ଗୋବରଡାଙ୍ଗା; ନାଟକର ଗାଁ

ଗୋବରଡାଙ୍ଗା ଦେଶର ଏକମାତ୍ର ଅନନ୍ୟ ଥିଏଟର ଗାଁ । ଏଠାକାର ଲୋକମାନେ ଥିଏଟର ସହ ବଂଚିଥାନ୍ତି । କଳା ସଂସ୍କୃତି ସହ ବଂଚିଥାନ୍ତି । ସକାଳ ଆରମ୍ଭ ହେଉଣୁ ଏଠାରେ ନାଟକ ସଂଳାପ ଶୁଭେ । ସଂଜରେ ଶୁଭେ ନାଟକର ଗୀତ । ଗୋବରଡାଙ୍ଗା ଭାରତର ଏଡିନ୍‌ବରା ।


ଫଟାେ - ୱିକିପିଡିଆ

ପଶ୍ଚିମବଙ୍ଗକୁ ଦେଶର ଅନ୍ୟତମ ପ୍ରମୁଖ ସାଂସ୍କୃତିକ ରାଜ୍ୟ କୁହାଯାଇଥାଏ । ଏଠାରେ ପ୍ରତ୍ୟେହ କେଉଁଠି ନା କେଉଁଠି ଶିଳ୍ପ, ସଂସ୍କୃତି, କବିତା, ଗଳ୍ପ, ସାହିତ୍ୟ, କଳା ଓ ନାଟକର ଚର୍ଚ୍ଚା ଅନବରତ ଚାଲିଥାଏ । ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା କ୍ଷେତ୍ରରେ ସିଆଲ୍‌ଦହ ଜିଲ୍ଲା । ସିଆଲ୍‌ଦହ ଜିଲ୍ଲା ଦେଇ ଯାଇଥିବା ବନଗାଁ ରେଳଲାଇନ୍‌ରେ ସିଆଲ୍‌ଦହରୁ ରହିଛି ୨୨ଟି ଷ୍ଟେସନ । ୧୯ତମ ଷ୍ଟେସନ ହେଉଛି ଗୋବରଡାଙ୍ଗା । ନାଟ୍ୟଚର୍ଚ୍ଚା ପାଇଁ ଏହି ଗାଁ ସାରା ପଶ୍ଚିମବଂଗରେ ଖ୍ୟାତ । ଏହି ଷ୍ଟେସନରେ ପାଦ ଦେବା ପରେ ହିଁ ଆପେଆପେ ଆଖିକୁ ଦିଶିଯାଏ ଚିତ୍ରବିଚିତ୍ର ରଂଗବେରଂଗୀ ପୋଷ୍ଟର । ନାଟକର । ନିଶ୍ଚିତ ଭାବେ ଷ୍ଟେସନରେ ଏପରି ବ୍ୟାନରମାନ ଦେଖି ଆଖିକୁ ତୃପ୍ତି ମିଳିଯିବ । ଅଲଗା ଏକ ଅନୁଭବ ହୃଦୟକୁ ଆବୋରି ବସିବ । ଷ୍ଟେସନରେ ପ୍ରବେଶ କରୁ କରୁ ୧ ନଂ ପ୍ଲାଟଫର୍ମରେ ଅନେକ ନାଟ୍ଯଦଳଙ୍କ ବ୍ୟାନର ଦେଖାଯିବ । ଲାଗିବ କି ଆପଣ ସତେ ଯେପରି ଏକ ନାଟକର ସହରକୁ, ନାଟକ ପ୍ରେକ୍ଷାଳୟକୁ କିମ୍ବା କୌଣସି ନାଟକ ମଂଚକୁ ଅବା ନାଟକର ରାଇଜରେ ପ୍ରବେଶ କରୁଛନ୍ତି । ସାରା ଭାରତବର୍ଷରେ ଏପରି ଷ୍ଟେସନ (ସ୍ଥାନ)ର ଅପେକ୍ଷା କରାଯାଇପାରେନା । ମାତ୍ର ଗୋବରଡାଙ୍ଗା ନିଆରା । ଦେଶର ଏକମାତ୍ର ସ୍ଥାନ । ନାଟକର ଗାଁ । ଗୋବରଡାଙ୍ଗା ।

କେବଳ ସେହି ସମୟରେ ଗୋବରଡାଙ୍ଗାରେ ମଂଚସ୍ଥ ହେବାକୁ ଥିବା ନାଟକ ସମ୍ପର୍କରେ ନୁହେଁ; ବରଂ ସାରା ମାସ ପାଇଁ ସାରା ବର୍ଷ ପାଇଁ ହେବାକୁ ଥିବା ନାଟକର ବିବରଣୀ ଷ୍ଟେସନରେ ବିଭିନ୍ନ ବ୍ୟାନର ଜରିଆରେ ମିଳିଯିବ । କେଉଁ କେଉଁ ତାରିଖରେ କେଉଁ ନାଟ୍ଯଦଳ କେଉଁ ମଣ୍ଡପରେ ନାଟକ ମଂଚାୟନ କରିବ ତା’ର ବିବରଣୀ ଆପଣ ଷ୍ଟେସନ ଭିତରେ ପ୍ରବେଶ କଲା ମାତ୍ରେ ପାଇଯିବେ । ଭାବନ୍ତୁ, ଏପରି କେଉଁଠି ଦେଖିଛନ୍ତି ? ଆମର ଏଠି ନିଜେ ନାଟ୍ଯଦଳ କିମ୍ବା କୌଣସି ସଂସ୍ଥା ନିଜ ଦଳର ବାର୍ଷିକ କାର୍ଯ୍ୟକଳାପ ସମ୍ପର୍କରେ ନିଜ ଫେସ୍‌ବୁକ ପେଜ୍‌ରେ ସୂଚନା ଦେଇଥାନ୍ତି ??? ଏଠାରେ ନାଟ୍ଯଦଳମାନଙ୍କୁ ଅଲଗା ସ୍ଥାନରେ ପ୍ରଚାର କରିବାକୁ ପଡ଼େନି । ଭାରତୀୟ ରେଳବାଇ ନାଟ୍ଯଦଳମାନଙ୍କୁ ବ୍ୟାନର ପ୍ରଦର୍ଶନ ପାଇଁ ଲିଖିତ ଅନୁମତି ଦେଇନଥିବା ସତ୍ତ୍ୱେ ବର୍ଷ ବର୍ଷ ଧରି ଦୀର୍ଘ ୪୦ ବର୍ଷ ଧରି ଏପରି ଚାଲିଛି । ଏଠାକାର ପ୍ରତ୍ୟେକ ନାଟ୍ୟସଂସ୍ଥା ନିଜ ପ୍ରଦର୍ଶନରେ, ନିଜ ବାର୍ଷିକ ପତ୍ରିକାରେ ଭାରତୀୟ ରେଳବାଇକୁ କେବଳ କୃତଜ୍ଞତା ପ୍ରକଟ କରିଥାନ୍ତି । ଷ୍ଟେସନରେ କୌଣସି ବାଣିଜ୍ୟିକ ବିଜ୍ଞାପନ ବଦଳରେ ନାଟକର ବିଜ୍ଞାପନ; ନିଶ୍ଚିତ ଭାବେ ନିଆରା ।

ଯଦି କୌଣସି କାରଣରୁ କେଉଁ ନାଟ୍ୟଦଳର ବ୍ୟାନର ଖସିଯାଏ; ତେବେ ଷ୍ଟେସନରେ ଆତଯାତ ଯାତ୍ରୀ ହୁଅନ୍ତୁ ବା ଦୋକାନୀମାନେ ଆପେ ଆପେ ବ୍ୟାନରକୁ ଠିକ୍ କରିଦିଅନ୍ତି । ଯଦି ଚିରିଯାଏ ତେବେ ଦୋକାନୀମାନେ ନାଟ୍ୟଦଳକୁ ସୂଚିତ କରିଦିଅନ୍ତି । ସାଧାରଣତଃ ପଶ୍ଚିମବଂଗର ଅନ୍ୟ ଷ୍ଟେସନମାନଙ୍କରେ କୌଣସି ନା କୌଣସି ରାଜନୈତିକ ଦଳର, ତାନ୍ତ୍ରିକର, ଯୌନଡାକ୍ତରଙ୍କ କିମ୍ବା କୋଚିଂ ସଂସ୍ଥାନର ବିଜ୍ଞାପନରେ ଭରପୂର ଥିବାବେଳେ ଗୋବରଡାଙ୍ଗାରେ ଏପରି ବିଜ୍ଞାପନ ନିଆରା ନିଶ୍ଚିତ । ଏହା ରାଜ୍ୟ ପାଇଁ ଗୌରବର କଥା ମଧ୍ୟ ।

ଏଠାରେ ସୂଚିତ କରାଯାଇପାରେ କି ସିଆଲ୍‌ଦହରୁ ବନଗାଁ ଲାଇନ ମଧ୍ୟରେ ପାଖାପାଖି ୩୦ରୁ ୪୦ ନାଟ୍ୟଦଳ ନିତ୍ୟ ନିଜ ନିଜ ମଂଚରେ ନାଟକ ପ୍ରଦର୍ଶନ କରିଆସିଥାନ୍ତି ।

ନିଶ୍ଚିତ ଭାବେ ପ୍ରଶ୍ନ ଆସିବ କି ଏତେ ମଣ୍ଡପ ?? ନା ମଣ୍ଡପ ନାହିଁ । ଭିନ୍ନ ଭିନ୍ନ ପ୍ରକାରେ ନାଟ୍ୟଦଳମାନ ନିଜ ସଂସ୍ଥା ପାଇଁ ମଂଚ ପ୍ରସ୍ତୁତ କରିଥାନ୍ତି । ନିଜ ଘରର ପିଣ୍ଡାରେ, ଛାତରେ, ରାସ୍ତାରେ, ଗଳିରେ, ପଡ଼ିଆରେ, ବିଦ୍ୟାଳୟରେ, ମନ୍ଦିର ପ୍ରାଙ୍ଗଣରେ ଏପରି କେଉଁଠି ବି । ଯେଉଁ ସ୍ଥାନର ଆପଣ କଳ୍ପନା ମଧ୍ୟ କରିନଥିବେ । ସେମାନଙ୍କ ପାଇଁ ନାଟକ ପରିବେଷଣ ମୁଖ୍ୟ ।

ଏଠାକୁ ଶାକ, ମୁଗଲ, ପର୍ତ୍ତୁଗୀଜ, ବ୍ରିଟିଶ ଆସିକି ବିଦାୟ ନେଇଛନ୍ତି । ଛାଡ଼ି ଯାଇଛନ୍ତି ନିଜ ଛାପ । ଗୋବରଡାଙ୍ଗା ଗାଁରୁ ବନିଯାଇଛି ସହର । କିନ୍ତୁ ଆଜି ବି ଗୋବରଡାଙ୍ଗା ନିଜ ଭାଷା, ସାହିତ୍ୟ ଓ ସଂସ୍କୃତିର ଛାପରୁ ବାହାରିନି । ବାହାରିପାରିନି । ଏଠାକାର ବାସିନ୍ଦା ନିଜ ସଂସ୍କୃତିକୁ ଭୁଲିନାହାନ୍ତି । ପଶ୍ଚିମବଂଗର ଲୋକସଂସ୍କୃତିକୁ ବିଶ୍ୱବିଦିତ କରିବାରେ ଗୋବରଡାଙ୍ଗାର ଅବଦାନ ସ୍ୱୀକାର୍ଯ୍ୟ ।

ମଙ୍ଗଳକାବ୍ୟରୁ ଆରମ୍ଭ କରି ଯାତ୍ରା ପର୍ଯ୍ୟନ୍ତ, କଥାକଥା, ପାଞ୍ଚାଳୀ, କବିଗାନ, ବାଉଲ, ଭଟିଆଲି, ସାରିଗାନ, କୀର୍ତ୍ତନ, ଶିଳ୍ପସ୍ଥାପନ, ଚିତ୍ରକଳା, ଭାସ୍କର୍ଯ୍ୟ, ବସ୍ତ୍ରଶିଳ୍ପ, ହସ୍ତଶିଳ୍ପ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଗୋବରଡାଙ୍ଗା ଆଗରେ ଓ ନିଜ ସ୍ୱତନ୍ତ୍ରତା ପ୍ରତିପାଦନ କରିଆସିଛି ପ୍ରତି କ୍ଷେତ୍ରରେ । ଏଠାରୁ ଅନେକ ବିଖ୍ୟାତ କଥକ କଳାକାର ବାହାରିଛନ୍ତି । ଏଠାକାର କଳାକାର କାଳିଘାଟ ପଟ୍ଟଚିତ୍ର ପାଇଁ ଖ୍ୟାତ । ପରାଧୀନ ଭାରତବର୍ଷରେ ଏଠାକାର ବାସିନ୍ଦାମାନେ ଯାତ୍ରା ମାଧ୍ୟମରେ ଦେଶପ୍ରେମର ଖୁବ୍ ପ୍ରଚାର ଓ ପ୍ରସାର କରିଥିଲେ । ମୁକୁନ୍ଦ ଦାସ ନାମକ ଜଣେ ଯାତ୍ରାମାଷ୍ଟର ନିଜ ଯାତ୍ରା ମାଧ୍ୟମରେ ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗ୍ରାମ କରିଥିଲେ ।

ଗୋବରଡାଙ୍ଗାର ନାଟ୍ୟ ସଂସ୍କୃତି ଦେଢ଼ଶ ବର୍ଷ ପୁରୁଣା । ପ୍ରତି ଶନିବାର ଓ ରବିବାର ଏଠାରେ ନାଟକ ପ୍ରଦର୍ଶନ ହୁଏ । ରଂଗମଂଚର ଉନ୍ନତିରେ ସ୍ଥାନୀୟ ଜମିଦାରଙ୍କ ପ୍ରୋତ୍ସାହନ ଥିଲା । ଜମିଦାର ଆର୍ଥିକ ସାହାଯ୍ୟ କରିବା ସହ କେବେକେବେ ନିଜେ ମଧ୍ୟ ଅଭିନୟରେ ଅବତୀର୍ଣ୍ଣ ହେଉଥିଲେ । କୀର୍ତ୍ତନମଣ୍ଡଳୀ ଓ ସାହିତ୍ୟ ଗୋଷ୍ଠୀ ମଧ୍ୟ ଥିଲା । ନିୟମିତ କୀର୍ତ୍ତନ ଓ ସାହିତ୍ୟ ସଭାର ଆୟୋଜନ ହେଉଥିଲା । ବଂଗଳା ସାହିତ୍ୟର ଅନେକ ବିଦ୍ୱାନ ଗୋବରଡାଙ୍ଗାର ସାହିତ୍ୟ ପର୍ବରେ ସାମିଲ ହୁଅନ୍ତି ।

ଗୋବରଡାଙ୍ଗାରେ ପାଖାପାଖି ୩୦ରୁ ୪୦ ଯାତ୍ରାଦଳ ଓ ଶହେ ନାଟ୍ୟଦଳ ନାଟକ କରୁଥିଲେ । ମାତ୍ର ଏବେ ଅନେକ ନାଟ୍ୟଦଳ ବନ୍ଦ ହୋଇଗଲାଣି । ସକ୍ରିୟ ଭାବେ ୧୦ ପାଖାପାଖି ଯାତ୍ରାଦଳ ଓ ୨୫ରୁ ୩୦ ନାଟ୍ୟଦଳ ନାଟକ ପରିବେଷଣ ଜାରି ରଖିଛନ୍ତି । ଗୋବରଡାଙ୍ଗାରେ କାର୍ଯ୍ୟରତ ୧୫ରୁ ଊର୍ଦ୍ଧ୍ୱ ନାଟକଦଳ କେନ୍ଦ୍ରୀୟ ଅନୁଦାନ ତଥା ରେପୋଟ୍ରି ଗ୍ରାଣ୍ଟ ପାଇଥାନ୍ତି । ଫଳରେ ଅନେକ କଳାକାରଙ୍କୁ ମାସିକ ଭତ୍ତା ମିଳିଯାଇଥାଏ । ଫଳରେ ଏଠାରେ ଅନେକ ଅଭିନେତା ଅଭିନୟକୁ ହିଁ ନିଜର ପେସା କରି ବଂଚିଥାନ୍ତି । ଏଠାରେ ପ୍ରତ୍ୟେକ ଦିନ ନାଟକ ହେଉ ଅବା କର୍ମଶାଳା ଅଥବା ଆଲୋଚନାଚକ୍ର, ନାଟକକୁ ନେଇ କିଛି ନା କିିଛି ହେଉଥାଏ । ଯାହା ସାରା ଦେଶରେ ବିରଳ । ଏବେତ ପ୍ରତିବର୍ଷ ଏଠାରେ ଅନ୍ତରାଷ୍ଟ୍ରୀୟ ନାଟକଉତ୍ସବର ମଧ୍ୟ ଆୟୋଜନ ହେଉଛି । ପ୍ରତି ସଂସ୍ଥା ମାସିକ ପତ୍ରିକା ପ୍ରକାଶନ କରିଥାନ୍ତି । ହେଉ ପଛେ ୪ କି ୬ ପୃଷ୍ଠା । କିନ୍ତୁ ସୂଚନା ଥାଏ । ନାଟକ ଓ କଳାକାରଙ୍କ ବାବଦରେ । ଯାହାର ଆଦର ମଧ୍ୟ ଖୁବ୍ ଥାଏ ।

ଜାତୀୟସ୍ତରରେ ଖ୍ୟାତ କିଛି ନାଟ୍ୟସଂସ୍ଥା ନିୟମିତ ଭାବେ ସମକାଳୀନ ନାଟକ ପରିବେଷଣ କରିବା ସହ ସମକାଳୀନ ନାଟକ ତଥା ଭାରତୀୟ ନାଟକର ସ୍ଥିତି ଉପରେ ଆଲୋଚନାଚକ୍ରମାନ ଆୟୋଜନ କରିବା ସହ ପୁସ୍ତକ ପ୍ରକାଶନ କରି ନିଜ ଅଭିନେତାମାନଙ୍କ ବୌଦ୍ଧିକତାର ବିକାଶ କରିଥାନ୍ତି ।

ଏଠାରେ ମଧ୍ୟ ଅନେକ ଏନଏସଡିଆନ ଅଛନ୍ତି, ଯେଉଁମାନେ ବର୍ଷ ସାରା ନାଟକ ପରିବେଷଣ କରିବା ସହ ନାଟକ ସମ୍ପର୍କିତ ଆଲୋଚନାଚକ୍ରମାନ ଆୟୋଜନ କରିଥାନ୍ତି । ଅନ୍ତରାଷ୍ଟ୍ରୀୟସ୍ତରର ସେମିନାର ଆୟୋଜନ କରିଥାନ୍ତି । ଏହି ସେମିନାରରେ ଟାଗୋର ନାଟକ ପ୍ରସ୍ତୁତି ପରମ୍ପରା, ଗ୍ରାମୀଣ ନାଟକର ସଂକଟ ଓ ସମ୍ଭାବନା, ଗ୍ରାମୀଣ ଅଂଚଳରେ ନିୟମିତ ଥିଏଟରର ସମ୍ଭାବନା, ଥିଏଟରରୁ ଆର୍ଥିକ ଲାଭ ଓ ଏଥିରେ ଭବିଷ୍ୟତ, ରଂଗମଂଚର ବ୍ୟାବସାୟୀକରଣ, ଗ୍ଲୋବାଲାଇଜେସନ୍‌, ଥିଏଟରରେ ଉପଯୁକ୍ତ କଣ୍ଟେଣ୍ଟ, ରଂଗମଂଚରେ ସଂଗୀତ ଓ ନୃତ୍ୟ, ରଂଗମଂଚ ଓ ଔଦ୍ୟୋଗିକତା ତଥା ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସଂଗଠନ, ମହିଳା ସମ୍ପୃକ୍ତି, ମହିଳା ଅଧିକାର, ବାଲ୍ୟ ପରମ୍ପରା ଆଦି ଅନେକ ପାରମ୍ପରିକ ଓ ସମକାଳୀନ ବିଷୟବସ୍ତୁ ଉପର ଆଲୋଚନା ହୁଏ ।

ସ୍ୱାଧୀନ ଭାରତବର୍ଷରେ ପଶ୍ଚିମବଂଗର ଲୋକମାନେ ଶଂଭୁମିତ୍ର, ଶିଶିର ଭାଦୁଡ଼ି, ବିଜନ ଭଟ୍ଟାଚାର୍ଯ୍ୟ ଓ ଅଜିତେଶ ବାନାର୍ଜୀ ଆଦିଙ୍କୁ ନାଟକର ମଉଡ଼ମଣି ଭାବେ ମଣିଥାନ୍ତି । ଏମାନେ ସର୍ବଦା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରେକ୍ଷାଳୟ ନିର୍ମାଣର ଗୁହାରି କରିଆସିଛନ୍ତି । ମାତ୍ର ସେମାନଙ୍କ ଦାବି ଆଜି ପର୍ଯ୍ୟନ୍ତ ଅଣଦେଖା ହୋଇଆସିଛି । ଆଜି ବି ପଶ୍ଚିମବଂଗର ବଡ଼ ବଡ଼ ନାଟ୍ୟସଂସ୍ଥା ଯେଉଁମାନେ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟସ୍ତରରେ ଖ୍ୟାତି ଅର୍ଜିଛନ୍ତି ସେମାନଙ୍କ ନିକଟରେ ନିଜସ୍ୱ ପ୍ରେକ୍ଷାଳୟ ନାହିଁ । ମାତ୍ର ଗୋବରଡାଙ୍ଗାରେ ଅନେକ ନାଟ୍ୟସଂସ୍ଥା ନିଜସ୍ୱ ଉଦ୍ୟମରେ ପ୍ରେକ୍ଷାଳୟ ସ୍ଥାପନ କରିପାରିଛନ୍ତି ।

ଗୋବରଡାଙ୍ଗାରେ ଦେଶର ତମାମ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ନିଜର ନାଟକ ପ୍ରସ୍ତୁତି ପରିବେଷଣ କରିଛନ୍ତି । ବାସ୍ତବରେ ଗୋବରଡାଙ୍ଗା ଦେଶର ଏକମାତ୍ର ଅନନ୍ୟ ଥିଏଟର ଗାଁ । ଏଠାକାର ଲୋକମାନେ ଥିଏଟର ସହ ବଂଚିଥାନ୍ତି । କଳା ସଂସ୍କୃତି ସହ ବଂଚିଥାନ୍ତି । ସକାଳ ଆରମ୍ଭ ହେଉଣୁ ଏଠାରେ ନାଟକ ସଂଳାପ ଶୁଭେ । ସଂଜରେ ଶୁଭେ ନାଟକର ଗୀତ । ବାଟରେ ଘାଟରେ କେଉଁ ନା କେଉଁ ଗଳିରୁ ଅଭ୍ୟାସରତ କଳାକାର ବାହାର ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିବ । କେଉଁ ନା କେଉଁ ଗଳିରେ କଳାକାରମାନେ ପରସ୍ପର ମଧ୍ୟରେ ନାଟକ ସମ୍ପର୍କରେ ଆଲୋଚନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିବ । ଗୋବରଡାଙ୍ଗା ଭାରତର ଏଡିନ୍‌ବରା । ଏଥିରେ କୌଣସି ଅତିଶୋୟକ୍ତି ନାହିଁ ।

Report an Error