ଇଣ୍ଡିଆନ ସୋସାଇଟି ଅଫ୍ ଓରିଏଣ୍ଟାଲ ଆର୍ଟ (୨)

ଉଡରଫ୍ ଓ ଅବନିନ୍ଦ୍ରଙ୍କ ବନ୍ଧୁତା ସୋସାଇଟିକୁ ଓ ଭାରତୀୟ କଳାକୁ ବହୁଦିଗରୁ ଲାଭବାନ କରାଇଥିଲା । ଲର୍ଡ କିଚେନରଙ୍କ ପରେ ଉଡରଫ୍ ସୋସାଇଟିର ସଭାପତି ହୋଇଥିଲେ । ଇଂରାଜୀ ଭାଷାରେ ଅବନିନ୍ଦ୍ରଙ୍କୁ ଉଡରଫ୍ ପ୍ରଦର୍ଶନୀମାନଙ୍କରେ ପ୍ରକାଶ ପାଉଥିବା କ୍ୟାଟଲଗର ଲେଖାରେ ବହୁତ ସାହାଯ୍ୟ କରୁଥିଲେ


ଫଟାେ - ୱିକିପିଡିଆ

୧୯୦୭ରେ ଯେତେବେଳେ ପ୍ରଥମ କରି ଇଣ୍ଡିଆନ ସୋସାଇଟି ଅଫ୍ ଓରିଏଣ୍ଟାଲ ଆର୍ଟ ଗଠନ କରାଗଲା ସେତେବେଳେ ତା'ର ପ୍ରଥମ ସଭାପତି ଭାବରେ ଯୋଗ ଦେଇଥିଲେ କଲିକତା ଫୋର୍ଟ ଉଇଲିୟମ୍ ର ଆର୍ମି ଚିଫ୍ ଲର୍ଡ କିଚେନର । କିଚେନରଙ୍କ ଭାରତୀୟ କଳା ପ୍ରତି ପ୍ରଗାଢ଼ ଅନୁରାଗ ଥିଲା । ସେହିପରି ଅବନିନ୍ଦ୍ରଙ୍କୁ ସମ୍ମାନ ଦେଉଥିବା ଅନ୍ୟ ଜଣେ ଝୋଟ ବେପାରୀ ମିଃ ନୋରମାନ୍ ବ୍ଲୋଣ୍ଟ ଅବନିନ୍ଦ୍ରଙ୍କ ସହ ଅନ୍ୟତମ ଯୁଗ୍ମ ସମ୍ପାଦକ ଭାବରେ ଯୋଗ ଦେଇଥିଲେ । ତତ୍କାଳୀନ ଲେପ୍ଟନାଣ୍ଟ ଗଭର୍ଣ୍ଣର ଲର୍ଡ କାରମିଚାଏଲ୍ ସୋସାଇଟିର ପ୍ରଥମ ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ ଓ ପରେ ସୋସାଇଟିର ସଭାପତି ମଧ୍ୟ ହେଇଥିଲେ । ବିଚାରପତି ମି. ରାମ୍ପିନଙ୍କ ସୁପାରିସରେ ଜଷ୍ଟିସ ହୋଲ୍ମଉଡ୍ ଏବଂ ଜଷ୍ଟିସ ଉଡରୋଫ୍ ସୋସାଇଟିର ସଭ୍ୟ ହେଇଥିଲେ । ଏହା ସହ ପ୍ରାଥମିକ ସଭ୍ୟ ଭାବରେ ଆହୁରି ଅନେକ ଇଂରେଜ ଭଦ୍ରବ୍ୟକ୍ତିଙ୍କ ସହ ଦୁଇଜଣ ସୁଇଡିସ୍ ଭଦ୍ରବ୍ୟକ୍ତି ବି ଯୋଗ ଦେଇଥିଲେ । ଏହି ୟୁରୋପୀୟମାନଙ୍କ ମଧ୍ୟରେ ଏକକ ଯୋଗସୂତ୍ର ଥିଲା ଯେ ସେମାନେ ସମସ୍ତେ ଭାରତୀୟତା ଓ ପ୍ରାଚ୍ୟ ବିଦ୍ୟା ପ୍ରତି ଅନୁରାଗ ରଖିଥିଲେ ଏବଂ ଭାରତୀୟଙ୍କ ସହ ବନ୍ଧୁତାର ହାତ ବଢାଇଥିଲେ । ସେମାନେ ସମସ୍ତେ ଚାହୁଁଥିଲେ ଭାରତୀୟ ଚିତ୍ରକଳାର ସର୍ବବିଧ ଉନ୍ନତି ସାଧିତ ହେଉ ।

ଉଡରଫ୍ ଓ ଅବନିନ୍ଦ୍ରଙ୍କ ବନ୍ଧୁତା ସୋସାଇଟିକୁ ଓ ଭାରତୀୟ କଳାକୁ ବହୁଦିଗରୁ ଲାଭବାନ କରାଇଥିଲା । ଲର୍ଡ କିଚେନରଙ୍କ ପରେ ଉଡରଫ୍ ସୋସାଇଟିର ସଭାପତି ହୋଇଥିଲେ । ଇଂରାଜୀ ଭାଷାରେ ଅବନିନ୍ଦ୍ରଙ୍କୁ ଉଡରଫ୍ ପ୍ରଦର୍ଶନୀମାନଙ୍କରେ ପ୍ରକାଶ ପାଉଥିବା କ୍ୟାଟଲଗର ଲେଖାରେ ବହୁତ ସାହାଯ୍ୟ କରୁଥିଲେ । ସେତେବେଳେ ପ୍ରଦର୍ଶନୀରେ ପ୍ରଦର୍ଶିତ ସମସ୍ତ ଛବିତଳେ ଛବି ବିଷୟରେ ସବିଶେଷ ଲେଖା ରହୁଥିଲା । ସେସବୁ ଲେଖାକୁ ଉଡରଫ୍ ପ୍ରସ୍ତୁତ କରୁଥିଲେ । ଉଡରଫ୍ ସବୁବେଳେ ଅବନିନ୍ଦ୍ରଙ୍କ ଛବିର ଜଣେ ମୁଗ୍ଧ ପ୍ରଶଂସକ ଥିଲେ । ସେ ଅନେକ ସମୟରେ ଅବନିନ୍ଦ୍ରଙ୍କ ଛବିକୁ ଉଦାହରଣ ଭାବରେ ନେଇ କହୁଥିଲେ, ଯଦି ଭାରତୀୟ ଶିଳ୍ପୀମାନେ ଅନ୍ୟକୁ ବୃଥା ଅନୁସରଣ ନକରି ସେମାନଙ୍କ ସାଂସ୍କୃତିକ ଐତିହ୍ୟକୁ ଅନୁଶୀଳନ କରି ବାଟ ଚାଲିବେ ତେବେ ଏହିପରି କିଛି ଚମତ୍କାରିତା ଘଟିବ ।

ଉଡରଫ୍ ଜାପାନରେ ପ୍ରକାଶ ପାଉଥିବା ଏକ କଳା ପତ୍ରିକା 'କୋକା'ରେ ଅବନିନ୍ଦ୍ର ଓ ତାଙ୍କ ଛାତ୍ରମାନଙ୍କର ଛବି ପ୍ରକାଶ କରିବା ସହ କଳାକାରମାନଙ୍କ ବିଷୟରେ ଲେଖା ପ୍ରକାଶ କରିଥିଲେ । ଫଳରେ ବିଦେଶରେ ଭାରତୀୟ ଚିତ୍ରଶିଳ୍ପୀ ଓ ଚିତ୍ରର ପ୍ରଚାର ପ୍ରସାର ହେଇଥିଲା । Dr. James H.Cousins ସେତେବେଳେ ମାଡ୍ରାସରୁ ପ୍ରକାଶ ପାଉଥିବା ‘ନ୍ୟୁ ଇଣ୍ଡିଆ’ର ସହ ସମ୍ପାଦକ ଭାବରେ କାମ କରୁଥା'ନ୍ତି । ଜେମସ୍ ସୋସାଇଟି ଦ୍ୱାରା ଆୟୋଜିତ ପ୍ରଦର୍ଶନୀଗୁଡିକ ସମ୍ପର୍କରେ ନିୟମିତ ରିଭ୍ୟୁ ଲେଖି ପ୍ରକାଶ କରୁଥିଲେ ଓ ଅନେକ ସମୟରେ ପ୍ରଦର୍ଶନୀ ଆସି ବୁଲି ଦେଖୁଥିଲେ । ଏ ଯୋଗସୂତ୍ର ବି ଉଡରଫ୍ ଙ୍କର ଥିଲା । ଫଳରେ କଲିକତା ସହରର ବାହାରେ ସୁଦୂର ଦକ୍ଷିଣରେ ମଧ୍ୟ ସୋସାଇଟିର କାର୍ଯ୍ୟକଳାପ ଓ ପ୍ରଦର୍ଶନୀ ସମ୍ପର୍କରେ ଲେଖା ବାହାରି ପାରିଥିଲା । ଜେମସ୍ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ୧୯୧୬ରେ ମାଡ୍ରାସ ସହରରେ ସୋସାଇଟି ଆଧୁନିକ ଭାରତୀୟ ଚିତ୍ରକଳାର ଏକ ପ୍ରଦର୍ଶନୀ କରିବାକୁ ମଧ୍ୟ ସଫଳ ହୋଇପାରିଥିଲା ।

ତତ୍କାଳୀନ ଗଭର୍ଣ୍ଣର Lord Ronaldshay ମଧ୍ୟ ସୋସାଇଟିକୁ ବହୁବିଧ ସହଯୋଗର ହାତ ବଢାଇ ଦେଇଥିଲେ । ସେଥିରେ ଆର୍ଥିକ ଅନୁଦାନ ପ୍ରଧାନ ଥିଲା । ଗଭର୍ଣ୍ଣରଙ୍କ ସହଯୋଗ ଓ ଅନୁଦାନ ରାଶିରେ ସୋସାଇଟି ହୋଗ ଷ୍ଟ୍ରିଟ୍ ସମବାୟ ମାନସନ୍, ହିନ୍ଦୁସ୍ଥାନ ଇନସୁରାନ୍ସ ବିଲ୍ଡିଂ ଭଡାରେ ନେଇଗଲେ । ଯେଉଁଠି ଚିତ୍ରକଳା ଓ ଭାସ୍କର୍ଯ୍ୟ ବିଷୟରେ ପାଠ ପଢାଯିବା ପାଇଁ ବିଦ୍ୟାଳୟ ଗୋଟେ ଖୋଲାଗଲା । ବିଦ୍ୟାଳୟରେ ନନ୍ଦଲାଲ ବୋଷ, କ୍ଷିତୀଶ ଚନ୍ଦ୍ର ମଜୁମଦାର ଆଦି ପିଲାମାନଙ୍କୁ ଅବନିନ୍ଦ୍ରନାଥଙ୍କ ତତ୍ତ୍ୱାବଧାନରେ ପାଠ ପଢେଇଛନ୍ତି । ପାଠ ପଢିବାକୁ ପହଞ୍ଚିଛନ୍ତି ଏସ୍ ଭେଙ୍କଟପା, ରୂପ କୃଷ୍ଣ, ପ୍ରମୋଦ କୁମାର ଚଟ୍ଟୋପାଧ୍ୟାୟ, ଦେବୀପ୍ରସାଦ ରାୟ ଚୌଧୁରୀ, ବିରେଶ୍ୱର ସେନ୍, ସୁରେନ୍ଦ୍ରନାଥ କର ଓ ଚନ୍ଦ୍ର କୁମାର ବନ୍ଦୋପାଧ୍ୟୟ ଆଦି ଛାତ୍ର ।

୧୯୩୩ବେଳକୁ ସୋସାଇଟି ଅବନିନ୍ଦ୍ରନାଥ ଷ୍ଟେଲା କ୍ରାମରିଚଙ୍କ ସମ୍ପାଦନାରେ ଜର୍ଣ୍ଣାଲ୍ ପ୍ରକାଶ କରିଛି । ଜର୍ଣ୍ଣାଲରେ ତତ୍କାଳୀନ ବିଦ୍ୱାନମାନଙ୍କର ଲେଖା ଓ ଶିଳ୍ପୀମାନଙ୍କର ସୁନ୍ଦର ସୁନ୍ଦର ଚିତ୍ର ପ୍ରକାଶ ପାଇଛି । ୧୯୪୭ରେ ସୋସାଇଟି କୁମାରସ୍ୱାମୀଙ୍କ କମେମୋରେସନ୍ ଭଲ୍ୟୁମ ପ୍ରକାଶ କରିଛି । ତାପରେ ୧୯୨୦ରୁ ୧୯୩୦ ପର୍ଯ୍ୟନ୍ତ ‘ରୂପମ’ ପତ୍ରିକା ଓ.ସି ଗାଙ୍ଗୁଲିଙ୍କ ସମ୍ପାଦନାରେ ପ୍ରକାଶ ପାଇଛି ।

ପ୍ରାଥମିକ ପର୍ଯ୍ୟାୟ ପରେ କେବଳ ଭାରତ ଓ ଭାରତୀୟତା ଭିତରେ ବାନ୍ଧି ହୋଇଯାଇଥିବା ସୋସାଇଟି ଧିରେଧିରେ ଚାରିଆଡକୁ ଆଖି ପକାଇଛି । ତେଣୁ ଯୁବ ଚିତ୍ରଶିଳ୍ପୀମାନଙ୍କୁ କୁହାଯାଇଛି ଆଖପାଖକୁ ଦେଖିବାକୁ । ବନ୍ଦ ଘରର କବାଟ ଖୋଲିଦିଆଯାଇଛି ।

ଇଣ୍ଡିଆନ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟ ସାଙ୍ଗରେ ଓଡ଼ିଶାର ଏକ ପ୍ରମୁଖ ଯୋଗସୂତ୍ର ମଧ୍ୟ ରହିଛି । ସୋସାଇଟି ଯେତେବେଳେ କେବଳ କଳା ପ୍ରଦର୍ଶନୀରୁ ବାହାରି କଳା ଶିକ୍ଷାଦାନ କ୍ଷେତ୍ରକୁ ଓହ୍ଲାଇଛି ସେତେବେଳେ ସେମାନେ ଭାରତୀୟ ପାରମ୍ପରିକ କାରିଗରମାନଙ୍କୁ ସେଠାକୁ ଡକାଇଛନ୍ତି । ବିଭିନ୍ନ ସ୍ଥାନରୁ ପାରମ୍ପରିକ ଶିଳ୍ପୀମାନଙ୍କୁ ଡକାଯାଇଛି । ଖୋଜି ଲୋଡି ଅଣାଯାଇଛି । ସେଠି ସେଇ ସୂତ୍ରରେ ପହଞ୍ଚିଛନ୍ତି ପୁରୀ ପଥୁରିଆ ସାହିର ଗିରିଧାରୀ । ତାଙ୍କ ନାମ କିନ୍ତୁ ଗିରିଧାରୀ ଲାଲ୍ ଭାବରେ ଉଲ୍ଲେଖ ଅଛି । ଗିରିଧାରୀ ସେଠାରେ କାମ ଶିଖାଇଛନ୍ତି ଓ ନୂଆ କାମ ମଧ୍ୟ ଶିଖିଛନ୍ତି । ସେମିତି ଦେଖିବାକୁ ଗଲେ ଗିରିଧାରୀ ହେଉଛନ୍ତି କୌଣସି ଆଧୁନିକ କଳା ବିଦ୍ୟାଳୟରେ ପାଠ ପଢାଇଥିବା ପ୍ରଥମ ଓଡ଼ିଆ କଳା ଅଧ୍ୟାପକ । ତାଙ୍କ ଭାସ୍କର୍ଯ୍ୟ ସୋସାଇଟିର ପ୍ରଦର୍ଶନୀରେ ଭାଗ ନେଇଛି । ଦେଶ ଓ ବିଦେଶରେ ପ୍ରଦର୍ଶିତ ମଧ୍ୟ ହେଇଛି । ସେ କାଠ ଖୋଦେଇ ସହ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ରେ ମଧ୍ୟ ଭାସ୍କର୍ଯ୍ୟ ତିଆରି କରୁଥିଲେ । କିନ୍ତୁ ତାଙ୍କ ବିଷୟରେ ଆମେ ବେଶି କିଛି ଜାଣିନେ । ଅନେକ ଆମର ଏଠି ତାଙ୍କ ନାମ ବି ଶୁଣିନାହାନ୍ତି ।

Report an Error