ପ୍ରେମରେ ସହର ଓ ସହରରେ ପ୍ରେମ - ୧୭

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


ବିନ୍ଦୁସାଗର ମଝିରେ ଥିବା ମନ୍ଦିର ଚାରିପଟେ ଗୋଲାପି ରଙ୍ଗର ଆଲୁଅର ବେହରଣ ।

ଗୋଲାପି ତୁମର ପ୍ରିୟ ।

ହେଲେ ମୁଁ ସେଇ ଆଲୁଅକୁ ଚାହୁଁନି ।

ମୋ’ ନଜର ସିଧା ଲିଙ୍ଗରାଜ ଆଡ଼କୁ ।

ନହେଲେ ଏପଟ କୂଳରେ ଟୁପୁରୁଟୁପୁରୁ ହେଉଥିବା ଚଢେଇଗୁଡ଼ାକ ଉପରେ ।

ଆଜି ଆମେ ବସିଥିବା ଉତ୍ତରେଶ୍ୱର ଘାଟରେ ଗହଳି ସେତେ ବେଶି ନାହିଁ ।

ଗଞ୍ଜେଇ ଓ ସିଗାରେଟ ଫୁଙ୍କୁଥିବା ପିଲାଏ ବସିଚନ୍ତି ଆମର ଡାହାଣକୁ, ପୋଖରୀର ଉତ୍ତର - ପଶ୍ଚିମ କୋଣରେ ।

ପବନ ଖାଇବାକୁ ଆସିଥିବା ଲୋକେ କାଇଁ କେଉଁ ଦୂରରେ, ରାସ୍ତା କଡ଼ର ପଥର କାନ୍ଥି ଉପରେ ।

ଶ୍ରାଦ୍ଧ ପିଣ୍ଡି ଉପରେ କିଛି ଇସ୍କୁଲିଆ ପିଲା ବସିଚନ୍ତି । ଆଉ ଆମେ । ତୁମେ ଆଉ ମୁଁ ।

ପ୍ରଥମ ଥର ତୁମେ ମୋ’ ସହିତ ଭାଙ୍ଗ ପିଇଚ ଆଜି । ବାହାଘର ପରେ ଲାଗିଲାଗି ତିନି ବର୍ଷ ପରେ ।

ତମର ଆଠଣା, ମୋ’ର ପାଞ୍ଚ ଟଙ୍କା । ମୋ’ର କୋଡ଼ିଏ ବର୍ଷ ତଳେ ଯେତିକି ଥିଲା ଭାଙ୍ଗ ଖୋରାକି, ଆଜି ବି ଠିକ୍ ସେତିକି । ମୋ’ ପାଞ୍ଚ ଟଙ୍କାଟା କେସର ପିସ୍ତା ସେକ୍ ସହ, ତୁମର ଆଠଣାଟା ଚକଲେଟ୍‌ରେ ।

ତୁମ ଜୀବନର ପ୍ରଥମ ଭାଙ୍ଗଖିଆ । ତା’ ପରେ ବିନ୍ଦୁସାଗର କୂଳକୁ ନ ଆସି ଆଉ କୁଆଡ଼େ ଯାଇଥାଆନ୍ତେ ?

ମୋ’ର ଗୋଟେ ଖୋଇ ଅଛି - ସବୁ କଥାକୁ ଗୋଟେ ପ୍ୟାକେଜ୍ ଭାବରେ ଦେଖିବା । ଯେମିତି ଏଇ ଭାଙ୍ଗଖିଆ ଆଉ ତା’ ପରେ ବିନ୍ଦୁସାଗର କୂଳରେ ପବନପିଆ ।

ତୁମେ ବାହାରେ ପ୍ରାୟତଃ ଚୁପଚାପ ରୁହ । ଏଣୁ ବର୍ତ୍ତମାନର ନିରବତା ନର୍ମାଲ ନା ଭାଙ୍ଗ ଯୋଗୁଁ - ଜାଣି ହଉନି ।

ଆମେ ପାଖାପାଖି ବସିଚେ । ହେଲେ ଲଗାଲଗି ହେଇ ନୁହେଁ । ମୁଁ ଡାହାଣ ହାତର ତର୍ଜନୀରେ ତୁମର ବାଁ ହାତ କାଣି ଆଙ୍ଗୁଠିକୁ, ଯେଉଁଟା ମୋ’ ସବା ପାଖକୁ ଅଛି, ତା’କୁ ଛୁଉଁଚି ।

ପ୍ରଥମ କିଛି ମୁହୂର୍ତ୍ତ ତୁମର କିଛି ପ୍ରତିକ୍ରିୟା ନାହିଁ । ସବା ତଳ ପାହାଚରେ ପାଣିରେ ଗୋଡ଼ ବୁଡ଼େଇ ବସିଥିବା ନହନହକିଆ ପିଲାଟି ହଲି ଦୋହଲି ଉପରକୁ ଆସୁଚି । ମୋ’ର ବାଁ ପଟକୁ ମୁଁ ତିନି ଗଣିଲା ପର୍ଯ୍ୟନ୍ତ - ଏକ, ଦୁଇ, ତିନି - ଆସି. ରହି. ମୁଁ ଚାରି ଗଣିବା ଆରମ୍ଭ କରିବା ଆଗରୁ ଚାଲି ଯାଉଚି, ମାନେ ଆମର ପଛକୁ ।

ସେ ଆମେ ବସିଥିବା ସବା ଉପର ପାହାଚ ଟପିଲାବେଳକୁ ମୋତେ ଆଡ଼ ଆଖିରେ କଣେଇ ଚାହୁଁଚି । ମୁଁ କେମିତି ଜାଣିଲି ? ମୁଁ ଜାଣିଚି । ପଚାରନା କେମିତି ।

ସେ ପର୍ଯ୍ୟନ୍ତ ମୋ’ ଡାହାଣ ତର୍ଜନୀ ତୁମ ବାଁ କାଣି ଉପରେ ଅଛି । ହେଲେ ଏବେ ଚାପ ଜମାରୁ ନାହିଁ । ତୁମେ ମୋ’ ପଟକୁ ମୁହଁ ଟିକେ ବୁଲଉଚ । ଦଶ କି ପନ୍ଦର ଡିଗ୍ରୀ ।

କିଛି ଲାଗୁଚି ? ମୁଁ ପଚାରୁଚି ।

ନାଁ ।

ହେଲେ ମତେ ତ ଲାଗିଲାଣି ।

କଅଣ ?

ଏଇ ଟିକେ ... ।

ମାନେ ?

ନିଶା ଟିକେ ଟିକେ ଧରିଲାଣି ।

ତୁମେ ତୁମ ବାଁ ହାତ ଖସେଇ ନେଇ ନିଜ ଜଙ୍ଘ ଉପରେ ଥୋଇ ପଚାରୁଚ, କେମିତି ଜାଣୁଚ ?

ଲାଗୁଚି ।

କଅଣ ?

ଏମିତି । ସବୁ କିଛି ଧିମେଇ ଗଲା ପରି । ଆଉ ସବୁ ସ୍ପଷ୍ଟ ଦିଶୁଚି ।

ହଉ ।

ତୁମକୁ ?

ନା । ସେମିତି କିଛି ଲାଗୁନି ଯେ । ହେଲେ...

ହେଲେ ?

ଟିକେ ହାଲୁକା ଲାଗୁଚି । ଆଉ ଜିଭ ତଳେ ଟିକେ ଝିମ୍‌ଝିମ୍ ।

ସେତିକିବେଳେ ବିନ୍ଦୁସାଗରର ପଶ୍ଚିମ କୂଳରୁ ପୂର୍ବ ଆଡ଼କୁ, ଓଷଦ ବଗିଚାରୁ ଆମ ଡାହାଣକୁ ଅନନ୍ତ ବାସୁଦେବଙ୍କ ପଟକୁ, ଦୁଇଟି ବଗ ଉଡ଼ିଯାଉଚନ୍ତି । ଡେରି ସନ୍ଧ୍ୟାରେ ? କାହିଁକି ? ଲିଙ୍ଗରାଜର ସିଲୁଏଟ୍ ଟପିଲାବେଳକୁ ଜକଜକ ଦିଶୁଚନ୍ତି, ହଠାତ୍ ଭିତରୁ ଜଳି ଉଠିଲା ପରି ।

ମୁଁ କହୁଚି, ହେଲାଣି ।

କଅଣ ?

ନିଶା ।

Report an Error