ପ୍ରେମରେ ସହର ଆଉ ସହରରେ ପ୍ରେମ - ୪

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


କଲେଜରୁ ଫେରିଲାବେଳକୁ ଆମ ଗାଡ଼ି - ମୋ ସ୍ପେକ୍ଟ୍ରା ଆଉ ତା’ ସ୍କୁଟି - ମନକୁ ମନ ମୋଡ଼ି ହେଇଗଲା ଭେନସ୍ ଇନ୍ ଗଳିକୁ । ଆମର ଯିବାର ଥିଲା ପୁରୁଣା ବସ ଷ୍ଟାଣ୍ଡ ପତ୍ରିକା ପାଇଁ । ଗାଡ଼ି ବାପୁଜୀ ନଗରରେ କେମିତି ପହଞ୍ଚିଲା କେଜାଣି !

ଦୁଇଜଣଯାକ ଏ. କେ. ମିଶ୍ର ଆଗରେ ଗାଡ଼ି ରଖିଲୁ । ଉପସ୍ଥାନ ପକାଇବା ପାଇଁ ପାଞ୍ଚ ମିନିଟ ବହି ଦୋକାନରେ ମୁହଁ ମାରିଲୁ । ସେ ଅର୍ଡ଼ର ଦେଇଥିବା ଲେଗୁଇ କାଜାମିଆ ଆସି ନଥିଲା, ଆସି ବି ନଥିଲା ମୁଁ ମଗେଇଥିବା ‘ରେଜ୍ ହାଏ ଦି ରୁଫ୍‌ ବିମ୍ସ୍ କାର୍ପେଣ୍ଟର୍ସ୍’ । ମୁଁ ଭେନସ୍ ଇନ୍ ଆଡ଼କୁ ମୁହେଇଁବାରୁ ସେ କହିଲା ଯେ, “ମୁଁ ପନିର ଦୋସା ଖାଇପାରିବିନି ଆଉ” । ତହିଁକି ମୋର ଉତ୍ତର ହେଲା, “ମୋର ଖଟାମିଠାର ଛୋଲେ ଭଟୁରେ ପାଇଁ ମୁଡ଼ ନାହିଁ” ।

ଡିସେମ୍ବର ସନ୍ଧ୍ୟା । ସୂର୍ଯ୍ୟ ଦିଗ୍‌ବଳୟ ଉପରେ । ସେ ପର୍ଯ୍ୟନ୍ତ ଜଗନ୍ନାଥର ବିନା ପିଆଜ ରସୁଣ ଅବତାର ଆରମ୍ଭ ହୋଇନଥାଏ । ଠିକ୍ ସେଇ ସମୟରେ ରଞ୍ଜନ ବୋଧହୁଏ ସିଙ୍ଗଡ଼ା କାଢ଼ି ପ୍ରଥମ ଭାରି ବରା ତେଲରେ ପକାଇଲା ।

ଯେମିତି ଆମ ଗାଡ଼ି ମନକୁ ମନ ମୋଡ଼ି ହେଇଯାଇଥିଲା ବାପୁଜୀ ନଗରକୁ, ସେମିତି ଆମ ପାଦ ଆପେ ଆପେ ଚାଲିଲା ଜଗନ୍ନାଥ ଆଡ଼କୁ । ଆମକୁ ଦେଖି ରଞ୍ଜନ କିଛି ନ ପଚାରି ଗୋଟିଏ ଦନାରେ ଚାରୋଟି ଟଙ୍କିକିଆ ସିଙ୍ଗଡ଼ା ଦେଇଦେଲା । ଆମେ ସୁସା ହୋଇ ଡହଡହ ତତଲା ସିଙ୍ଗଡ଼ା ଖାଇ ସାରୁସାରୁ ଦୁଇ ଦୁଇଟା ଟଙ୍କିକିଆ ବରା ମୋ’ ପାଇଁ ସିଙ୍ଗଡ଼ା ଦନାରେ ଦେଲା, ଆଉ ତା’ ପାଇଁ ନୂଆ ଟ଼୍ରେରେ ।

ଖାଇ ସାରି, ଟଙ୍କା ଦେଇ ଫେରି ଗାଡ଼ି ଷ୍ଟାର୍ଟ କଲାବେଳକୁ ସେ ମୋତେ ଆମର ଚିରାଚରିତ ପ୍ରଶ୍ନ ପଚାରିଲା, “ଆଜି ବରା ଭଲ ଲାଗିଲା ନା ସିଙ୍ଗଡ଼ା” । ମୁଁ ମୋ’ ସାର୍ଟ୍‌ର ହାତର ଫୋଲ୍ଡ଼କୁ ଆଉ ଥରେ ଭଲକରି ମୋଡ଼ି ଦେଇ କହିଲି, “ତୁ” । ସେ, “ତୋ’ ଭଳିଆ ଛତରା ଆଉ କେହି ନାହିଁ” ବୋଲି କହି ଗାଡ଼ି ଷ୍ଟାର୍ଟ କଲା ଆଉ ଉଡ଼ିଗଲା ଭୁବନେଶ୍ୱରର ଅଦିନିଆ ଝଡ଼ର କଙ୍କି ଭଳି । ପଛରେ ଓନିର ଦୁଇ କାନି ଥିଲା ସେଇ କଙ୍କିର ଡେଣା ।

Report an Error