ପ୍ରେମରେ ସହର ଓ ସହରରେ ପ୍ରେମ - ୧୩

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


ଆମେ ପ୍ରଥମ ଥର ପାଇଁ ପୁରୁଣା ଆସେମ୍ବ୍ଲି ପାଖରେ ଥିବା ସେକେଣ୍ଡ ହ୍ୟାଣ୍ଡ ବହି ଦୋକାନ ବୁଲି ଆସିଚେ । ଆଗରୁ ଅବଶ୍ୟ ଅନେକ ଥର ଆସିଚେ ଏଇ ଏରିଆକୁ । ହେଲେ ମାର୍କେଟ ବିଲ୍‌ଡ଼ିଙ୍ଗ୍‌କୁ । ଆଜି ଏହି ବହି ଦୋକାନଗୁଡ଼ିକୁ ପ୍ରଥମ ବାରି ।

ତମେ ଫିଜିକ୍ସ୍ ଟେକ୍ସ୍ଟବୁକ୍, ପିଲାଙ୍କ ବହି ଖେଳଉଚ । ମୁଁ ଓଡ଼ିଆ ଆଉ ଇଂରାଜୀ ଉପନ୍ୟାସ ଆଉ ନନ୍‌ଫିକ୍ସନ୍ ।

“ସାର୍, ଏପଟେ ଦେଖନ୍ତୁ, ନୂଆ ବହି ଆସିଚି,” ବୋଲି ବୁନୁ କହିଲାରୁ ମୁଁ ବୁଲି ପଡ଼ି ସେପଟେ ଦେଖିଲାବେଳକୁ ସତରେ କିଛି ଭଲ ବହି ଆସିଚି ।

ସବା ଉପରେ ଥୁଆ ହେଇଚି ‘ନାଥାନ୍ କୁଲ୍‌ଟର୍’ । ଏଠି ୱେଣ୍ଡେଲ୍ ବେରିଙ୍କୁ କିଏ ପଢ଼େ ? ଯଦିଓ ବାଇଶ ବର୍ଷ ତଳେ ଇଷ୍ଟ ଟାୱାରରୁ ବାହାରି ରାଜମହଲ ଛକ ରାସ୍ତାକୁ ଯିବା ଗଳିରେ ବାଁ ପଟେ ଥିବା ପୁରୁଣା ବହି ଦୋକାନରେ ମୋତେ ମିଳିଥିଲା ବେରିର ହିଁ ‘ସେକ୍ସ୍, ଇକନମି, ଫ୍ରିଡମ୍ ଆଣ୍ଡ୍ କମ୍ୟୁନିଟି’ ବହିଟି - ସେକେଣ୍ଡ ହ୍ୟାଣ୍ଡ ।

ଏମିତି ଭାବୁ ଭାବୁ ଅନ୍ୟମନସ୍କ ହୋଇ ମୋ’ ହାତ ବାଜି ବହି ଥାକଟି ଗଳିପଡ଼ିଲା । ତଳେ ଅଛି ଥାକେ ପୁରୁଣା ଜହ୍ନମାମୁଁ । କିଛି ୧୯୭୦ ଦଶକର ଆଉ କିଛି ୧୯୮୦ରୁ ୧୯୯୧ - ୯୨ ମସିହା ଭିତରର । ପ୍ରାୟତଃ ଭଲ ଅଛି । କାଗଜ ଯାହା ଟିକେ ମଳିଛିଆ ପଡ଼ିଯାଇଚି ।

ମୁଁ ବୁନୁକୁ ପଚାରୁଚି, “ଏଗୁଡ଼ାକ କେତେ ଲେଖା ?”

ବୁନୁ କହୁଚି, “ଯାହା ଆଜ୍ଞା ଦେବେ” ।

“ଟଙ୍କାଟେ ଲେଖାଏଁ ?”

ବୁନୁ ହସୁଚି ।

ଆମେ ପହଞ୍ଚିଲାବେଳକୁ ଘୋରାଘୋରା କରିଥିଲା । କିଛି ମିନିଟ ହେଲା ଦେହରେ ଖରା ବାଜୁଚି ଟାଇଁଟାଇଁ । ତୁମେ ଖରାରୁ ଆସି ମୋ’ ପାଖରେ ଛାଇରେ ଠିଆ ହେଇଚ ।

“ଜହ୍ନମାମୁଁ ରଖୁଚ ବୋଲି ମତେ ତ କେବେ କହିନ ?”

ଉତ୍ତରରେ ବୁନୁ ବାଁ ହାତରେ ତା’ ଚୁଟିକୁ କୁଣ୍ଡଉଚି ।

ମୁଁ ତୁମ ଆଡ଼କୁ ବୁଲି ପଚାରୁଚି, “କିଛି ପାଇଲ ?”

ତୁମେ ହାତରେ ଧରିଥିବା ସୁନ୍ଦର ଶାଗୁଆ ରଙ୍ଗର ମଲାଟ ଥିବା ଗୋଟେ ସାଇନ୍ସ୍ ଟେକ୍ସ୍ଟ ବହି ମତେ ଦେଖଉଚ ।

“ଦେଖ ମୁଁ କଅଣ ପାଇଲି,” ମୁଁ କହୁଚି ।

ତୁମେ ଗୋଟିଏ ଜହ୍ନମାମୁଁ ଟେକି ଆଣି, ଖେଳେଇ ସାରି ପଢ଼ୁଚ । ମୁଁ ତୁମକୁ ଏତେ ଆଗ୍ରହର ସହ କେବେ କିଛି ପଢ଼ିବାର ଦେଖିନି ।

ତୁମକୁ ପଢ଼ିବାକୁ ଛାଡ଼ି ଦେଇ ମୁଁ ବହି ଖେଳଉଚି । ବହିର ଦୁଇଟି ଟେବୁଲ ଆଉ କେବିନି ଭିତରେ ଜେଗା ନାଇଁ ବେଶି । ମୁଁ ଏପଟସେପଟ ହେବା ସମୟରେ ବେଳେବେଳେ ତୁମ ସହ ବାଜୁଚି । ଅନେକ ଥର ଜାଣିଜାଣି ।

ମୁଁ ‘ନାଥାନ କୁଲଟର,’ ‘ଅଟୋବାୟୋଗ୍ରାଫି ଅଫ୍ ଏ ୟୋଗି’ ଆଉ ପିଟର ରବିନ୍‌ସନ୍‌ର ‘ଏ ଡେଡିକେଟେଡ଼୍ ମ୍ୟାନ୍’ ବାଛି ସାରି ଅନେଇଲାବେଳକୁ ତମେ ଅନ୍ୟ ଗୋଟେ ଜହ୍ନମାମୁଁ ଦେଖୁଚ ।

“ତମେ କଅଣ ଏଗୁଡ଼ା ନେବ ନା କଅଣ ?”

ମୁଁ କହୁଚି, “ହଁ, ସବୁତକ” ।

ତମେ କହୁଚ, “ମୋତେ କିଛି ଦବ । ମୁଁ ଗାଆଁକୁ ନେଇ ଯିବି ପଢ଼ିବା ପାଇଁ” ।

ମୁଁ କହୁଚି, “ଗୋଟେ ବି ନୁହଁ । ମୋତେ କଅଣ ମିଳିବ ?”

ତୁମେ ଫିକ୍ କିନା ହସି ଦଉଚ ।

ତୁମକୁ ପ୍ରଥମ ଥର ଦେଖିବାକୁ ଯାଇ ଫେରିଲାବେଳକୁ, ମୁଁ “ହଉ ରହିଲି” କହି ଆସିଲାବେଳକୁ ତମେ ଯେମିତି ହସିଥିଲ, ଠିକ୍ ସେମିତି ।

Report an Error