
ମତେ ରାତିରେ ଗାଡ଼ି ଧରି ବୁଲିବାକୁ ଭଲ ଲାଗେ । ପାଗ ଭଲ ଥିଲେ ଚାଲିଚାଲି ବୁଲିବାକୁ ମଧ୍ୟ । ତମର ମୁଁ ଡେରିରେ ଘରକୁ ଫେରିଲେ ଡର । ତମେ ଏଠି ନଥିଲେ ବି । ବିଶେଷତଃ ତମେ ଏଠି ନଥାଇ ସେଠି ଥିଲେ । ହେଲେ ଭୁବନେଶର ବାକି ସବୁ ସହର ଭଳି ରାତିରେ ହିଁ ଭଲ ଲାଗେ ।
ଆମେ ରାତିରେ ବୁଲି ବାହାରିଚେ । ଖାଇ ପିଇ । କାମଦାମ ସବୁ ସାରି । ରାତି ଆଠଟା ପର ହେଲାଣି । ଜ୍ୟୈଷ୍ଠ ମାସ । ହେଲେ ଆଜି ଗୁଳୁଗୁଳି ଆଉ ନାହିଁ । ଆମେ ଘରୁ ବାହାରି ଇନ୍ଫୋସିଟି ଛକ, ଡମଣା, ନାଲ୍କୋ ସ୍କୋୟାର୍, ଜୟଦେବ ବିହାର ଟ୍ରାଫିକରୁ ଡାହାଣକୁ ଯାଇ ଫ୍ଲାଏଓଭର ଧରିଲେ ।
ପାଞ୍ଚ କିଲୋମିଟର ଖଣ୍ଡେ ଝୁଲନ୍ତା ରାସ୍ତା । ବାଟ ଦୁଇ ପାଖରେ ଗଛ, ଆଲୁଅ । ଗାଡ଼ିସବୁ ଉପରୁ ଦିଶୁଚି ମିଟିମିଟି । ଯେମିତି ଭବିଷ୍ୟତ ଆଖିମିଟିକା ମାରି ତମ ପାଖକୁ କୁତୁରିପିଆଙ୍କ ଭଳି ଆସି, ସାଏଁ କିନା ଅତୀତ ହେଇଯାଉଚି ।
ଆମେ ବେଶି ଜୋରରେ ଯାଉନେ । ହେଇ ହେଇ ଚାଳିଶ କି ପଚାଶ । ଦେହରେ ପବନ ବାଜୁଚି । ଥଣ୍ଡା ନହେଲେ ବି ଗରମ ନୁହେଁ, ଆରାମଦାୟକ । ପରସ୍ପରକୁ ସଲସଲ କଲା ଭଳି ।
ଆମେ ଏମ୍ସ୍ ପାଖ ସର୍ଭିସ୍ ରାସ୍ତାରେ ଫ୍ଲାଏଓଭର ତଳେ କଟି ୟୁଟର୍ଣ୍ଣ ନେଇ ଫେରି, ଖଣ୍ଡଗିରି ଛକରୁ ବାଁକୁ ଯାଉଚେ ଚନ୍ଦକା ଆଡ଼କୁ । ବେଶି ବାଟ ନୁହେଁ । ତମକୁ ଡର ।
“ଏ ସବୁ ଏରିଆ ଏବେ ଯେମିତି ଲାଗୁଚି, କାନନ ବିହାର ମୋ’ ପିଲାବେଳେ ସେମିତି ଥିଲା” ।
ଦିଶୁଚି ନିଛାଟିଆ, ଶୁନ୍ଶାନ୍, ହେଲେ ଘରୁଆ । ଛୋଟ ସହରଟିଏ ବହୁତ କଷ୍ଟ କରି ବଡ଼ ହେବା ପାଇଁ ନିଜ ଚେଷ୍ଟାରେ ଫେଲ ମାରିଲା ପରି । ଯେମିତି ମୁଁ ଭଲ ସ୍ୱାମୀଟିଏ ହେବାକୁ ନାଗିନାଗି ବିଫଳ ।
“ଦେଖୁଚ ଏତେ ରାତିରେ ବି କେତେ ଗହଳି ?”
“ସତେ ତ” ।
“ଆମର ତ ସେପଟେ ଏବେ ରାସ୍ତାରେ କେହି ଜଣେ ବି ନଥିବେ” ।
“ହଉ ଏଥର ଆମେ ତମ ଘରକୁ ମିଶିକି ଗଲେ ଡେରି ରାତିରେ ବୁଲିବା । ଚାଲିଚାଲି ନା ତମ ସ୍କୁଟରରେ ?”
“ପାଗଳ କେଉଁଠିକାର । ଯାଃ” ।