ବିଶ୍ୱ ଶୌଚାଳୟ ଦିବସ - ମେକିଂ ଦି ଇନ୍‌ଭିଜିବଲ୍ ଭିଜିବଲ୍

ବିଶ୍ୱ ପରିମଳ ସଙ୍କଟର ମୁକାବିଲା ପାଇଁ ପ୍ରତିବର୍ଷ ନଭେମ୍ବର ୧୯କୁ ବିଶ୍ୱ ଶୌଚାଳୟ ଦିବସ (World Toilet Day) ଭାବରେ ପାଳନ କରାଯାଏ ।


ପରିମଳ ବାବଦରେ ଲୋକଙ୍କୁ ସଚେତନ କରିବା ସହ ଶୌଚାଳୟ ବ୍ୟବହାର ପ୍ରତି ଉତ୍ସାହିତ କରିବା ପାଇଁ ବିଶ୍ୱ ଶୌଚାଳୟ ଦିବସର ସୃଷ୍ଟି । ବିଶ୍ୱ ପରିମଳ ସଙ୍କଟର ମୁକାବିଲା ପାଇଁ ପ୍ରତିବର୍ଷ ନଭେମ୍ବର ୧୯କୁ ବିଶ୍ୱ ଶୌଚାଳୟ ଦିବସ (World Toilet Day) ଭାବରେ ପାଳନ କରାଯାଏ ।

ଆପଣମାନେ ସମସ୍ତେ ଟୟଲେଟ - ଏକ ପ୍ରେମ କାହାନୀ ଶୀର୍ଷକର ହିନ୍ଦୀ ସିନେମା ଦେଖିଥିବେ । ଅକ୍ଷୟ କୁମାର ଓ ଭୂମି ପେଣ୍ଡେନକରଙ୍କ ଅଭିନୀତ ଏହି ସିନେମାରେ ଶୌଚାଳୟ ତଥା ପରିମଳକୁ ନେଇ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା । ୨୦୧୭ ମସିହାରେ ରିଲିଜ ହୋଇଥିବା ଏହି ସିନେମାର ପୃଷ୍ଠଭୂମିରେ ଗ୍ରାମୀଣ ଭାରତର ପରିମଳ ବ୍ୟବସ୍ଥା ତଥା ସ୍ୱଚ୍ଛତା ତଥା ପରିମଳକୁ ନେଇ ରହିଥିବା ରୁଢ଼ିଵାଦୀ ଦୃଷ୍ଟିକୋଣକୁ ଦର୍ଶାଯିବା ସହ ସ୍ୱଚ୍ଛ ଭାରତ ମିଶନକୁ ପ୍ରୋତ୍ସାହିତ କରାଯାଇଥିଲା । ଏପରି ଗୋଟିଏ ସିନେମା ନୁହେଁ ଅନେକ ପ୍ରାମାଣିକ ଚଳଚ୍ଚିତ୍ର, ପଥପ୍ରାନ୍ତ ନାଟକ ଆଦି ଦ୍ୱାରା ପରିମଳ ଓ ସ୍ୱଚ୍ଛତା ସମ୍ପର୍କରେ ଜନସଚେତନତା ସୃଷ୍ଗି କରାଯାଇଥାଏ ।

ଖୋଲାରେ ଶୌଚ କରିବା ଏକ ଅପରାଧ । ଏହା ନିଜ ପାଇଁ ଯେତିକି କ୍ଷତିକାରକ ତାଠୁ ଅଧିକ ପରିବେଶ ପାଇଁ ମଧ୍ୟ । ଏହା ଅନେକ ରୋଗର କାରଣ । ଆହୁରି ମଧ୍ୟ ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଉଥିବା ମହିଳା ତଥା ବାଳିକାମାନେ ନିଜର ସମ୍ମାନ ହାନି ସହ ଅପରାଧବୋଧର ଶିକାର ହୋଇଥାନ୍ତି । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ମହିଳାଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ୨୦୦୧ ନଭେମ୍ବର ୧୯ ତାରିଖ ଦିନ ବିଶ୍ୱ ଶୌଚାଳୟ ସଂଗଠନ ଗଢ଼ା ଯାଇଥିଲା । ତେବେ ୨୦୧୩ ମସିହାରେ ମିଳିତ ଜାତିସଙ୍ଘ ଏହି ଦିବସ ପାଳନ ନେଇ ଆନୁଷ୍ଠାନିକ ଘୋଷଣା କରିଥିଲା । ସେବେଠାରୁ ଏହି ଦିବସ ପାଳନ କରାଯାଇ ପରିମଳ ତଥା ଶୌଚାଳୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି ।

ତେବେ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ନେଇ ଏକ ବିଶେଷ ପ୍ରସଙ୍ଗ ବା ଥିମର ଚୟନ କରାଯାଇଥାଏ । ସେହିପରି ଚଳିତ ବର୍ଷ ବିଶ୍ୱ ଶୌଚାଳୟ ଦିବସର ପ୍ରସଙ୍ଗ ବା ଥିମ ରହିଛି ‘ମେକିଂ ଦି ଇନ୍‌ଭିଜିବଲ୍ ଭିଜିବଲ୍’ । ମାନବ ବର୍ଜ୍ୟବସ୍ତୁ ନଦୀ, ହ୍ରଦ ଏବଂ ମାଟିରେ ବିସ୍ତାର କରି ଭୂତଳ ଜଳ ଉତ୍ସକୁ ପ୍ରଦୂଷିତ କରୁଛି । ଏହି ସମସ୍ୟା ଯଦିଓ ଅଦୃଶ୍ୟ, ତେବେ ଏହା ଭୂତଳ ଭାଗରେ ତଥା ଅନୁନ୍ନତ ଅଞ୍ଚଳରେ ଘଟୁଛି । ଏହି ଅଦୃଶ୍ୟ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଚଳିତ ବିଶ୍ୱ ଶୌଚାଳୟ ଦିବସର ବାର୍ତ୍ତା ।

ମାନବ ଓ ପରିବେଶକୁ ସୁସ୍ଥ ରଖିବାରେ ନିରାପଦ ପରିମଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ନିରାପଦ ପରିମଳ ଭୂତଳ ଜଳକୁ ସୁରକ୍ଷା ଦେଇଥାଏ । ତେଣୁ ଆସନ୍ତୁ ସ୍ୱଚ୍ଛତା ତଥା ସୁସ୍ଥ ପରିମଳ ପ୍ରତି ଆଉ ଗୋଟିଏ ପାଦ ଆଗକୁ ବଢାଇବା । ଏହି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ସକ୍ରିୟ ଅଂଶଗ୍ରହଣ କରିବା ।

Report an Error