ତମାଖୁ: ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ

ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସ ପାଳନ କରାଯାଏ ।


ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସ ପାଳନ କରାଯାଏ । ତମାଖୁ ସେବନ ହେତୁ ମୃତ୍ୟୁହାରରେ ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ୧୯୮୮ ମସିହାରୁ ପାଳନ କରି ଆସୁଛି । ଯଦିଓ ଏହି ଦିବସ ପ୍ରଥମେ ୧୯୮୭ ମସିହାରେ ପାଳନ କରାଯାଇଥିଲା ତେବେ ୧୯୮୮ ମସିହାରେ ଏହି ଦିବସ ମେ' ୩୧ ତାରିଖର ପାଳନ ହେବା ନେଇ ନିଷ୍ପତ୍ତି ନିଆଯିବା ପରେ ଏହା ପ୍ରତିବର୍ଷ ମେ’ ମାସ ୩୧ ତାରିଖରେ ପାଳନ କରାଯାଉଛି ।

ସମ୍ପ୍ରତି ତମାଖୁ ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ ସାଜିଛି । ତମାଖୁର ବ୍ୟବହାର ଦ୍ୱାରା ବିଶ୍ୱରେ ପ୍ରତିବର୍ଷ ୮୦ ଲକ୍ଷରୁ ଉର୍ଦ୍ଧ୍ବ ଲାେକେ ପ୍ରାଣ ହରାଉଥିବାର ସୂଚନା ରହିଛି । ତେବେ ଏହି ଦିବସ ପାଳନର ଆଭିମୁଖ୍ୟ ହେଉଛି ଲୋକଙ୍କୁ ତମାଖୁ ଜନିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହାର ସେବନକୁ ବନ୍ଦ କରିବା । ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ନେଇ ଏକ ଥିମ୍ ପ୍ରସ୍ତୁତ କରାଯାଇଥାଏ । ସେଇ ଥିମ୍ ଅନୁସାରେ ଲୋକଙ୍କ ମନରେ ଜାଗରଣ ସୃଷ୍ଟି କରିବା ସହ ଲୋକଙ୍କୁ ସଚେତନ କରାଯାଇଥାଏ । ଚଳିତ ବର୍ଷର ଥିମ୍ ରହିଛି, ‘ତମାଖୁ: ଆମ ବିଶ୍ୱ ପାଇଁ ବିପଦ’ ଅର୍ଥାତ ତମାଖୁ ଏବେ ଆମ ପରିବେଶ ଉପରେ ଖରାପ ପ୍ରଭାବ ପକାଉଛି । ଏହି ଥିମ୍ ଜରିଆରେ ତମାଖୁ ଆମ ପରିବେଶକୁ କିପରି ନଷ୍ଟ କରୁଛି ସେଥିପ୍ରତି ଦୃଷ୍ଟି ଦେବା ସହ ତମାଖୁ ଚାଷ, ଉତ୍ପାଦନ, ଆବଣ୍ଟନ ଓ ତମାଖୁ ସେବନ ପରେ ଏହାର ଉଚ୍ଛିଷ୍ଟ ନିକ୍ଷେପଣର ବିପଦ ସମ୍ପର୍କରେ ବିଶ୍ୱବାସୀଙ୍କୁ ସଚେତନ କରିବାର ଉଦ୍ଦେଶ୍ଯ ରହିଛି ।

ତମାଖୁର ବ୍ୟବହାର ଦ୍ୱାରା ଆମ ଶରୀର କ୍ଷତିଗ୍ରସ୍ତ ହୋଇଥାଏ । ଏହା ସର୍ବପ୍ରଥମେ ଆମ ଫୁସଫୁସକୁ କ୍ଷତି ପହଞ୍ଚାଇଥାଏ, ଯାହା ଫଳରେ ଆମର ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ । ପୁଣି ଏହି ତମାଖୁ ଦୂରାରୋଗ୍ୟ କ୍ୟାନ୍ସର ପରି ରୋଗର କାରଣ ସାଜିଥାଏ । ତମାଖୁ ଧୂଆଁରେ ସାତ ହଜାରରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି । ସେହିପରି ଧୂମହୀନ ତମାଖୁରେ ତିନି ହଜାରରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ । ସେହିପରି ବିଡି ଓ ସିଗାରେଟର ବ୍ୟବହାର ଦ୍ୱାରା ପରିବେଶ ବହୁତ ପ୍ରଦୂଷିତ ହୋଇଥାଏ । ତମାଖୁ ସେବନ ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଲୋକମାନେ ଅକାଳ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି ।

ସରକାରୀ ଓ ବେସରକାରୀ ସ୍ତରରେ ତମାଖୁ ବର୍ଜନ ପାଇଁ ଅନେକ କାର୍ଯ୍ୟକ୍ରମ ସବୁ କରାଯାଉଥିଲେ ବି ରାଜ୍ୟ କିମ୍ବା ଦେଶରେ ସେପରି କିଛି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉନାହିଁ । ଏମିତିକି ଆମ ରାଜ୍ୟରେ ଶିଶୁମାନେ ମଧ୍ୟ ଏଇ ତମାଖୁର ଶିକାର ହେଲେଣି । କେବଳ ତମାଖୁ ବର୍ଜନ ଦିବସ ପାଳନ କରିଦେଲେ ହେବନାହିଁ, ତମାଖୁ କବଳରୁ ଏଇ କୋମଳମତି ଶିଶୁଙ୍କୁ ବାହାର କରିବା ପାଇଁ ଯୋଜନା ପ୍ରଣୟନ କରିବା ଉଚିତ । ତମାଖୁର ବ୍ୟବହାର ନେଇ ସରକାର ଏକ କଡା ନିୟମ ଆଣିବାର ଆବଶ୍ୟକତା ରହିଛି । ତମାଖୁର ଉତ୍ପାଦନ ଓ ଆବଣ୍ଟନ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସରକାର କିଛି ଠୋସ ପଦକ୍ଷେପ ନେବା ଆଜିର ସମୟର ବଡ଼ ଆବଶ୍ୟକତା ହୋଇଛି । ତମାଖୁ ବର୍ଜନ ପ୍ରତି ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତେ ଉଦ୍ଯମ କରିବାର ଆବଶ୍ୟକତା ରହିଛି । ଯୋଗ ଓ ଧ୍ୟାନ ଦ୍ୱାରା ମଧ୍ୟ ତମାଖୁ ପ୍ରତି ବିମୁଖ ହୋଇ ହେବ, ଏନେଇ ତମାଖୁ ସେବନକାରୀଙ୍କୁ ଜଣାଇବା ସହ ଏ ଦିଗରେ ସେମାନଙ୍କୁ ସାହାଯ୍ୟ କରିବା ମଧ୍ୟ ଉଚିତ ।

ବିଶ୍ୱ ତମାଖୁ ବର୍ଜନ ଦିବସରେ ଆସନ୍ତୁ ଆମେ ସମସ୍ତେ ତମାଖୁକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବା ପାଇଁ ଶପଥ ନେବା । ବ୍ୟକ୍ତିଗତ ସ୍ତରରେ ତମାଖୁ ସେବନକାରୀଙ୍କୁ ତମାଖୁ ବର୍ଜନ ପ୍ରତି ପ୍ରୋତ୍ସାହିତ କରିବା ସହ ଆମ ପରିବେଶକୁ ଏହି ତମାଖୁ କବଳରୁ ରକ୍ଷା କରିବା ନେଇ ଚେଷ୍ଟା କରିବା ।

Report an Error