ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା

ଆଜି ହେଉଛି ବିଶ୍ୱ ପେପର ବ୍ୟାଗ ଦିବସ । ପ୍ଲାଷ୍ଟିକ୍ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପରିବେଶ ଅନୁକୂଳ ବିକଳ୍ପ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧୨ରେ ବିଶ୍ୱ ପେପର ବ୍ୟାଗ ଦିବସ ପାଳନ କରାଯାଏ ।


ଆଜି ହେଉଛି ବିଶ୍ୱ ପେପର ବ୍ୟାଗ ଦିବସ । ପ୍ଲାଷ୍ଟିକ୍ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପରିବେଶ ଅନୁକୂଳ ବିକଳ୍ପ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧୨ରେ ବିଶ୍ୱ ପେପର ବ୍ୟାଗ୍ ଦିବସ ପାଳନ କରାଯାଏ । ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ହ୍ରାସ କରିବାରେ କାଗଜ ବ୍ୟାଗ ବା ପେପର ବ୍ୟାଗଗୁଡ଼ିକ ବଡ ଭୂମିକା ଗ୍ରହଣ କରିଥାଏ । ଏହା ମଧ୍ୟ ସହଜରେ ପୁନଃ ବ୍ୟବହାର ଯୋଗ୍ୟ ମଧ୍ୟ ହୋଇଥାଏ ।

ପେପର ବ୍ୟାଗ ଦିବସର ମହତ୍ତ୍ୱ ହେଉଛି ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରକୁ ବନ୍ଦ କରିବା ଏବଂ ଏହି ପ୍ଲାଷ୍ଟିକଗୁଡିକ ପରିବେଶ ପାଇଁ କେତେ କ୍ଷତିକାରକ ସେ ବିଷୟରେ ସଚେତନତା ସୃଷ୍ଟି କରିବା । ଚଳିତ ବର୍ଷ ପେପର ବ୍ୟାଗ୍ ଦିବସର ବିଷୟବସ୍ତୁ ରହିଛି ‘ନିଜ ଭିତରର ଅନୁସୃଜନକୁ ବ୍ୟବହାର କରନ୍ତୁ : ପ୍ଲାଷ୍ଟିକ ବର୍ଜନ କରି କାଗଜ ଥଳିକୁ ଆପଣାନ୍ତୁ।’ ଏହି ଥିମ ଜରିଆରେ ପ୍ଲାଷ୍ଟିକ୍ ବ୍ୟାଗର ବ୍ୟବହାର ଆମ ପ୍ରକୃତିକୁ କେତେ ପରିମାଣର କ୍ଷତି ଘଟାଉଛି ସେସମ୍ପର୍କରେ ବାର୍ତ୍ତା ଦେବା ସହ ଲୋକଙ୍କୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ଅପକାରିତା ସମ୍ପର୍କରେ ସୂଚନା ଦେଉଛି । ଆହୁରି ମଧ୍ୟ ଭବିଷ୍ୟତ ପିଢ଼ିକୁ ପରିବେଶକୁ ସୁସ୍ଥ ରଖିବା ପାଇଁ ସେମାନଙ୍କୁ ପରିବେଶ ଅନୁକୂଳ ଦ୍ରବ୍ୟ ଆଡକୁ ଯିବାକୁ ଉତ୍ସାହିତ କରୁଛି । ଫ୍ରାନ୍ସିସ୍ ୱୋଲ୍ ନାମକ ଜଣେ ଆମେରିକୀୟ ୧୮୫୨ ମସିହାରେ ପ୍ରଥମ କାଗଜ ବ୍ୟାଗ୍ ମେସିନ୍ ତିଆରି କରିଥିଲେ ।

ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ଏକ ନିତ୍ୟ ବ୍ୟବହୃତ ହେଉଥିବା ଜିନଷ ଭାବେ ଉଭା ହୋଇଛି । ଦୈନନ୍ଦିନ ଜୀବନରେ ଏହା ବହୁଳ ପରିମାଣରେ ବ୍ୟବହୃତ କରାଯାଉଛି । ଏହି କିଛି ବର୍ଷ ହେବ ପ୍ଲାଷ୍ଟିକର ବ୍ୟବହାର ଗୁଣାତ୍ମକ ମାନରେ ବଢିଯାଇଛି । ଯାହାର ଫଳସ୍ବରୂପ ସ୍ଥଳ ଭାଗ ହେଉ ବା ଜଳ ଭାଗ ସବୁଠି ପ୍ଲାଷ୍ଟିକର ଅଳିଆ ଦେଖାଯାଉଛି । ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ଏଭଳି ହୁ ହୁ ହୋଇ ବଢି ଚାଲିଛିଯେ, କେବଳ ସ୍ଥଳଭାଗ ନୁହେଁ ଜଳଭାଗ ଅର୍ଥାତ ସମୁଦ୍ର ମଧ୍ୟରେ ବି ତାର କାୟା ବଢିଗଲାଣି । ସାମୁଦ୍ରିକ ଜୀବମାନେ ଏହାକୁ ଖାଦ୍ୟ ଭାବି ଖାଇ ମୃତ୍ୟ ମୁଖରେ ପଡୁଛନ୍ତି । ଅନେକ ସମୟରେ ଦେଖାଯାଉଛି ଗାଇ ଗୋରୁମାନେ ବି ଚରିବା ସମୟରେ ପ୍ଲାଷ୍ଟିକ ଜରି ଖାଇନେଇ ଆମ ଅଜାଣତରେ ମୃତ୍ୟବରଣ କରୁଛନ୍ତି ।

ପ୍ଲାଷ୍ଟିକ ଏଭଳି ଏକ ଜିନଷ ଯାହା ସହଜରେ ନଷ୍ଟ ହୋଇନଥାଏ । ଏହା ନଷ୍ଟ ହେବାକୁ ହଜାର ହଜାରବର୍ଷ ସମୟ ନେଇଥାଏ | ପ୍ଲାଷ୍ଟିକ ଓ ପଲିଥିନକୁ ନଷ୍ଟ କରିବାପାଇଁ ତାକୁ ପୋଡିଲେ ମଧ୍ୟ ଯେଉଁ ବାୟୁ ପ୍ରଦୂଷଣର ଆଶଙ୍କା ରହିଛି ତାହା ଆହୁରି ସାଙ୍ଘାତିକ । ଏହା ପୁଣି ମାଟିରେ ମିଶିବା ବି ମୁସ୍କିଲ । ଯଦି ଆକଳନ କରାଯାଏ ତାହେଲେ ବିଶ୍ୱରେ ପ୍ରତ୍ୟେକ ବର୍ଷ ପ୍ରାୟ ୬୫ କୋଟି ଟନ ପ୍ଲାଷ୍ଟିକ ଉତ୍ପାଦନ ହେଉଛି ।

ଅପରପକ୍ଷରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବିଶ୍ୱ ପରିବେଶ ପାଇଁ ବିରାଟ ବିପଦ ସୃଷ୍ଟିକରିଛି । ଆମେ ନିଜେ ପରିବେଶ ପ୍ରତି ସଚେତନ ହୋଇ ଆମର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର କମ ନକରିଛେ ସେଇପର୍ଯ୍ୟନ୍ତ ଆମ ପରିବେଶକୁ ସ୍ଵଚ୍ଛ ଓ ସୁସ୍ଥ ହୋଇପାରିବନି ।

ପରିବେଶ ଓ ଜୀବଜଗତର ସ୍ୱାର୍ଥ ଦୃଷ୍ଟିରୁ ଆମେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଉଚିତ । ପରିବା ପାଇଁ ପ୍ଲାଷ୍ଟିକ ଜରି ନୁହେଁ କନା ବ୍ୟାଗ ବା ପେପର ବ୍ୟାଗର ବ୍ୟବହାର କରିବା । ଖାଇବା ପାଇଁ ପ୍ଲାଷ୍ଟିକ ପ୍ଲେଟ ନୁହେଁ, ପତ୍ର ପ୍ଲେଟର ବ୍ୟବହାର କରିବା । ଆମେ ଯଥାସମ୍ଭବ ପ୍ଲାଷ୍ଟିକର ବ୍ୟବହାରକୁ କମ କରି ତା ବଦଳରେ କାଗଜ ବ୍ୟାଗ ବ୍ୟବହାର କରିବା ଉଚିତ । ଆସନ୍ତୁ ଆଜିର ଦିବସରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକକୁ ନା କହି କାଗଜ ବ୍ୟାଗ ଆଡକୁ ହାତ ବଢ଼ାଇ ଆମ ଜୀବଜଗତ ଓ ପରିବେଶକୁ ସୁସ୍ଥ ରଖିବା ପାଇଁ ପାଦ ବଢେଇବା ।

Report an Error