
କେଦାରଗୌରୀ ଆଡ଼କୁ ଗଲାବେଳେ ମନ୍ଦିର ଆଗରୁ ଡାହାଣ ପଟେ ଗୋଟେ ଜଳଖିଆ ଦୋକାନ । ପର୍ଶୁରାମେଶ୍ୱର ଆଗରୁ, ନା ପରେ ପରେ ?
ତୁମେ ଆଉ ମୁଁ ସେଠି ଠିଆ ହେଇଚେ । ମୁଁ ଯାଇଚି ସେଠିକି ଅନେକ ଦିନ ପରେ । ନା । ଅନେକ ମାସ ପରେ । ଭାଙ୍ଗ ଛାଡ଼ିବା ପରେ ଓଲ୍ଡ଼୍ ଟାଉନକୁ ଯିବା ମୋ’ର କମି ଯାଇଛି ।
“ମାଲପୁଆ ଡାଲମା ଅଛି ?”
ପୁରୁଣା ମାଲିକର ନାତି ହେବ ବୋଧେ, ଧେଡ଼ିଆ ହେଇକି ପିଲାଟା ଏବେ ଦୋକାନ ସମ୍ଭାଳୁଚି । ମୁଁ ଆଗରୁ ଭାବୁଥିଲି ଯେ, ସେ ଗୋଟେ ବୋଲକରା ପିଲା ବୋଲି । ହେଲେ ତା’ ଜେଜେ ବାଧିକିରେ ପଡ଼ି ଦୋକାନକୁ ଆସିବା ବନ୍ଦ କଲାରୁ ସେ ହିଁ କାଉଣ୍ଟରରେ ବସୁଚି । ମୁଁ ଦିନେ ପଚାରିଲାରୁ କହିଲା, “ଜେଜେବାପାଙ୍କୁ ପାରାଲିସି ।” ତା’ ଜେଜେବାପା ଯେତିକି କୁହାଳିଆ, ଏ ପିଲା ପୂରା ତା’ର ଓଲଟା । ତିନି ପଦ ପଚାରିଲେ ପଦେ ଉତ୍ତର ।
“ଡାଲମା ନାହିଁ ।”
“ମାଲପୁଆ ?”
“ଅଛି ।”
“ତରକାରି କଅଣ ଅଛି ?”
“ଘୁଘୁନି ।”
“ଆଳୁଦମ ହବ କି ?”
“ନା ।”
“ହଉ,” କହି ମୁଁ ମୋ’ ସ୍କୁଟର ଆଡ଼କୁ ଚାଲୁଚି । ତୁମେ ମୋ’ ପଛେ ପଛେ । ଠିକ୍ ଗୋଟେ ପାଦ ପଛକୁ । ଆଳୁଦମ ହେଲେ ବି ଚଳିଥାଆନ୍ତା । ଡାଲମା ନ ହେଲେ ନାହିଁ । ହେଲେ ଘୁଘୁନି ସହିତ ମାଲପୁଆ ମଣିଷ କେମିତି ଖାଇବ ?
“ତୁମର ଖାଲି ମାଲପୁଆ ଖାଇବାର ଇଚ୍ଛା ନଥିଲା ?”
“ନା । ତୁମେ ମାଲପୁଆ ଖାଇଥାଆନ୍ତ କି ବିନା ଡାଲମାରେ ?”
“ତୁମେ ଖାଇଥିଲେ ଖାଇଥାଆନ୍ତି । ଏକୁଟିଆ ଖାଇବାର ଇଚ୍ଛା ନାହିଁ ।”
“ହଉ । କଅଣ କରିବା ଏବେ ?”
“ତୁମକୁ ବେଶି ଭୋକ କରୁଛି କି ?”
“ନା । ତୁମକୁ ?”
“ଆଦୌ ନୁହେଁ ।”
ଚଇତି ପୁନେଇ ଆଜି । ଅନେକ ବର୍ଷ ପରେ ଭୁବନେଶ୍ୱରରେ ଚଇତି ପୁନେଇରେ ଚଇତି ବାଆ । ପବନ ଥଣ୍ଡା ତ ନୁହେଁ । କି ଉଷୁମ ବି ନୁହେଁ । ହେଲେ ଉତ୍ତୀର୍ଣ୍ଣ ମାର୍ଚ୍ଚରେ ବି ଦିହରେ ବାଜିଲେ ଆରାମ ଲାଗୁଚି । ନିଜ ଭାଇ କି ଭଉଣୀ ସଲସଲ କଲା ପରି ।
“ପବନ ତ ଭଲ ଦଉଚି । ମୁକ୍ତେଶ୍ୱର ଆଗ ପାର୍କରେ ଚାଲିବା ଟିକେ ?”
“ହଉ । ହେଲେ ପହିଲେ ଦେଉଳ କୁଣ୍ଡ ଆଡ଼େ ଟିକେ ବସିବା ।”
ଆମେ ମୁକ୍ତେଶ୍ୱର ମନ୍ଦିର ଚଟି ରଖିବା ଜାଗାରେ ଚପଲ ଥୋଇ ବାଁକୁ ନଯାଇ ଯାଉଚୁ ଡାହାଣକୁ । ଦିଅଁଙ୍କୁ ତୁମେ ଦେଉଳ ବାହାରୁ ଆଣ୍ଠେଇ, ନଇଁ, ମୁଣ୍ଡିଆ ମାରୁଚ । ମୁଁ ଠିଆ ଠିଆ । ଆଖି ଖାଲି ବନ୍ଦ କରି, ମନରେ ।
ଆମେ କେହି ଭିତରକୁ ପଶିନୁ । ବସୁଚୁ ମନ୍ଦିର ବାଁ ପଟେ । କୁଣ୍ଡବନ୍ଧର ପାହାଚରେ, ପାଣି ଭିତରେ ଗୋଡ଼ ବୁଡ଼େଇ ।
ପବନ ଯୋଗୁଁ କୁଣ୍ଡରେ ପାଣିର ଢେଉ । କୁନି କୁନି । କିଏ ହାତରେ ଧରି ଗଢ଼ିଥିବା ପରି । ନହେଲେ ଚାଇନିଜ୍ ରାଇସ୍ ପେଣ୍ଟିଂରେ ଆକାଶ ଆଉ ବାଦଲ ପରି । ସେ ଢେଉର ଛଇ ଅଛି । ଛଟକ ନାହିଁ । ଠିକ୍ ତୁମ ପରି ।
“ମୁଁ ତୁମକୁ ପଚାରୁଚି, ପ୍ରଥମେ ଯେବେ ଏଠିକି ଆସିଥିଲେ, ମନେ ଅଛି ?”
“ହଁ । କେତେ ବର୍ଷ ହେଲାଣି ? ଦୁଇ ? ତିନି ?”
“ଆଉ କିଛି ମାସରେ ଚାରି ହେବ ।”
“ହଁ । ଆମ ପ୍ରଥମ ଆନିଭର୍ସରି ପରେପରେ ।”
“ବାପା ଚାଲିଯିବାର ଠିକ୍ ଦୁଇ ମାସ ପରେ ।”
ମୋ’ ପାଦକୁ ଆସି ମାଛ ଯୋଡ଼େ ଖୁମ୍ପୁଚନ୍ତି । ତୁମ ପାଦକୁ ଆହୁରି ବେଶି, ହେଲେ ମିନିମିନି । ମୋ’ ପାଦ ସଲସଲ ହେଉଚି । ମୁଁ ତୁମ ଡାହାଣ ପାପୁଲିର ଉପରକୁ ମୋ’ ବାଁ ତର୍ଜନୀ ଆଉ ମଝି ଆଙ୍ଗୁଠିରେ ସଲସଲ କରୁଚି ।
“ଦେଖ କଅଣ କଲଣି !” ତୁମ ହାତର ରୁମ ଠିଆ ହେଇଚି ।
“ମୋର କିଛି ଦୋଷ ନାହିଁ । ଏଇଟା ଚଇତି ବାଆର କାମ,” ମୁଁ କହୁଚି ।
“ଯାଆ ।”
“ମୁଁ ଠିଆ ହେଉଚି । ତୁମେ ବି ।”
ଆମେ ଦୁଇଜଣ ମୁକ୍ତେଶ୍ୱର ଆଉ ପର୍ଶୁରାମେଶ୍ୱର ମଝିରେ ଥିବା ପାର୍କରେ ଚାଲୁଚୁ । ଆଜି ଚାଲିବା ଲୋକଙ୍କର ଗହଳି କମ୍ । ମଝିରେ ମଝିରେ ଏଠି ସେଠି ଟୋକାଟୋକିଙ୍କ ଯୋଡ଼ି । ପ୍ରାୟତଃ ଚୁପଚାପ ବସିଚନ୍ତି । ମୋବାଇଲରେ ମୁହଁ ଗେଞ୍ଜା ହେଇଚି ।
ତିନି ଘେରା ମାରିସାରିଲା ପରେ ତୁମେ କହୁଚ, “ପାଦ କାଟିଲାଣି ।”
“ହଉ ଚାଲ ଯିବା ।”
ଫେରିଲାବେଳକୁ ଆକ୍ସେସ୍ର ତିନି ଆଡ଼େ ତିନିଟା ମଟରସାଇକେଲ । ବାଁ ପଟେ ଗୋଟେ ରିମଡେଲ୍ଡ଼୍ ସ୍ପ୍ଲେଣ୍ଡର । ଡାହାଣ ପଟେ ଗୋଟେ ଧତରା କଳା କାଲିବର । ଆଉ ପଛକୁ ସତୁରି ଡିଗ୍ରୀ କରି ଗୋଟେ ଅରଖ ନୂଆ ତିନିଶହ ପଚାଶ ସିସି ବୁଲେଟ, ପାଉଁଶିଆ ରଙ୍ଗର ।
ଆମେ ଦୁଇ ମିନିଟ ଅପେକ୍ଷା କଲା ପରେ ଗୁଆଝର ଭିିତରୁ ଗୋଟେ ଛଅଫୁଟିଆ, ମାଲ ଭଳିଆ ଦିଶୁଥିବା ଟୋକାଟେ ବାହାରୁଚି । ଆଗେ ତମକୁ ଅନଉଚି । ତା’ ପରେ ମତେ । ସେ ବୁଲେଟ କାଢ଼ିଲାବେଳକୁ ତା’ ବାଁ ବାହୁ ଉପରେ ପଛ ପଟୁ ଦିଶୁିଚି ଗୋଟେ ଚାରି ଆଙ୍ଗୁଳ ଲମ୍ବା ତ୍ରିଶୂଳର ଚିତା ।
ସେ ଗାଡ଼ି ଷ୍ଟାର୍ଟ୍ କଲା ପରେ ତା’ ସାଇଲେନ୍ସରରୁ ବାହାରୁଚି ପୁରୁଣା ଧତଡ଼ା ବୁଲେଟର ଆୱାଜ । ଠିକ୍ ସେତିକିବେଳେ ପର୍ଶୁରାମେଶ୍ୱର ଆଗ ବରଗଛରୁ ପୁଳେ ପକ୍ଷୀ ଉଡ଼ିଯାଉଚନ୍ତି କେଚେରେମେଚେରେ ହେଇ, ଡରକୁରା ପୁନେଇ ଜହ୍ନକୁ ଚମକେଇ ଦେଇ ।
ମୁଁ ମୁଣ୍ଡ ଟେକି ଅନଉଚି । ମୋ’ ହାତରୁ ଗଳି ପଡ଼ିଥିବା ଚାବି ତୁମେ ଉଠେଇ ମୋ’ ବାଁ ହାତରେ ଦେଇ କହୁଚ, “ଚାଲ ଯିବା । ଭୋକ କଲାଣି । ନିକୋ ପାର୍କ ପାଖବାଲା ଚାଟ୍ ବହୁତ ଦିନ ହେଲା ଖାଇନେ ।”
ମୁଁ ଗାଡ଼ି ଷ୍ଟାର୍ଟ୍ କରୁଚି ।
“ବସିଲ ?”
“ହଁ ।”
ରାସ୍ତା ଫାଙ୍କା । ଦେହ ଉପରେ ଚଇତି ବାଆର ଛୁଆଁ ମୁକ୍ତେଶ୍ୱର କୁଣ୍ଡର ମାଛଙ୍କ ଖୁମ୍ପା ପରି, ହେଇ ଅଛି, ହେଇ ନାଇଁ । କିନ୍ତୁ ଆଖି ବୁଜିଦେଲେ, ଖାଲି ସେଇ ବାଆ ହିଁ ।