ବ୍ଲୁମ୍ ଙ୍କ ଦିନ

କିଏ ଏହି ଲେଖକ ବ୍ଲୁମ୍, ଯାହାଙ୍କ ପାଇଁ ପାଠକ ଏହିପରି ଉତ୍ସାହିତ ଅଛନ୍ତି ଯେ ସେମାନେ ବର୍ଷର ଗୋଟିଏ ଦିନକୁ ତାଙ୍କ ପାଇଁ ଏମିତି ବ୍ଲୁମସ୍ ଡେ ଆକାରରେ ଉତ୍ସର୍ଗ କରିଛନ୍ତି ? କିଏ ସେ ?


ଫଟାେ - ୱିକିପିଡିଆ

ବିଶେଷତଃ ସାହିତ୍ୟ ପାଠକମାନେ ନିଜର ସାହିତ୍ୟ ପ୍ରତି ଅନ୍ତରଙ୍ଗତା ତଥା ଜଣେ ବିଶେଷ ସାହିତ୍ୟକାର ପ୍ରତି ସେମାନଙ୍କର ଅନୁରକ୍ତିକୁ ଏକ ଉତ୍ସବ ଆକାରରେ ପାଳନ କରିବା ପାଇଁ ଏମିତି ଗୋଟିଏ ଦିନ ନିର୍ବାଚନ କରିଥାଆନ୍ତି ।

୧୬ ଜୁନ୍ ହେଉଛି ସେହି ବିଶେଷ ଦିନ ।

ଏହି ଦିନଟିକୁ ସମସ୍ତେ ପୃଥିବୀରେ ବ୍ଲୁମ୍ ଙ୍କ ଦିନ ବା "ବ୍ଲୁମସ୍ ଡେ" ଆକାରରେ ପାଳନ କରିଥାନ୍ତି ।

ସମସ୍ତେ କହିଲେ ଯେ ପୃଥିବୀର ସବୁ ଆବାଳବୃଦ୍ଧବନିତା ଏହିଭଳି ଦିନଟିକୁ ପାଳନ କରିବା ପାଇଁ ଚାତକ ପ୍ରାୟ ଚାହିଁ ରହିଥାନ୍ତି, ସେ କଥା ନୁହଁ । ଏଇଠି ଯେଉଁମାନଙ୍କୁ ସମସ୍ତେ ବୋଲି ଗୋଟିଏ ବନ୍ଧନୀରେ ରଖାଯାଇଛି ସେମାନେ ସଂଖ୍ୟାରେ କମ୍ ହେବେ ମାତ୍ର ସେମାନେ ସ୍ୱତନ୍ତ୍ର । ଜଣେ ସାହିତ୍ୟର ପାଠକ ହେବା ଆଉ ବିଶେଷରେ ନିହାତି ଗମ୍ଭୀର ଅବବୋଧର ଜଣେ ଲେଖକର ପୁଣି ଅନୁଗତ ଦୀକ୍ଷିତ ପାଠକ ହିସାବରେ ଅବସ୍ଥାନ କରିବା ସହଜ କଥା ନୁହଁ । ଏହିଭଳି ପାଠକର ଅଙ୍ଗୀକାରକୁ ତୁଳନା କରି ଦେଖିଲେ ମନେ ହେବ ତାହା ଯେମିତି କୌଣସି ଲେଖକର ଅଙ୍ଗୀକାରବଦ୍ଧତାଠାରୁ ଅନେକ ପରିମାଣରେ ଅଧିକ । ଲେଖକ ନିଜର ଲେଖାରେ ତାହାର ଶ୍ରେଷ୍ଠତ୍ୱ ପ୍ରଦାନ ପାଇଁ ସର୍ଜନ ଦୃଷ୍ଟିକୋଣରୁ ଚିରକାଳ ମୁକ୍ତ ରହିଥିବାବେଳେ ଅନ୍ୟପକ୍ଷରେ ତାହାର ଲେଖାର ଚୂଡାନ୍ତ ରୂପକୁ ଶ୍ରେଷ୍ଠପଣରେ ସବୁବେଳେ ସମ୍ପାଦି ରଖୁଥିବା ପାଠକ ଜଣକ ଏମିତି କହିଲେ ଅନେକ ପରିମାଣରେ ଆବଦ୍ଧ, ସେଇ ଲେଖକ ସହ ହିଁ ଆବଦ୍ଧ ଥାଏ । ଜଣେ ଲେଖକ ସହିତ ଯଦି କେଉଁ ପାଠକ ଆବଦ୍ଧ ହୋଇ ରହିବ ତାହାହେଲେ ସେହିଭଳି କ୍ଷେତ୍ରରେ ଆମେ ପାଠକର ଅନୁରକ୍ତିକୁ ତାହାର ଅନ୍ଧପଣର କିଛି ମାତ୍ରାରେ ପରିପ୍ରକାଶ ବୋଲି କହିପାରୁ । କିନ୍ତୁ ଯେଉଁଠି ବସ୍ତୁତଃ କିଛି ଦେଖାଇବା ଭଳି ଉପସ୍ଥାପନା ନାହିଁ, ଯେଉଁଠି କେବଳ ଅନ୍ୟମାନଙ୍କର ଆବେଗକୁ ଉଜାଗର କରିବାର କ୍ଷେତ୍ର ପ୍ରସ୍ତୁତି ନିରନ୍ତର ଚାଲିଥାଏ, ସେଇଠି ଅନ୍ଧପଣ ସକ୍ରିୟ ରହିବ । ଆବେଗ ଆମକୁ ନୂତନ କିଛି ଦେଖାଏ ନାହିଁ ବା ନୂଆ କିଛି ଦେଖାଇବାର ଉପକ୍ରମ କରିବା ପାଇଁ ସଚରାଚର ନିସ୍ପୃହ ଥାଏ । କିନ୍ତୁ ଏଇଠି ଯେଉଁ ଲେଖକର କଥା କୁହାଯାଉଛି ସେ ବିଶ୍ୱସାହିତ୍ୟର ଜଣେ ଅଗ୍ରଣୀ ପୁରୁଷ । ତାଙ୍କର ଯେଉଁ ପୁସ୍ତକର ଉଲ୍ଲେଖ ଏଇ ଲେଖାରେ ରହିବ ତାହା ପୃଥିବୀର ଯଦି ଦଶଟି ଶ୍ରେଷ୍ଠ ଉପନ୍ୟାସର ତାଲିକା କରାଯିବ ତାହାହେଲେ ଏହି ଲେଖକଙ୍କର ସେହି ବହିଟି ତାହା ଭିତରେ ନିଶ୍ଚୟ ରହିବ । କେବଳ ଆବେଗପରକ ଲେଖାରେ ଜଣେ ପୃଥିବୀର ଶ୍ରେଷ୍ଠ ରଚନା ସଂଭାରରେ ରହିବା ଭଳି ଲେଖା ପ୍ରସ୍ତୁତ କରିବା ସଂଭବ ହୁଏନାହିଁ । ଆବେଗପରକ ଲେଖାର ଆୟୁଷ ଆମ ଭିତରେ ମିଞ୍ଜିମିଞ୍ଜି କରି ଜଳୁଥିବା ଡିବିରିର ଜଳୁଥିବା ସମୟ ତକରେ ସୀମିତ । ଡିବିରି ଲିଭିଗଲା ତ ସେଇ ଲେଖା ଶେଷ । ମାତ୍ର ପୃଥିବୀରେ ଯାହା ଶ୍ରେଷ୍ଠ ତାହା ହେଉଛି ବସ୍ତୁତଃ ସମକାଳକୁ ନେଇ ତାହା ଭିତରୁ ଏକ ସର୍ବକାଳର ନବ୍ୟାନ୍ୱୟାନୁକୃତି ବା ଯାହାକୁ ଇଂରେଜୀରେ ଆମେ କହିବା "ମାଇମେସିସ୍" ର ପ୍ରତିମାନ ନିର୍ମାଣ କରିବା । ତେଣୁ ଅତି ସରଳ ଆଉ ସଂକ୍ଷେପରେ କହିଲେ ଯାହା ଶ୍ରେଷ୍ଠ ତାହା ଆମକୁ ଦମକାଏ ପବନ ଭଳି କେବଳ ସ୍ପର୍ଶ କରି କୁଆଡକୁ ଅନ୍ତର୍ହିତ ହୋଇଯାଏ ନାହିଁ, ତାହା ଆମକୁ ପ୍ରରୋଚିତ କରୁଥାଏ କିଛି ଦେଖିବା ପାଇଁ । ତେଣୁ ସେହିଭଳି ଜଣେ ଲେଖକର ଯାହାର ଲେଖାକୁ ଦେଖିବା ପାଇଁ ଜଣେ ଅନୁରକ୍ତ ପାଠକ ଅବିରତ ରହିଛି, ସେଇଟି କିଛି କମ୍ କଥା ନୁହଁ।

ତାହାହେଲେ କିଏ ଏହି ପୃଥିବୀର ଶ୍ରେଷ୍ଠ ଲେଖକ ବ୍ଲୁମ୍, ଯାହାଙ୍କ ପାଇଁ ପାଠକ ଏହିପରି ଉତ୍ସାହିତ ଅଛନ୍ତି ଯେ ସେମାନେ ବର୍ଷର ଗୋଟିଏ ଦିନକୁ ତାଙ୍କ ପାଇଁ ଏମିତି ବ୍ଲୁମସ୍ ଡେ ଆକାରରେ ଉତ୍ସର୍ଗ କରିଛନ୍ତି ? କିଏ ସେ ?

ଯେଉଁମାନେ ଏଇ କଥା ଜାଣନ୍ତି ସେମାନଙ୍କ ପାଇଁ ଏହା କୌଣସି ବଡ କଥା ନୁହଁ ମାତ୍ର ଯେଉଁମାନେ ଏ ସଂପର୍କରେ କିଛି ଜାଣନ୍ତି ନାହିଁ ସେମାନଙ୍କୁ ଏକଥା ଜାଣିଲେ ଟିକିଏ ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ବ୍ଲୁମସ୍ ଡେ ର ବ୍ଲୁମ୍ ଜଣକ କୌଣସି ଲେଖକ ନୁହଁନ୍ତି । ସେ ହେଉଛନ୍ତି ଗୋଟିଏ ବିଶ୍ୱ ବିଖ୍ୟାତ ଉପନ୍ୟାସର ପ୍ରମୁଖ ଚରିତ୍ର, ଯାହାଙ୍କର ପୂରା ନାଆଁ ହେଉଛି ଲିଓପୋଲ୍ଡ ବ୍ଲୁମ୍ । ସଂପୃକ୍ତ ଉପନ୍ୟାସ ତାଙ୍କୁ ଯେଉଁ ପରିଚୟ ପ୍ରଦାନ କରିଛି ତାହା ଅନୁସାରେ ସେ ହେଉଛନ୍ତି ଜଣେ ଆୟାରଲାଣ୍ଡ ଜନ୍ମିତ ଇହୁଦୀ, ବୃତ୍ତିରେ ସେ ଜଣେ ସଂବାଦପତ୍ରର ବିଜ୍ଞାପନ ବିକ୍ରେତା । ଲିଓପୋଲ୍ଡ ବ୍ଲୁମ୍ ଙ୍କୁ ନେଇ ରଚିତ ସେହି ଉପନ୍ୟାସଟି ହେଉଛି "ୟୁଲିସିଜ୍" ଆଉ ତାହାର ଲେଖକ ହେଉଛନ୍ତି ପ୍ରଖ୍ୟାତ ଜେମସ୍ ଜୟେସ୍ ।

ଜେମସ୍ ଜୟେସ୍ (୧୮୮୧ - ୧୯୪୨) ଆୟାରଲାଣ୍ଡରେ ଜନ୍ମିତ ବିଶ୍ୱସାହିତ୍ୟର ଜଣେ ଅଗ୍ରଣୀ କଥାକାର । ୟୁଲିସିଜ୍ ହେଉଛି ତାଙ୍କର ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ରଚିତ ଏକ ପରୀକ୍ଷାଧର୍ମୀ ଉପନ୍ୟାସ । ଏହି ଉପନ୍ୟାସଟି ୧୯୨୨ ମସିହାରେ ଲଣ୍ଡନରୁ ପ୍ରକାଶିତ ହୋଇଥିଲା । ମୁଖ୍ୟତଃ ଚେତନା ପ୍ରବାହ ଶୈଳୀରେ ଲିଖିତ ଏହି ଉପନ୍ୟାସର ପ୍ରତ୍ୟେକ ଭାଗକୁ ଜୟେସ୍ ଭିନ୍ନ ଭିନ୍ନ ଶୈଳୀରେ ଲେଖିଛନ୍ତି । ସେହି କାରଣରୁ ସମାଲୋଚକମାନଙ୍କ ବିଚାରରେ ଏହା ପୃଥିବୀର ଅନ୍ୟତମ ଶ୍ରେଷ୍ଠ ବୋଲି ବିଚାର କରାଯାଇଥିଲେ ବି ପାଠକମାନଙ୍କ ନିକଟରେ ଏହା ସେତେ ପରିମାଣରେ ଦୁର୍ବୋଧ୍ୟ । ନିଜେ ଲେଖକ ଜେମସ୍ ଜୟେସ୍ ତାଙ୍କର ଏହି ଉପନ୍ୟାସକୁ ସବୁବେଳେ ଏକ "ଏନସାଇକ୍ଲୋପିଡିଆ " ବା ବିଶ୍ୱକୋଷ ବୋଲି କହିଛନ୍ତି । ଗୋଟିଏ ଉପନ୍ୟାସକୁ ଏମିତି ବିଶ୍ୱକୋଷ ବୋଲି କହିବା ପଛରେ କେବଳ ତାତ୍ପର୍ଯ୍ୟ ଏତିକି ଯେ, ଗୋଟିଏ ବିଶ୍ୱକୋଷରେ ଯେମିତି ବହୁଳ ସୂଚନା ଆଉ ତଥ୍ୟ ଉପଲବ୍ଧ ଥାଏ ଠିକ୍ ସେମିତି ୟୁଲିସିଜ୍ ରେ ଯେଉଁ "ଆଲ୍ୟୁଜନ୍" ବା ଇଙ୍ଗିତମାନ ରହିଅଛି ତାହା କୌଣସି ବିଶ୍ୱକୋଷ ସଦୃଶ ବ୍ୟାପକ । ତାହା ଫଳରେ ୟୁଲିସିଜ୍ ର ପଛରେ ଥିବା ଇଙ୍ଗିତମାନଙ୍କୁ ପାଠୋଦ୍ଧାର କରିପାରିବା କୌଣସି ସାଧାରଣ ପାଠକ ପକ୍ଷରେ ଦୁରୂହ ।

ଉପସ୍ଥିତ ଲେଖକ ପାଖରେ ୟୁଲିସିଜ୍ ବହିଟି ପ୍ରାୟ ତିନିଦଶନ୍ଧିରୁ ଉର୍ଦ୍ଧ୍ୱକାଳ ରହିଅଛି । ମାତ୍ର ସେହି ବହିର ଭିତରକୁ ଅତି ବେଶୀରେ ଦଶ ପୃଷ୍ଠା ଯାଏଁ ଯିବା ପରେ ଉପସ୍ଥିତ ଲେଖକର ମନେ ହୋଇଛି ଏଇ ପୁସ୍ତକକୁ ପଢିବା ପାଇଁ ଯଥାଯୋଗ୍ୟ ବୁଦ୍ଧିମତା ଏବେ ବି ଅର୍ଜିତ ହୋଇନାହିଁ ।

ତଥାପି ୟୁଲିସିଜ୍ ବିଶ୍ୱସାହିତ୍ୟରେ ଚର୍ଚ୍ଚାରେ ଅଛି । ତାହାର ପ୍ରମୁଖ ଚରିତ୍ର ଲିଓପୋଲ୍ଡ ବ୍ଲୁମ୍ କୁ ନେଇ ୧୬ ଜୁନ୍ ରେ ପ୍ରତିବର୍ଷ ଜେମସ୍ ଜୟେସ୍ ଅନୁଗାମୀମାନେ ବ୍ଲୁମସ୍ ଡେ ର ଆୟୋଜନ କରିଥାନ୍ତି ।

ଜେମସ୍ ଜୟେସ୍ ମାତ୍ର ଅଠାବନ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ମରଣ ପରେ ତାଙ୍କୁ ଜୁରିଖ୍, ସ୍ୱିଜରଲାଣ୍ଡର ଫ୍ଲଣ୍ଟେର୍ଣ୍ଣ ସିମେଟାରୀରେ ଭୂସମାହିତ କରାଯାଇଥିଲା । ତାଙ୍କର ମୃତ୍ୟୁର କୋଡିଏ ବର୍ଷ ପରେ ଗୋଟିଏ ବ୍ଲୁମସ୍ ଡେ ରେ ତାଙ୍କର ଜଣେ ବନ୍ଧୁ ଜୟେସ୍ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ତାଙ୍କର ସେହି ସମାଧି ନିକଟକୁ ଯାଇଥିଲେ । ନିହାତି ଅପନ୍ତରାରେ ଥିବା ତାଙ୍କର ସେହି ଅନୁଜ୍ଜଳ ସମାଧିକୁ ଦେଖି ଜୟେସ୍ ଙ୍କ ବନ୍ଧୁ ଲି ନର୍ଦନେସ୍ ଯିଏ ବୃତ୍ତିରେ ନିଜେ ଜଣେ ଆର୍ଟ - ଡିଲର୍ ମନସ୍ଥ କଲେ ସେଇଠି ଜୟେସ୍ ଙ୍କର ଗୋଟିଏ ସ୍ଥାପତ୍ୟ ପ୍ରତିଷ୍ଠା କରାଯିବ । ଜୟେସ୍ ଙ୍କର ସେହି ସ୍ଥାପତ୍ୟ ନିର୍ମାଣ କରିବା କାମଟି ସେ ସେସମୟର ଜଣେ ବିଶିଷ୍ଟ ଆମେରିକୀୟ ସ୍ଥପତି ମିଲଟନ୍ ହେବାର୍ଡ (୧୯୧୭ - ୨୦୧୫) ଙ୍କୁ ପ୍ରଦାନ କରିଥିଲେ । ଜୟେସ୍ ଙ୍କର ମୂର୍ତ୍ତିରେ ମୁଣ୍ଡଟିକୁ ଗଢିବାବେଳେ ହେବାର୍ଡ ଜୟେସ୍ ଙ୍କର ଅନେକଗୁଡିଏ ଫଟୋଗ୍ରାଫ୍ ଏବଂ ଡ୍ରଇଂର ସାହାଯ୍ୟ ନେଇଥିଲେ ଏବଂ ଶରୀରର ଅନ୍ୟ ଅଂଶକୁ ଗଢିବାବେଳେ ସେ ଜୟେସ୍ ଙ୍କର ପୁଅ ଜିଓର୍ଜିଓ ଜୟେସ୍ ଙ୍କ ଶରୀରାଂଶର ପରିମାପକୁ ବ୍ୟବହାର କରିଥିଲେ ।

ସ୍ଥପତି ମିଲଟନ୍ ହେବାର୍ଡଙ୍କ ଦ୍ୱାରା ପ୍ରଖାତ ଲେଖକଙ୍କର ଯେଉଁ ଭାସ୍କର୍ଯ୍ୟ ନିର୍ମାଣ ହୋଇଥିଲା ସେଥିରେ ଦେଖାଗଲା ଜେମସ୍ ଜୟେସ୍ ଗୋଡ ଉପରେ ଗୋଡ ପକାଇ ଯେମିତି ପାଖରେ ଅଜବ କିଛି ଘଟିଯାଇଛି ସେଇଆଡକୁ ଚାହିଁଛନ୍ତି ଆଉ ଏପଟେ ଡାହାଣ ହାତରେ ସେମିତି ଖୋଲା ହୋଇ ରହିଛି ଖଣ୍ଡିଏ ବହି ।

ଜେମସ୍ ଜୟେସ୍ ଙ୍କ ଦୃଷ୍ଟି ତାହାହେଲେ କେଉଁ ଅଜବ ଘଟଣା ଆଡକୁ ଆକର୍ଷିତ ହୋଇ ରହିଛି ? ନିଜର ସମାଧି ଫଳକକୁ ଦେଖିବା ବ୍ୟତୀତ ଆଉ ଅଦ୍ଭୁତ ଦୃଶ୍ୟ କ'ଣ ହୋଇପାରେ ଏକ ମରଣୋପରାନ୍ତ ଲେଖକର ? ମିଲଟନ୍ ହେବାର୍ଡଙ୍କ ନିର୍ମିତ ଜୟେସ୍ ଙ୍କ ସେହି ସ୍ଥାପତ୍ୟଟି ଜୁରିଖ୍ ର ଫ୍ଲଣ୍ଟେର୍ଣ୍ଣ ସିମେଟାରୀ ସ୍ଥିତ ତାଙ୍କର ସମାଧି ଫଳକଠାରୁ ଟିକିଏ ଦୂରରେ ସ୍ଥାପନ କରାଯାଇଛି । ଆଉ ଏହି ସ୍ଥାପତ୍ୟର ପ୍ରତିଷ୍ଠା ଉତ୍ସବ ଏକ ବ୍ଲୁମସ୍ ଡେ ରେ ବି ଅନୁଷ୍ଠିତ ହୋଇଥିଲା । ୧୯୬୬ ସାଲର ବ୍ଲୁମସ୍ ଡେ ଅର୍ଥାତ୍ ୧୬ ଜୁନ୍ ୧୯୬୬ ମସିହା ।

ଏବେ ଶେଷରେ ରହିଯାଇଛି କେବଳ ଗୋଟିଏ ପ୍ରଶ୍ନ ।

ଲିଓପୋଲ୍ଡ ବ୍ଲୁମ୍ "ୟୁଲିସିଜ୍" ର ପ୍ରମୁଖ ଚରିତ୍ର ତାହାକୁ ନେଇ ଅନୁଗତ ପାଠକମାନଙ୍କ ତରଫରୁ ବ୍ଲୁମସ୍ ଡେ ପାଳିତ ହେବା ସ୍ୱାଭାବିକ କଥା । ମାତ୍ର ଏହି ବିଶେଷ ଦିନଟି ୧୬ ଜୁନ୍ ହେବ କାହିଁକି ?

ବ୍ଲୁମସ୍ ଡେ ବା ବ୍ଲୁମ - ଦିନ ତାରିଖ ହିସାବରେ ୧୬ ଜୁନ୍ ହେବା ବାଧ୍ୟତାମୂଳକ, କାରଣ ସଂପୃକ୍ତ ଉପନ୍ୟାସ ୟୁଲିସିଜ୍ ରେ ଘଟିଥିବା ସମସ୍ତ ଘଟଣା ଅସଲରେ କେବଳ ଗୋଟିଏ ଦିନର ଘଟଣା, ଅର୍ଥାତ୍ ଯାହା ଯାହା ୧୬ ଜୁନ୍ ରେ ଘଟିଯାଇଅଛି ।

Report an Error