ବିଶ୍ୱ ମଧୁମେହ ଦିବସ

ବିଶ୍ୱ ସ୍ଵାସ୍ଥ୍ୟ ସଂସ୍ଥା ଓ ଅନ୍ତର୍ଜାତୀୟ ମଧୁମେହ ସଂଘ ଆନୁକୂଲ୍ୟରେ ୧୯୯୧ରୁ ପ୍ରତିବର୍ଷ ନଭେମ୍ବର ୧୪ରେ ପାଳିତ ହେଉଛି ‘ବିଶ୍ୱ ମଧୁମେହ ଦିବସ’ । ସାଧାରଣ ଲୋକଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇବା ହିଁ ମଧୁମେହ ଦିବସ ପାଳନର ମୂଳ ଲକ୍ଷ୍ୟ ।


ବଦଳୁଥିବା ଜୀବନଶୈଳୀ ସହିତ ଆଜିର ମଣିଷ ବେଶ ବ୍ୟସ୍ତବହୁଳ ହୋଇପଡୁଛି । ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର, ମୋବାଇଲ ଆଗରେ ବସି ରହିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା, ଦିନରେ ବିଳମ୍ବରେ ଉଠିବା, ଏକ୍ସରସାଇଜରୁ ଦୂରେଇ ରହିବା, ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ଯ ଖାଇବା ଦ୍ୱାରା ମଣିଷକୁ ଅନେକ ରୋଗ ଗ୍ରାସ କରୁଛି । ଏହି ରୋଗ ମଧ୍ୟରେ ମଧୁମେହ ଅନ୍ୟତମ । ଏହି ରୋଗରେ କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ଏପରିକି କମ୍‌ ବୟସର ପିଲା ବି ଏହାର କବଳିତ ହେଉଛନ୍ତି । ଆଜି ସେଇ ମଧୁମେହ ଏକ ନିରବ ଘାତକ ରୂପେ ନିଜର କାୟା ବିସ୍ତାର କରିଛି । ଏହି ମଧୁମେହ ସମ୍ପର୍କରେ ଜନ ମାନସକୁ ସଚେତନ କରିବା ପାଇଁ ପାଳିତ ହେଉଛି ବିଶ୍ୱ ମଧୁମେହ ଦିବସ ।

ବିଶ୍ୱ ସ୍ଵାସ୍ଥ୍ୟ ସଂସ୍ଥା ଓ ଅନ୍ତର୍ଜାତୀୟ ମଧୁମେହ ସଂଘ ଅନୁକୂଲ୍ୟରେ ୧୯୯୧ରୁ ପ୍ରତିବର୍ଷ ନଭେମ୍ବର ୧୪ରେ ପାଳିତ ହେଉଛି ‘ବିଶ୍ୱ ମଧୁମେହ ଦିବସ’ । ଇନସୁଲିନର ସହ - ଆବିଷ୍କାରକ ସାର ଫେଡ୍ରିକ ବାଣ୍ଟିକ୍ ଙ୍କ ଜନ୍ମଦିନରେ ଏହି ଦିବସ ପାଳନ କରାଯାଏ । ଫେଡ୍ରିକ ୧୮୯୧ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସାଧାରଣ ଲୋକଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇବା ହିଁ ମଧୁମେହ ଦିବସ ପାଳନର ମୂଳ ଲକ୍ଷ୍ୟ ।

ମଧୁମେହ ରୋଗର ଡାକ୍ତରୀ ନାମ ହେଉଛି ଡାଇବେଟିସ ମେଲିଟସ୍‌ । ଗ୍ରୀକ୍‌ ଭାଷାରେ ‘ମେଲିଟସ୍‌’ ଶବ୍ଦର ଅର୍ଥ ହେଉଛି ମହୁ ଓ ଡାଇବେଟିସ ଶବ୍ଦର ଅର୍ଥ ନଳୀ । ପରିସ୍ରା ନଳୀରେ ମହୁ ଭଳି ମିଠାଯୁକ୍ତ ପରିସ୍ରା ହେଉଥିବାରୁ ଏହାର ନାମ ‘ଡାଇବେଟିସ ମେଲିଟସ୍‌’ ବୋଲି କୁହାଯାଏ ।

ସାଧାରଣତଃ ଦୁଇ ପ୍ରକାରର ଡାଇବେଟିସ୍‌ ରୋଗୀ ଦେଖାଯାନ୍ତି । ଡାଇବେଟିସ୍‌ - ଟାଇପ ୧ ହେଉଛି ପ୍ରଥମ ବର୍ଗର । ଏଥିରେ ରୋଗୀମାନେ ଯଥେଷ୍ଟ ପରିମାଣର ଇନ୍‌ସୁଲିନ୍‌ ସୃଷ୍ଟି କରିବାକୁ ସମର୍ଥ ହୋଇପାରିନଥାନ୍ତି, ତେଣୁ ସେମାନେ ସମ୍ପୂର୍ଣ୍ଣ ରୂପେ ଇନ୍‌ସୁଲିନ୍‌ ଉପରେ ନିର୍ଭର କରିଥାନ୍ତି । ସେହିପରି ଦ୍ବିତୀୟ ବର୍ଗ ଅର୍ଥାତ ଡାଇବେଟିସ୍‌ - ଟାଇପ ୨ର ରୋଗୀମାନେ ସେମାନଙ୍କ ଶରୀରରେ ଇନ୍‌ସୁଲିନ୍‌ ତିଆରି କରିପାରୁଥିଲେ ମଧ୍ଯ ତାକୁ ଠିକ୍‌ ଭାବରେ କାମରେ ଲଗାଇ ପାରନ୍ତି ନାହିଁ ।

ଟାଇପ - ୧ ଡାଇବେଟିସ ଶୈଶବ, କିଶୋର ଓ ଆଦ୍ୟ ଯୌବନରେ ମୁଖ୍ୟତଃ ୨୫ ବର୍ଷରେ ହୋଇଥାଏ । ଏ କ୍ଷେତ୍ରରେ ହଠାତ୍‌ ରୋଗର ଲକ୍ଷଣ ଦେଖାଯାଏ । ଟାଇପ୍‌ - ୨ ଡାଇବେଟିସ ସାଧାରଣତଃ ୪୦ ବର୍ଷ ପରେ ହୋଇଥାଏ । ରୋଗୀଙ୍କ ପରିବାର ଓ ନିକଟ ସମ୍ପର୍କୀୟମାନେ ଏଥିରେ ଆକ୍ରାନ୍ତ ହାେଇଥିବାର ଦେଖାଯାଇଥାଏ ।

ମଧୁମେହ ରୋଗ ହେଲେ କେତେକ ଲକ୍ଷଣ ରୋଗୀଠାରେ ପ୍ରକାଶ ପାଇଥାଏ । ଯେମିତିକି - ଅତ୍ୟଧିକ ପରିସ୍ରା ଲାଗିବା, ଦୁର୍ବଳ, କ୍ଲାନ୍ତ ଓ ଅବଶ ଅନୁଭବ କରିବା, ଅତ୍ୟଧିକ ଶୋଷ ଓ ଭୋକ ହେବା, ଘା' ନ ଶୁଖିବା, ମୋତିଆବିନ୍ଦୁ ଚକ୍ଷୁରୋଗ ଓ ରେଟିନାରେ ରକ୍ତସ୍ରାବ ହୋଇ ଦୃଷ୍ଟିଶକ୍ତି ହ୍ରାସ ପାଇବା, ଗୋଡ଼ ଜଳାପୋଡ଼ା ଓ ଗୋଦର ଲାଗିବା, ଶରୀରର ଓଜନ କମିବା, ଚର୍ମ ଶୁଖିଲା ଦେଖାଯିବା ଓ କୁଣ୍ଡାଇ ହେବା, ପରିସ୍ରା ଦ୍ଵାର ସଂକ୍ରମିତ ହେବା ଆଦି ।

ନିରବ ଘାତକ ରୂପେ ପରିଚିତ ମଧୁମେହ ରୋଗଟି ଏବେ ସାରା ବିଶ୍ବରେ ବ୍ୟାପକ ପରିମାଣରେ ବ୍ୟାପିବାରେ ଲାଗିଛି । ଭାରତ ସମେତ ଅନେକ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଛି । ତେବେ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ନେଇ ଏକ ଥିମ ବା ବିଷୟବସ୍ତୁ ଚୟନ କରାଯାଇଥାଏ । ଚଳିତ ବର୍ଷ ଏହି ଦିବସର ଥିମ ରହିଛି - ଆକ୍ସେସ ଟୁ ଡାଇବେଟିସ ଏଜୁକେସନ । ଏହି ରୋଗ ବିଷୟରେ ଶିକ୍ଷା ଜରିଆରେ ଜନସଚେତନତା କରାଯାଇପାରିବା ନେଇ ଲକ୍ଷ୍ଯ ରଖାଯାଇଛି ।

ଏହା ଏକ ଜଟିଳ ରୋଗ ଯେଉଁଥିରେ ରୋଗୀକୁ ସବୁବେଳେ ରକ୍ତରେ ଶର୍କରା ସ୍ତର ଯାଞ୍ଚ କରିବାକୁ ପଡିଥାଏ । ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ହେଲେ ଏହା ସ୍ବାସ୍ଥ୍ଯ ପ୍ରତି ସାଂଘାତିକ କାରଣ ହୋଇପାରେ । ଏହା କିଡନୀ ରୋଗ, ହୃଦଘାତ ଭଳି ରୋଗର ଆଶଙ୍କା ବୃଦ୍ଧି କରିଥାଏ । ଏପରି ସ୍ଥିତିରେ ମଧୁମେହ ରୋଗୀ ଉଚିତ୍ ଖାଦ୍ୟ ଗ୍ରହଣ କରିବା ଜରୁରୀ ଯାହା ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିପାରିବ । ଶର୍କରାର ସ୍ତରକୁ ନିୟନ୍ତ୍ରିତ କରିବା ଲାଗି ସନ୍ତୁଳିତ ଆହାର, ବ୍ୟାୟାମ, ସୁସ୍ଥ ଜୀବନଶୈଳୀ ଅତ୍ଯନ୍ତ ଜରୁରୀ ।

ମଧୁମେହକୁ ରୋକିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶାରୀରିକ ଭାବରେ ସକ୍ରିୟ ରହିବା । ଏଥିପାଇଁ ବ୍ୟାୟାମ, ଯୋଗ, ଚାଲିବା, ପହଁରିବା ଭଳି ବ୍ୟାୟାମକୁ ନିତ୍ୟକର୍ମରେ ଅନ୍ତର୍ଭୁକ୍ତ କରାଯାଇପାରେ । ମଧୁମେହର ବିପଦକୁ ଏଡାଇବା ପାଇଁ ଚାପକୁ ନିୟନ୍ତ୍ରଣ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଦୈନିକ ଚର୍ଯ୍ୟାରେ ଯୋଗ ଅଭ୍ୟାସକୁ ଆପଣାଇବା ବେଶ ଲାଭଦାୟକ । ସେହିପରି ଓଜନ ହ୍ରାସ ଓ ଓଜନ ବୃଦ୍ଧି ମଧ୍ୟ ମଧୁମେହର ଅନ୍ୟ ଏକ କାରଣ । ଏଥିପାଇଁ ଖାଦ୍ୟରେ କ୍ୟାଲୋରୀ ପରିମାଣ ହ୍ରାସ କରିବା ସହ ଧୂମପାନ ଏବଂ ମଦ୍ୟପାନର ଅଭ୍ୟାସକୁ ମଧ୍ୟ ଏଡାଇବା ଉଚିତ୍ ।

ତେବେ ଆଜି ବିଶ୍ୱ ମଧୁମେହ ଦିବସ ଅବସରରେ ଆମେମାନେ କିପରି ଶାରୀରିକ ରୂପେ ସକ୍ରିୟ ହୋଇ ଏଇ ମଧୁମେହ କବଳରୁ ନିସ୍ତାର ପାଇପାରିବା ସେ ସମ୍ପର୍କରେ ଚେଷ୍ଟା ଜାରି ରଖିବା ଉଚିତ ।

Report an Error