ପ୍ରେମରେ ସହର ଓ ସହରରେ ପ୍ରେମ - ୧୨

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


ମୁଁ ରୁଟି ବେଲୁଚି । ତୁମେ ସେକୁଚ ।

ତୁମେ କହୁଚ, “ଭଲ ବେଲୁଚ ତ”।

“ଥଟ୍ଟା କରୁଚ ?”

“ଆରେ ନା” ।

“ହଉ ତା’ହେଲେ । ତୁମେ ବେଲ, ମୁଁ ସେକୁଚି” ।

ତୁମେ ସିଙ୍କ୍ ଆଡ଼କୁ ଠିଆ ହେଇଚ । ମୁଁ କାନ୍ଥର ଥାକ ଆଡ଼କୁ ।

ଆମେ ଯାଗା ବଦଳ କଲାବେଳକୁ ମୁଁ ତୁମକୁ ଟିକେ ଗେଲ କରୁଚି । ଓଠରେ ।

ତୁମେ ଧିରେ କହୁଚ, “ଯା, ଛୋପରା” ।

ମୁଁ ତୁମକୁ କୁଣ୍ଢେଇ ଆହୁରି ଦୁଇ ଥର ଗେଲ କରୁଚି ।

ତୁମେ କହୁଚ, “ଆରେ କିଏ ଦେଖିବ । ସମସ୍ତେ ଉଠିସାରିବେଣି” ।

“ଯିଏ ଦେଖିବ ଦେଖୁ । ମୋ’ସ୍ତ୍ରୀକୁ ମୁଁ ଗେଲ କରୁଚି । ସେଥିରେ କାହାର କଅଣ ଗଲା” ।

ଝରକାର ଜାଲି ବାଟ ଦେଇ ଦିଶୁଚି, ଗୋଟେ ମୂଷା ଉପର ତଳ ହେଉଚି । ମୋଟର୍ ତାର ଦେଇ ଝୁଲୁଚି । ଡର ଭୟ କିଛି ନାହିଁ ।

“ଆରେ ପୋଡ଼ି ସାରିଲଣି ରୁଟିକୁ । ପଲମରେ ଦରସେକା କର ଯେ, ନିଆଁ ଉପରେ ତା’ପରେ ପୋଡ଼ିବନି, ତୁମେ କହୁଚ” ।

“ହଉ । ଆଉ କେତେଟା ବାକି ରହିଲା ?”

“ଏଇଟାକୁ ମିଶାଇ ପାଞ୍ଚଟା”।

“ତମେ ଝାଳେଇଲେ ବହୁତ ଭଲ ଦେଖାଯାଅ” ।

“ଯା, ବଜାରି କେଉଁଠିକାର । କଅଣ ନା ଝାଳେଇଲେ ସୁନ୍ଦର ଦେଖାଯାଏ” ।

“ମୁଁ ତ ସୁନ୍ଦର କହିନି । ମୁଁ କହିଲି ତୁମେ ଝାଳେଇଲେ ଭଲ ଦେଖାଯାଅ” ।

“ଦିଟା ଭିତରେ ଫରକ କଅଣ ?”

“ଦେଖ । ଯେଉଁଟା ଖରାପ ନୁହେଁ, ସେଇଟା ଭଲ । ଯେମିତି ତମଠୁଁ ଶିଖିକି ମୁଁ ଏବେ ରୁଟି ସେକୁଚି । ଏଇ ଏବର ରୁଟିର ସେକାଟା ଭଲ । ହେଲେ ତୁମ ସେକା ରୁଟି ପରି ନିଖୁଣ, ସୁନ୍ଦର, ନୁହଁ” ।

ତମେ ରୁଟି ବେଲିବା ବନ୍ଦ କରି ମୋ’ଆଡ଼କୁ ବୁଲି ମୋତେ ଗେଲ କରୁଚ । ଓଠରେ ନୁହେଁ । ଗାଲରେ ବି ନୁହେଁ । ଗୋଟେ ଫ୍ଲାଇଙ୍ଗ୍ କିସ୍ ।

ତୁମ ନିଶରେ ଟିପି ଟିପି ଝାଳ ।

Report an Error