ବିଶ୍ବ ପରିବେଶ ଦିବସ: କେବଳ ଗୋଟିଏ ବିଶ୍ୱ

ପରିବେଶ ସୁରକ୍ଷା ପାଇଁ ଜନ ସଚେତନତା ସୃଷ୍ଟି କରିବା ହେଉଛି ବିଶ୍ବ ପରିବେଶ ଦିବସର ଉଦ୍ଦେଶ୍ୟ ।


ଆଜି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ୍‌ ୫କୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି । ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ସଚ଼େତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି । ଜାତିସଂଘର ସାଧାରଣ ପରିଷଦ ପକ୍ଷରୁ ୧୯୭୨ରେ ମାନବ ପରିବେଶ ଉପରେ ଷ୍ଟକହୋମ୍‍ଠାରେ ପ୍ରଥମ କରି ଏହି ଦିବସ ପାଳନ କରାଯାଇଥିଲା । ତାହାର ଦୁଇବର୍ଷ ପରେ ୧୯୭୪ରେ 'କେବଳ ଗୋଟିଏ ବିଶ୍ୱ' ସ୍ଲୋଗାନକୁ ନେଇ ବିଶ୍ୱ ପରିବେଶ ଦିବସ ଆୟୋଜିତ ହୋଇଥିଲା । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇଥାଏ । ସେହିପରି ୧୯୮୭ ମସିହାରୁ ଆବାହକ ରାଷ୍ଟ୍ର ମାଧ୍ୟମରେ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ସ୍ୱିଡ଼େନ ଆବାହକ ରାଷ୍ଟ୍ର ଥିବାବେଳେ ବିଶ୍ୱ ପରିବେଶ ଦିବସର ସ୍ଲୋଗାନ ରହିଛି ‘କେବଳ ଗୋଟିଏ ବିଶ୍ୱ ବା Only one Earth' । ତେବେ ୧୯୭୪ ମସିହାରେ ଷ୍ଟକହୋମଠାରେ ହୋଇଥିବା ପରିବେଶ ଦିବସ ସମ୍ମିଳନୀରେ ଏହି ବିଷୟବସ୍ତୁକୁ ନେଇ ଚର୍ଚ୍ଚା ଓ ଆଲୋଚନାମାନ ହୋଇଥିଲା । ମାତ୍ର ୫୦ ବର୍ଷ ପରେ ସାମ୍ପ୍ରତିକ ସ୍ଥିତି ତଥା ବିଶ୍ୱର ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁନର୍ବାର ଏହି ସ୍ଲୋଗାନକୁ ନିଆଯାଇଛି ଯାହାର ଲକ୍ଷ୍ଯ ରହିଛି ପ୍ରକୃତି ସହିତ ସଦଭାବରେ ରହିବା ।

ପରିବେଶ ଓ ପ୍ରକୃତି । ଏ ଦୁଇଟି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପ୍ରକୃତି ଶାନ୍ତ, ସ୍ଥିର ଓ ସ୍ୱାଭାବିକ ରହିବା ପାଇଁ ପରିବେଶ ପ୍ରଦୂଷଣମୁକ୍ତ ରହିବା ନିତାନ୍ତ ଆବଶ୍ୟକ । ବିଶ୍ୱ ପରିବେଶ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶରେ ହେଉଥିବା ପ୍ରଦୂଷଣ, ତାପମାତ୍ରା ବୃଦ୍ଧି, ବହୁ ଜୀବଜଗତର ବିଲୋପ, ଅନିୟମିତ ବୃଷ୍ଟିପାତ, ବନ୍ୟା, ମରୁଡି, ବାତ୍ୟା ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ପ୍ରକୃତି ଓ ପରିବେଶର ସୁରକ୍ଷା କରିବା । ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ।

ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପ ପରେ, ପରିବେଶ ସନ୍ତୁଳନ ବିଗିଡିଗଲାଣି । କେବଳ ଜନଜୀବନ ନୁହେଁ, ବରଂ ପରିବେଶ ଜଗତ ପାଇଁ ମହାବିପଦ ସୃଷ୍ଟି ହେଲାଣି । ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଅଧିକ ପରିମାଣରେ ହେଉଛି । ବାୟୁ ପ୍ରଦୂଷଣ ବଢି ଚାଲିଛି । ମଣିଷର ସ୍ୱାର୍ଥନ୍ୱେଷୀ ଗୁଣ ପାଇଁ ଆଜି ଚାରିଆଡେ କଂକ୍ରିଟ ଜଙ୍ଗଲ । ବୃକ୍ଷ କଟା ହେବା ଯୋଗୁଁ ବାୟୁର ଗୁଣବତ୍ତା ଆଜି ଅତି ନିକୃଷ୍ଟ ସ୍ତରକୁ ଗଲାଣି । ଫଳରେ ପ୍ରତି ଘଣ୍ଟାରେ ବାୟୁ ପ୍ରଦୂଷଣ ଜନିତ ରୋଗ ମନୁଷ୍ୟ ଶରୀରରେ ସୃଷ୍ଟି ହେଉଛି ।

ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଯଦିଓ ବିଭିନ୍ନ ରାଷ୍ଟ୍ରମାନେ ବିଭିନ୍ନ ପ୍ରକାରର ନିୟମ ପ୍ରଣୟନ କରୁଛନ୍ତି କିନ୍ତୁ ତାହା କାର୍ଯ୍ୟକାରୀ ହେଉଥିବା ପରି ଲାଗୁନାହିଁ । ଦିନକୁ ଦିନ ପରିବେଶ ପ୍ରଦୂଷଣ ବିକଟ ସମସ୍ୟା ହୋଇ ଉଭା ହେଉଛି, ଏନେଇ କଡା ନିୟମ କାର୍ଯ୍ୟକାରୀ କରିବାର ସମୟ ଏବେ ଆସିଛି । ସମସ୍ତ ଜନସାଧାରଣ ମଧ୍ୟ ପରିବେଶ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । କେବଳ ବିଶ୍ବ ପରିବେଶ ଦିବସରେ ଏନେଇ ଚ଼ିନ୍ତା କରିଦେଲେ ହେବ ନାହିଁ ପ୍ରତ୍ୟେକ ଦିନ ପରିବେଶ ବିଷୟରେ ଚ଼ିନ୍ତା କରିବାର ଆବଶ୍ୟକତା ରହିଛି । ବୃକ୍ଷରୋପଣକୁ ଅଧିକ ଗୁରୁତ୍ବ ଦେଇ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଯତ୍ନବାନ ହେବା ଆବଶ୍ୟକ । ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ । ଏହି ବିଶ୍ବ ପରିବେଶ ଦିବସ ଅବସରରେ ଆମର ଏହି ବିଶ୍ୱକୁ ସବୁଜ ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଶପଥ ନେବା ଉଚିତ ।