ପ୍ରେମରେ ସହର ଓ ସହରରେ ପ୍ରେମ – ୧୦

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


ଆମେ ଇନ୍‌ଫୋସିଟି ଆଗର ସେଇ ପୁରୁଣା କ୍ୟାଫେର ବାରଣ୍ଡାରେ ବସିଚୁ । ପୁରୁଣା ମୋ’ ପାଇଁ, ତା’ ପାଇଁ ନୁହଁ । ଆମେ ବୋଇଲେ ସେ ଆଉ ମୁଁ, ମୁଁ ଆଉ ସେ । ମୁଁ କହିଲେ ରାଜା, ରତିକାନ୍ତ ସାମନ୍ତରାୟ – ମୋତେ କେହି ରତି ବୋଲି ଡାକନ୍ତିନି; ରାଜା, ନହେଲେ ରତିକାନ୍ତ । ଆଉ ସେ ? ତା’ ନାଁ ମୁଁ ଜାଣିନି । ସେ ବି ମୋ’ ନାଁ ଜାଣିନି, ନା ରାଜା, ନା ରତିକାନ୍ତ, ନା ରତିକାନ୍ତ ସାମନ୍ତରାୟ, ନା ରତି । ଭୁଲ ।

ଟ୍ରୁକଲର୍‌ରେ ମୋ ନାଁ ଦେଖେଇଥିବ – ରତିକାନ୍ତ । କିନ୍ତୁ ମୋ’ ଫୋନ୍‌ରେ ଟ୍ରୁକଲର୍ ନାହିଁ । ମୁଁ ଜାଣିନି, ତା’ ନାଁ କଅଣ ।

ନାଁରେ କଅଣ ବା ଯାଏ ଆସେ ? ନା ଯାଏ ଆସେ ? ଯେମିତି ଯଦି କୋଠା ବାହାର, କୋଠାକୁ ଲାଗି ପିଣ୍ଡା ଉପରେ, ଛାତ ନାହିଁ । ତା’ ହେଲେ ବି ସେଇଟା କଅଣ ବାରଣ୍ଡା ? କିନ୍ତୁ ଯଦି ଛାତ ଥାଇ କି ବି ନଥାଏ ? ତା’ ହେଲେ ? ଧର କୋଠାର ବାହାର କାନ୍ଥକୁ ଲାଗି ନଅ ହାତ ଚଉଡ଼ା ପିଣ୍ଡା ଉପରେ ପତଳା ଲୁହାର ଛକିଛକି ହେଇ ପଡ଼ିଥିବା ଆଙ୍ଗେଲ୍ ଉପରେ ମାଡ଼ିଥିବା ଲଟାର ଛାଇଛାଇକା, ଥାଇ ନଥିବା, ଅବା ନଥାଇ ଥିବା, ଛାତଟେ ଅଛି । ତା’ ହେଲେ ବି ସେଇଟା କଅଣ ବାରଣ୍ଡା ?

ହଉ । ହେଲା । ତମ ପାଇଁ ସେଇଟା ବାରଣ୍ଡା ନୁହଁ । ନ ହଉ । କିନ୍ତୁ ଭୁବନେଶ୍ୱରରେ ମୋତେ ବେଳେବେଳେ ବାରଣ୍ଡା ଦରକାର ପଡ଼େ । ବହୁତ ଜରୁରୀ ଭାବରେ । ଏଣୁ ମୁଁ ଧରି ନଉଚି, କି ଇନ୍‌ଫୋସିଟି ଆଗର ଏଇ କ୍ୟାଫେର ବାହାର କାନ୍ଥକୁ ଲାଗି ଯେଉଁ ପିଣ୍ଡା, ସେଇଟା ଗୋଟେ ବାରଣ୍ଡାର ଅଂଶ ।

ହଉ । ତା’ ହେଲେ ସେ ଓ ମୁଁ, ମୁଁ ଓ ସେ, ଆମେ, ଇନ୍‌ଫୋସିଟି ଆଗର ସେଇ କ୍ୟାଫେରେ ବସିଚୁ, ତା’ର ବାରଣ୍ଡାରେ, ବାହାରେ । ସେ ପଚାରୁଚି, ମୋ’ ସହିତ ଆମର ଗୋଟେ ସେଲ୍‌ଫି ନେବ କି ନାହିଁ । ମୁଁ ତା’କୁ ଅନଉଚି; କହୁଚି, “ନା”।

ମୋ’ ମୁହଁ ଉପରେ ବାରଣ୍ଡାର, ହଁ ବାରଣ୍ଡାର ଲତାଗହଳ ଭିତର ଦେଇ ପଡ଼ୁଥିବା ଚାରିଟାବେଳର ଖରା । କାଟୁନି । କିନ୍ତୁ ମୋତେ ଆରାମ ବି ଲାଗୁନି । ମୁଁ ଟିକେ ପଛକୁ ଘୁଞ୍ଚୁଚି । ସେ ନିଜର ଦୁଇଟା ସେଲ୍‌ଫି ଉଠେଇ ସାରି ମୋତେ କହୁଚି, “ମୁଁ ତୁମକୁ ଭୁଲ କହିଥିଲି । ମୋର ବୟସ ତେଇଶି ନୁହେଁ, କୋଡ଼ିଏ । ଗୋଟେ ବର୍ଷ ଗ୍ୟାପ୍ ଇଅର୍ ପରେ, ଏଇ ବର୍ଷ ବିଟେକ୍ ଜଏନ୍ କରିବି ।”

ସେ ମୋତେ ତା’ ମୋବାଇଲରେ ‘ଦେଖ୍‌ତେ ଦେଖ୍‌ତେ’ ଲଗେଇ ଶୁଣାଉଛି । ପଚାରୁଚି, “ଏଇ ଗୀତଟା କେମିତି ଲାଗୁଚି? ମୁଁ ଆଉ କିଛି ଶୁଣେଇ ପଚାରିବି ତୁମକୁ କେମିତି ଲାଗୁଚି ସେସବୁ ଗୀତ ।”

ମୁଁ ତା’କୁ କହୁନି ଯେ ସଞ୍ଜନାର - ସଞ୍ଜନା ପାତ୍ର – ମୋ ସ୍ତ୍ରୀର ଏଇ ଗୀତଟା ଲମ୍ବା ସମୟ ପର୍ଯ୍ୟନ୍ତ କଲର୍ ଟ୍ୟୁନ୍ ଥିଲା ବୋଲି । ମୋତେ ଏ ଗୀତଟା ଭଲ ଲାଗେନା । ଯଦିଓ ଶୁଣିବାକୁ ଭଲ ଲାଗେ ।

ମୁଁ ତା’କୁ ପଚାରୁଚି, ଏଇ ପିଣ୍ଡାଟାକୁ ବାରଣ୍ଡା କହି ହେବ କି ନାହିଁ ? ସେ ତା’ ଚଉକିଟାକୁ ଘୁଞ୍ଚେଇ ଦେଉଚି । ଏବେ ତା’ ମୁହଁରେ ଛାଇ । ପିଣ୍ଡାର ଛାତର, ଛକିଛକିଆ ଲୁହା ଆଙ୍ଗେଲ୍‌ର, ଆଙ୍ଗେଲ୍‌କୁ ଗେଲ କରୁଥିବା କାଗଜଫୁଲ ଲଟାର, ମୋର, ଆମର, ଛାଇ ।

Report an Error