ପ୍ରେମରେ ସହର ଆଉ ସହରରେ ପ୍ରେମ - ୫

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


ଦୁଇଟାଯାକ ବୁଢ଼ା ଆଙ୍ଗୁଠିରେ ହଳଦୀ ରଙ୍ଗର ନଖପାଲିସି । ନରମ ଖରାରେ ଖିଲିଖିଲି ହସୁଥିବା ସୋରିଷ ଫୁଲର ରଙ୍ଗ । ନିଶ୍ୱାସ ଛାଡ଼ିଲାବେଳେ ପାଦ ସହିତ ମୋ’ ଆଡ଼କୁ । ନିଶ୍ୱାସ ନେଲାବେଳକୁ ମୋ’ ଠାରୁ ଦୂରକୁ ।

ଆଙ୍କେଲ୍ ଷ୍ଟ୍ରେଚିଙ୍ଗ୍ । ଉପର, ତଳ । ଉପର, ତଳ । ଛଅ ଥର । ତା’ ପରେ ରୋଟେସନ୍ । ଆଗେ ଘଣ୍ଟା ଭଳିଆ । ତା’ ପରେ ଘଣ୍ଟା ଚାଲିର ଓଲଟା ।

ବାକି ଆଠଟି ଆଙ୍ଗୁଠିରେ ରଙ୍ଗ ନାହିଁ । ଧାପେନାକୁ ବି ନାଇଁ । ରଙ୍ଗ ନାହିଁ ବୋଲି ଆଉ କିଛି ଅଛି, ତାହା ବି ନୁହେଁ । ନଖରେ ଧୂଳି, ମଇଳା, କିଛି ନାହିଁ । ପୂରା ସଫା । ଚକଚକ । କୌଣସି ପୁଅ ପିଲାର ନଖ ଏପରି ସଫା ଆଉ ବାଗିଆ ମୁଁ କେବେ ଦେଖିନି ।

ମୋର ଇଚ୍ଛା ହେଉଛି, ନଖଗୁଡ଼ିକୁ ଗୋଟିଏ ଗୋଟିଏ କରି ଧରନ୍ତି । ଗେଲ କରନ୍ତି । ଖାଲି ବୁଢ଼ା ଆଙ୍ଗୁଠି ଦିଓଟିକୁ ଛାଡ଼ି । ସେ ଦିଓଟି କୌଣସି ଶାରୀରିକତାର ବାହାରେ ।

ଉପର ତଳ ହେଲାବେଳେ ଦିଶୁଚନ୍ତି ‘ଭିଟ’ ପରି । ନା । ଦିଶୁଚନ୍ତି, ମୋ’ ଝରକା ଫାଙ୍କରୁ ପିଲାବେଳେ ଦେଖାଯାଉଥିବା ଶିଖରଚଣ୍ଡୀର ଯୋଡ଼ି ମୁଣ୍ଡିଆ ଭଳି ।

Report an Error