ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ଜଗତ, ଆମ ସ୍ୱାସ୍ଥ୍ୟ

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଆସନ୍ତୁ ଜାଣିବା ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ଓ ଲକ୍ଷ୍ୟ ସମ୍ପର୍କରେ ।


ସ୍ୱାସ୍ଥ୍ୟ ହିଁ ସମ୍ପଦ । ଗୋଟିଏ ଦେଶ ବା ଜାତିର ଉନ୍ନତି ହେଉଛି ସେଇ ଦେଶର ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଯେଉଁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେତେ ଉନ୍ନତ ସେଇ ଦେଶ ସେତେ ବିକଶିତ । ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସମଗ୍ର ବିଶ୍ୱର ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବା ତଥା ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ ଏହି ଦିବସ ପାଳନ କରାଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା 'ହୁ'ର ପ୍ରତିଷ୍ଠା ଦିବସକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ୧୯୪୮ ଏପ୍ରିଲ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା । ତେବେ ଏହା ୧୯୫୦ରେ କାର୍ଯକାରୀ କରାଯାଇଥିଲା । ଜେନେଭାଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଥିବାବେଳେ ସାରା ଵିଶ୍ବରେ ଏହାର ୬ଟି ଶାଖା କାର୍ଯ୍ୟାଳୟ ଓ ୧୫୦ଟି କ୍ଷେତ୍ର କାର୍ଯ୍ୟାଳୟ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସୁବିଧା ଯୋଗାଇଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବଦ୍ଧ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ବୈଠକରେ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରିବା ନେଇ ଘୋଷଣା କରାଯାଇଥିଲା । ସେବେଠାରୁ ଏହା ପ୍ରତିବର୍ଷ ପାଳନ କରାଯାଉଛି । ପ୍ରତିବର୍ଷ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ଏଇ ଦିବସ ପାଳିତ ହୁଏ । ଚଳିତ ବର୍ଷ ଏହି ଦିବସର ଥିମ୍ ବା ବିଷୟବସ୍ତୁ ରହିଛି ‘ଆମ ଜଗତ, ଆମ ସ୍ୱାସ୍ଥ୍ୟ’ (Our Planet, Our Health) । କେବଳ ଶାରୀରିକ ଭାବରେ ସୁସ୍ଥ ରହିଲେ ତାହା ଆଦର୍ଶ ସ୍ୱାସ୍ଥ୍ୟକୁ ବୁଝାଏ ନାହିଁ, ବରଂ ସେ ରହୁଥିବା ପରିବେଶ ମଧ୍ୟ ସୁସ୍ଥ ରହିବାର ଆବଶ୍ୟକତା ରହିଛି । ଯଦ୍ୱାରା ଜଣେ ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ସୁସ୍ଥ ରହିପାରିବ । ତେଣୁ ସମସ୍ତେ ସୁସ୍ଥ ରହିବାର ଆବଶ୍ୟକତା ରହିଛି । ଜଗତର ସୁସ୍ଥତା ଏକ ବ୍ୟାପକ ପ୍ରସଙ୍ଗ । ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ଶାରୀରିକ ସ୍ୱାସ୍ଥ୍ୟ ସହ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛି । ଏହି ବାର୍ତ୍ତା ଜରିଆରେ ବିଶ୍ୱର ସମସ୍ତ ଅଧିବାସୀ ନିଜ ସ୍ୱାସ୍ଥ୍ୟ ପାଇଁ ଜଗତର ସୁସ୍ଥତା ବା ପ୍ରଦୂଷଣ ମୁକ୍ତ ସମାଜ ଲାଗି ସଚେତନ ହେବେ । ବିଶ୍ୱକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକୀୟ ଜରୁରୀ କାର୍ଯ୍ୟ ଉପରେ 'ହୁ' ଧ୍ୟାନ ଦେବା ସହ ଏନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛି ।

ସମ୍ପ୍ରତି ବିଶ୍ବରେ କୋଭିଡ ମହାମାରୀ ଜାରି ରହିଥିବାବେଳେ ଅନେକ ଦୂରାରୋଗ ମଧ୍ୟ ସେଇ କ୍ରମରେ ମାଡି ଚାଲିଛି । କର୍କଟ, ଶ୍ୱାସ, ହୃଦରୋଗ ପରି ରୋଗଗୁଡିକ ନିଜର କାୟା ବିସ୍ତାର କରିଚାଲିଛି । ଅପରପକ୍ଷରେ ପ୍ରଦୂଷଣ ସବୁଠୁ ବଡ ସମସ୍ୟା ରୂପେ ଉଭା ହୋଇଛି । 'ହୁ'ର ଆକଳନ ଅନୁଯାୟୀ ବିଶ୍ୱରେ ପ୍ରତିବର୍ଷ ୧୩ ନିୟୁତରୁ ଅଧିକ ମୃତ୍ୟୁ ପରିବେଶଗତ କାରଣ ତଥା ପ୍ରଦୂଷଣ ଯୋଗୁଁ ହେଉଛି । ବିଶ୍ୱରେ ଜଳବାୟୁ ସଙ୍କଟ ଉତ୍କଟ ସ୍ଥିତିରେ ରହିଥିବାବେଳେ ଏବେ ଏହା ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ଭାବେ ଉଭା ହୋଇଛି ।

ଆମର ରାଜନୈତିକ, ସାମାଜିକ ଏବଂ ବାଣିଜ୍ୟିକ ନିଷ୍ପତ୍ତି ଜଳବାୟୁ ଏବଂ ସ୍ୱାସ୍ଥ୍ୟ ସଙ୍କଟକୁ ଆଗେଇ ନେଉଛି । ପାଣିପାଗର ବୈପ୍ଳବିକ ପରିବର୍ତ୍ତନ, ଜଳକଷ୍ଟ ଆଦି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବାବେଳେ ପ୍ରଦୂଷଣ ଓ ଅତ୍ୟଧିକ ପ୍ଲାଷ୍ଟିକର ବ୍ୟବହାର ଆମ ଗ୍ରହ ବା ଜଗତକୁ ପ୍ରଦୂଷିତ କରୁଛି । ସାଗର, ମହାସାଗର, ତୁଙ୍ଗ ଶିଖର ସବୁଠି ପ୍ଲାଷ୍ଟିକର ପାଦ୍ରୁର୍ଭାବ ଦେଖିବାକୁ ମିଳୁଛି । ଆଜିକାଲିର ଅଵ୍ୟଵସ୍ଥିତ ଜୀବନଶୈଳୀ ମଧ୍ୟ ଆମ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଉଛି । ଆମେ ବ୍ୟବହାର କରୁଥିବା ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି ।

କୋଭିଡ ମହାମାରୀ ଆମକୁ ବିଜ୍ଞାନର ଉପଚାର ଶକ୍ତି ଦେଖାଇବା ସହିତ ସ୍ୱାସ୍ଥ୍ୟ ତଥା ଚିକିତ୍ସା କ୍ଷେତ୍ରରେ ରହିଥିବା ଅସମାନତାକୁ ମଧ୍ୟ ଦର୍ଶାଇଛି । କେବଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ସମାଜର ସମସ୍ତ କ୍ଷେତ୍ରରେ ଥିବା ସମସ୍ତ ଦୁର୍ବଳତାକୁ ମଧ୍ୟ ଚିହ୍ନାଇଛି । ଏବର ଅର୍ଥବ୍ୟବସ୍ଥାର ସ୍ୱରୂପ ଆୟ, ଧନ ଓ ଶକ୍ତିର ଅସମାନ ବିତରଣକୁ ଉଜାଗର କରୁଛି, ଯେଉଁଥିରେ ଧନୀ ଓ ଗରିବ ମଧ୍ୟରେ ଥିବା ତାରତମ୍ୟ ଆହୁରି ବଢିଯାଇଛି । ତେବେ ଏକ ସୁସ୍ଥ ଦେଶ ପାଇଁ ଏକ କଲ୍ୟାଣକାରୀ ବଜେଟ୍ ର ଆବଶ୍ୟକତା ରହିଛି, ଯେଉଁଥିରେ ମାନବ କଲ୍ୟାଣ, ସମାନତା ଓ ପାରିସ୍ଥିତିକ ସ୍ଥିରତା ରହିପାରିବ । ଏହି ସମସ୍ତକୁ ଦୃଷ୍ଟିରେ ରଖି ଦୀର୍ଘକାଳୀନ ନିବେଶ, କଲ୍ୟାଣକାରୀ ବଜେଟ, ସାମାଜିକ ସୁରକ୍ଷା, ଆଇନ ଓ ଵିତ୍ତୀୟ ରଣନୀତି ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବା ଉଚିତ ।

ମହାମାରୀ ଓ ଯୁଦ୍ଧର ସଙ୍କଟ ସମୟରେ ସ୍ୱାସ୍ଥ୍ୟ ଏକ ବଡ଼ ଆହ୍ୱାନ ହୋଇଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱର ସମସ୍ତ ଦେଶ ଜଳବାୟୁ ସଙ୍କଟ ଓ ପ୍ରଦୂଷଣ ନୀତି ପ୍ରତି କଠୋର ନିୟମ ଅବଲମ୍ବନ କରିବା ଉଚିତ । ସର୍ବୋପରି ଆମକୁ ଏବେ ସ୍ୱାସ୍ଥ୍ୟ ସହ ପରିବେଶ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡିବ । ଆଜିର ସମୟରେ ନିଜେ ସୁସ୍ଥ ରହିବା ପାଇଁ ପରିବେଶକୁ ସୁସ୍ଥ ରଖିବା ନିତାନ୍ତ ଆବଶ୍ୟକ ହୋଇପଡିଛି ।

Report an Error