କେନ୍ଦ୍ର ସାହିତ୍ୟ ଏକାଡେମୀର ଡ.ନରେନ୍ଦ୍ର ପ୍ରସାଦ ଦାସଙ୍କୁ ଶିଶୁ ସାହିତ୍ୟ ଓ ଦିଲ୍ଲୀପ ବେହେରାଙ୍କୁ ଯୁବ ପୁରସ୍କାର

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୨ ବର୍ଷ ପାଇଁ ବାଳ ସାହିତ୍ୟ ପୁରସ୍କାର ପାଇବାକୁ ଡ.ନରେନ୍ଦ୍ର ପ୍ରସାଦ ଦାସ ଓ ଯୁବ ପୁରସ୍କାର ପାଇବାକୁ ତରୁଣ ଗାଳ୍ପିକ ତଥା ପ୍ରତିଭାବାନ ସ୍ରଷ୍ଟା ଦିଲ୍ଲୀପ ବେହେରାଙ୍କୁ ମନୋନୀତ କରାଯାଇଛି ।


ଫଟୋ - ୱିକିପିଡିଆ

ଚଳିତ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରିଛି । ଏହି କ୍ରମରେ ୨୦୨୨ ବର୍ଷ ପାଇଁ ଦୁଇ ଜଣ ଓଡ଼ିଆ ସାହିତ୍ୟିକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୨ ବର୍ଷ ପାଇଁ ବାଳ ସାହିତ୍ୟ ପୁରସ୍କାର ପାଇବାକୁ ଡ.ନରେନ୍ଦ୍ର ପ୍ରସାଦ ଦାସ ଓ ଯୁବ ପୁରସ୍କାର ପାଇବାକୁ ତରୁଣ ଗାଳ୍ପିକ ତଥା ପ୍ରତିଭାବାନ ସ୍ରଷ୍ଟା ଦିଲ୍ଲୀପ ବେହେରାଙ୍କୁ ମନୋନୀତ କରାଯାଇଛି । ଡ. ଦାସଙ୍କ ଶବ୍ଦ ପ୍ରଦୂଷଣ ଉପରେ ଲିଖିତ ପୁସ୍ତକ ‘କୋଳାହଳ ନା ହଳାହଳ’ ପାଇଁ ବାଳ ସାହିତ୍ୟ ପୁରସ୍କାର ଏବଂ ଦିଲ୍ଲୀପ ବେହେରାଙ୍କୁ ‘ଲଣ୍ଠନ’ ପାଇଁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ ପାଇଛି । ଉଭୟଙ୍କୁ ଗୋଟିଏ ଲେଖାଏଁ ତାମ୍ର ଖୋଦିତ ଟ୍ରଫି ସହ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

ଡ.ନରେନ୍ଦ୍ର ପ୍ରସାଦ ଦାସଙ୍କ ଜନ୍ମ ଯାଜପୁର ଜିଲ୍ଲାର ସମିଆ ଗାଁରେ । ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି ‘ବିଜ୍ଞାନ ଓ ବିଜ୍ଞାନୀ’, ‘ବଡ଼ ସାନ ନାହିଁ ପରିବେଶରେ’, ‘ବିଜ୍ଞାନ ଭୋଜି’ ଏବଂ ‘ବିଜ୍ଞାନର ସ୍ବର’ ଇତ୍ୟାଦି । ସେହିପରି ଓଡ଼ିଆ ଗଳ୍ପ ସଂକଳନ ‘ଲଣ୍ଠନ’ ପାଇଁ ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଗାଳ୍ପିକ ଦିଲ୍ଲୀପ ବେହେରାଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲାର ମଡାମପୁର ଗାଁରେ । ତାଙ୍କ ଦ୍ବାରା ରଚିତ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି - ‘ପାନ୍ଥଶାଳା’, ‘ଆସ୍‌ ଟ୍ରେ’, ‘ଶବସତ୍କାର ଓ ଅନ୍ୟାନ୍ୟ ନାଟକ’ ।

ଡିସେମ୍ବର ମାସରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ । ୨୦୨୧ ବର୍ଷ ପାଇଁ 'ସରିଯାଇଥିବା ଅପେରା' କବିତା ପୁସ୍ତକ ପାଇଁ ବିଶିଷ୍ଟ କବି ତଥା ଓଡିଶା ସାହିତ୍ଯ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର, 'ଗୀତ କହେ ମାଟିର କଥା' ପାଇଁ ଆଲୋଚକ ଏବଂ ଶିଶୁ ସାହିତ୍ୟିକ ଦିଗରାଜ ବ୍ରହ୍ମାଙ୍କୁ ବାଳ ସାହିତ୍ୟ ପୁରସ୍କାର ଏବଂ 'ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ' ପାଇଁ ଯୁବ କଥାଶିଳ୍ପୀ ଓ କବି ଦେବବ୍ରତ ଦାସଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିଥିଲା । ୧୯୫୫ରେ ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟିକ ଭାବେ ଔପନ୍ୟାସିକ ଗୋପୀନାଥ ମହାନ୍ତି ‘ଅମୃତର ସନ୍ତାନ’ ପାଇଁ ସାହିତ୍ୟ ଏକାଡେମୀ ସମ୍ମାନ ପାଇଥିଲେ ।

Report an Error