ଆନ୍ତର୍ଜାତିକ ସେବିକା ଦିବସ: ସେବା ପାଇଁ ଉତ୍ସର୍ଗୀକୃତ ଜୀବନ

ଆଜି ହେଉଛି ଆନ୍ତର୍ଜାତିକ ସେବିକା ଦିବସ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କ ତ୍ୟାଗ ଓ ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି ।


ନର୍ସ, ସିଷ୍ଟର, ଦିଦି ପ୍ରତ୍ୟେକଙ୍କ ଜୀବନରେ ଏକ ପରିଚିତ ନାମ । ଅଜଣା ହେଲେ ବି ସେ ପରିଚିତ । ସମ୍ପର୍କୀୟ ନହେଲେ ବି ସେ ହେଉଛନ୍ତି ଆପଣାର । ସମସ୍ତ ରୋଗୀଙ୍କୁ ଆପଣାର ଭାବି ରାତିଦିନ ଯିଏ ସେବା କରେ ସେ ହେଉଛନ୍ତି ନର୍ସ ବା ଦିଦି । ପୂର୍ବରୁ ଆମେ ତାଙ୍କୁ ଜମାରୁ ଦେଖିନଥିଲେ ବି ସେ ବହୁତ ଆପଣାର ଲାଗନ୍ତି । ବାଛ ବିଚାର ନକରି ନିରନ୍ତର ସେବା କରିଚାଲନ୍ତି । ଯାହାଙ୍କ ପାଇଁ ସେବା ହିଁ ପ୍ରକୃତ ଧର୍ମ । ସେବାକୁ ନିଜ ଜୀବନର ମୂଳମନ୍ତ୍ର କରି ସେ ସମସ୍ତଙ୍କ ମୁହଁରେ ହସ ଫୁଟାଇ ଚାଲନ୍ତି ।

ଆଜି ହେଉଛି ଆନ୍ତର୍ଜାତିକ ସେବିକା ଦିବସ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କ ତ୍ୟାଗ ଓ ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମଦିନକୁ ଆନ୍ତର୍ଜାତିକ ସେବିକା ଦିବସ ବା ଅନ୍ତର୍ଜାତୀୟ ନର୍ସ ଦିବସ ରୂପେ ପାଳନ କରାଯାଏ ।

୧୮୨୦, ମେ’ ୧୨ତାରିଖରେ ଜନ୍ମ ହୋଇଥିଲେ ଫ୍ଲୋରେନ୍ସ ନାଇଟିଙ୍ଗଲ୍ । ବ୍ରିିଟେନ୍ ର ଏକ ଧନୀକ ପରିବାରରେ ଜନ୍ମିତ ହୋଇ ମଧ୍ୟ ନାଇଟିଙ୍ଗଲ ମାନବ ସେବା ପାଇଁ ସଦା ତତ୍ପର ଥିଲେ । ପରିବାରର ଇଚ୍ଛା ବିରୋଧରେ ସେ ନର୍ସିଂ ପଢ଼ିଥିଲେ । ପଢ଼ା ସରିବା ପରେ ସେ ୧୮୫୩ ମସିହାରେ ଲଣ୍ଡନରେ ଏକ ଡାକ୍ତରଖାନା ଖୋଲିଥିଲେ । ସେ ନର୍ସ ହେବା ସହ ଜଣେ ସମାଜ ସଂସ୍କାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ମହିଳାଙ୍କ ଶିକ୍ଷା, ସ୍ବାସ୍ଥ୍ଯ ଓ ଅଧିକାର ପାଇଁ ଲଢେଇ କରୁଥିଲେ । ୧୮୫୪ରେ ଯେତେବେଳେ କ୍ରିମିଆ ଯୁଦ୍ଧ ହାେଇଥିଲା ସେ ସେଇ ସମୟରେ ଯୁଦ୍ଧଗ୍ରସ୍ତ ସୈନ୍ୟଙ୍କୁ ଅନବରତ ସେବା ଯୋଗାଇଥିଲେ । ଏମିତିକି ସେ ରାତି ରାତି ଲଣ୍ଠନ ଧରି ଅସୁସ୍ଥ ସୈନ୍ୟଙ୍କ ସେବା କରୁଥିଲେ । ଏଥିପାଇଁ ତାଙ୍କୁ ଲେଡି ୱିଥ ଲ୍ୟାମ୍ପ ବୋଲି କୁହାଯାଏ । ସେ ନିଜେ ସେବା କରିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏନେଇ ପ୍ରଶିକ୍ଷଣ ଦେଉଥିଲେ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ସହ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି ।

ଏଇ ଦିବସ ପାଳନ ନେଇ ପ୍ରଥମେ ଆମେରିକା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ୧୯୫୩ରେ ପ୍ରସ୍ତାବ ଦେଇଥିଲେ । ପରେ ୧୯୬୫ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳିତ ହେଲା । ସେବେଠାରୁ ପ୍ରତିବର୍ଷ ମେ’ ୧୨ ତାରିଖ ଅର୍ଥାତ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମଦିବସକୁ ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଏହି ଦିବସ ଭିନ୍ନ ଭିନ୍ନ ଥିମ୍ ନେଇ ପାଳନ କରାଯାଏ । ଚଳିତ ବର୍ଷର ଥିମ୍ ରହିଛି - ନେତୃତ୍ୱ ପାଇଁ ସ୍ୱର - ନର୍ସିଂ ସହ ଜଡିତ ରୁହନ୍ତୁ ଏବଂ ବିଶ୍ୱ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାର ଅଧିକାରକୁ ସମ୍ମାନ ଦିଅନ୍ତୁ । ଏହିଦିନ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସ ବା ସେବିକାମାନଙ୍କ ଦାନ ତଥା ତ୍ୟାଗର ମହତ୍ତ୍ୱକୁ ସମ୍ମାନ ଜଣାଇବା ସହ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ଦିଆଯାଏ । ଭାରତ ସରକାରଙ୍କ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏହି ସମ୍ମାନର ଆରମ୍ଭ ୧୯୭୩ରେ ହୋଇଥିଲା ।

ସମ୍ପ୍ରତି ବିଶ୍ୱରେ କୋଭିଡ ମହାମାରୀ ସମୟରେ ନର୍ସମାନଙ୍କ ଭୂମିକା ଅଧିକ ସ୍ପଷ୍ଟ ହୋଇଛି । ସାରା ଦୁନିଆ ଯେତେବେଳେ ସଂଗରୋଧରେ ଥିଲା, ସେତିକିବେଳେ ଏମାନେ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ପୀଡିତ ମଣିଷ ସମାଜକୁ ନିରନ୍ତର ସେବା ଯୋଗାଇଚାଲିଥିଲେ । ସାଧାରଣତଃ ସେବିକାମାନେ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବା ସମୟରେ ଚିକିତ୍ସା ଏବଂ ରୋଗୀ ସମ୍ପର୍କୀୟମାନଙ୍କ ସହିତ ନିଜକୁ ନିୟୋଜିତ ରଖି ଦିନରାତିକୁ ଏକକାର କରି ନିଜର ସାମାଜିକ ସ୍ଥିତିକୁ ପରବାୟ ନକରି ରୋଗୀର ସେବା କରନ୍ତି । ଆଜି ସେବିକା ଦିବସ ଅବସରରେ ଆମର ପ୍ରିୟ ସେବିକା ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Report an Error