ଜାଁ ଲ୍ୟୁକ ଗୋଦାର୍ଦ: ସମୟ, ସମାଜ ଓ ରାଜନୀତିର ନିଷ୍ଠୁରତମ କଥକ

ଗୋଦାର୍ଦଙ୍କ ସିନେମାରେ ପପକର୍ଣ୍ଣ ଖାଇ ଚିତ୍ତ ଉତ୍ତେଜକ ଚିଜ ଖୋଜିଲେ ହତାଶ ହେବେ । ସେ ଆପଣଙ୍କ ମୁଣ୍ଡକୁ ଅଧିକ ଭାରାକ୍ରାନ୍ତ କରିବେ ଓ ଆପଣଙ୍କ ଭିତରର ବିଦ୍ରୋହୀକୁ ଚିଆଁ ଲଗେଇ ଦେବେ । ତାଙ୍କ ଚରିତ୍ର ଆପଣଙ୍କୁ ବାରମ୍ବାର କହି ଚାଲିଥିବ ଯେ ତମେ ହେଉଛ, ସାରା ପୃଥିବୀର କେନ୍ଦ୍ରଭୂମି ।


ଫଟାେ - ୱିକିପିଡିଆ

ସିନେମାର ମୁଖ୍ୟ ଚରିତ୍ରମାନେ କଣ କହୁଛନ୍ତି, ସେଇଟା ବଡକଥା ନୁହେଁ, ବଡକଥା ହେଉଛି ସେମାନଙ୍କ ଚାରିପାଖରେ ଘଟୁଥିବା ଘଟଣା, ସେମାନଙ୍କ ଆଖପାଖରେ ଶୁଭୁଥିବା ସ୍ଵର, ଧ୍ୱନି ଓ ଆଳାପ ଏବଂ ସେମାନେ ବଞ୍ଚୁଥିବା ସମୟ । ସିନେମା ଦେଖିଲାବେଳେ ଆପଣ କେବଳ ଗୋଟେ କାହାଣୀର ଚିତ୍ରରୂପ ଦେଖୁନାହାନ୍ତି, ବରଂ ଗୋଟେ ସମୟର ଇତିହାସକୁ ପଢୁଛନ୍ତି - ଏ କଥା ଆମକୁ ଯିଏ ସିନେମା ମାଧ୍ୟମରେ ଦେଖେଇଥିଲେ ତାଙ୍କ ନାଁ ଜାଁ ଲ୍ୟୁକ ଗୋଦାର୍ଦ / ଗୋଦାର । ଏଇ ଦୁଇ ଦିନ ତଳେ ଗୋଦାର୍ଦ ମୃତ୍ୟୁବରଣ କରିଛନ୍ତି ୯୧ ବର୍ଷ ବୟସରେ । ଷାଠିଏ ଦଶକର ଫରାସୀ ସିନେମାରେ ଗୋଟେ ନୂଆଯୁଗର ପ୍ରବକ୍ତା ଭାବରେ ଗୋଦାର୍ଦ ବେଶ ଚର୍ଚ୍ଚିତ । New Wave Cinema ବା ନୂଆ ସମୟର ସିନେମାର ଅନ୍ୟତମ ମହାନାୟକ ସିଏ । ଷାଠିଏ ଦଶକରେ ତାଙ୍କର ଅନେକ ସିନେମା ଫ୍ରାନ୍ସ ସମେତ ପୂରା ପାଶ୍ଚାତ୍ୟ ସିନେମାର ବିଚାର ପ୍ରବାହକୁ ବଦଳେଇ ଦେଇଥିଲା । ଆମେରିକାର ହଲିଉଡ ସିନେମାର ମନୋରଞ୍ଜନଧର୍ମୀ କାହାଣୀ ଆଗରେ ରାଜନୀତି ଓ ସମାଜର ବାସ୍ତବତାକୁ ଆଧାର କରି ଗୋଟେ ନୂଆ ବିକଳ୍ପ ଧାରା ତିଆରି କରିଥିବା ଜାଁ ଲ୍ୟୁକ ଗୋଦାର୍ଦ ପୃଥିବୀର ସିନେମା ଇତିହାସରେ ଗୋଟେ ମାଇଲଖୁଣ୍ଟ । ଜୀବନର ଶେଷ ବର୍ଷ ଯାଏ ସିନେମା ସହିତ ନିବିଡ ଭାବେ ଜଡିତ ଗୋଦାର୍ଦଙ୍କ ସିନେମାର ତାଲିକା ଢେର ଲମ୍ବା । ସେସବୁ ସିନେମାକୁ ନେଇ ଆଲୋଚନା କରିବା କଥା ଚିନ୍ତା କଲାବେଳେ ଆମେ ସଚେତନ ଯେ ଓଡିଶାରେ ସେ ସବୁ ସିନେମା ଦେଖିଥିବା ଲୋକଙ୍କ ସଂଖ୍ୟା ବହୁତ କମ । ଗୋଦାର୍ଦଙ୍କ ଅନେକ ସିନେମା ସହଜରେ ମିଳୁଛି ବୋଲି ଆଜି ବି କହିହେବନି । ସହଜରେ ଦେଖିହେଲା ଭଳି ଗୋଟେ ସିନେମା ବିଷୟରେ ଏଠି ଆଲୋଚନା କରାଯାଉଛି ।

ସିନେମାକୁ ଯିବା ଆଗରୁ ଆଉ ଗୋଟେ କଥା ମଧ୍ୟ ମନକୁ ଆସୁଛି । ଗୋଦାର୍ଦ ନାଁ ଟି ସହିତ ଏଇ କିଛିଦିନ ହେଲା ଓଡିଶାରେ ଭଲ ଚର୍ଚ୍ଚା ଚାଲିଛି । ଗୋଟେ ଓଡିଆ ସିନେମା “ଏଡିୟୁ ଗୋଦାର୍” ଏବେ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଛି । ମୁଁ ଯେହେତୁ ସିନେମାଟିକୁ ଦେଖିନି, ତେଣୁ ମୋର ସେ ବିଷୟରେ କହିବାର କିଛି ନାଇଁ । କେବେ ଗୋଟେ ସୁଯୋଗ ଦେଖି ମୁଁ ନିଶ୍ଚୟ ତାକୁ ଦେଖିବି । ଆଜି କିନ୍ତୁ ସିନେମାର ଯୁଗପୁରୁଷ ଗୋଦାର୍ଦଙ୍କ ଗୋଟେ ସିନେମା କଥା ମୁଁ କହିବି । ଗତ କିଛିଦିନ ଭିତରେ ମୁଁ ଗୋଦାର୍ଦଙ୍କ ଚାରୋଟି ସିନେମା ଦେଖିଛି - “ଏ ଓମେନ ଇଜ ଏ ଓମେନ”, “ଟୁ ଅର ଥ୍ରୀ ଥିଂଗ୍ସ ଆଇ ନୋ ଏବାଉଟ ହର”, “ମାସ୍କୁଲାଇନ ଫେମିନାଇନ” ଏବଂ “ବ୍ରେଦଲେସ” । ଗୋଦାର୍ଦଙ୍କ ସବୁ ସିନେମା ବିଷୟରେ କହିବା ଅପେକ୍ଷା “ମାସ୍କୁଲାଇନ ଫେମିନାଇନ” ସିନେମାକୁ ନେଇ କିଛିଟା କଥା କହିବା ଠିକ୍ ହେବ । ଆପଣମାନେ ଚାହିଁଲେ ଏ ସିନେମାଟିକୁ “ମୁବି” ଆପରେ ଦେଖି ମଧ୍ୟ ପାରିବେ ।

୧୯୬୫ରେ ନିର୍ମିତ “ମାସ୍କୁଲାଇନ ଫେମିନାଇନ” ସିନେମାଟି ଗୋଟେ ରାଜନୈତିକ ଇତିହାସର କାହାଣୀ । “କାର୍ଲ ମାର୍କ୍ସ ଏବଂ କୋକା କୋଲାର ଛୁଆମାନଙ୍କର” ଏ କାହାଣୀ (Children of Marx and Coca Cola) । ବଜାର ଓ ସାମ୍ୟବାଦର ସଂଘାତ ସମୟର ଏ କାହାଣୀ । ବିଶ୍ଵଯୁଦ୍ଧ ପରବର୍ତ୍ତୀ ଶୀତଳ ଯୁଦ୍ଧ ଓ ଭିଏତନାମ ଉପରେ ଆମେରିକାର ଆକ୍ରମଣ ତଥା ଉଦବେଳନ ସମୟର ଏ କାହାଣୀ । ଏହା ପ୍ରେମ କାହାଣୀ ଯେତିକି, ବିଶ୍ଵାସଘାତକତାର କାହାଣୀ ବି ସେତିକି । ନାୟକ ପଲ୍, ତାକୁ ଆପଣ ସାମ୍ୟବାଦୀ ବିଦ୍ରୋହୀ କହିପାରନ୍ତି, ବଜାର ଭିତରେ ବାଟ ପାଉନଥିବା ଗୋଟେ ବେକାର ଯୁବକ କହିପାରନ୍ତି, ପ୍ରେମ ଖୋଜୁ ଖୋଜୁ ମରିଯାଉଥିବା ଓ ତା ମୃତ୍ୟୁରେ କେହି ପ୍ରଭାବିତ ହେଉନଥିବା ଗୋଟେ ହତଭାଗ୍ୟ ମଣିଷ ମଧ୍ୟ କହିପାରନ୍ତି । ନିଜ ସମୟ ଓ ସମାଜର କାହାଣୀ କହିବା ସିନେମା ନିର୍ମାତାର ପ୍ରାଥମିକ ଦାୟିତ୍ଵ ବୋଲି ନିଜ ଚରିତ୍ର ମାଧ୍ୟମରେ ଗୋଦାର୍ଦ ସ୍ପଷ୍ଟ କରିଛନ୍ତି । (Philosophers and film makers share a generation’s outlook.)

ଗୋଟେ କାହାଣୀ ଭିତରେ ୧୫ଟି ଛୋଟ ଛୋଟ କାହାଣୀ । ପ୍ରାୟତଃ ସବୁକିଛି କଥୋପକଥନ । କାହାଣୀ ମଝିରେ ଅନେକ କିଛି ଘଟଣା ଘଟୁଛି, ଯାହାର କୌଣସି କାରଣ ନାଇଁ । ଗୁଡାଏ ଶବ୍ଦ ଓ କୋଳାହଳ ସିନେମା ସାରା । ୧୯୬୫ ମସିହାର ଫ୍ରାନ୍ସର କୋଳାହଳ, ବିଶୃଙ୍ଖଳା ଓ ରାଜନୈତିକ ଘନଘଟାର ଇତିହାସ ବୋଲି ଏ ସିନେମାକୁ ଆପଣ କହିପାରିବେ । ପୁରୁଷ ଓ ନାରୀ ଭିତରେ ଅସ୍ତିତ୍ଵ ତଥା ସ୍ବାଧିନତାକୁ ନେଇ ବଢି ଉଠୁଥିବା ସଙ୍ଘର୍ଷର ଏକ ଶୀତଳ ଆଭାସ ବି ଏ ସିନେମାରେ ରହିଛି । କଥାବାର୍ତ୍ତା ସବୁ ସ୍ଵାଭାବିକ ଭାବରେ ବାଟବଣା । ଯେମିତି -

ନାୟକ - ତମେ କଣ ଅନେକ ଲୋକଙ୍କୁ ପ୍ରେମ କରୁଛ ?
ନାୟିକା - ହୁଏତ କରୁଥିବି ।
ନାୟକ - ତମେ କଣ ସେମାନଙ୍କ ସହିତ ଖରାପ ସମ୍ପର୍କ ବି ରଖୁଛ ?
ନାୟିକା - ସେକଥାର ଉତ୍ତର ମୁଁ ତମକୁ କାଇଁ ଦେବି ?
ନାୟକ - ତମେ ଗଣତନ୍ତ୍ର ବିଷୟରେ କେବେ ଭାବିଛ ?
ନାୟିକା - ଜାଣିନି ।
ନାୟକ - ତମେ କଣ ଜାଣିଛ ଆମେ ଯେତେବେଳେ ପ୍ରେମ କରୁଛେ ଏବେ ଗୋଟେ ଦେଶରେ ଯୁଦ୍ଧ ଲାଗିଛି ?
ନାୟିକା - ମୋତେ ଜଣା ନାଇଁ ।

ଏମିତି କଥାବାର୍ତ୍ତା ଭିତରେ ମେଟ୍ରୋ ଚାଲିଛି । ୱାଶିଙ୍ଗ ମେସିନ ଚାଲିଛି । ଗୀତ ରେକର୍ଡିଙ୍ଗ ଚାଲିଛି । ସିନେମା ଦେଖା ହେଉଛି । ନାୟକ ଓ ନାୟିକା ମଝିରେ ସବୁବେଳେ ଗୋଟେ କୋଳାହଳ ରହିଛି ସିନେମା ସାରା । ତା ଭିତରେ ହିଂସା ଓ ଆକ୍ରମଣ ବି ରହିଛି । ଯେମିତି ପଲ୍ ଓ ମାଦେଲିନଙ୍କ ପ୍ରଥମ ସାକ୍ଷାତ ଦିନ ଇ କଫି ହାଉସରେ ଗୋଟେ ଦମ୍ପତି ଝଗଡା କରୁଛନ୍ତି ଓ ରାଗିକି ସ୍ତ୍ରୀ ଲୋକଟି ନିଜ ସ୍ଵାମୀ ଉପରକୁ ଗୁଳି ଚଳଉଛି । ସିନେମାର ସବୁ ଦୃଶ୍ୟର ପୃଷ୍ଠଭୂମିରେ ଆଉ ଗୋଟେ ଚରିତ୍ର ବା ଘଟଣା ବା ପ୍ରତୀକ ରହୁଛି, ଯିଏ ମୂଳ କାହାଣୀରୁ ଆହୁରି ଅଧିକ ବ୍ୟାପକ ସମୟର ସୂଚନା ଦେଉଛି ।

ରାଜନୀତିକୁ ନେଇ ଗୋଦାର୍ଦ ଅନେକ ସିନେମା କରିଛନ୍ତି । ହେଲେ “ମାସ୍କୁଲାଇନ ଫେମିନାଇନ”ର ରାଜନୀତି ସବୁଠୁ ନିଆରା । ଏହି ସିନେମାର ରାଜନୀତି ନାରୀ ଓ ପୁରୁଷର ଭେଦ, ୟୁରୋପ ବନାମ ଆମେରିକା, ସାମ୍ୟବାଦ ବନାମ ବଜାରବାଦ, ଯୁଦ୍ଧ ବନାମ ଶାନ୍ତି, ପ୍ରେମ ବନାମ ସାମାଜିକ ସଙ୍କଟ, ଉଚ୍ଚାଭିଳାଷ ବନାମ ସମ୍ପର୍କର ପବିତ୍ରତା ଭଳି ଅନେକ ବିନ୍ଦୁକୁ ଏକାସାଙ୍ଗରେ ଯୋଡୁଛି ।

ଗୋଦାର୍ଦଙ୍କ ସିନେମା ଦେଖିବା ମନୋରଞ୍ଜନ ନୁହେଁ । ତାଙ୍କ ସିନେମା ଦେଖିବାକୁ ଭାବୁଛନ୍ତି ଯଦି, ପ୍ରଥମେ ଭାବିନିଅନ୍ତୁ ଯେ ଆପଣ ଗୋଟେ ସାମାଜିକ ଇତିହାସ ଭିତରକୁ ଯାଉଛନ୍ତି । ସେ ଇତିହାସ ଭିତରେ କାର୍ଲ ମାର୍କ୍ସ ଅଛନ୍ତି । ବର୍ତ୍ତୋଲ ବ୍ରେଖ୍ଟ ଅଛନ୍ତି । ବବ୍ ଡିଲାନ ଓ ବିଟଲ୍ସ ଅଛନ୍ତି । ଭିଏତନାମ ଯୁଦ୍ଧ ଅଛି । କୋକା କୋଲା ଓ ପେପ୍ସି କୋଲାର ଇତିହାସ ବି ଅଛି । ସବୁଠୁ ବଡ କଥା ହେଉଛି ଗୋଦାର୍ଦ ଆପଣଙ୍କୁ ସିନେମା ଭିତରେ ପୃଥିବୀର ସିନେମା ଇତିହାସକୁ ବି ଦେଖାଇ ଚାଲିଛନ୍ତି । (ଏଠି କହିରଖିବା ଉଚିତ ହେବ ଯେ ଗୋଦାର୍ଦ ପୃଥିବୀର ସିନେମା ଇତିହାସକୁ ନେଇ ସବୁଠୁ ଭଲ ବୃତ୍ତଚିତ୍ର ନିର୍ମାଣ କରିଛନ୍ତି । ଆଉ ସିନେମା ତିଆରି କରିବା ଆଗରୁ ସେ ଥିଲେ ୟୁରୋପର ସବୁଠୁ ନାମୀ ସିନେମା ସମୀକ୍ଷକ । ) ତେଣୁ ଆପଣ ଗୋଦାର୍ଦଙ୍କ ସିନେମାରେ ପପକର୍ଣ୍ଣ ଖାଇ ଚିତ୍ତ ଉତ୍ତେଜକ ଚିଜ ଖୋଜିଲେ ହତାଶ ହେବେ । ସେ ଆପଣଙ୍କ ମୁଣ୍ଡକୁ ଅଧିକ ଭାରାକ୍ରାନ୍ତ କରିବେ ଓ ଆପଣଙ୍କ ଭିତରର ବିଦ୍ରୋହୀକୁ ଚିଆଁ ଲଗେଇ ଉଠେଇ ଦେବେ । ତାଙ୍କ ଚରିତ୍ର ଆପଣଙ୍କୁ ବାରମ୍ବାର କହି ଚାଲିଥିବ ଯେ ତମେ ହେଉଛ, ସାରା ପୃଥିବୀର କେନ୍ଦ୍ରଭୂମି । “ମାସ୍କୁଲାଇନ ଫେମିନାଇନ”ର ଗୋଟେ ଦୃଶ୍ୟରେ ବୁଝିଯିବାକୁ ହୁଏ ଯେ - ଆମର ଜୀବନ ଏମିତି ଗୋଟେ ରାଜନୀତି ଦ୍ଵାରା ନିୟନ୍ତ୍ରିତ ହେଉଛି ଯେଉଁଠି, “ତମେ ଜଣକୁ ହତ୍ୟା କଲେ ତମେ ହତ୍ୟାକାରୀ ଭାବରେ ଦଣ୍ଡିତ ହେବ । ହେଲେ ତମେ ଯଦି ଅନେକ ଲୋକଙ୍କୁ ମାରିପାରିବ ତା ହେଲେ ତମକୁ ଦିଗବିଜୟୀର ସମ୍ମାନ ମିଳିବ । ଆଉ ତମେ ଯଦି ସମସ୍ତଙ୍କୁ ମାରିଦେବାର କ୍ଷମତା ରଖିଛ, ତା ହେଲେ ତମେ ଈଶ୍ଵର ଭାବରେ ପୂଜା ପାଇବ” ।

ଏକାନବେ ବର୍ଷର ପରିପୂର୍ଣ୍ଣ ଜୀବନ ବଞ୍ଚିଥିବା ପୃଥିବୀର ଏ ଅଦ୍ଵିତୀୟ ସିନେମା ନିର୍ମାତାଙ୍କୁ ସଲାମ ।

Report an Error