ପ୍ରେମରେ ସହର ଆଉ ସହରରେ ପ୍ରେମ - ୭

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


ଦୁଇ ନମ୍ବର ଖଟିରେ ଦିଲୁ ଭାଇ କବିତା ପଢ଼ୁଥିଲେ । ତୁମେ ତାଙ୍କ ପଛକୁ କଡ଼େଇକି ଠିଆ ହେଇଥିଲ । ଦୀନା, ମଣ୍ଟୁ ଭାଇ ଆଉ ସିପୁ ତମରି ଆଡ଼କୁ ଗାଣ୍ଡିକରି ଠିଆ ହୋଇଥିଲେ ଅର୍ଦ୍ଧଚନ୍ଦ୍ରାକାରରେ ।

ଦିଲୁ ଭାଇ ଭାବୁଥିଲେ ମୁଁ ତାଙ୍କ କବିତାକୁ ପିଇଯାଉଚି ବୋଲି । ହେଲେ ତମେ ଠିକ୍ ଜାଣିଥିଲ ମୁଁ କାହାକୁ ଚାହିଁଚି । ସେଇ ଗୋଷ୍ଠୀର ଅନ୍ୟ କିଏ ଜାଣିଥିବାର ଉପାୟ ନଥିଲା ।

ରାସ୍ତାକଡ଼ ବତୀର ଆଲୁଅ ନିମ୍ବ ଗଛର ପତ୍ର ଫାଙ୍କ ଦେଇ ତୁମର ତିନିଦିନିର ଦାଢ଼ିବୋଳା ଗାଲ ଉପରେ ଚେତେରେଇ ହେଇ ପଡ଼ିଥିଲା । ତୁମେ ମୁହଁ ଟିକେ ହଲେଇଦେଲେ ଲାଗୁଥିଲା ଦୁନିଆର ମାନଚିତ୍ର ବଦଳିଗଲା ଭଳି ।

ତୁମେ ନ ହଲିଲେ ବି ତୁମ ମୁହଁର ମାନଚିତ୍ର ଚହଲି ଯାଉଥିଲା, ପବନରେ ଡାଳଗୁଡ଼ିକର ଦୋଳନ ଯୋଗୁଁ । ତୁମର ଆଖି ଦିଲୁ ଭାଇଙ୍କ କବିତା ଡାଏରୀ ଉପରେ ଥିଲା । ହାତ ଥିଲା ତମଠୁଁ ସାଉଁଳା ଖାଉଥିବା ଷଣ୍ଢର ମୁଣ୍ଡ ଉପରେ, ଯାହାର ପଛପଟଟା ଥିିଲା ମୋ’ ଆଡ଼କୁ ।

ମୁଁ ଯେତେବେଳେ ତା’ର ପଛ ଫଡ଼ିଆକୁ ଆଉଁଷିବାକୁ ଆରମ୍ଭ କଲି, ମୁଁ ତା’ ଦେଇ ଛୁଇଁଲି, ତୁମକୁ ନୁହେଁ, ହେଲେ ତୁମ ମୁହଁର ମାନଚିତ୍ରକୁ ।

Report an Error