ସ୍ତନ୍ଯପାନ - ପ୍ରତ୍ଯେକ ଶିଶୁର ଅଧିକାର

ଶିଶୁର ସ୍ବାସ୍ଥ୍ୟ ବୃଦ୍ଧି ଏବଂ ବିକାଶ ପାଇଁ ସ୍ତନ୍ୟପାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ତନ୍ୟପାନ ସମ୍ପର୍କରେ ବିଶ୍ବବ୍ଯାପୀ ସଚେତନତା ଲାଗି ଅଗଷ୍ଟ ୧ ତାରିଖରୁ ଅଗଷ୍ଟ ୭ ତାରିଖ ଯାଏଁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ ।


ମା କ୍ଷୀର ହେଉଛି ସନ୍ତାନ ପାଇଁ ଅମୃତ । ନବଜାତ ପାଇଁ ମା’ କ୍ଷୀରଠାରୁ ସର୍ବାେକୃଷ୍ଟ ଖାଦ୍ୟ ଅନ୍ୟ କିଛି ହୋଇନଥାଏ । ଶିଶୁର ସ୍ବାସ୍ଥ୍ୟ ବୃଦ୍ଧି ଏବଂ ବିକାଶ ପାଇଁ ସ୍ତନ୍ୟପାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ତନ୍ୟପାନ ଉପରେ ଗୁରୁତ୍ୱ ଦେବା ତଥା ଏହା ସମ୍ପର୍କରେ ବିଶ୍ବବ୍ଯାପୀ ସଚେତନତା ଲାଗି ଅଗଷ୍ଟ ୧ ତାରିଖରୁ ଅଗଷ୍ଟ ୭ ତାରିଖ ଯାଏଁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ । ସପ୍ତାହବ୍ୟାପୀ ପାଳନ କରାଯାଉଥିବା ଏହି ଦିବସରେ ସ୍ତନ୍ୟପାନ ସମ୍ପର୍କରେ ମହିଳାମାନଙ୍କୁ ଏହି ଅବସରରେ ସଚେତନତାମୂଳକ ପରାମର୍ଶ ଦିଆଯାଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସ୍ତନ୍ୟପାନ କରୁଥିବା ପିଲାମାନେ ଅନ୍ୟ ପିଲାମାନଙ୍କ ତୁଳନାରେ ଅଧିକ ବୌଦ୍ଧିକ ଏବଂ ଫିଟ୍ ଅଟନ୍ତି । ନବଜାତ ଶିଶୁ ପାଇଁ ମା’ କ୍ଷୀର ଅତ୍ୟନ୍ତ ଜରୁରୀ । ଜନ୍ମଠାରୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ହିଁ ଶିଶୁକୁ ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ମା’ କ୍ଷୀରରେ ଡିଏଚଏ, ମଲିକ୍ୟୁଲ ଏବଂ ସୁରକ୍ଷା ଦେବାର କ୍ଷମତା ରହିଛି । ଯାହା ପିଲାଙ୍କ ବୃଦ୍ଧି ଲାଗି ସହାୟକ ହେବା ସହ ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ପୁଣି ସ୍ତନ୍ୟପାନ ମା ଓ ଶିଶୁ ମଧ୍ୟରେ ଉତ୍ତମ ସମ୍ପର୍କ ବଢ଼ାଇଥାଏ । ଜନ୍ମ ହେବା ପରେ ମା'ର କଷ କ୍ଷୀର ଶିଶୁ ପାଇଁ ପ୍ରଥମ ଟୀକା ଭାବେ କାର୍ଯ୍ୟ କରିଥାଏ । ଏଥିରେ ଭରପୂର ଭାବେ ରୋଗ ପ୍ରତିରୋଧକ ଶକ୍ତି ରହିବା ସହିତ ଶରୀର ବୃଦ୍ଧି ପାଇଁ ସମସ୍ତ ଉପାଦାନ ରହିଥାଏ । ଏହା ନବଜାତ ଶିଶୁଙ୍କୁ କେତେକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । କହିବାକୁ ଗଲେ ମା' କ୍ଷୀର ହେଉଛି ସନ୍ତାନର ସୁରକ୍ଷା କବଚ । ସ୍ତନ୍ଯପାନ ପ୍ରତ୍ଯେକ ଶିଶୁର ଅଧିକାର ମଧ୍ୟ ।

ସ୍ତନ୍ୟପାନ କରାଇବା କେବଳ ଶିଶୁ ପାଇଁ ନୁହେଁ ମା’ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ସନ୍ତାନ ଜନ୍ମ ଦେବାର ୬ ମାସ କିମ୍ବା ତା’ଠାରୁ ଅଧିକ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ଓଜନ ଠିକ୍ ରହିବା ସହ ବିଭିନ୍ନ ରୋଗ ପ୍ରଭାବରୁ ମୁକ୍ତି ପାଇଥାନ୍ତି । ବିଶେଷ କରି ଯେଉଁମାନେ ୬ ମାସ ଧରି ନିୟମିତ ସ୍ତନ୍ୟପାନ କରାଇଥାନ୍ତି ସେହି ମା’ମାନଙ୍କଠାରେ ଜରାୟୁ କର୍କଟ, ଡିମ୍ବକାେଷ କର୍କଟ, ସ୍ତନ କର୍କଟ ହେବାର ସମ୍ଭାବନା ଖୁବ୍ କମ୍ ହୋଇଥାଏ । ଏପରିକି ସେମାନଙ୍କଠାରେ ହୃଦରୋଗର ଆଶଙ୍କା ମଧ୍ୟ କମ୍ ଦେଖାଯାଏ । ଆକଳନ କରାଯାଇଛି ଯେ ସ୍ତନ୍ୟପାନ ବୃଦ୍ଧି ହେତୁ ପ୍ରତିବର୍ଷ ୨୦,୦୦୦ ମାତୃ ମୃତ୍ୟୁକୁ ରୋକାଯାଇପାରିବ ।

ବିଶ୍ୱ ସ୍ତନ୍ୟପାନ ସପ୍ତାହର ଉଦ୍ଦେଶ୍ୟ ହେଉଛି ଉତ୍ତମ ପୋଷଣ ଏବଂ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ସ୍ତନ୍ୟପାନ ଦ୍ୱାରା ଶିଶୁମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ତଥା ମାତୃ କଲ୍ୟାଣ କରିବା । ବିଶ୍ୱ ସ୍ତନ୍ୟପାନ ସପ୍ତାହରେ ଶିଶୁମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ମହିଳାଙ୍କର ସ୍ତନ୍ୟପାନ କରାଇବାର ଅଧିକାରକୁ ପ୍ରୋତ୍ସାହନ, ସୁରକ୍ଷା ଏବଂ ସମର୍ଥନ କରିବାର ଲକ୍ଷ୍ୟ ରହିଛି । କୁପୋଷଣକୁ ଦୂର କରିବାରେ ସ୍ତନ୍ୟପାନ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ସ୍ତନ୍ୟପାନ ଖାଦ୍ୟ ସୁରକ୍ଷା ପ୍ରଦାନ କରିବା ସହ ଅସମାନତାକୁ ଦୂର ମଧ୍ୟ କରିଥାଏ ।

ସ୍ତନ୍ୟପାନକୁ ସମର୍ଥନ ଏବଂ ପ୍ରୋତ୍ସାହନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି (ୟୁନିସେଫ୍) ୧୯୯୦ରେ ଏକ ସ୍ମାରକପତ୍ର ଦେଇଥିଲେ । ପରେ ୧୯୯୧ରେ ବିଶ୍ୱ ସ୍ତନ୍ୟପାନ କାର୍ଯ୍ୟ (WABA) ପ୍ରତିଷ୍ଠା କରାଯାଇଥିଲା । ଏହି ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ୧୯୯୨ରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥିଲା । ପ୍ରଥମରେ ଏହି କାର୍ଯ୍ୟକ୍ରମକୁ ପ୍ରାୟ ୭୦ଟି ଦେଶ ପାଳନ କରିଥିଲେ । ବର୍ତ୍ତମାନ ୧୭୦ଟି ଦେଶ ଏହି କାର୍ଯ୍ୟକ୍ରମକୁ ପାଳନ କରୁଛନ୍ତି । ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମରେ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ବିଭିନ୍ନ କାର୍ଯ୍ଯକ୍ରମ, ଆଲାେଚନାଚକ୍ର କରାଯାଇ ସ୍ତନ୍ୟପାନର ଗୁରୁତ୍ବ ସମ୍ପର୍କରେ ଆଲାେଚନା ଓ ସଚେତନତା କରାଯାଇଥାଏ ।

ପ୍ରତ୍ଯେକ ବର୍ଷ ଭିନ୍ନ ଭିନ୍ନ ବିଷୟବସ୍ତୁ ଆଧାରରେ ଏହି ସପ୍ତାହ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ବିଶ୍ୱ ସ୍ତନ୍ୟପାନ ସପ୍ତାହର ବିଷୟବସ୍ତୁ ରହିଛି - ‘ସ୍ତନ୍ୟପାନ ପାଇଁ ପଦକ୍ଷେପ: ଶିକ୍ଷା ଓ ସମର୍ଥନ' । ଏହି କ୍ରମରେ ସ୍ତନ୍ୟପାନ ପାଇଁ ଏକ ଛୋଟ ପଦକ୍ଷେପକୁ ଆମେ ଗ୍ରହଣ କରିବା ଉଚିତ୍ । ସ୍ତନ୍ୟପାନର ଉପାଦେୟତା ସମ୍ପର୍କରେ ସମସ୍ତଙ୍କୁ ଜଣାଇବା ସହିତ ଏନେଇ ସମର୍ଥନ କରିବାର ସମୟ ଆସିଛି । ଆଜିକାଲିର ମହିଳାମାନେ ପ୍ରାୟତଃ କର୍ମଜୀବୀ ହୋଇଥିବାବେଳେ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି କ୍ଷେତ୍ରରେ ତାଙ୍କୁ ସହଯୋଗ ଓ ସମର୍ଥନର ଯଥେଷ୍ଟ ଆବଶ୍ୟକତା ରହିଛି । ଆସନ୍ତୁ ଏହି ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ ଅବସରରେ ମା ଓ ମାତୃତ୍ବକୁ ସମ୍ମାନ ଦେବା ସହ ଉଭୟ ମା ଓ ସନ୍ତାନର ସ୍ୱାସ୍ଥ୍ୟ ଲାଗି ସ୍ତନ୍ୟପାନକୁ ସମର୍ଥନ ଓ ପ୍ରୋତ୍ସାହନ କରିବା ।

Report an Error