ଶେଷ ଦେଖା

ଆଲୋଚକ ଏବଂ ଗବେଷକ ଦେବେନ୍ଦ୍ର କୁମାର ଦାଶ ଓଡିଆ ସାହିତ୍ୟର ଅନେକଙ୍କୁ ସ୍ତବ୍ଧ କରିଦେଇଛନ୍ତି । ଓଡିଆ ଗବେଷଣାଧାରାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ସ୍ମୃତିରେ ଏ ଲେଖା ନିବେଦିତ ।


ଫଟୋ - ସୁମିତ୍ରା ପାଢୀ

ସେଦିନ ସନ୍ଧ୍ୟାରେ ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିଲାବେଳକୁ ଠିକ୍ ବତିଖୁଣ୍ଟ ତଳକୁ ଦେବେନ୍ଦ୍ର ଭାଇନା ମୁହଁରେ ମାସ୍କ ପିନ୍ଧି କେଦାର ମିଶ୍ର ଓ ସନ୍ତୋଷ ତ୍ରିପାଠୀଙ୍କ ସହ ଗପୁଛନ୍ତି । ମୁଁ ନମସ୍କାର ଗୋଟେ ପକେଇ ସେଇଠି ଠିଆ ହୋଇଗଲି । ଅନେକ ଦିନ ପରେ ତାଙ୍କ ସହ ଦେଖା ହୋଇଥିଲା । ଏମିତି ଠିଆ ଠିଆ ଆମେ ତିନିହେଁ ସେଦିନ ପ୍ରାୟ ପଇଁଚାଳିଶ ମିନିଟ୍ ଗପିଥିବୁ । କିଛି ସମୟ ପରେ ଆମ ସହ ଯୋଗ ଦେଲେ ପବିତ୍ର ମୋହନ କର ଓ ସୁମିତ୍ରା । ଆମ ଅଜାଣତରେ ସୁମିତ୍ରା ଫଟୋଟିଏ ଉଠେଇଥିଲା ଆମର । ଭାଇନାଙ୍କ ସହ ସେଇଟି ମୋର ପ୍ରଥମ ଓ ଶେଷ ଫଟୋ । ଫଟୋ ଉଠେଇବାର ଅନେକ ସୁଯୋଗ ଥିଲା କିନ୍ତୁ ଉଠେଇ ପାରିନଥିଲି କେବେ । ଏମିତିରେ ବି ମୋତେ ଫଟୋ ଉଠେଇବାକୁ ଏତେ ଭଲ ଲାଗେନି । ଆମେ ସେଦିନ ସାହିତ୍ୟ ବିଷୟରେ ଅଳ୍ପ, ଭାରତୀୟ ରାଜନୀତି ବିଷୟରେ ଅଧିକା ଗପିଥିଲୁ । ରାଜନୀତି କେମିତି ସାହିତ୍ୟକୁ ପ୍ରଭାବିତ କରେ ଓ କରୁଛି ସେ ବିଷୟରେ କଥା ହେଲୁ । କଥା ହେଲୁ ମାନେ ଆମେ ସାମାନ୍ୟ ଉଖୁରେଇ ଦେଲେ ଭାଇନା ଗପୁଥିଲେ । ପୁଣିଥରେ ମୁଁ ସେଦିନ ଆଶ୍ଚର୍ଯ୍ୟ ହୋଇଥିଲି ତାଙ୍କର ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମକୁ ଅତୀତର ତଥ୍ୟ ସହ ଯୋଡ଼ି ଅନୁଶୀଳନ କରିବାର ପ୍ରକ୍ରିୟାକୁ ଦେଖି । ଜଣେ ଶାଣିତ ସମାଲୋଚକର ପରିସର କେତେ ବ୍ୟାପକ ଓ କେତେ ଗଭୀର ହେବା ଦରକାର ଭାଇନାଙ୍କ ସାଙ୍ଗରେ ନମିଶିଲେ ଜାଣି ହେବନି । ଭାଇନା ସେଦିନ ‘ଶ୍ରୀ’ ପତ୍ରିକାର ଗୋପବନ୍ଧୁ ବିଶେଷାଙ୍କ ଖୋଜିବାକୁ ଆସିଥିଲେ । ନହେଲେ ମୁଁ ତାଙ୍କୁ ଆମ ପୁରୁଣା ବସଷ୍ଟାଣ୍ଡ ଖଟିରେ କେବେବି ଦେଖେନି । ହାୟ! ମୁଁ ଜାଣିନଥିଲି ସେଇଟା ଆମର ଶେଷ ଦେଖା ହେବ ବୋଲି ।

ଦେବେନ୍ଦ୍ର ଭାଇନାଙ୍କ ସହ ସିଧାସଳଖ ଚିହ୍ନା ହୋଇଥିଲା ବଡ଼ ଭାଇ ଗୌରାଙ୍ଗ ଚରଣ ଦାଶଙ୍କ ମାଧ୍ୟମରେ । କେଇ ବର୍ଷ ତଳେ ଗୌରାଙ୍ଗ ଭାଇଙ୍କ ‘ବିତର୍କ ଓ ବ୍ୟାଖାନ’ ବହି ମୁଁ ଛାପୁଥାଏ । ଗୌରାଙ୍ଗ ଭାଇ କହିଲେ ଦେବେନ୍ଦ୍ର ଭାଇନା ମୁଖବନ୍ଧ ଲେଖିବେ । ଭଲକଥା । ଧିରେ ସୁସ୍ଥେ ବହି କାମ ଆଗେଇ ଚାଲିଲା । ଟାଇପ୍ ସରିଲା ପରେ ମୁଖବନ୍ଧ ପାଇଁ ସେତକ ମୁଁ ଦେବେନ୍ଦ୍ର ଭାଇନାଙ୍କ ପାଖକୁ ପଠେଇଦେଲି । ବହି କାମରେ ମୁଣ୍ଡି ମାରିବାକୁ ମୁଁ ବାରବାର ମୁଖବନ୍ଧ ଖୋଜୁଥାଏ । ଭାଇନାଙ୍କ ମୁଖବନ୍ଧ ଲେଖା କିନ୍ତୁ ସରୁନଥାଏ । ପୁଣି କଥା ହେଲା ମୁଖବନ୍ଧ ଛାଡ଼ । ସେ ପୃଷ୍ଟବନ୍ଧ ଲେଖିବେ । ଶେଷକୁ ପୃଷ୍ଟବନ୍ଧ ପାଇଁ ଗୋଟେ ଫର୍ମ ଛାଡି ବହି ଛପା କାମ ବି ଚାଲିଲା । ଉନ୍ମୋଚନବେଳକୁ ବିନା ପୃଷ୍ଟବନ୍ଧରେ ବହି ବନ୍ଧେଇ ହେଇ ମଞ୍ଚରେ ପହଞ୍ଚିଲା । ଲେଖାଟା ଭଲରେ ଲେଖା ହେବ ବୋଲି ଶେଷ ଯାଏ ଲେଖା ସରିଲାନି । ତାପରେ ମୋ ଅଭିମାନକୁ ପ୍ରତିହତ କରିବାକୁ ଦେବେନ୍ଦ୍ର ଭାଇନା କିଛି ଦିନ ପରେ ମୋ ହାତରେ ଗୋଟେ ପାଣ୍ଡୁଲିପି ଧରେଇଲେ । ରାଧାନାଥ ରାୟଙ୍କ ବଙ୍ଗଳା ରଚନାବଳୀ । ମୁଁ ଯଥାଶୀଘ୍ର ଡି.ଟି.ପି କରି ତାଙ୍କ ପାଖକୁ ପଠେଇଦେଲି ସେଇଟି । ରାଧାନାଥ ପ୍ରଥମେ ବଙ୍ଗଳାରେ ଲେଖୁଥିଲେ ପରେ ଓଡ଼ିଆରେ ଲେଖିଲେ । ଲେଖା ସବୁ ଉଭୟେ ବଙ୍ଗଳା ଓ ଓଡ଼ିଆ ଲିପିରେ ଲେଖାଯାଇଥିଲା । ସେ ପ୍ରୁଫ୍ ଦେଖି ମୁଖବନ୍ଧ ଭାବରେ ଏକ ଦୀର୍ଘ ପ୍ରବନ୍ଧ ଲେଖି ମୋତେ ଦେବା କଥା । ଆଉ କିଛି ଲେଖା ବି ଯୋଡିବାର ଥିଲା । ଏମିତି ଏମିତିରେ ଦିନ, ମାସ ଓ ବର୍ଷ ବି ସରିଲା । କାମ ସରିଲାନି । ଯେବେ ଦେଖାହେଲେ କୁହନ୍ତି ହଉ ରମାକାନ୍ତ ଏଥର ସେଇ କାମଟା ସାରିଦେବା । କାମ ସରୁନଥିଲା, କାରଣ ଭାଇନା ଖୋଜୁଥିବା ତଥ୍ୟ ସବୁ ମିଳିନଥିଲା । ଅନ୍ୟାନ୍ୟ କାମ ଭିତରେ ସେଇଟା ବାର ବାର ବାକି ରହିଯାଉଥିଲା । ଏବେ ଭାଇନା ଚାଲିଗଲେ । ସେ କାମ ଆଉ ବୋଧେ ସରିବନି । କିଏ କରିବ ? ୟାଡୁ ସ୍ୟାଡୁ ଲେଖି ତରତରରେ କାମ କରିବା ସେ ଜାଣି ନଥିଲେ । ଯାହା ହେବ ନିଦାରେ ହେବ, ଭଲରେ ହେବ ।

କରୋନା ସମୟରେ ଗୃହବନ୍ଦୀ ଥିବାବେଳେ କଲିକତା କଳା ବିଦ୍ୟାଳୟରେ ପ୍ରଥମ ଓଡ଼ିଆ ଭାବରେ କଳାରେ ପାଠ ପଢ଼ିଥିବା ଆନନ୍ଦ ମିଶ୍ରଙ୍କ ବିଷୟରେ ଲେଖା ଗୋଟେ ଲେଖୁଥାଏ । ଫକୀର ମୋହନ ସେନାପତିଙ୍କ ପରିଣତ ବୟସରେ ଆନନ୍ଦ ମିଶ୍ର ତାଙ୍କ ସମ୍ପର୍କରେ ଥିଲେ । ତାଙ୍କ ବାଲେଶ୍ୱର ଘର ପାଖରେ ରହୁଥିଲେ । ଫକୀର ମୋହନଙ୍କ ଶାନ୍ତିକାନନରେ ଆଜିବି ଠିଆହୋଇଥିବା ଫକୀର ମୋହନଙ୍କ ପ୍ରତିମୂର୍ତ୍ତିକୁ ଆନନ୍ଦ ମିଶ୍ର ହିଁ ଗଢିଥିଲେ । କିନ୍ତୁ ସେନାପତିଙ୍କ ‘ଉତ୍କଳ ଭ୍ରମଣଂ’ରେ ଆନନ୍ଦ ମିଶ୍ର ନାମରେ ଗୋଟେ କବିତା ଛଡା ଆଉ କିଛି ମିଳୁନି । ଭାଇନାଙ୍କୁ ଫୋନ୍ କଲି ସେ କହିଲେ ତାଙ୍କ ପାଖରେ କିଛି ତଥ୍ୟ ଅଛି । ସେଦିନ ମୋତେ କିଛି ତଥ୍ୟ ବି ଯୋଗେଇ ଦେଇଥିଲେ । ମୋତେ କହିଥିଲେ ଆନନ୍ଦ ମିଶ୍ରଙ୍କ ସମ୍ପର୍କରେ ବାଲେଶ୍ୱର 'ସମ୍ବାଦବାହିକା'ରେ ଖବର ଛପା ଯାଇଛି । ଫକୀର ମୋହନଙ୍କ ଆତ୍ମଜୀବନୀ ଉପରେ କାମ କରୁଥିବାବେଳେ ସେ ଆନନ୍ଦ ମିଶ୍ରଙ୍କ କଥା ଉଲ୍ଲେଖ କରିବାକୁ ଭାବି ବି ପାରିନଥିଲେ । ମୁଁ ସେଦିନ ଅନୁରୋଧ କରିଥିଲି ଆନନ୍ଦ ମିଶ୍ର ଓ ଫକୀର ମୋହନଙ୍କୁ ନେଇ ଗୋଟେ ଲେଖା ଲେଖିବାକୁ । ସେ ହଁ ବି କହିଥିଲେ । କିନ୍ତୁ ଲେଖା କ'ଣ ଆଉ ହୋଇପାରିଲା ?

କିଛି ଅଜଣା କଥା ଜାଣିବାର ଥିଲେ, କିଛି ଅଜଣା ତଥ୍ୟ ବିଷୟରେ ନିଶ୍ଚିତ ହେବା ପାଇଁ ଅନେକ ଭାଇନାଙ୍କୁ ଫୋନ କରନ୍ତି । ମୁଁ ବି କେତେଥର କରିଛି । ଦୁଃଖ ହେଲା ସେମିତିକା ଲୋକଙ୍କ ସଂଖ୍ୟା କମି କମି ଚାଲିଛି । ପର ପିଢିରେ ଏମିତିକା ଗବେଷକ ଆଉ ବାହାରିବା ପରି ବି ଦିଶୁନି ।

Report an Error