ପ୍ରେମରେ ସହର ଓ ସହରରେ ପ୍ରେମ - ୯

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


ସନ୍ଧ୍ୟା ହେଇନି ଏ ଯାଏଁ । ହବ କିଛି ସମୟରେ । ମୁଁ ବସିଚି ଶିଖରଚଣ୍ଡୀର ଦୁଇଟି ମୁଣ୍ଡିଆ ମଝିରେ ଥିବା ପଥର ମେଞ୍ଚା ଭିତରୁ ସବୁଠୁ ବଡ଼ ଢିମାଟା ଉପରେ । ପିନ୍ଧିଚି ପାକିଟିବାଲା ଧଳା ପାଇଜାମା ଆଉ ଗାଢ଼ ନୀଳ ରଙ୍ଗର ଗୋଲ ବେକବାଲା ଟି-ସାର୍ଟ । ସଞ୍ଜିତ ବସିଚି ମୋର ବାଆଁକୁ । ସେ ଗୋଟେ ନୀଳରଙ୍ଗର ଜିନ୍ସ ପ୍ୟାଣ୍ଟ ଆଉ ଧଳା ରଙ୍ଗର ପୋଲୋ ଟି-ସାର୍ଟ୍‌ଟେ ପିନ୍ଧିଚି ।

ମୁଁ ତା’କୁ କହୁଚି, ମାମୁଁ ଆସିଲେ ତୋତେ ଧରିବ ।

କାହିଁକି ?

ତୁ ଯାହା ପିନ୍ଧିଚୁ, ତାହା ହେଲା ଗ୍ଲୋବାଲ ହୋମୋ ୟୁନିଫର୍ମ୍ ।

ବ୍ଲୁ ଜିନ୍ସ ଆଉ ଧଳା ଟିସାର୍ଟ୍ ପିନ୍ଧିବା ଅପରାଧ କେବେଠୁ ହେଲାଣି ?

ମାଇକିନା ଲୋକ କଲେଜରେ ହିଜାବ ପିନ୍ଧିବା ଯେବେଠୁ ଗର୍ହିତ ହେଲାଣି, ସେବେଠୁ ।

ହଉ । ରାଜା ଭାଇ, ତମକୁ କିଏ ବା ଆଉ ଉତ୍ତର ଫେରେଇବ । ତୁମେ ତ ଲାଜୱାବ୍ ।

ସେ ଏତିକି କହିସାରିଲାବେଳକୁ ମୁଁ ତା’ ଆଡ଼କୁ ବୁଲି ପଡ଼ୁଚି । ସୂର୍ଯ୍ୟ ସେ ଚନ୍ଦକା ଜଙ୍ଗଲ ଭିତରର ଯେଉଁ ପାହାଡ଼ର ସହ ଲୁଚକାଳି ଖେଳି ଆସୁଥିଲା ତାହାର ତୀଖରୁ ଠିକ୍ ଚାରି ଆଙ୍ଗୁଳି ଉପରେ ଅଛି । ଆମ କଡ଼ ପଥରରେ ବସି ସିଗାରେଟ୍ ଆଦାନ ପ୍ରଦାନ ଦେଇ ପ୍ରେମ କରୁଥିବା ବଙ୍ଗାଳୀ ଯୋଡ଼ି ଜାଗା ଛାଡ଼ି ଚାଲି ଗଲେଣି ।

ମୁଁ ତା’ର ଲମ୍ବା ଚୁଟିକୁ ଟିକେ ପଛକୁ ଟାଣି ଦେଇ ପୁରା ମିନିଟିଏ ପର୍ଯ୍ୟନ୍ତ ତା’କୁ ଓଠରେ ଗେଲ କରୁଚି । ସେ ସହଯୋଗ କରୁନି, କି ଅସହଯୋଗ ବି ନୁହେଁ । ମୁଁ ସୂର୍ଯ୍ୟ ଆଡ଼କୁ ବୁଲି ପଡ଼ିଲାବେଳକୁ ସେ କହୁଚି, ମାମୁଁ ଆସିଲେ ତମକୁ ଧରିବ । ମୁଁ ପଚାରୁଚି, କାହିଁକି ? ସେ କହୁଚି, ଯାହା କଲ ସେଥି ପାଇଁ । ମୁଁ ଲେଉଟଉଚି, ପ୍ରମାଣ କଅଣ ?

ସେ ଫିକ୍ କିନା ହସିଦେଇ କହୁଚି, ତମେ ସତରେ ଲାଜୱାବ୍ ।

ମୁଁ ଦେଖୁଚି, ସୁର୍ଯ୍ୟର ଯେଉଁ ଧାର ମୁଣ୍ଡିଆ ଉପରେ ଦିଶୁଥିଲା, ତା’ ଆଉ ନାହିଁ ।

Report an Error