ଡ. ଗୌରହରି ଦାସଙ୍କୁ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର

ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଡ. ଗୌରହରି ଦାସ । ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।


ଫଟୋ - ୱିକିପିଡିଆ

ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଡ. ଗୌରହରି ଦାସ । ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଅକ୍ଟୋବର ୨୬ ତାରିଖରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ । ୨୦୧୮ରେ ଟାଇମ ପାସ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ଟି ବେଶ ପାଠକୀୟ ଆଦୃତି ଲାଭ କରିଥିଲା ।

ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ଗୌରହରି ଦାସଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ଜୁଆର ଭଟ୍ଟା’ ୧୯୮୧ ମସିହାରେ ପ୍ରକାଶ ପାଇଥିଲା । ୧୯୬୦ ମସିହାରେ ଅବିଭକ୍ତ ବାଲେଶ୍ୱର ଓ ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅଧୀନ ଷଣ୍ଢଗଡ଼ାରେ ଜନ୍ମଗ୍ରହଣ କରିଥିବା ଗୌରହରିଙ୍କର ସତରରୁ ଅଧିକ ଗଳ୍ପ ସଂକଳନ, ପାଞ୍ଚଟି ଉପନ୍ୟାସ, ତିନୋଟି ଭ୍ରମଣକାହାଣୀ, ଛଅଟି ଲଳିତ ଗଦ୍ୟ ସଂକଳନ, ଛଅଟି ଅନୁବାଦ, ଏକାଧିକ ନାଟକ, ପ୍ରବନ୍ଧ, କବିତା ଆଦି ପ୍ରାୟ ଷାଠିଏଟି ପୁସ୍ତକ ପ୍ରକାଶ ପାଇଛି । ତେବେ ଗୌରହରିଙ୍କ ଅନ୍ୟାନ୍ଯ ଗଳ୍ପ ସଙ୍କଳନ ମଧ୍ୟରେ ରହିଛି - ଆଖଡ଼ା ଘର, ସ୍ୱପ୍ନ ପାଇଁ ରାତି କାହିଁ, ମାଟି କଣ୍ଢେଇ, ମାୟା, ଘର, ପିଛିଲା ପଚିଶ, କାଗଜଡ଼ଙ୍ଗା, ଅହଲ୍ୟାର ବାହାଘର, ମଥୁରାର ମାନଚିତ୍ର, କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ, ଆକାଶ ଦିନେ ନୀଳ ଥିଲା, ଅଣଲେଉଟା ଓ ଅନ୍ୟାନ୍ୟ ଗଳ୍ପ ପ୍ରମୁଖ ।

ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ୧୯୮୦ ମସିହାରୁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଅଛି । ୨୦୨୧ ମସିହାରେ ‘ଅଭିପ୍ରେତ କାଳ’ ପାଇଁ ବିଶିଷ୍ଟ ଲେଖିକା ପାରମିତା ଶତପଥିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

Report an Error