କାନ୍ତକବିଙ୍କ ଅନବଦ୍ୟ ରଚନା ବୁଢ଼ା ଶଙ୍ଖାରି ଓ ଲକ୍ଷ୍ମୀ ଚଣ୍ଡାଳୁଣୀ

ଲକ୍ଷ୍ମୀ ଚଣ୍ଡାଳୁଣୀକୁ ନେଇ ନାଟକ ରଚିଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର । ପୋଥିପୀଠ, ପିଠାପୁର କଟକ ପ୍ରକାଶନ ଦ୍ୱାରା ୧୯୫୮ ମସିହାରେ ପ୍ରକାଶିତ ହୋଇଥିଲା ଏହି ପୁସ୍ତକ । ଯାହାର ଦାମ୍ ଥିଲା ମାତ୍ର ଦୁଇଟଙ୍କା । ଲକ୍ଷ୍ମୀ ଚଣ୍ଡାଳୁଣୀ ପ୍ରଥମେ ହୋଇଥିଲା ଗ୍ରାମଫୋନ ରେକର୍ଡ ପାଇଁ ।


ଚିତ୍ର ସୌଜନ୍ୟ - କୁଙ୍କୁମ ସାହିତ୍ୟ ପତ୍ରିକା

ନମସ୍ତେ କମଳା ମାଗୋ ସାଗର ଦୁଲଣୀ,
ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ... ।

ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ଏମିତି କିଛି ଆଧ୍ୟାତ୍ମିକ ଗୀତ ସହ ଭାସିଆସେ ମାଆ ଲକ୍ଷ୍ମୀଙ୍କ ବନ୍ଦନା । ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ମାଣବସା ଗୁରୁବାର । ବିଶ୍ୱାସ ରହିଛି ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନଧାନ୍ୟ ଗୋପଲକ୍ଷ୍ମୀ ବିରାଜମାନ କରେ । ଘର ପରିଜନଙ୍କ ଦୁଃଖ ଶୋକ ଦୂର ହୁଏ । ଅଶାନ୍ତ ବାତାବରଣ ପାଖ ମାଡ଼େ ନାହିଁ । ଘରର ଆର୍ଥିକ ସ୍ୱଚ୍ଛଳତା ବଢ଼େ । ଅଭାବ, ଅନଟନ ଲାଗି ରହେ ନାହିଁ । ମାଆଙ୍କ କୃପାରୁ ଘରେ ଶାନ୍ତି ବିରାଜମାନ କରେ । ଘର ଦୁଆର ଆଗରେ ଝୋଟି ଚିତା ପକାଇ ଓଡ଼ିଆ ଘର ବୋହୂ ମାଆଙ୍କୁ ଆବାହନ କରେ । ବିଶ୍ୱାସ ରହିଛି ଯେଉଁ ଘରେ ମାଆଙ୍କ ସୁନ୍ଦର ଝୋଟି ଚିତା ପକାଯାଇ, ଗାଈ ଗୋବରରେ ଘର ଅଗଣା ଲିପାପୋଛା କରାଯାଇ, ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଏ, ସେହି ଘରକୁ ସ୍ୱୟଂ ମାଆ ବିରାଜମାନ କରନ୍ତି । ଭକ୍ତଙ୍କ ଉପରେ ମାଆଙ୍କ କୃପା ଦୃଷ୍ଟି ଅହରହ ରହିଥାଏ ।

ଲକ୍ଷ୍ମୀ ଚଣ୍ଡାଳୁଣୀକୁ ନେଇ ନାଟକ ରଚିଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର । ପୋଥିପୀଠ, ପିଠାପୁର କଟକ ପ୍ରକାଶନ ଦ୍ୱାରା ୧୯୫୮ ମସିହାରେ ପ୍ରକାଶିତ ହୋଇଥିଲା ଏହି ପୁସ୍ତକ । ଯାହାର ଦାମ୍ ଥିଲା ମାତ୍ର ଦୁଇଟଙ୍କା । ଲକ୍ଷ୍ମୀ ଚଣ୍ଡାଳୁଣୀ ପ୍ରଥମେ ହୋଇଥିଲା ଗ୍ରାମଫୋନ ରେକର୍ଡ ପାଇଁ । ମାତ୍ର କେତେକ ଅସୌଜନ୍ୟ କାରଣ ପାଇଁ ତାହା ଆଉ ରେକର୍ଡ ହୋଇପାରିଲା ନାହିଁ । ତାପରେ ଲକ୍ଷ୍ମୀ ଚଣ୍ଡାଳୁଣୀର ନବକଳେବର । ଆଶ୍ଚର୍ଯ୍ୟର କଥା ଏହି ନାଟକ କୌଣସି ମଞ୍ଚରେ ମଞ୍ଚାୟନ ହୋଇପାରିନାହିଁ । ଯାହା ପୁସ୍ତକର ମୁଖବନ୍ଧରେ ରଚନାକାର ଲେଖିଛନ୍ତି । ସେ କହିଛନ୍ତି ଯେ ଏହି ନାଟକ ହୁଏତ ଆଧୁନିକ ନାଟକ ଶୈଳୀ ଦୃଷ୍ଟିରୁ ବିଚାରଯୋଗ୍ୟ ହୋଇନପାରେ; ମାତ୍ର ଏହାର ବେଶରେ ପାରମ୍ପରିକତା ରହିଥିବାବେଳେ ପରିବେଷଣରେ ଭରିରହିଛି ଆଧୁନିକତା । ନାଟ୍ୟକାରଙ୍କ ଭାଷାରେ ପୁରୁଣା ଦେହରୁ ମଳି ଛଡ଼ାଇ, ପୁରୁଣିଆ ଗନ୍ଧ ଛଡ଼ାଇ ନୂଆ ରଙ୍ଗରେ ରଙ୍ଗିତ କରି ନୂଆ ମୁଦ୍ରାରେ ଉପସ୍ଥାପନ କରିବାର ବିଶେଷତ୍ୱ ରହିଛି । କଳା ମୂଲ୍ୟଠାରୁ ଏହି ନାଟକରେ ରହିଛି ସାମାଜିକ ମୂଲ୍ୟବୋଧର କଥା । ନାଟକରେ ଯେଉଁ ପ୍ରଚାର ରହିଛି ତାହା ଅପପ୍ରଚାର ନୁହେଁ; ମାନବିକ ଚେତନାର ନୂତନତ୍ୱର ସଂକ୍ରମଣ ମାତ୍ର ।

କାନ୍ତକବି ଭାବେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ଲକ୍ଷ୍ମୀକାନ୍ତ ମହାପାତ୍ର ଦେଶରୁ ଦାରିଦ୍ର୍ଯ, ଅସ୍ପୃଶ୍ୟତା ଦୂରୀକରଣ କରିବାର ନବଜାଗରଣ ତଥା ଏକପ୍ରକାର ବିପ୍ଲବର ସୂତ୍ରପାତ କରିଥିଲେ ଏହି ବହି ଜରିଆରେ । କୁହାଯାଏ କି ଗୋଟିଏ ଜାତିକୁ ସେ ଏହି ପୁସ୍ତକ ମାଧ୍ୟମରେ ବାନ୍ଧି ରଖିଛନ୍ତି । ଏକତ୍ରୀକରଣ କରିଛନ୍ତି । ଲକ୍ଷ୍ମୀ ଚଣ୍ଡାଳୁଣୀ ଏକ ପ୍ରତୀକ ମାତ୍ର । ୯ ଡିସେମ୍ବର, ୧୮୮୮ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କଟକ ଜିଲ୍ଲାର ବାଖରାବାଦର ଧୂଆଁପତ୍ରିଆ ଗଳିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ତାଳପଦା । ସେ ଓଡ଼ିଶାର ରାଜ୍ୟ ସଂଗୀତ ଭାବେ ମାନ୍ଯତାପ୍ରାପ୍ତ ସଂଗୀତ ବନ୍ଦେ ଉତ୍କଳ ଜନନୀର ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ - ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରି, ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ, "ଡିମ୍ବକ୍ରେସି ସଭା’, "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ ।

ଲକ୍ଷ୍ମୀକାନ୍ତ ମହାପାତ୍ର ହାଇସ୍କୁଲରେ ପଢ଼ିବା ସମୟରେ ଶିକ୍ଷା ଛାଡ଼ି ଇଂରେଜମାନଙ୍କ ବିରୋଧରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଓ ଇଂରେଜ ସୈନ୍ୟମାନଙ୍କ ଦ୍ୱାରା ବନ୍ଦୀ ହୋଇ ଜେଲ ମଧ୍ୟ ଯାଇଥିଲେ । ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ଅବସରରେ ସେ ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦେବା ଲାଗି ତଥା ପ୍ରବର୍ତ୍ତାଇବା ପାଇଁ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷିତ କରିବା ପାଇଁ ନିଜର କଲମର ସାହାଯ୍ୟ ନେଇଥିଲେ । ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ଲାଗି ପଡ଼ିଥିଲେ । ଓଡ଼ିଶାର ଆତ୍ମଶକ୍ତିକୁ ପ୍ରତିଫଳିତ କରିଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଏକାଧାରରେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଓ ଶିଶୁ ସାହିତ୍ୟିକ । ସେ ଥିଲେ ଭାଷାଶିଳ୍ପୀ ଓ ସୁରଶିଳ୍ପୀ । ଜଟିଳ ବ୍ୟାଧି, ବିଷାଦ, ବ୍ୟର୍ଥତା ଓ ନିଃସଙ୍ଗତା ତାଙ୍କ ଜୀବନର ଚିରସାଥୀ ଥିଲେ ହେଁ କବିପ୍ରାଣରେ ଥିଲା ହାସ୍ୟରସର ସ୍ୱତଃସ୍ଫୂର୍ତ୍ତ ଉତ୍ସ । କାନ୍ତକବିଙ୍କ ରଚିତ ଗଳ୍ପ ବୁଢ଼ା ଶଙ୍ଖାରି ଓଡ଼ିଆ ଜନମାନସରେ ତଥା ମାଟି ପାଣି ଓ ପବନରେ ମିଶି ଯାଇଛି । ଏହି ଗଳ୍ପକୁ ନେଇ ଦିବଂଗତ ନାଟ୍ୟ ବ୍ୟକ୍ତିତ୍ୱ ଅଜିତ ଦାସ ନାଟକ ପରିବେଷଣ କରିଥିଲେ । ପ୍ରତି ଓଡ଼ିଆ ପ୍ରାଣକୁ କରୁଣ କରିଥିବା ଏହି ଗଳ୍ପର ନାଟ୍ୟରୂପ ଚମତ୍କାର ଥିଲା । ଶେଷଦୃଶ୍ୟ ପର୍ଯ୍ୟନ୍ତ ଏହି ନାଟକ ବିମୁଗ୍ଧ ଦର୍ଶକମଣ୍ଡଳୀକୁ ବାନ୍ଧି ରଖିଥିଲା । ନିମ୍ନରେ ଏହି ଗଳ୍ପର କିଛି ନାଟକୀୟ ସଂଳାପ ।

ଶାଶୁ କହିଲେ, ‘ଦାମ୍ କେତେ ?’
ବୁଢ଼ା - ଶଙ୍ଖାମୁଠାକ, କି ଦାମ୍ ?
ଶାଶୁ - ଫେରେ କେତେ ଦେବି ?
ବୁଢ଼ା - ମା’ଠଉଁ ମୁଁ କ’ଣ ଦାମ୍ ନେବି ।

ଦାସୀ ହସି ହସି କହିଲା, ‘ସେଇ ପିଲାଟି ବୋହୂ ସାଆନ୍ତିଣୀଙ୍କ ପୁଅ ହୋଇଛି ?’ ଶାଶୁ ବି ହସିଲେ ? ଆଚ୍ଛା, ଏଥର ଦାମ୍ ନେଇଥାଅ, ଆଉ ଥରକୁ ପଛେ ଖାଲି ଦେଇଯିବ ? ତମେ ଗରିବ ଲୋକ ?

ବୁଢ଼ା - ନା’, ନା’, ମୋ ମା’କୁ ମୁଁ ତ ଦେଇଛି; ମୁଁ ଆଉ ଦାମ୍ ନେବିନାହିଁ ? ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ ?’

ଏହା କହି ଶଙ୍ଖାରି ଶଙ୍ଖାମୁଠାକ ରଖି ଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା ! ଆଉ ଡାକିଲେ ଶୁଣିଲା ନାହିଁ ? ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା; କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ ? ବାକି କାହାଣୀ ତ ସମସ୍ତେ ଜାଣିଛନ୍ତି । ସେ ସେଦିନ ସେଇ ବୋଝଟି ଧରି ଯାେଉ ଯାଇଥିଲା ଯେ ସେଇ ବୋଝ ସହିତ ନିଜ ଜୀବନ ଦେଇଦେଇଥିଲା । ଏଠାରେ ନାଟ୍ୟକାର ସମାଜରେ ପ୍ରଚଳିତ ବୈଧବ୍ଯର କରୁଣ ଦୃଶ୍ୟକୁ ଦେଖାଇଛନ୍ତି । ଦେଖାଇଛନ୍ତି ମାନବୀୟ ହୃଦୟକୁ । ବୁଢ଼ା ଶଙ୍ଖାରି ମାଧ୍ୟମରେ ସେ ଦେଖାଇଛନ୍ତି ମାନବୀୟ ସମ୍ପର୍କକୁ । ବୁଢ଼ା ଶଙ୍ଖାରିକୁ ନେଇ ନାଟକ ହୋଇଛି, ହୋଇଛି ସିନେମା ଓ ଧାରାବାହିକ । ଶଙ୍ଖାରି ପୁଅ ଓ ବୋହୂ ସାଆନ୍ତାଣୀଙ୍କ ଚରିତ୍ରକୁ ନିଖୁଣ ଭାବେ ଚିତ୍ରାୟନ କରିଥିଲେ ନାଟ୍ୟକାର ଓ ତଦରୂପ ଭାବେ ମଞ୍ଚରେ ମଞ୍ଚାୟନ କରିଥିଲେ ନିର୍ଦ୍ଦେଶକ ଅଜିତ ଦାସ ।