ସମୟ ସହିତ କିପରି ବଦଳିଛି ପୃଥିବୀର ବାୟୁମଣ୍ଡଳ

ସମୟ ସହିତ ପୃଥିବୀର ବାୟୁମଣ୍ଡଳରେ ଢେର ପରିବର୍ତ୍ତନ ହୋଇଛି । ବାୟୁମଣ୍ଡଳର ସଂରଚନା ନାଟକୀୟ ଭାବରେ କିପରି ବଦଳିଗଲା ? ଏହି ପରିବର୍ତ୍ତନର ଅନେକ କାରଣ ରହିଛି ।


ପୃଥିବୀର ବାୟୁମଣ୍ଡଳ ଏକ ପ୍ରତିରକ୍ଷା ଆବରଣ ଭାବରେ କାର୍ଯ୍ୟ କରେ । ଏହା କେବଳ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକୀୟ ଅମ୍ଳଜାନ ଧାରଣ କରେ ନାହିଁ, ବରଂ ଏହା ପୃଥିବୀର ବାସିନ୍ଦାଙ୍କୁ କ୍ଷତିକାରକ ସୌରରଶ୍ମିରୁ ମଧ୍ୟ ରକ୍ଷା କରିଥାଏ । ଏହା ମଧ୍ୟ ଚାପ ସୃଷ୍ଟି କରିଥାଏ, ଯାହାକି ତରଳ ଜଳକୁ ପୃଥିବୀ ପୃଷ୍ଠରେ ରହିବାକୁ ଦେଇଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ବାୟୁମଣ୍ଡଳ ବିନା ପୃଥିବୀ ଜୀବନ ପାଇଁ ବାସ ଯୋଗ୍ୟ ନୁହେଁ ।

ପ୍ରାରମ୍ଭିକ ବାୟୁମଣ୍ଡଳ

ସମୟ ସହିତ ପୃଥିବୀର ବାୟୁମଣ୍ଡଳରେ ନାଟକୀୟ ପରିବର୍ତ୍ତନ ହୋଇଛି । ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେ ଯେତେବେଳେ ଆମର ଗ୍ରହ ସୃଷ୍ଟି ହେଲା, ସେତେବେଳେ ପୃଥିବୀର ପ୍ରାରମ୍ଭିକ ବାତାବରଣ ବା ବାୟୁମଣ୍ଡଳର ଅବସ୍ଥା ନିମ୍ନଲିଖିତ ପରି ରହିଥିଲା ।

  • ବହୁତ କମ୍ ଅମ୍ଳଜାନ ରହିଥିଲା
  • ପ୍ରଚୁର ପରିମାଣରେ କାର୍ବନଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ରହିଥିଲା
  • ଜଳୀୟ ବାଷ୍ପ
  • ମିଥେନ ଏବଂ ଆମୋନିଆ ପରି ଅନ୍ୟ ଗ୍ୟାସ୍ ଅଳ୍ପ ପରିମାଣରେ ରହିଥିଲା

ପୃଥିବୀର ପ୍ରାରମ୍ଭିକ ବାତାବରଣ ବା ବାୟୁମଣ୍ଡଳ କେମିତି ତିଆରି ହୋଇଥିଲା ସେ ସମ୍ପର୍କରେ କିପରି ଜାଣିବା ? ତେବେ ଏନେଇ ଅନେକ ପ୍ରମାଣ ଏକ ସମ୍ଭାବ୍ୟ ସରଂଚନାକୁ ସୂଚିତ କରୁଛି । ଉଦାହରଣ ସ୍ୱରୂପ, ପୃଥିବୀର ପ୍ରାରମ୍ଭରେ ଅନେକ ଆଗ୍ନେୟଗିରି କାର୍ଯ୍ୟକଳାପ ଥିଲା, ଯାହାକି ପ୍ରଚୁର ପରିମାଣର ଅଙ୍ଗାରକାମ୍ଳ ଏବଂ ଜଳୀୟ ବାଷ୍ପ ଉତ୍ପାଦନ କରୁଥିଲା । ଆହୁରି ମଧ୍ୟ, କେତେକ ଲୁହା କମ୍ପାଉଣ୍ଡର ପ୍ରାଚୀନ ପଥର ରହିଥିଲା ଯାହା କେବଳ କମ୍ ଅମ୍ଳଜାନ ପରିବେଶରେ ସୃଷ୍ଟି ହୋଇଥାଏ ।

ଆଧୁନିକ ବା ଏବର ବାୟୁମଣ୍ଡଳ

ଜୀବନ ପାଇଁ ଅମ୍ଳଜାନ ଜରୁରୀ କିନ୍ତୁ ଏହା ଆଧୁନିକ ବାୟୁମଣ୍ଡଳର ମୁଖ୍ୟ ଉପାଦାନ ନୁହେଁ । ପୃଥିବୀର ବାୟୁମଣ୍ଡଳରେ ୨୧ ପ୍ରତିଶତ ଅମ୍ଳଜାନ ହୋଇଥିବାବେଳେ ନାଇଟ୍ରୋଜେନ ବାୟୁମଣ୍ଡଳର ୭୮% ସୃଷ୍ଟି କରିଥାଏ । ଆର୍ଗନ୍ (୦.୯%) ଏବଂ କାର୍ବନଡାଇଅକ୍ସାଇଡ୍ (୦.୦୪%) ପରି ଅନ୍ୟ କେତେକ ଗ୍ୟାସ୍ ମଧ୍ୟ ରହିଛି ।

ତେବେ, ସେତେବେଳେ ଏବଂ ବର୍ତ୍ତମାନ ମଧ୍ୟରେ ବାୟୁମଣ୍ଡଳର ସରଂଚନା କିପରି ନାଟକୀୟ ଭାବରେ ବଦଳିଗଲା ? ଏହି ପରିବର୍ତ୍ତନର ଅନେକ କାରଣ ରହିଛି । ଉଦାହରଣ ସ୍ୱରୂପ, କାର୍ବନଡାଇଅକ୍ସାଇଡ୍ ଏକ ଅତ୍ୟଧିକ ଦ୍ରବୀଭୂତ ଗ୍ୟାସ୍ ଏବଂ ପାଣିରେ ସହଜରେ ତରଳିଯାଏ । ବୈଜ୍ଞାନିକମାନଙ୍କ ମତରେ ଯେତେବେଳେ ପୃଥିବୀରେ ମହାସାଗର ସୃଷ୍ଟି ହେଲା, CO2 ବା ଅଙ୍ଗାରକାମ୍ଳ ସମୁଦ୍ରରେ ଦ୍ରଵୀଭୂତ ହେଲା ଏବଂ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳର ପରିମାଣ କ୍ରମଶଃ ହ୍ରାସ ପାଇଲା ।

ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ବୃଦ୍ଧି ଏବଂ CO2 ବା ଅଙ୍ଗାରକାମ୍ଳ ସ୍ତରକୁ ଆହୁରି ହ୍ରାସ କରିବାରେ ଉଦ୍ଭିଦଗୁଡିକର ଆଲୋକ ସଂଶ୍ଲେଷଣ ଯଥେଷ୍ଟ ଭୂମିକା ଗ୍ରହଣ କରିଥିଲା । ଉଦ୍ଭିଦଗୁଡିକ ବାୟୁମଣ୍ଡଳରୁ CO2 ବା ଅଙ୍ଗାରକାମ୍ଳ ନିଅନ୍ତି, ଯେଉଁଠାରେ ଏହା ଉଦ୍ଭିଦ ଭିତରେ ରହିଥିବା ଜଳ ସହିତ ପ୍ରତିକ୍ରିୟା କରିଥାଏ । ଶକ୍ତି ଲାଗି ଗ୍ଲୁକୋଜର ଉତ୍ପାଦନ ପାଇଁ ଉଦ୍ଭିଦ ଏହି କାର୍ଯ୍ୟ କରିଥାଏ, ମାତ୍ର ଏହି ପ୍ରତିକ୍ରିୟାର ଉପ - ଉତ୍ପାଦ ଭାବରେ ଅମ୍ଳଜାନ ବାହାରିଥାଏ ।

କାର୍ବନ ଡାଇଅକ୍ସାଇଡ୍ + ପାଣି → ଗ୍ଲୁକୋଜ + ଅମ୍ଳଜାନ
6CO2(g) + 6H2O(l) → C6H12O6(aq) + 6O2(g)

ପୃଥିବୀର ବାୟୁମଣ୍ଡଳ ପାଞ୍ଚଟି ମୁଖ୍ୟ ସ୍ତରରେ ଗଠିତ:

ଟ୍ରୋପୋସ୍‌ଫିଅର - ଏହା ସର୍ବନିମ୍ନ ଏବଂ ଘନ ସ୍ତର ଅଟେ ଏବଂ ବାୟୁମଣ୍ଡଳର ସମସ୍ତ ବାୟୁର ପ୍ରାୟ ୭୫% ଧାରଣ କରିଥାଏ । ଟ୍ରପୋସଫିସର୍ ପ୍ରାୟ ୯ ମାଇଲ୍ କିମ୍ବା ୧୪.୫ କିଲୋମିଟର ଉଚ୍ଚରେ ବିସ୍ତାରିତ ହୋଇ ରହିଛି ।

ଷ୍ଟ୍ରାଟୋସ୍‌ଫିଅର - ଯେଉଁଠାରେ ଟ୍ରୋପୋସ୍‌ଫିଅର ଶେଷ ହୁଏ ସେଠାରେ ଷ୍ଟ୍ରାଟୋସ୍‌ଫିଅର ଆରମ୍ଭ ହୁଏ ଏବଂ ଏଠାରେ ସର୍ବାଧିକ ଓଜୋନ୍ ରହିଥାଏ । ଓଜୋନ (O3) ସୂର୍ଯ୍ୟଙ୍କଠାରୁ କ୍ଷତିକାରକ ଅତିବାଇଗଣି ରଶ୍ମିକୁ ଅବଶୋଷଣ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଅବଶୋଷଣ ହେତୁ, ଉପର ଷ୍ଟ୍ରାଟୋସ୍‌ଫିଅରର ତାପମାତ୍ରା ପ୍ରକୃତରେ ନିମ୍ନ ଷ୍ଟ୍ରାଟୋସ୍‌ଫିଅର ଅପେକ୍ଷା ଅଧିକ ଉଷ୍ମ ଅଟେ, ଯଦିଓ ଉଭୟ ଭୂପୃଷ୍ଠଠାରୁ ଅଧିକ ଥଣ୍ଡା । ଷ୍ଟ୍ରାଟୋସ୍‌ଫିଅର ପ୍ରାୟ ୩୧ ମାଇଲ୍ କିମ୍ବା ୫୦ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ବିସ୍ତାରିତ ।

ମେସୋସ‌୍‌ଫିଅର - ଏହା ପୃଥିବୀର ବାୟୁମଣ୍ଡଳର ତୃତୀୟ ସ୍ତର ଏବଂ ଏହା ସବୁଠାରୁ ଶୀତଳ ଅଟେ, ତାପମାତ୍ରା ହାରାହାରି ମାଇନସ୍ ୯୦ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ରହିଥାଏ । ଏହା ମଧ୍ୟ ସେହି ଅଞ୍ଚଳ ଯେଉଁଠାରେ ଅଧିକାଂଶ ଉଲକା ଜଳେ ।

ଥର୍ମୋସ୍‌ଫିଅର - ଥର୍ମୋସ୍‌ଫିଅର ହେଉଛି ପୃଥିବୀର ବାୟୁମଣ୍ଡଳର ଚତୁର୍ଥ ସ୍ତର ଏବଂ ଏହା ୩୭୨ ମାଇଲ କିମ୍ବା ୬୦୦ କିଲୋମିଟର ଉଚ୍ଚରେ ବିସ୍ତାରିତ । ଏହି ସ୍ତରରେ ବାୟୁର ଘନତା ଏତେ କମ୍ ଯେ କେହି କେହି ଏହାକୁ ବାହ୍ୟ ସ୍ଥାନ ବୋଲି ଭାବନ୍ତି ।

ଏକ୍ସୋସ୍‌ଫିଅର - ୬,୨୦୦ ମାଇଲ୍ କିମ୍ବା ୧୦, ୦୦୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ଏକ୍ସୋସ୍‌ଫିଅର ହେଉଛି ପୃଥିବୀର ବାୟୁମଣ୍ଡଳର ସର୍ବୋଚ୍ଚ ସ୍ତର ଏବଂ ଏଥିରେ ହିଲିୟମ୍ ଏବଂ ହାଇଡ୍ରୋଜେନର କଣିକା ଥାଏ । ଏହି କଣିକାଗୁଡ଼ିକ ଏତେ ବିସ୍ତାରିତ ଯେ ସେମାନେ କ୍ୱଚିତ୍ ଧକ୍କା ହୁଅନ୍ତି ।

ଗ୍ରୀନହାଉସ୍ ପ୍ରଭାବ

ଅଧିକ ପରିମାଣର ଗ୍ରୀନହାଉସ୍ ଗ୍ୟାସ୍ ଦ୍ରୁତ ଏବଂ ଜୀବନ ପରିବର୍ତ୍ତନକାରୀ ଜଳବାୟୁ ପରିବର୍ତ୍ତନ ଆଣିପାରେ, ଅଳ୍ପ ପରିମାଣର ଗ୍ରୀନହାଉସ୍ ଗ୍ୟାସ୍ ପୃଥିବୀରେ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଦାହରଣ ସ୍ୱରୂପ, କାର୍ବନଡାଇଅକ୍ସାଇଡ୍, ମିଥେନ ଏବଂ ଜଳୀୟ ବାଷ୍ପ ବିନା ପୃଥିବୀର ତାପମାତ୍ରା ବର୍ତ୍ତମାନର ତାପମାତ୍ରାଠାରୁ ପ୍ରାୟ ୩୨ ଡିଗ୍ରୀ ସେଲସିଅସ ଥଣ୍ଡା ହେବ ଏବଂ ଏହି ଥଣ୍ଡାରେ ଅଧିକାଂଶ ଜୀବନ ତିଷ୍ଠି ପାରିବ ନାହିଁ ।

Translated from How Earth's Atmosphere Has Changed Over Time

Report an Error