟ ସ୍ଥିର କରିଛନ୍ତି । ନିଜ ଫଟୋଗୁଡ଼ିକ ବିକ୍ରି ହେବା ସହିତ ଏହି କାର୍ଯ୍ୟକ୍ରମକୁ ସେ ଆଗେଇ ନେବେ ବୋଲି କହିଛନ୍ତି ।

ଯଦିଓ କୋଭିଡ୍ ମହାମାରୀ ଗ୍ରାଣ୍ଟ ଫେଣ୍ଟଙ୍କୁ ବିଶ୍ୱ ଭ୍ରମଣ କରିବାର ଅବସର ଦେଇନାହିଁ । ତଥାପି ସେ ନିଜ ପ୍ରୟାସରୁ ଓହରି ଯାଇନାହାନ୍ତି ।

ଗର୍ବର ସହିତ ସେ କହନ୍ତି କି ଘୂରିବୁଲିବା ସମୟରେ ଯାହା ବି ତାଙ୍କ ସମ୍ମୁଖରେ ଆସିଥାଏ; ତାହାର ଫଟୋ ସେ ଉଠାଇଥାନ୍ତି । କେବେ ଅନ୍ଧାର ତ କେବେ ଆଲୋକ, କେବେ ଅପରାଧ ତ କେବେ ଉତ୍ସବ, କେବେ ଯୁଦ୍ଧ ତ କେବେ ଜୀବନ । ଯାହା ବି ଘଟୁ ସେ ବିଚଳିତ ନହୋଇ ନିଜ କ୍ୟାମେରାରେ ସାଇତି ନିଅନ୍ତି । ହଁ, କେବେ କେବେ କିଛି ମୁହୂର୍ତ୍ତ ହୃଦୟ ଥରାଇଦିଏ । ଆନମନା କରିଦିଏ, ବିଚଳିତ କରିଦିଏ । ଅନେକଗୁଡ଼ିଏ ନେଗେଟିଭ୍ ଚିତ୍ର ସାମ୍ନାରେ ଘଟିଚାଲିଥାଏ । କିନ୍ତୁ ସ୍ଥିର ରହିବାକୁ ପଡ଼େ । ଜୀବନ ବି ତ୍ୱରିତ ରଙ୍ଗ ବଦଳାଇଥାଏ । ବିଭୀଷିକା ଭିତରେ ମଧ୍ୟ ଜୀବନ ଓ ଆନନ୍ଦ ଛୁପିଥାଏ ।

ମାନବତା ତାଙ୍କୁ ବାନ୍ଧିଦିଏ । ମଣିଷପଣିଆରେ ସେ ହଜିଯାନ୍ତି । ସେ କହନ୍ତି କି, ଆଖପାଖରେ ଆତଯାତ ହେଉଥିବା ମଣିଷମାନେ ଖୁବ୍ ଭଲ । ସାରା ବିଶ୍ୱରେ ଘୂରିଘୂରି ସେ ଅନେକ ଲୋକଙ୍କୁ ଭେଟିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ଆତ୍ମୀୟ - ସ୍ୱଜନଙ୍କ ପାଇଁ, ନିଜ ପଡ଼ୋଶୀ ପାଇଁ ତଥା ସର୍ବୋପରି ନିଜ ସମାଜ ପାଇଁ ଅନେକ କିଛି କରିବାକୁ ବଦ୍ଧ ପରିକର ।

୭ ମାର୍ଚ୍ଚ ୧୯୭୧ରେ ଲଣ୍ଡନର ପାଡିଙ୍ଗଟନରେ ଜନ୍ମିତ ଗ୍ରାଣ୍ଟ ଫେଣ୍ଟ ବାଲ୍ୟକାଳରୁ ହିଁ ପାରିବାରିକ ଦ୍ୱନ୍ଦ୍ୱରେ ବଢ଼ିଥିଲେ । ନିଜ ପିତୃ ପରିଚୟ ପାଇବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । ପ୍ରସିଦ୍ଧ ଫିଲ୍ମ ନିର୍ମାତା ଭାବେ ସେ ପାଇଛନ୍ତି ବିଭିନ୍ନ ବିଶ୍ୱସ୍ତରୀୟ ସମ୍ମାନ । ସିନେମା ପୃଷ୍ଠଭୂମିରେ ଜୀବନ ଅତିବାହିତ କରୁଥିଲେ ମଧ୍ୟ ସେ ସେଲିବ୍ରିଟି କଲଚର୍ କୁ ପସନ୍ଦ କରନ୍ତିନାହିଁ । ଏହା ପ୍ରତିଭାର ମୃତ୍ୟୁ ବୋଲି ସେ କହିଥାନ୍ତି । ଆଜିର ଦିନରେ ଅନେକ ସମ୍ଭାବନା କ୍ଷଣିକ ପ୍ରସିଦ୍ଧିରେ ପାଗଳ ହୁଅନ୍ତି, ତ୍ୱରିତ ପ୍ରସିଦ୍ଧି ହାସଲ କରିବାର ପ୍ରୟାସ କରିଥାନ୍ତି; କିନ୍ତୁ ଅଧ୍ୟବସାୟ, ଦକ୍ଷତା ତଥା ପ୍ରତିଭାର ଅଭାବରେ ଉପଯୁକ୍ତ ଦିଗରେ ଯାଇପାରିନଥାନ୍ତି । ଉଭୟ ଅର୍ଥ ଓ ପ୍ରତିଭାର ଧନୀ ଗ୍ରାଣ୍ଟ ଫେଣ୍ଟ କେବେ ମଧ୍ୟ ନିଜ ଅର୍ଜିତ ପାଇଁ ଗର୍ବ କରିନାହାନ୍ତି । ଏଯାବତ ଶହେରୁ ଉର୍ଦ୍ଧ୍ବ ଦେଶ ଭ୍ରମଣ କରିଥିବା ଫେଣ୍ଟ କେବେ ମଧ୍ୟ ଅହଂର ବଶବର୍ତ୍ତୀ ହୋଇ ନିଜ ପଥରୁ ଭ୍ରଷ୍ଟ ହୋଇନାହାନ୍ତି । ଯାହା ତାଙ୍କୁ ସମକାଳର ଅନେକଙ୍କ ମଧ୍ୟରୁ ନିଆରା କରିଛି ।