
କେଶରୀ ପାଖ ଚାହା ଦୋକାନ । ଓଡ଼ିଆ ମାଲିକର ନୁହେଁ । ତେଲୁଗୁ ଷ୍ଟଲଟା । ବୈଶାଖ ମାସ । ମୁଣ୍ଡଫଟା ଖରା ।
ମୋର ଚାହା ଦରକାର ନଥିଲା । ଡେରିରେ ଲଞ୍ଚ୍ କରି ବାହାରିଚି ଘରୁ । ଖାଇଲି, ଉଠିଲି ।
ତରବରରେ ଘରେ ପିନ୍ଧିଥିବା ଇଟା ରଙ୍ଗର ହାରେମ୍ ପ୍ୟାଣ୍ଟ୍ଟା ପିନ୍ଧି ଆସିଚି । ଉପରେ ପୂରା ହାତବାଲା ହେନ୍ଲି ଟିସାର୍ଟ୍ ଗୋଟେ, ଶିଉଳି ରଙ୍ଗର । ଯୋଉଟା ସଞ୍ଜନାକୁ ଭଲ ଲାଗେନା ।
ତା’କୁ ଏଇଟା ଲାଗେ ମଳିଛିଆ । ହେଲେ ମୋ’ର ଏଇ ରଙ୍ଗଟା ବହୁତ ପ୍ରିୟ । ତମକୁ କାହିଁକି ମଳିଛିଆ ଶାଗୁଆ ରଙ୍ଗ ଭଲ ଲାଗେନା ସଞ୍ଜନା ?
ମୁଁ କାହିଁକି ବୋଲି ଭାବିଲାବେଳକୁ ଦେଖୁଚି ଯେ ପାପୁନ, ଚାହା ଦୋକାନର ପିଲାଟା ମୋତେ “ଆଜ୍ଞା କଅଣ ଦେବି” ବୋଲି ପଚାରୁଚି । ତା’ ମୁହଁରୁ ସ୍ପଷ୍ଟ ଯେ, ସେ ମୋତେ ଅତି କମ୍ରେ ଥରେ ଏୟା ପଚାରି ସାରିଚି ।
“ନାଲି ଗୋଟେ ଦିଅ । ମହୁ ସହ । ଲେମ୍ବୁ ବେଶି । ଆଉ ତୁମ ମସଲା ଉପରୁ ଛିଞ୍ଚିବନି ମୋଟେ ।” ସେ ମୁରୁକୁହସା ଦେଇ କହୁଚି, “ଜାଣିଚି ।”
ମୁଁ ଚାହା ନେଇ କେଶରୀ ପାର୍କିଂର ମୁହାଣିଟାକୁ ଛାଡ଼ି ସେପଟକୁ ଯାଇ ଗଛ ଛାଇରେ ଠିଆ ହେଉଚି । ସେଲୁନ ଆଗରେ । ସେଲୁନ ବନ୍ଦ । ଅନ୍ୟ ସବୁ ଦୋକାନ ବନ୍ଦ । ଝାଞ୍ଜି ନାଇଁ । କାଉ କୋଇଲି କେହି କେଉଁଠି ନାଇଁ ।
ଚାହା ସବୁଦିନ ପରି ଠିକ୍ ଅଛି । ରଙ୍ଗ, ତାତି, ମିଠା, ଖଟା, ବାସ୍ନା, ସବୁ ଠିକ୍ । ଦୁଇ ସୁଡ଼ୁକାଏ ନେଲା ପରେ ମୋତେ ହଠାତ୍ ସିଗାରେଟ୍ ଟାଣିବାକୁ ଇଚ୍ଛା ହେଉଚି ।
“ନେଭିକଟ୍ ଅଛି ?”
“ନା ।”
“ଗୋଲ୍ଡ଼୍ ଫ୍ଲେକ୍ ?”
“ଛୋଟ ନା ବଡ଼ ?”
“ଛୋଟ ?”
ନିଆଁ ଲଗାଇବା ପାଇଁ ଦିଆସିଲି ଉଠାଇଲାବେଳକୁ କଇଁଛ ଛାପ । ବହୁତ ଦିନ ହେଲାଣି ଦେଖିନି ଆଉ । ମୁଁ ଗୋଟେ ଦିଆସିଲି ପ୍ୟାକେଟ୍ ବି ଧରୁଚି । ଗୋଟେ କଇଁଛ । ମାତ୍ର ଟଙ୍କାଟିଏ ।
ସିଗାରେଟ୍ ଲଗେଇ ଚାହା ଗିଲାସ ଉଠେଇଲାବେଳକୁ କ୍ୟାବିନର କଳା ଧାର ଉପରେ ମାଟିଆ ରଙ୍ଗର ଗୋଲଗୋଲ ଦାଗ । ଚାହା ଗିଲାସ ପଛର । ଦିଶୁଚି ଶାଢ଼ିର ଧଡ଼ି ପରି । ଶାଢ଼ିଟା କେଉଁ ରଙ୍ଗର ? ଆଉ କାନି ?
ମୁଁ ଆସି ଗଛ ତଳେ ଠିଆ ହେଲାବେଳକୁ କୋଉଠି ଗୋଟେ କୁମ୍ଭାଟୁଆ ଗମ୍ଭୀର କଣ୍ଠରେ ହୁଁ ହୁଁ ବୋବଉଚି ପାଖରେ । ମୁଁ ଉପରକୁ ଚାହିଁଲାବେଳକୁ କେହି କୁଆଡ଼େ ନାହିଁ ।
କଦମ୍ବ ଗଛର ମୂଳ ଗଣ୍ଡିଟା ନାଇଁ । ଯେଉଁଠି ଭାଙ୍ଗିଚି, ତା’ର ଠିକ୍ ତଳ ଆଡ଼ୁ କଡ଼ରୁ ଦୁଇଟା କେନା ବାହାରିଚି । ସିଧା କେନାଟା ମୋଟା ହେଲେ ବି ବେଶି ଲମ୍ବ ନୁହଁ । ଚେତେରେଇନି ।
ଅନ୍ୟ କେନାଟି, ଯେଉଁଟା ରାସ୍ତା ଆଡ଼କୁ ମାଡ଼ିଚି, ସେଇଟା ଲମ୍ବା । ସେଠୁ ଅନେକ ଶାଖା, ପ୍ରଶାଖା ବାହାରିଚି । ସେଇ କେନାଟା ଯୋଗୁଁ ହିଁ ଛାଇ । ହେଲେ କୁମ୍ଭାଟୁଆର ନାଁ ଗନ୍ଧ ନାହିଁ ।
ମୁଁ ଉପରୁ ମୁଣ୍ଡ ତଳକୁ କଲାବେଳକୁ ଗୋଟେ ନୂଆ ମଡେଲ ଭେସ୍ପା ଆସି ଠିଆ ହେଉଚି ରାସ୍ତା ସେପଟେ । ସ୍କୁଟରରୁ ଓହ୍ଲଉଥିବା ପିଲାଟା ପିନ୍ଧିଚି ନୀଳ ରଙ୍ଗର ଜିନ୍ସ୍ ପ୍ୟାଣ୍ଟ୍ ଆଉ କଳା ରଙ୍ଗର ପୋଲୋ ଟିସାର୍ଟ୍ । କଳା ! ଏଇ ବୈଶାଖରେ ? ଲମ୍ବା ଚୁଟି । ଅଣ୍ଟା ଯାଏଁ ପଡ଼ିଚି ।
ସେ ଚାଲିଚାଲି ରାସ୍ତାର ଏ ପାଖକୁ ଆସିଲାବେଳକୁ ତା’ ମୁହଁରେ ଦିଶୁଚି ଗୋଟେ ଲମ୍ବା ସ୍ମିତହାସ ।
“ସୁସ୍ମିତ୍ ! ତୁମକୁ ଚିହ୍ନି ପାରିଲିନି ।”
ସେ ମୋତେ ଭ୍ରୂଲତା ନଚେଇ ପଚାରୁଚି, “କାହିଁକି ?”
“ତମେ ତ ପୂରା ଲଣ୍ଡା ରହୁଥିଲ ।”
“ଏଡ଼ିନବର୍ ମୁଁ ଚୁଟି ବଢ଼େଇବା ପାଇଁ ଯାଉଚି, ସେ କଥା ଆପଣଙ୍କୁ କେବେ କହି ନଥିଲି ?”
“ହଉ । କିନ୍ତୁ ତା’ ସହ ଏମ୍ଫିଲ୍ ଥିସିସ୍ ସବ୍ମିଟ୍ କଲ ନା ନାହିଁ ?”
“ଆଜ୍ଞା । ଭାଇ ତା ବି ଶେଷ” ।
ମୋତେ ନ ଜଣେଇ ଆସିଚି । ହେଲେ ମୁଁ ପଚାରୁନି । ଭୁବନେଶ୍ୱର ତ ଆଉ ମୋ’ର ନୁହେଁ । ସୁସ୍ମିତ୍ ମୋ’ର ନୁହେଁ । ମୁଁ ନିଜେ ବି ମୋ’ର ନୁହେଁ । ଏଥର ଆଉ କଅଣ ଯୋଜନା, ସେକଥା ବି ମୁଁ ପଚାରୁନି ।
ସେ ତା’ ଆଡ଼ୁ ପଚାରୁଚି, “ଆଉ ଆପଣଙ୍କ ଖବର କଅଣ ?”
“ଚାଲିଚି ଯେମିତି ଯାହା ଖୁ୍ଚୁରା କାମ, ଚିରାଚରିତ ।”
ସେ ମୋତେ କାଣି ଆଙ୍ଗୁଠି ଦେଖେଇ ଆର୍ବିଆଇ କାନ୍ଥ ଆଡ଼କୁ ଯାଉଚି । ମୁଁ ଓମ୍ଫେଡ଼୍କୁ ଯାଇ କପ୍ ଥୋଇ, ଟଙ୍କା ଦେଇ, ବ୍ୟାଙ୍କ୍ ଆଗରେ ଠିଆ ହୋଇ ଗ୍ରାଇଣ୍ଡର ଖୋଲୁଚି । ମୋର ସବୁଠୁ ପାଖ ପ୍ରୋଫାଇଲ ହେଲା ‘ବ୍ଲାକ୍,’ ଶହେ ମିଟର ଭିତରେ । ବାୟୋଲାଇନ୍ ହେଲା, ‘ହେଲୋ ! ଡୁ ୟୁ ୱାଣ୍ଟ୍ ଟୁ ଗୋ ଫ୍ରମ୍ ବ୍ଲାକ୍ ଟୁ ଲାଟେ ? ୱିଲ୍ ଇଟ୍ ବି ୱିଥ୍ କ୍ରିମ୍ ? ଅର୍ ଜଷ୍ଟ୍ ବ୍ଲାକ୍ ବଟ୍ ଏକ୍ସ୍ଟ୍ରା ଷ୍ଟ୍ରଙ୍ଗ୍?’
ପ୍ରୋଫାଇଲ ଫଟୋଟା ପଛର ଭିୟୁ । ବିନା ଲୁଗାରେ । ହେଲେ ଚୁଟି ଲମ୍ବିଚି ଅଣ୍ଟା ଯାଏଁ । ମୁଁ ଧଡ଼କିନା ମୋ’ ପ୍ରୋଫାଇଲ୍ ଡିସ୍ଏବଲ୍ କରି ଫୋନ୍ ବନ୍ଦ କରୁଚି ।
ସୁସ୍ମିତ୍ ଯାଉଚି ଚାହା ଦୋକାନ ଆଡ଼େ ।
ହାରାମି କୁମ୍ଭାଟୁଆଟା ପୁଣି ଡାକ ଛାଡ଼ୁଚି । ହୁଁ । ହୁଁ । ହୁଁ ।