ଗଳ୍ପକଳାକୁ ନେଇ ଚିଠିଟିଏ

ଲୁ ସ୍ୟୁନ୍ (୧୮୮୧ - ୧୯୩୫) ହେଉଛନ୍ତି ଜଣେ ଚର୍ଚ୍ଚିତ ଏବଂ ପ୍ରଖ୍ୟାତ ଗାଳ୍ପିକ । ଚୀନ ଦେଶରେ ତାଙ୍କର ଜନ୍ମ । ନିଜର ଗଳ୍ପକଳାରେ ସେ ନିଜର ଅର୍ଥାତ୍ ଚୈନିକ ପରଂପରା ଏବଂ ଇଉରୋପୀୟ ଗଠନରୀତିର ସୁସଂହତ ସମ୍ମିଶ୍ରଣ କରିଛନ୍ତି ।


ସବୁଠୁ ବଡ କଥା ହେଉଛି ଏଠାରେ ଉପସ୍ଥାପନ କରାଯାଇଥିବା ଚିଠିଟି ଉପସ୍ଥିତ ଅକିଞ୍ଚନର ନୁହଁ । ଜଣେ ସର୍ବକାଳର ଶ୍ରେଷ୍ଠ କଥାକାରର କଥା ଇଏ । ସେଇଥିପାଇଁ ଏହାକୁ ପଢିବା ପାଇଁ କାହାର କାହାର ଆଗ୍ରହ ହୁଏତ ରହିପାରେ ।

ଆଶା ଆପଣମାନେ ଯେଉଁମାନେ କାହାଣୀରେ ବିଶେଷ ରୁଚି ରଖନ୍ତି ସେମାନେ ଏହାକୁ ପଢି ଯଦି ଏଥିରୁ କିଛି ଦିଶା ନିର୍ଦ୍ଦେଶ ପାଇବା ଭଳି ଅନୁଭବ କରନ୍ତି ତାହାହେଲେ ଉପସ୍ଥିତ ଲେଖକକୁ ଖୁସି ଲାଗିବ ।

ଅବଶ୍ୟ ଯେଉଁମାନେ ନିଜର ଲେଖନକର୍ମକୁ କୌଣସି ଦୈବିକ ଶ୍ରୁତଲିଖନ ବୋଲି ବିଚାର କରନ୍ତି, ମହିମାମଣ୍ଡନ କରନ୍ତି ସେମାନେ ତ ନିଜର ଶ୍ରୁତଲିଖନ ଦକ୍ଷତାକୁ ନେଇ ଏକପ୍ରକାର କନଫିଡେଣ୍ଡ ଏବଂ ଆହୁରି କନଫିଡେଣ୍ଡ ଥାଆନ୍ତି ଯେ ନିଶ୍ଚିତ ଭାବରେ କୌଣସି ଦୈବିକ ଶକ୍ତି ସେମାନଙ୍କ ପାଖରେ ବେଳ ଅବେଳରେ ପହଞ୍ଚି ନିଜକଥାକୁ ଶ୍ରୁତଲିଖନ ଆକାରରେ ଡାକିଦେବ । ସେମାନଙ୍କର ବସ୍ତୁତଃ ଏଇଭଳି ଲେଖା ପଢିବା ସମୟର ଅପଚୟ । ଠିକ୍ ସେହିଭଳି ଯେଉଁମାନେ ଲେଖନକର୍ମକୁ ସହଜାତ ସ୍ୱାଭାବିକ କ୍ରିୟା ବୋଲି ବିଚାର କରି ଲେଖନକର୍ମରେ ପ୍ରବୃତ୍ତ ହୋଇଥାଆନ୍ତି ଏହିଭଳି କୌଣସି କଥାକାରର ଚିଠି ସେମାନଙ୍କର ବି ପସନ୍ଦ ହେବନାହିଁ ।

ଯେଉଁମାନେ ମଣିଷ ଉପରେ ନିର୍ଭେଜାଲ ବିଶ୍ୱାସ ରଖନ୍ତି, ମଣିଷକୁ ନିବିଡ ଭାବରେ ଭଲପାଆନ୍ତି ଏବଂ ମଣିଷକୁ ତାହାର ପାରିପାର୍ଶ୍ୱିକରେ ଆଲୋକିତ କରିବା ସେମାନଙ୍କର ଲେଖନକର୍ମର ଏକମାତ୍ର ଉଦ୍ଦେଶ୍ୟ ବୋଲି ବିଚାର କରନ୍ତି, ଏଇ ଲେଖା ସମ୍ଭବତଃ ସେମାନଙ୍କୁ ଆନନ୍ଦ ପ୍ରଦାନ କରିପାରେ ।

ଚିଠିଟିର ଯିଏ ଲେଖକ ସେ ନିଜ ସମୟରେ ତ ନିଶ୍ଚିତ ଆଉ ଏବେ ଏବଂ ପରବର୍ତ୍ତୀ କାଳରେ ବି ନିଶ୍ଚିତ ପ୍ରାସଙ୍ଗିକ ସମକାଳ ହୋଇ ରହିବେ । ନିଜ ଚରିତ୍ରମାନଙ୍କ ସେ ଏମିତି ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରି ଛାଡି ଦେଇଛନ୍ତି ଯେ ସେମାନେ ଯେକୌଣସି ଦେଶ ବା କାଳରେ ସଶକ୍ତ ପାତ୍ର ହୋଇ ଆମମନର ଗୋପନ ରଣଭୂମିରେ ପ୍ରବେଶ କରିପାରିବେ ଆଉ ଆମର ପୁଞ୍ଜିଭୂତ ବିଶ୍ୱାସକୁ ଏକପ୍ରକାରେ ବୋମା ମାଡ କରି ଧୂଳିସାତ କରିଦେବା ପାଇଁ ସେମାନେ ସମର୍ଥ ।

ଆମର ଜୀବନ ପ୍ରବାହରେ କହିବାକୁ ଗଲେ ଆମର ସବୁଠୁ ବଡକଥା ହେଉଛି ଆମର ଜୀବନ - ବୋଧ । ଆମର ଜୀବନ କହିଲେ ଆମର ଯେଉଁ ସହଜାତ ଧାରଣା ଏବଂ ଆମର ପାରିପାର୍ଶ୍ବିକ ସଂପର୍କର କ୍ରିୟା - ପ୍ରତିକ୍ରିୟା, ଏହି ଉଭୟର ସଂଘାତର ଫଳଶ୍ରୁତି ହେଉଛି ଆମର ଜୀବନବୋଧ । ଏଇଟି ହେଉଛି ଏକ ଗଭୀର ବିଶ୍ୱାସ, ମଞ୍ଜଟିଏ କୌଣସି ଗଛକୁ ଜାବୁଡି ଧରିବା ଭଳି, ଏହି ଜୀବନବୋଧର ବିଶ୍ୱାସ ଆମକୁ ଗଭୀର ଭାବରେ ଜାବୁଡି ଧରିଥାଏ । ଆମେ ସେହି ପ୍ରଗାଢ ଆଲିଙ୍ଗନରେ ଡାଳପତ୍ର ମେଲାଇ ଆକାଶମୁଖି ହେଉ, ଫୁଲ ଫଳରେ ମଣ୍ଡିତ ହୋଇ ଅନ୍ୟର ନିକଟତର ହେଉ ।

ଯଦି ଆମର ଜୀବନବୋଧଟି ଏହିପରି ଏକ ଅଲଙ୍ଘ୍ୟ ଆଧାର ତାହାହେଲେ ତାହା ଆମର ମନର ଗୋପନ ରଣକ୍ଷେତ୍ରରେ ପରାଜିତ ହେବ କେଉଁପରି ? ଆଉ ଯଦି ଆମର ଅନ୍ତର୍ନିହିତ ଜୀବନବୋଧ ଅସ୍ପଷ୍ଟ କୌଣସି କାରଣରୁ ପରାଜିତ ହୁଏ ତେବେ ତାହା ଆମର ମୃତ୍ୟୁ ସହ ସମାନ ନୁହଁ କି ?

ଏଇଠି ଆମର ଓ ଆମର ପାରିପାର୍ଶ୍ୱିକର ଚିରତର ଅନ୍ତଃପ୍ରବାହର କଥା ଆସିବ । ଆମେ କେହି ଆମର ପାରିପାର୍ଶ୍ୱିକରୁ ମୁକ୍ତ ନୋହୁଁ । ଆମେ ସେହି ପାରିପାର୍ଶ୍ୱିକତାକୁ ଯେଉଁ ଧାରଣାର ସହ ଜାବୁଡି ଧରି ଏକପ୍ରକାର ସୁଖରେ ଥାଉ ସେହିଭଳି "ଯେସନେ କୀଟ ଉର୍ଣ୍ଣନାଭୀ"ର ସୁଖ ଆମକୁ ଏକ ସ୍ଥିରତା ପ୍ରଦାନ କରିଥାଏ । ଅସ୍ଥିର ହେବାକୁ ଆମେ ମନ ବଳାଇବୁ କାହିଁକି ? ସେହିଭଳି ଗୋଟିଏ ମୃତ୍ୟୁରେ ଆମର ବଡ ସୁଖ, ନିୟମିତ ଆଉ ଧାରାବାହିକ ମୃତ୍ୟୁ ଆମେ ଲୋଡିବୁ କାହିଁକି ?

ସୁନ୍ଦର କଥାଟିଏ କହିଛନ୍ତି ଖଲିଲ ଜିବ୍ରାନ । ଯେତେବେଳେ କୌଣସି ସଂବାଳୁଆର ମୃତ୍ୟୁ ଘଟେ ସେତେବେଳେ ଦେବପୁରୁଷ ସହର୍ଷରେ ଘୋଷଣା କରିଥାନ୍ତି, ଇଏ ହେଉଛି ପ୍ରଜାପତି । ଦେବପୁରୁଷ ସ୍ଥାନରେ କଥାପୁରୁଷ ସେମିତି ଆମକୁ ଗଳ୍ପବାକ୍ୟରେ କହିଥାନ୍ତି, ତମର ଏହିଭଳି ଗଳ୍ପମୃତ୍ୟୁରେ ଦେଖ ସୃଷ୍ଟି ହେଲାଣି ଅଦ୍ଭୁତ ଏକ ନୂତନମାନବର ଉଦବେଳନ ।

ସରଳରେ କହିଲେ ନିତ୍ୟ ନୂତନ ମଣିଷ ହେବାପାଇଁ ଆମର ନିୟମିତ ମୃତ୍ୟୁ ଆବଶ୍ୟକ ଆଉ ଆମ ପାଇଁ ଏହିଭଳି ମରଣ ଫାନ୍ଦଟି ବସାଇବାର ସାମର୍ଥ ରଖିଥାନ୍ତି କେବଳ ସଶକ୍ତ କାହାଣୀକାରମାନେ ତାଙ୍କର ଗଳ୍ପ କୌଶଳରେ ।

ଏବେ ଚିଠିକୁ ଫେରିବା ।

ଚିଠିଟିର ଲେଖକ ପ୍ରଖ୍ୟାତ କଥାକାର ଲୁ ସ୍ୟୁନ୍ । ତାଙ୍କର ଜୀବନକୁ ପରେ କେବେ ବିସ୍ତାରରେ ଆମର ଚର୍ଚ୍ଚାର ପରିସରକୁ ଆଣିବା ଉଚିତ । ତାହାଫଳରେ ଜଣେ ଲେଖକ କାହିଁକି ଏମିତି ଲେଖିପାରେ ବା ଜଣେ ଲେଖକର ଜୀବନ ସହ ତାହାର ଲେଖନକର୍ମ କେତେପରିମାଣରେ ସୁସଂହତ ଭାବରେ ଜଡିତ ହୋଇ ରହିଥାଏ, ସେହି ପ୍ରସଙ୍ଗଟିକୁ ଭଲ ଭାବରେ ବୁଝିପାରିବା । ବସ୍ତୁତଃ ଆମେ ଯେଉଁ ଜୀବନ ବଞ୍ଚୁ ଆଉ ଯେଉଁ ଜୀବନ ରଚନା କରିଥାଉ ତାହା ଏକପ୍ରକାର ସମନ୍ୱିତ ହୋଇ ରହିଥାଏ କି ବୋଲି ପ୍ରତ୍ୟେକ ଲେଖକ ନିଜକୁ ନିଜେ ପ୍ରଶ୍ନ ପଚାରିବା ଆବଶ୍ୟକ । ଏଠାରେ ପ୍ରଶ୍ନଟି ସ୍ୱାନୁଭୂତି ଅଥବା ସମାନୁଭୂତିରେ ରହିନାହିଁ, ପ୍ରଶ୍ନଟି ରହିଛି ଆମେ ଆମର ଜୀବନ ଓ ତାହାର ପାରିପାର୍ଶ୍ୱିକ ସହ କେତେ ପରିମାଣରେ ଅଂତରଙ୍ଗ । ଯଦି ଆମେ ଆମର ଜୀବନବାଚକ ବ୍ୟକ୍ତି ଆଉ ବ୍ୟକ୍ତିବାଚକ ଜୀବନ ଭିତରେ ଏକାତ୍ମକତା ଅନୁଭବ କରୁଥାଉ ତାହାହେଲେ ଆମେ ଯଥାର୍ଥ ଲେଖକ ହୋଇପାରିବୁ, ପ୍ରଭାବୀ ଲେଖକ ହୋଇପାରିବୁ ।

ଲୁ ସ୍ୟୁନ୍ (୧୮୮୧ - ୧୯୩୫) ହେଉଛନ୍ତି ଜଣେ ଚର୍ଚ୍ଚିତ ଏବଂ ପ୍ରଖ୍ୟାତ ଗାଳ୍ପିକ । ଚୀନ ଦେଶରେ ତାଙ୍କର ଜନ୍ମ । ନିଜର ଗଳ୍ପକଳାରେ ସେ ନିଜର ଅର୍ଥାତ୍ ଚୈନିକ ପରଂପରା ଏବଂ ଇଉରୋପୀୟ ଗଠନରୀତିର ସୁସଂହତ ସମ୍ମିଶ୍ରଣ କରିଛନ୍ତି । ୧୯୩୧ ମସିହାରେ "ଦି ଡିପର" ବୋଲି ଗୋଟିଏ ପତ୍ରିକା ଦ୍ୱାରା ପ୍ରେରିତ ଗଳ୍ପ ସଂପର୍କରେ ଗୋଟିଏ ପ୍ରଶ୍ନର ଉତ୍ତରରେ ଲୁ ସ୍ୟୁନ୍ ଗୋଟିଏ ଚିଠି ଆକାରରେ ନିଜର ବକ୍ତବ୍ୟକୁ ଏହିଭଳି ରଖିଥିଲେ ।

ଲୁ ସ୍ୟୁନ୍ ଙ୍କୁ ପଚରାଯାଇଥିଲା ଅତି ସରଳ ଯାହାର ଉତ୍ତର କିନ୍ତୁ ସବୁଠୁ ଜଟିଳ ହେବ ସେମିତି ଗୋଟିଏ ପ୍ରଶ୍ନ ।

ପ୍ରଶ୍ନଟି ଥିଲା: ଭଲ ଲେଖାର ଗୋପନ ରହସ୍ୟ କ'ଣ ?

ଉତ୍ତରରେ ଲୁ ସ୍ୟୁନ୍ ଲେଖିଥିଲେ :

ଡିସେମ୍ବର ୨୭, ୧୯୩୧

ପ୍ରିୟ ମହୋଦୟ

ଆପଣଙ୍କର ଏଇ ପ୍ରଶ୍ନଟି ଅସଲରେ ଜିଜ୍ଞାସା କରିବା ଉଚିତ ଥିଲା ଆମେରିକୀୟ ଲେଖକ ଅଥବା ସାଙ୍ଘାଇର ସେହି ସବୁ ଚୈନିକ ପ୍ରଫେସରମାନଙ୍କୁ, ଯେଉଁମାନଙ୍କର ମସ୍ତିଷ୍କ ସବୁବେଳେ "ଲେଖାର ନିୟମକାନୁନ" ଏବଂ "ଗଳ୍ପ ଲେଖାର ଶିଳ୍ପକଳା"- ଏହି ଧରଣର କିଛି ଶୀର୍ଷକରେ ବେଶ୍ ପରିପୂର୍ଣ୍ଣ । ଯଦିଓ ମୁଁ କିଛି ସଂଖ୍ୟକ ଏବଂ ସତ କହିଲେ ଠିକ୍ କିଛି ସଂଖ୍ୟକ କ୍ଷୁଦ୍ର ଗଳ୍ପ ହିଁ ଲେଖିଛି, କିନ୍ତୁ ମୋର ଏ ବିଷୟରେ ସେମିତି କୌଣସି ନିର୍ଦ୍ଦିଷ୍ଟ ଦୃଷ୍ଟିଭଂଗୀ ରହିନାହିଁ । ଠିକ୍ ସେଇଭଳି, ଯେଉଁଭଳି ମୁଁ ଚୀନା ଭାଷାରେ କଥା କହିପାରେ, କିନ୍ତୁ ଚୀନା ଭାଷାର ବ୍ୟାକରଣର ନିର୍ଦ୍ଦେଶପତ୍ର ଧରଣର କିଛି କେବେହେଲେ ଲେଖି ପାରିନାହିଁ । କିନ୍ତୁ ଆପଣମାନେ ଯେହେତୁ ମୋର ମତାମତକୁ ଗ୍ରହଣ କରିବାର ସମ୍ମାନ ପ୍ରଦର୍ଶନ କରିଛନ୍ତି, ମୁଁ ଏଇଠି ମୋର ଅଭିଜ୍ଞତାରୁ କିଛି ପରାମର୍ଶ ପ୍ରଦାନ କରୁଛି ।

୧ - ଚାରିଆଡ ପ୍ରତି ଆପଣଙ୍କର ଆଗ୍ରହ ରହିବା ଉଚିତ ଏବଂ ଯେତେ ସମ୍ଭବ ହେବ ସେଥିପ୍ରତି ନିଜର ଦୃଷ୍ଟିପାତ କରିବା ପାଇଁ ଚେଷ୍ଟା କରାଯିବା ଆବଶ୍ୟକ । ଗୋଟିଏ କ୍ଷୁଦ୍ର ଅଂଶକୁ ଦେଖିନେବାର ପରିପ୍ରେକ୍ଷୀରେ ଲେଖା ଆରମ୍ଭ କରିବା ଉଚିତ ନୁହଁ ।

୨ - ଲେଖିବା ପାଇଁ ଉପଯୁକ୍ତ ମିଜାଜ ନଥିଲେ ଜୋର୍ କରି ଲେଖି ହେବ ନାହିଁ ।

୩ - ନିଜର ଚରିତ୍ରମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଛାଞ୍ଚକୁ ନିର୍ବାଚିତ ନକରି ଆପଣଙ୍କର ଦେଖା ପରିସରକୁ ବ୍ୟବହାର କରି ସେମାନଙ୍କୁ ସୃଷ୍ଟି କରନ୍ତୁ ।

୪ - ଗଳ୍ପ ଲେଖି ସାରିବା ପରେ ଅନ୍ୟୁନ୍ୟ ଦୁଇଥର ସେହି ଲେଖାଟିକୁ ପଢନ୍ତୁ ଏବଂ ଅତ୍ୟନ୍ତ ନିର୍ମମତାର ସହ ସେଇ ସବୁ ଶବ୍ଦ, ବାକ୍ୟାଂଶ ଏବଂ ଅନୁଚ୍ଛେଦକୁ କାଟି ପକାନ୍ତୁ ଯାହା ପ୍ରୟୋଜନୀୟ ନୁହଁ । ଗୋଟିଏ ଗଳ୍ପର ମୂଳବସ୍ତୁକୁ ସଂକ୍ଷେପ କରି ଗୋଟିଏ ଛାଞ୍ଚରେ ଠିଆ କରାଇବା ଅବଶ୍ୟ ମୂଳବସ୍ତୁକୁ ସଂପ୍ରସାରିତ କରି ଗୋଟିଏ ଛାଞ୍ଚରେ ଉପସ୍ଥାପନ କରିବା ଅପେକ୍ଷା ଅଧିକ ଉପଯୋଗୀ ।

୫ - ବିଦେଶୀ ଗଳ୍ପ ପଢନ୍ତୁ, ବିଶେଷତଃ ପୂର୍ବ ଏବଂ ଉତ୍ତର ଇଉରୋପର ଗଳ୍ପ, ତାହାର ପାଖାପାଖି ଜାପାନୀ ଗଳ୍ପଗୁଡିକ ପଢିଲେ ଭଲ ହେବ ।

୬ - ଏହିଭଳି ବିଶେଷଣ ବା ବାକ୍ୟାଂଶର ପ୍ରୟୋଗ କରିବେ ନାହିଁ ଯାହାକୁ କେହି ବୁଝିବେ ନାହିଁ ।

୭ - "ଲେଖାର ନିୟମ" ସଂକ୍ରାନ୍ତ କୌଣସି କଥାକୁ ବିଶ୍ୱାସ କରିବେ ନାହିଁ ।

୮ - "ଚାଇନିଜ୍ ସାହିତ୍ୟ ସମାଲୋଚନା"କୁ ବିଶ୍ୱାସ କରିବେ ନାହିଁ, କିନ୍ତୁ ବିଦେଶୀ ଭରସାଯୋଗ୍ୟ ସମାଲୋଚକମାନଙ୍କର ଲେଖାକୁ ପଢିବେ ।

ଏଇ ବିଷୟରେ ମୋର ବକ୍ତବ୍ୟ ଏତିକି । ଶୁଭ କାମନା ନେବେ ।

-- ଲୁ ସ୍ୟୁନ୍

ଲୁ ସ୍ୟୁନ୍ ଏଯାବତ ଚୀନା ସାହିତ୍ୟ ତଥା ବିଶ୍ୱ ସାହିତ୍ୟର ଅନ୍ୟତମ ସର୍ବଶ୍ରେଷ୍ଠ ଲେଖକ । ବିଶେଷ ଭାବରେ ସେ ଚାଇନାରେ ବସ୍ତୁତଃ ସାଂସ୍କୃତିକ ବିପ୍ଳବର ଜନକ ଏବଂ ଚିନ୍ତାନାୟକ । ତାଙ୍କର ପିତୃଦତ୍ତ ନାମ ଥିଲା ଚୌ ସୁନ୍ ଜେନ୍ । ସମସାମୟିକ ସାମନ୍ତତାନ୍ତ୍ରିକ ଅପଶାସନର ପ୍ରତିବାଦରେ କଲମ ଚାଳନା କଲାବେଳେ ସେ ନିଜପାଇଁ ଗୋଟିଏ ଛଦ୍ମନାମର ଆଢୁଆଳ ନିର୍ବାଚିତ କରିଥିଲେ । ତାହା ହେଉଛି ଲୁ ସ୍ୟୁନ୍ ଆଉ ଏହି ନାଆଁରେ ସେ ଏଯାବତ୍ ପରିଚିତ ।

ଲୁ ସ୍ୟୁନ୍ ଙ୍କ ଜନ୍ମ ଚାଇନାର ମାଞ୍ଚୁ ଶାସନକାଳ ସମୟରେ ହୋଇଥିଲା । ଚାଇନାରେ ମାଞ୍ଚୁ ଶାସନକୁ ଏକ ନିର୍ଘାତ୍ ଅପଶାସନର ସମୟ ବୋଲି କୁହାଯାଏ । ଲୁ ସ୍ୟୁନ୍ ଏକ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜେଜେବାପା ଜଣେ ଉଚ୍ଚପଦସ୍ଥ ରାଜକର୍ମଚାରୀ ଥିଲେ । ଏବଂ ଲୁ ସ୍ୟୁନ୍ ଙ୍କ ପିତା ଜଣେ ସଂଭ୍ରାନ୍ତର ଅନିୟନ୍ତ୍ରିତ ସନ୍ତାନ ଭଳି କୌଣସି ବୃତ୍ତିଗତ କାର୍ଯ୍ୟ କି ଅର୍ଥ ଉପାର୍ଜନ ପ୍ରତି ନିତାନ୍ତ ଅମନୋଯୋଗୀ ଥିଲେ । ତାଙ୍କର ଏକମାତ୍ର ରୁଚି ରହିଥିଲା ପୁସ୍ତକପାଠ । ନିଜର ପିତାଙ୍କଠାରୁ ପୁସ୍ତକପାଠ କରିବା ଭଳି ରୁଚି ଆହରଣ କରିଥିଲେ ଲୁ ସ୍ୟୁନ୍ । ଭାଗ୍ୟର ବିପର୍ଯ୍ୟୟ କାରଣରୁ ଲୁ ସ୍ୟୁନ୍ ଙ୍କ ଜେଜେବାପା ରାଜରୋଷର ଶିକାର ହୋଇ କାରାରୁଦ୍ଧ ହେଲେ । ଏହାଫଳରେ ପରିବାରର ଆର୍ଥିକ ଏବଂ ଅନ୍ୟାନ୍ୟ ସ୍ଥିତି ରସାତଳଗାମୀ ହେବାକୁ ଲାଗିଲା । ଲୁ ସ୍ୟୁନ୍ ଙ୍କ ବାଳକ ଅବସ୍ଥା ତେଣୁ ଆର୍ଥିକ ଅନାଟନ ଏବଂ କଷ୍ଟରେ ବିତିଛି । ତାଙ୍କୁ ତାଙ୍କର ସମଗୋତ୍ରୀୟ ସଂଭ୍ରାନ୍ତମାନେ ନିଜର ଗୋଷ୍ଠୀରେ ସାମିଲ୍ କରୁନଥିଲେ ଏବଂ ଅନ୍ୟପକ୍ଷରେ ସାଧାରଣ ବର୍ଗର ସାନ୍ନିଧ୍ୟ ପାଇଁ ତାଙ୍କୁ ଅଧିକରୁ ଅଧିକ ଉଦାର ହେବାକୁ ପଡୁଥିଲା । ନିଜ ଜୀବନରେ ଏହି ବିରୋଧାଭାସ ଫଳରେ ଲୁ ସ୍ୟୁନ୍ ସମାଜର ସାଧାରଣ ବର୍ଗର ନିକଟତର ହୋଇଗଲେ ଏବଂ ତାଙ୍କ ଭିତରେ ଗୋଟିଏ ଅତ୍ୟନ୍ତ ସଂବେଦନଶୀଳ ମନ ତିଆରି ହୋଇଗଲା ।

ଚାଇନାର ସେଇ ସମୟର ମାଞ୍ଚୁ ଶାସନ କାଳରେ ସବୁଠୁ ବେଶି ନିର୍ଯ୍ୟାତିତ ହେଉଥିଲେ କୃଷକମାନେ । ହାଡଭଂଗା ପରିଶ୍ରମର ଫଳ ସେମାନେ ଭୋଗ କରିପାରୁନଥିଲେ । ଧନୀକ ବର୍ଗ ଆଉ ଅତ୍ୟାଚାରୀ ରାଜପୁରୁଷଙ୍କ ଅନୁଗ୍ରହରେ ହିଁ ସେମାନଙ୍କର ଜୀବନଯାପନ ନିର୍ଭର କରୁଥିଲା । ଅନ୍ୟପକ୍ଷରେ ବିଦେଶୀ ସାମ୍ରାଜ୍ୟବାଦୀ ଶକ୍ତି ଦେଶର ସମସ୍ତ ସମ୍ପଦକୁ ଲୁଣ୍ଠନ କରୁଥିଲା । ସେମାନଙ୍କୁ ପ୍ରତିରୋଧ କରିବାର ଶକ୍ତି କାହାର ସେତେବେଳେ ନଥିଲା । ଏଇଭଳି ଏକ ବିରୂପ ପରିବେଶ ଲୁ ସ୍ୟୁନ୍ ଙ୍କ ଭିତରେ ଗୋଟିଏ ଦୃଢ ପ୍ରତିବାଦୀ ଚେତନା ନିର୍ମାଣ କରିବାରେ ସହାୟକ ହୋଇଥିଲା ।

ନାନକିଂ ସହରରେ ପଢିବା ସମୟରେ ଲୁ ସ୍ୟୁନ୍ କେବଳ ପାଠ୍ୟବହିକୁ ନେଇ ସନ୍ତୁଷ୍ଟ ନଥିଲେ । ନିୟମିତ ଭାବରେ ଅଧ୍ୟୟନ କରୁଥିଲେ ଚାଇନା ତଥା ଦେଶବିଦେଶର ଇତିହାସ (ଆମର ସାହିତ୍ୟରଥିମାନେ ଇତିହାସ ଅଧ୍ୟୟନକୁ ସାହିତ୍ୟ ଦୃଷ୍ଟିରୁ ବ୍ରାତ୍ୟଜନୋଚିତ ଅଧ୍ୟୟନ ବୋଲି ବିଚାର କରିଥାନ୍ତି !) ପ୍ରାଚୀନ ସାହିତ୍ୟ, ମହାମନିଷୀଙ୍କର ଜୀବନୀ ଏବଂ ବିଜ୍ଞାନ । ଏହିଭଳି ପଠନ କାରଣରୁ ତାଙ୍କ ଭିତରେ ଏକ ଯୁକ୍ତି ସଂଗତ ଏବଂ ପ୍ରତିବାଦୀ ଚେତନା ବିକାଶ ଲାଭ କରିଥିଲା ।

ଏଇଠି ଉପସ୍ଥିତ ଲେଖକର ବକ୍ତବ୍ୟ ହେଉଛି ଜଣେ ଲେଖକ ମଧ୍ୟରେ ପାରିପାର୍ଶ୍ୱିକକୁ ଅଧ୍ୟୟନ କରିବା ସମୟରେ ଯଦି ତାହା ଭିତରେ ଯୁକ୍ତି ସଂଗତ ବିଚାରବୋଧ ଅନୁପସ୍ଥିତ ତାହାହେଲେ ସେ ଆଉ ଯାହା ହେଉ ପଛକେ ପ୍ରତିବାଦୀ ସାହିତ୍ୟ ରଚନା କରିବା ପାଇଁ ଅସମର୍ଥ ହେବ ।

ଛାତ୍ରାବସ୍ଥାରେ ଲୁ ସ୍ୟୁନ୍ ବିଶେଷ ଭାବରେ ଚାର୍ଲସ ଡାରୱିନ୍ ଙ୍କୁ ଅଧ୍ୟୟନ କରୁଥିଲେ । ତାହା ଫଳରେ ତାଙ୍କ ଭିତରେ ଦୁଇଟି ଅବବୋଧ ଗଭୀର ଭାବରେ ରହିଥିଲା । ପ୍ରଥମଟି ହେଉଛି, ଏଇ ପୃଥିବୀ ନିଖୁଣ ନୁହଁ, ଈଶ୍ୱର ନିର୍ଭର ନୁହଁ, ଏହା ସବୁବେଳେ ବିବର୍ତ୍ତନର ଅପେକ୍ଷାରେ ରହିଥାଏ ଆଉ ଦ୍ୱିତୀୟଟି ହେଉଛି ପ୍ରତ୍ୟେକ ବସ୍ତୁସ୍ଥିତିର ପରିବର୍ତ୍ତନ ଅବଶ୍ୟମ୍ଭାବୀ । ତେଣୁ ନିଷ୍ପେଷିତ ଦୁଃଖୀ ଜନତାର ଦୁଃଖ ଦିନେ ନା ଦିନେ ଅପସରି ଯିବ ।

ଲେଖନ କର୍ମରେ ଏଇ ଭଳି ଆଶାବାଦ ସବୁବେଳେ ଆବଶ୍ୟକ ।

ଟୋକିଓର ଗୋଟିଏ ଡାକ୍ତରୀ କଲେଜରୁ ପାଶ୍ କରି ଲୁ ସ୍ୟୁନ୍ ଉଚ୍ଚଶିକ୍ଷା ପାଇଁ ଆଉ ଏକ କଲେଜରେ ଭର୍ତ୍ତି ହୁଅନ୍ତି । ସେତେବେଳେ ଗୋଟିଏ ଘଟଣା ତାଙ୍କୁ ବିଚଳିତ କରେ ଆଉ ଲେଖକ କରିଦିଏ ।

ଏହି ଘଟଣାର ଉଲ୍ଲେଖ ସହିତ ଏଇ ଆଲେଖର ଉପସଂହାର ।

ସେହି ସମୟରେ ସିନେମାର ପ୍ରଚଳନ ଥିଲେ ବି ଆଧୁନିକ ବ୍ୟବସ୍ଥାପନାର ଅଭାବରୁ ମ୍ୟାଜିକ୍ ଲଣ୍ଠନ ସାହାଯ୍ୟରେ ପର୍ଦ୍ଦାରେ ଛବି ଦେଖା ହେଉଥିଲା । ଥରେ ସେହି ଟୋକିଓ ମେଡିକାଲ୍ କଲେଜ୍ ରେ ସେମିତି ଗୋଟିଏ ସିନେମା ସୋ' ର ଅନୁଷ୍ଠିତ କରାଯାଇଥିଲା । ଏଥିରେ ଉପସ୍ଥିତ ଥିଲେ ଅନେକ ଜାପାନୀ ଛାତ୍ର ଆଉ କିଛି ଚାଇନାର ଛାତ୍ର । ସେଦିନ ଯେଉଁ ଛବିଟି ପ୍ରଦର୍ଶନ କରାଯାଇଥିଲା ତାହା ଋଷ - ଜାପାନ ଯୁଦ୍ଧ ଉପରେ ଆଧାରିତ ଥିଲା । ଛବିରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ଗୋଟିଏ ଚାଇନାର ଛାତ୍ରକୁ ପ୍ରକାଶ୍ୟ ରାସ୍ତାରେ ଗୁଳି ମାରି ହତ୍ୟାକରାଯାଇଥିଲା ।

ଏଇଭଳି ଛବିଟିକୁ ଦେଖି ଲୁ ସ୍ୟୁନ୍ ଅତ୍ୟନ୍ତ ବିଚଳିତ ହୋଇ ପଡିଥିଲେ । ଗୁପ୍ତଚର ହେଉ ପଛକେ କାହାକୁ କିଏ ଏମିତି ଅମର୍ଯ୍ୟାଦିତ ଭାବରେ ହତ୍ୟା କରିବ, ସେଇ କଥାକୁ ସେ ସହ୍ୟ କରିପାରୁନଥିଲେ । ଅବଶ୍ୟ ସେଇଠି ତାଙ୍କର ନୀରବ ରହିବା ବ୍ୟତୀତ ଆଉ କିଛି କରିବାର ନଥିଲା ।

ଫଳରେ ସେଦିନର ଛବିରେ ଚାଇନାର ସେହି ଛାତ୍ରର ଗୁପ୍ତଚର ବୃତ୍ତିକୁ ସେ ଜାତିର ମାନସିକ ଜଡତା ବୋଲି ବିଚାର କଲେ ଏବଂ ନିଜ ଦେଶର ଶାରିରୀକ ଅସୁଖକୁ ଦୂର କରିବା ପାଇଁ ସେ ଚିକିତ୍ସକ ହେଲେ ଆଉ ଜାତିର ମାନସିକ ଚିକିତ୍ସା ପାଇଁ ଲେଖକ ହେଲେ ।

ନିଜ ଲେଖାରେ ପ୍ରତିବାଦବୋଧ ନଥିଲେ ଜଣେ ଲେଖକ ଏପର୍ଯ୍ୟନ୍ତ ଲେଖକ ହୋଇ ରହିପାରିବ ନାହିଁ । ଏହା ସବୁଠୁ ବଡ କଥା ।

Report an Error