
ମୋ’ର ପହଞ୍ଚିବା ପାଇଁ ଠିକ୍ ପନ୍ଦର ମିନିଟ୍ ଡେରି ହେଇଥିଲା । କେମିତି ମନେଅଛି ? କହୁଚି ରୁହ । ମୁଁ ମହାବୋଧି ସୋସାଇଟି ଆଗରେ ମୋ’ ଲୁନା ଥୋଇ ଡଗଡଗ ହେଇ ଚାଲି କ୍ୟାମ୍ପସ ଭିତରେ ପହଞ୍ଚିଲାବେଳକୁ ସେ ଆଗରୁ ଠିକ୍ କରିଥିବା ଅନୁସାରେ ବୋଧି ଗଛ ମୂଳେ ବସିଥାଏ ।
ତା’ ମୁହଁଟା ଟିକେ ଅଜବ ଦିଶୁଥାଏ । ଠାକରା ଗାଲ ରାଗରେ ଜାଣିଶୁଣି ଫୁଲେଇ ଥିଲେ ଯେମିତି ବିଚିତ୍ର ଦିଶିବା କଥା, ସେମିତି ।
ମୁଁ ପଚାରିଲି, “କେତେବେଳଠୁଁ ଆସିଲଣି ?”
“କୋଡ଼ିଏ ମିନିଟ୍ ହେଲାଣି ।”
“କୋଡ଼ିଏ ମିନିଟ୍ ? ଏବେ ତ ପାଞ୍ଚଟା ଏଗାର ବାଜିଚି ।”
ସେ ତା’ ଘଣ୍ଟାକୁ ଅନେଇ କହିଲା, ଡେରି ନ ହେବା ପାଇଁ ହାତରେ ଟିକେ ସମୟ ରଖି ପହଞ୍ଚିବି ବୋଲି ଭାବିଲି । ତ ଶୀଘ୍ର ପହଞ୍ଚିଗଲି ।”
“ହଉ । ମୋ’ର ନଅ ମିନିଟ୍ ଡେରି । ନଅ ଯୁକ୍ତ ଏଗାର ସମାନ କୋଡ଼ିଏ । ବଢ଼ିଆ ହିସାବ ।”
“ଯା’ ହେଉ । ଆଉ କିଛି ମେଳ ଖାଉ, ନ ଖାଉ, ତୁମର ଆଉ ମୋ’ର ଘଣ୍ଟାର ସମୟ ବେତାଳିଆ ନୁହେଁ ।”
ମୁଁ ଆଉ କିଛି ନ କହି, ତା’ ପାଖରେ ବସି ପଡ଼ିଲି । ସେ ପିନ୍ଧିଥାଏ ଗୋଟେ ଧତରା, ହେଲେ ସଫା, ମାଟିଆ ରଙ୍ଗର ଟି - ସାର୍ଟ ।
“ବ୍ୟାଗ୍ କୁଆଡ଼େ ଗଲା” ବୋଲି ମୁଁ ପଚାରିଲି ।
“ତୁମକୁ ଦେଖା କରିବାକୁ ଖାଲି ଆସିଚି ଶାସ୍ତ୍ରୀ ନଗରରୁ । ବ୍ୟାଗ୍ କାହିଁକି ଆଣିବି ?”
ମୁଁ ମୋ ବ୍ୟାଗ୍ରୁ ବାବା ଡହରାନନ୍ଦଙ୍କ ପ୍ରବଚନମାଳା ଖଣ୍ଡିଏ ବାହାର କରି ତା’ ହାତକୁ ବଢ଼େଇ ଦେଲି । ସେ ଭ୍ରୂଲତା ନଚେଇ ଆଖିରେ ପଚାରିଲା, “କଅଣ/କାହିଁକି” ବୋଲି ।
ମୁଁ କହିଲି, “ପ୍ରୀତି ଉପହାର ।”
ସେ କିଛି ନ କହି ପ୍ରଥମେ ମୁରୁକିହସା ଦେଲା । କିଛି ସେକେଣ୍ଡ ପରେ କହିଲା, “ଧନ୍ୟବାଦ ।” “ଥ୍ୟାଙ୍କ ୟୁ” ନୁହେଁ, “ଧନ୍ୟବାଦ” ।
ଠିକ୍ ସେତିକିବେଳେ କାଉଟିଏ ଆସି ଗଛର ବେଢ଼ା ଚାରିପଟେ ବୁଲିଥିବା ପାଚେରି ଉପରେ ବସି ତିନି ଚାରି ଥର କା’ କା’ ହେଲା ଆଉ ତା’ ପରେ ଉଡ଼ି ବୋଧି ମନ୍ଦିର ଉପରକୁ ଚାଲିଗଲା ।
ସନ୍ଦୀପ କିଛି ସମୟ ପରେ ପଚାରିଲା, “ଏମିତି ଏଠି କାହିଁକି ଭେଟିବାକୁ ଡାକିଲ ?”
“ଭଲ ଲାଗୁନି କି ?”
“ନା । ବଢ଼ିଆ ଜାଗା ଯେ । ମୁଁ ଆଗରୁ ଦେଖି ନଥିଲି ।”
“ଏଇଟା ବୋଧି ବୃକ୍ଷ ।”
“ମାନେ ?”
“ମାନେ ବୌଦ୍ଧ ଗୟାରେ ଯେଉଁ ଓସ୍ତ ଗଛ ତଳେ ବୁଦ୍ଧ ମହାନିର୍ବାଣ ପ୍ରାପ୍ତ ହେଇଥିଲେ, ତା’ର ଗୋଟେ ପୁଅ ଅଛି ଶ୍ରୀଲଙ୍କାର କାଣ୍ଡିରେ । ଏଇଟା ହେଲା ତାହାର ଛୁଆ । ମାନେ ମୂଳ ବୋଧି ଗଛର ନାତି ।”
“ଓଃ” କହି ସେ ଉଠିଗଲା ।
ଆଉ ଗଛକୁ ଛୁଇଁ ଠିଆ ଠିଆ ମୁଣ୍ଡିଆ ମାରି ମୋ’ ପାଖରେ ଫେରି ଆସି ବସିଲା । ତା’ ପରେ କଅଣ କଥା ହେଲୁ ମୋ’ର ଏବେ ଆଉ ମନେ ନାଇଁ । ବାହାରିଲାବେଳକୁ ସେ କହିଲା, “ମତେ ଗୋଟେ ବଢ଼ିଆ ନୂଆ ଜାଗା ଦେଖେଇ ଥିବାରୁ ଧନ୍ୟବାଦ ।”
“ମୋତେ କଅଣ ମିଳିବ ?”
ସେ କିଛି ନ କହି ମୋ’ ଦୁଇ ଗାଲରେ ପାଞ୍ଚଟି ଲେଖାଏଁ ବୋକ ଦେଇ ଶେଷକୁ ଓଠରେ ଗେଲ କଲା ଥରେ ।
ତା’ ପରେ ବହି ଧରି ଉଠି ଯାଇ ମୋ’ ପଟକୁ ନ ଅନେଇ ଗେଟ୍ ଆଡ଼େ ଚାଲିବାକୁ ଲାଗିଲା । ମୁଁ କହିଲି, “ରୁହ ।” ସେ ଫେରି, ବୁଲି ମୋ’ ଆଡ଼କୁ ଚାହିଁ ଭ୍ରୂଲତା ଉଠେଇଲା ।
“ଆଉ ଗୋଟେ ଗେଲ,” ମୁଁ ମାଗିଲି ।
ସେ କହିଲା, “ନା । ଯେତିକିଟା ମିଳିବା କଥା ତା’ ମିଳି ସାରିଚି ।”
“ବୋଇଲେ ।”
“ଏଗାର ମିନିଟ୍ ଡେରି ପାଇଁ ଏଗାରଟା ଗେଲ ।”
ମୁଁ କହିଲି, “ହଉ । ୟା ପର ଥରକ ତା’ହେଲେ ଅଧ ଘଣ୍ଟାଏ ଡେରି କରିବି, ରୁହ । ନା ଘଣ୍ଟାଏ ?”
ସେ, “ଛତରା କେଉଁଠିକାର” କହି ବୁଲି ଗେଟ୍ ଆଡ଼କୁ ଚାଲିଗଲା ।
ଏଥରକ ମୁଁ “ରୁହ” ବୋଲି ଆଉ ଥରେ କହିଲେ ବି ସେ ପଛକୁ ଫେରି ଅନେଇଲାନି । ଫାଟକ ଉପରେ କାଉଟିଏ ବସିଥାଏ । ସେ ଗଳାଫାଟକ ଫାନ୍ଦ ଫିଟେଇ, ସେପଟକୁ ଯିବା ଯାଏଁ ।