
ପହିଲି କାର୍ତ୍ତିକ ମାସର ଉଷୁମ ସକାଳର ତୁଳାଭିଣା ସଫେଦ ବାଦଲ ଅଛି । ମେଘ ଚାରିପଟେ ଲୁସିର ଚିତ୍ରରୁ ଧାର ଅଣା ରଙ୍ଗରେ ତିଆରି ଆକାଶ ଅଛି । ଗଗନରେ ମୋର ପାଣିଚିଆ ପ୍ରେମ ପରି ଖରାର ଧାସ ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।
ଖରାବେଳେ ବୁଦ୍ଧ ଜୟନ୍ତୀ ପାର୍କ ଆଗର ସେଇ କାଫେର ନିର୍ଜନତା ଅଛି । ପାର୍କ ଭିତରେ ଲୋକଙ୍କ ଗହଳି ଆଉ ବାହାରେ ଗାଡ଼ିମଟରର ହଇଚଇ ଅଛି । ପବନରେ ଶୀତର ଫୁସଫୁସିଆ ଛୁଆଁ ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।
ଅପରାହ୍ଣର କାନନ ବିହାର ରାସ୍ତାକଡ଼ର କଦମ୍ବର ଛାଇର ପରଶ ଅଛି । ସେଠାରେ ଗଳିମୋଡ଼ର ବିଭ୍ରାନ୍ତି ଅଛି । ବୁଲା କୁକୁର ଛୁଆମାନଙ୍କର ଆକ୍ତି ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।
ସନ୍ଧ୍ୟାର ନନ୍ଦନକାନନ ରାସ୍ତାର ଗହଳଚହଳ ଅଛି । ଚିକ୍ମିକ୍ ତାରା ଭଳି ଗାଡ଼ିମାନଙ୍କର ଆଲୁଅର ଚିକ୍କଣ ଝାଲର ଅଛି । ରୋଡ଼୍ ଦୁଇପାଖର ଦୋକାନଗୁଡ଼ିକର ନିରନ୍ତର ହାତଠରା ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।
ତୁମେ ନାହଁ । ହେଲେ ମୁଁ ଅଛି । ଏ ସହର ଅଛି । ଏ ସହରର ସ୍ମୃତି ଅଛି । ସହରରେ ତୁମର ଛୁଆଁ ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।