ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା

ଆଜି ହେଉଛି ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ ଟେକ୍ନୋଲୋଜି ଡେ' । ଜାଣନ୍ତୁ ଏହି ଦିବସ ପାଳନ ପଛର କାହାଣୀ ।


ଆଜି ହେଉଛି ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ ଟେକ୍ନୋଲୋଜି ଡେ । ଆଜିର ସମୟରେ ଆମ ଦୈନନ୍ଦିନ ଜୀବନରେ ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସାଧାରଣ ଜୀବନଚର୍ଯ୍ୟା ହେଉ ଅଥବା ବିଳାସବ୍ୟସନପୂର୍ଣ୍ଣ ଜୀବନ ସବୁଠି ଟେକ୍ନୋଲୋଜି ନିଜର ଆଧିପତ୍ୟ ଜାହିର କରୁଛି ।

ଦେଖିବାକୁ ଗଲେ ଏବେ ଟେକ୍ନୋଲୋଜି ଆମକୁ ସବୁ ଦିଗରୁ ଘେରି ରହିଛି । ଟେକ୍ନୋଲୋଜି ଆମର ପ୍ରତ୍ୟେକ ଆବଶ୍ୟକତା ପୂରଣ କରୁଛି । କେବଳ ଏତିକି ନୁହେଁ, ସମଗ୍ର ମଣିଷ ସମାଜ ଆଜିକାଲି ବହୁ ପରିମାଣରେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ । ଟେକ୍ନୋଲୋଜି ଆମର ପ୍ରତ୍ୟେକ କାର୍ଯ୍ୟକୁ ଉନ୍ନତ ଏବଂ ସହଜ କରିବାରେ ସାହାଯ୍ୟ କରୁଥିବାରୁ ଏହା ଅଧିକ ଜନପ୍ରିୟ ହୋଇପାରିଛି । ଯୋଗାଯୋଗ, ଚିକିତ୍ସା, ଶିକ୍ଷା ଏବଂ ବ୍ୟବସାୟ ଆଦିରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଟେକ୍ନୋଲୋଜି ବିନା ଏବେ ଦୁନିଆରେ ବଂଚିବା କାଠିକର ପାଠ । ସରଳ ଶବ୍ଦରେ, ଏବେ ଦେଶ କିମ୍ବା ଦେଶର ନାଗରିକଙ୍କ ବିକାଶ ପାଇଁ ଟେକ୍ନୋଲୋଜି ଅପରିହାର୍ଯ୍ଯ ହୋଇପଡିଛି ।

ବିଜ୍ଞାନ, ବୈଷୟିକ ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଜଡ଼ିତ ଅନ୍ୟ ସମସ୍ତଙ୍କ ସଫଳତାକୁ ସ୍ମରଣ କରିବା ପାଇଁ ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ ଟେକ୍ନୋଲୋଜି ଡେ ପ୍ରତିବର୍ଷ ମେ ୧୧ରେ ପାଳନ କରାଯାଏ । ତେବେ ଟେକ୍ନୋଲୋଜି ଡେ ମେ ୧୧ରେ କାହିଁକି ପାଳନ ହୁଏ । ୧୯୯୮ ମସିହା ଆଜିର ଦିନରେ ଭାରତ ସମଗ୍ର ବିଶ୍ୱକୁ ଚମକାଇ ଦେଇଥିଲ । ୧୯୯୮, ମେ ୧୧ ତାରିଖରେ, ଭାରତ ରାଜସ୍ଥାନର ଭାରତୀୟ ସେନାର ପୋଖରାନ୍ ଟେଷ୍ଟ ରେଞ୍ଜରେ ତିନୋଟି ପରମାଣୁର ସଫଳ ପରୀକ୍ଷଣ କରି ନିଜ ଶକ୍ତିର ପରିଚୟ ଦେଇ ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଭାରତ ଦ୍ଵିତୀୟ ଥର ସଫଳତାର ସହ ଆଣବିକ ପରୀକ୍ଷଣ କରି ବିଶ୍ଵଶକ୍ତିରେ ପରିଣତ ହୋଇଥିଲା । ଏହି ଆଣବିକ ପରୀକ୍ଷଣ ସଫଳତା ପୂର୍ବକ ଶେଷ ହେବା ପରେ ଭାରତ ପୂର୍ଣ୍ଣ ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ରର ମାନ୍ୟତା ପ୍ରାପ୍ତ କରିଥିଲା । ପୂର୍ବରୁ ସତୁରୀ ଦଶକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ ଭାରତ ପ୍ରଥମ ପରମାଣୁ ପରୀକ୍ଷା ଆରମ୍ଭ କରିଥିଲା ।

ଏହି ଦିନଟି ଭାରତ ପାଇଁ ଏକ ଗୌରବ ବହନକାରୀ ଦିବସ । ୧୯୯୮ରେ ଭାରତ ଦ୍ୱାରା ହୋଇଥିବା ଆଣବିକ ଶକ୍ତି ପରୀକ୍ଷଣର କୋଡ଼ ନାମ "ଶକ୍ତି ମିଶନ" ରହିଥିଲା । ସମୁଦାୟ ୫ଟି ଆଣବିକ ପରୀକ୍ଷଣ କରାଯାଇଥିବାବେଳେ ମେ ୧୧ରେ ସର୍ବାଧିକ ତିନୋଟି ଓ ମେ ୧୩ରେ ଆଉ ଦୁଇଟି ପରମାଣୁ ପରୀକ୍ଷଣ କରାଯାଇଥିଲା । ସମସ୍ତ ପରୀକ୍ଷଣ ଭାରତ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ନେତୃତ୍ୱରେ ହୋଇଥିଲା । ଏହା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO), ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC) ଏବଂ (AMDER) ସହିତ ଏହି ମିଶନରେ ଭାରତୀୟ ସେନା ସମ୍ପୃକ୍ତ ରହିଥିଲା । ୧୯୯୮ର ସଫଳ ଆଣବିକ ପରୀକ୍ଷଣ ଭାରତ ପାଇଁ ଏକ ନୂତନ ଅଧ୍ୟାୟ ଥିଲା । ବୈଷୟିକ ପ୍ରଗତିରେ ଭାରତର ସଫଳତା ପାଇଁ ସରକାର ଏହି ଦିନକୁ ଜାତୀୟ ବୈଷୟିକ ଦିବସ ଭାବରେ ପାଳନ କରିବାର ନିଷ୍ପତ୍ତି ନେଇଥିଲେ । ଭାରତର ଏହି ସଫଳତାକୁ ମନେ ପକାଇବା ପାଇଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ ଆଜିର ଦିନକୁ ନ୍ୟାସନାଲ ଟେକ୍ନୋଲୋଜି ଡେ' ଭାବରେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଏହି ଦିନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବିଭିନ୍ନ ସେମିନାର ଏବଂ କର୍ମଶାଳାର ଆୟୋଜନ କରିଥାଏ । ଏବଂ ପ୍ରାଦ୍ୟୋଗିକ ବିକାଶ ବୋର୍ଡ ନୂତନ ଟେକ୍ନୋଲୋଜିର ଉନ୍ମୋଚନ କରିବା ସହ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ସହ ଜଡିତ ଥିବା ବୈଜ୍ଞାନିକ ଓ ବ୍ୟକ୍ତିବିଶେଷଙ୍କୁ ସମ୍ୱର୍ଦ୍ଧିତ କରିଥାଏ । ପ୍ରତିବର୍ଷ ଏହି ଦିବସ ପାଇଁ ଏକ ଥିମ୍ ବା ବିଷୟବସ୍ତୁ ଚୟନ କରାଯାଇଥାଏ । ଚଳିତ ବର୍ଷ ପାଇଁ ଏହି ଦିବସର ଥିମ୍ ରହିଛି - “ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଏବଂ ଟେକ୍ନୋଲୋଜିର ଏକୀକୃତ” ।

ବର୍ତ୍ତମାନର ସମୟ ହେଉଛି ଟେକ୍ନୋଲୋଜିର ସମୟ । ଆମେ ଟେକ୍ନୋଲୋଜିକୁ ଵାଦ ଦେଇ ଚଳିପାରିବା ନାହିଁ । ତେବେ ଏହି ଟେକ୍ନୋଲୋଜି କଣ୍ଟା ବିହୀନ ଗୋଲାପ ନୁହେଁ । ଏହାର ବ୍ୟବହାର ଲୋକ କଲ୍ୟାଣ ଓ ଅଭିବୃଦ୍ଧି ପାଇଁ ବିନିଯୋଗ ହେବା ଦରକାର । ସମୟେ ସମୟେ ଏହି ଟେକ୍ନୋଲୋଜିର କୁପରିଣାମ ଦେଖାଯାଉଛି । ଏବଂ ଟେକ୍ନୋଲୋଜିର ଅପବ୍ୟବହାର ଆମକୁ ବହୁ ବିପଦ ଆଡ଼କୁ ଟାଣିନେଉଛି । ତେଣୁ ଆଜିର ଏହି ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ ଟେକ୍ନୋଲୋଜି ଡେ' ରେ ମାନବ କଲ୍ୟାଣ ଓ ଉନ୍ନତି ପାଇଁ ଏହାର ବ୍ୟବହାର କରିବା ଦିଗରେ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

Report an Error