ସୁଦର୍ଶନ ଆଚାର୍ଯ୍ୟ: ଓଡିଆ ସମାଲୋଚନାର ଅନନ୍ୟ ଦିଗପାଳଙ୍କ ବିୟୋଗ

ଓଡ଼ିଆ ସାହିତ୍ୟର ସମ୍ପାଦନା, ସମାଲୋଚନା ଓ ସଙ୍କଳନ କ୍ଷେତ୍ରରେ ସେ ଥିଲେ ଭିନ୍ନ ଏକ ଶକ୍ତିପୀଠ । ତାଙ୍କ ନଖଦର୍ପଣରେ ଥିଲା ଉଭୟ ସଂସ୍କୃତ ଓ ଓଡ଼ିଆ ସାହିତ୍ୟର ଇତିହାସ । ଅଗାଧ ପାଣ୍ଡିତ୍ୟ ଓ ମୌଳିକ ବିଚାରରେ ସମୃଦ୍ଧ ତାଙ୍କ ରଚନା ସମୂହ ଓଡ଼ିଆ ସାହିତ୍ୟର ଦିଗବାରେଣି ଭାବରେ କାମ କରୁଥିବ ‌।


ଫଟୋ - ରାଜକିଶୋର ଦାସ

ଓଡ଼ିଆ ସମାଲୋଚନା ସାହିତ୍ୟର ଆଉ ଏକ ଶକ୍ତିସ୍ତମ୍ଭ ଟଳି ପଡିଲେ । ଦେବେନ୍ଦ୍ର କୁମାର ଦାଶ ଓ ଗଗନେନ୍ଦ୍ର ନାଥ ଦାଶଙ୍କ ପରେ ଗତକାଲି ରାତିରେ ପ୍ରଖ୍ୟାତ ସମାଲୋଚକ, ଓଡ଼ିଆ ଏବଂ ସଂସ୍କୃତ ସାହିତ୍ୟର ଅସାଧାରଣ ବିଦ୍ୱାନ, ସମ୍ପାଦକ, ଅନୁବାଦକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଅତିବଡୀ ସମ୍ମାନର ପ୍ରାପକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ ଘଟିଛି । ଓଡ଼ିଆ ପ୍ରାଚୀନ ସାହିତ୍ୟ ଓ ଆଧୁନିକ ସମୟର ସାହିତ୍ୟକୁ ମୌଳିକ ଦୃଷ୍ଟିରୁ ବିବେଚନା କରିଥିବା ଓ ସମାଲୋଚକୀୟ ବିଚାରରେ ନିଜର ସ୍ବତନ୍ତ୍ର ଧାରା ସୃଷ୍ଟି କରିଥିବା ପ୍ରଫେସର ଆଚାର୍ଯ୍ୟ ଆମ ସମୟର ଅନ୍ୟତମ ପ୍ରବୀଣ ସାହିତ୍ୟିକ ଥିଲେ । ଗୋପୀନାଥ ନନ୍ଦ ଶର୍ମା, ରାମଚନ୍ଦ୍ର ଆଚାର୍ଯ୍ୟ, ବେଣୀ ମାଧବ ପାଢୀଙ୍କ ଭଳି ତୁଙ୍ଗ ଲେଖକଙ୍କ ଲେଖାର ସଂକଳନ ଓ ସମ୍ପାଦନା କ୍ଷେତ୍ରରେ ତାଙ୍କର ଭୂମିକା ଥିଲା ଅନନ୍ୟ । ସଂସ୍କୃତ କଥା ସାହିତ୍ୟର ଅମର କୃତି "କଥା ସରିତ୍ ସାଗର" ର ଓଡ଼ିଆ ଅନୁବାଦ ତାଙ୍କୁ ବିଶେଷ ପ୍ରତିଷ୍ଠା ଆଣି ଦେଇଥିଲା ।

ଗଞ୍ଜାମ ଜିଲ୍ଲାର ସୁବର୍ଣ୍ଣପୁର ଗାଁରେ ଜନ୍ମ ନେଇଥିବା ପ୍ରଫେସର ଆଚାର୍ଯ୍ୟ ୧୯୬୮ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । 'ସାହିତ୍ୟ ଓ ସାହିତ୍ୟିକ', 'ସ୍ରଷ୍ଟା ଓ ସୃଷ୍ଟି', 'ଓଡ଼ିଆ କାବ୍ୟ କୌଶଳ' ସମେତ ବହୁ ଚର୍ଚ୍ଚିତ ପୁରୁଣା ପତ୍ରିକାର ସମ୍ପାଦନା ସେ କରିଥିଲେ ।

ଓଡ଼ିଆ ସାହିତ୍ୟର ସମ୍ପାଦନା, ସମାଲୋଚନା ଓ ସଙ୍କଳନ କ୍ଷେତ୍ରରେ ସେ ଥିଲେ ଭିନ୍ନ ଏକ ଶକ୍ତିପୀଠ । ତାଙ୍କ ନଖଦର୍ପଣରେ ଥିଲା ଉଭୟ ସଂସ୍କୃତ ଓ ଓଡ଼ିଆ ସାହିତ୍ୟର ଇତିହାସ । ଅଗାଧ ପାଣ୍ଡିତ୍ୟ ଓ ମୌଳିକ ବିଚାରରେ ସମୃଦ୍ଧ ତାଙ୍କ ରଚନା ସମୂହ ଓଡ଼ିଆ ସାହିତ୍ୟର ଦିଗବାରେଣି ଭାବରେ କାମ କରୁଥିବ ‌।

ଆମ ସମୟର ଅନନ୍ୟ ପଣ୍ଡିତ ଓ ମହାନ ସମାଲୋଚକ ସୁଦର୍ଶନ ଆଚାର୍ଯ୍ୟଙ୍କ ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜଳି ।

Report an Error