ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ

ଭାରତରେ ନଭେମ୍ବର ୨୬କୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ । ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗିଜ୍‌ କୁରିଏନ୍‌ଙ୍କ ଜନ୍ମଦିନକୁ ଦେଶରେ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ ।


ଆଜି ହେଉଛି ଜାତୀୟ ଦୁଗ୍ଧ ଦିବସ । ଦୁଗ୍ଧ ବା କ୍ଷୀର ହେଉଛି ଏକ ପୁଷ୍ଟିକର ପାନୀୟ ପଦାର୍ଥ । ଏଥିରେ କ୍ୟାଲ୍ସିୟମ୍‍, ଫସ୍‍ଫରସ୍‍ ଓ ଅନ୍ୟ ପୋଷକ ତତ୍ତ୍ୱ ଗଚ୍ଛିତ ହୋଇ ରହିଥାଏ । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି ମଧ୍ୟ କୁହାଯାଇଥାଏ । ଜୁନ ୧ତାରିଖକୁ ବିଶ୍ୱ ଦୁଗ୍ଧ ଦିବସ ରୂପେ ପାଳନ କରାଯାଉଥିବାବେଳେ ଭାରତରେ ନଭେମ୍ବର ୨୬କୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ । ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗେସ୍ କୁରିଏନ୍‌ଙ୍କ ଜନ୍ମଦିନକୁ ଦେଶରେ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ । ୨୦୧୪ ରୁ ପ୍ରତିବର୍ଷ ୨୬ ନଭେମ୍ବର ଆମ ଦେଶରେ ଏହି ଦିବସ ପାଳନ କରାଯାଉଛି । ‘ଶ୍ୱେତ ବିପ୍ଲବ’ ବିଶ୍ୱର ସବୁଠାରୁ ବଡ଼ ଓ ସଫଳ କୃଷି ବିକାଶ କାର୍ଯ୍ୟକ୍ରମ । ଭାରତରେ ଏହା ଅପରେସନ ଫ୍ଲଡ଼ ଭାବେ ଅଭିହିତ କରାଯାଏ ।

୧୯୨୧ ନଭେମ୍ବର ଆଜିର ଦିନରେ କେରଳର କୋଷିକୋଡ଼ରେ ଜନ୍ମ ହୋଇଥିଲେ ‘ଶ୍ୱେତ ବିପ୍ଲବ’ର ଜନକ ଡ. ଭର୍ଗେସ୍ କୁରିଏନ୍‌ । ଏକଦା ଭାରତ ଦୁଗ୍ଧ ଅଭାବୀ ରାଷ୍ଟ୍ର ଥିଲା । ମାତ୍ର ୧୯୯୮ରେ ଭାରତ, ଆମେରିକାକୁ ପଛରେ ପକାଇ, ବିଶ୍ୱର ଏକ ନମ୍ବର ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ପାଲଟିଥିଲା । ଏହା ସମ୍ଭବ ହୋଇଥିଲା ଡ. ଭର୍ଗେସ୍ କୁରିଏନ୍‌ଙ୍କ ପାଇଁ । ଡ.କୁରିଏନ୍‌ଙ୍କର ଦୂରଦୃଷ୍ଟି, କାର୍ଯ୍ୟଶୈଳୀ, ନିଷ୍ଠାପର ଉଦ୍ୟମ ଦ୍ୱାରା ଦେଶ ଦୁଗ୍ଧ ବଳକା ରାଷ୍ଟ୍ରରେ ପରିଣତ ହୋଇଥିଲା । ସେ ଦେଶରେ ସବୁଠୁ ଅଧିକ ଦୁଗ୍ଧ ଉତ୍ପାଦନ କରୁଥିବା କମ୍ପାନୀ ଅମୁଲର ସ୍ଥାପନା କରିଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ, ତାଙ୍କ ଜନ୍ମଦିନକୁ ‘ଜାତୀୟ ଦୁଗ୍ଧ ଦିବସ’ ଭାବେ ପାଳନ କରାଯାଉଛି । ଦୁଗ୍ଧ ଉତ୍ପାଦନ ଆମ ଦେଶର ସବୁଠାରୁ ବଡ଼ ଆତ୍ମନିର୍ଭର ଉଦ୍ୟୋଗ । ଦେଶରେ ୧୯୭୦ରେ ଶ୍ୱେତ ବିପ୍ଳବ ଆରମ୍ଭ ହୋଇଥିଲା । ଏହା ଜରିଆରେ ଦୁଗ୍ଧ ଉଦ୍ୟୋଗରେ ବହୁତ କିଛି ପରିବର୍ତ୍ତନ ହେଲା । ଗରିବ ଚାଷୀଙ୍କୁ ରୋଜଗାରର ଅବସର ମିଳିଲା । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶରେ ପଶୁ ସମ୍ପଦର ଉନ୍ନତି ହେଲା । ଦୁଗ୍ଧ ଉତ୍ପାଦନରେ ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରାଗଲା ।

ଭାରତର ଅଧିକାଂଶ ଲୋକ ଗାଁରେ ରୁହନ୍ତି । ଆମ ଜନସଂଖ୍ୟାର ୭୨ ପ୍ରତିଶତରୁ ଅଧିକ ଗ୍ରାମାଞ୍ଚଳ ଏବଂ ୬୦ପ୍ରତିଶତ ଲୋକ କୃଷି ବ୍ୟବସାୟରେ ନିୟୋଜିତ ଅଛନ୍ତି । ଭାରତର ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବାରେ ଦୁଗ୍ଧ ଶିଳ୍ପର ପ୍ରମୁଖ ଭୂମିକା ରହିଛି । ଏହା ଦେଶରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ସ୍ୱୀକୃତ ହୋଇଛି । କୃଷି ଏବଂ ଦୁଗ୍ଧ ଉତ୍ପାଦନ ମଧ୍ୟରେ ଏକ ପରସ୍ପର ଉପରେ ନିର୍ଭରଶୀଳ ସମ୍ପର୍କ ରହିଛି । ଦୁଗ୍ଧ ଉତ୍ପାଦନରେ ଆନ୍ତର୍ଜାତୀୟ ବଜାରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଏବଂ ଦୁଗ୍ଧ ଉତ୍ପାଦନକାରୀ ତଥା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦୁଗ୍ଧ ଉତ୍ପାଦକ ଅଟେ ।

ରୋଜଗାରର ସମ୍ଭାବନା ଥିବା ଏହି ଶିଳ୍ପରେ ଉଭୟ ସରକାରୀ ଏବଂ ଅଣ-ସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ରହିଛି । ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (NDDB) ହେଉଛି ଏକ ପ୍ରମୁଖ ସାର୍ବଜନୀନ ସଂଗଠନ ଯାହାକି ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ କୃଷକ ନେତୃତ୍ୱାଧୀନ ବ୍ୟବସାୟିକ କୃଷି କାର୍ଯ୍ୟରେ ନିୟୋଜିତ । ବର୍ତ୍ତମାନ ଦେଶରେ ୪୦୦ରୁ ଅଧିକ ଦୁଗ୍ଧ କାରଖାନା ଅଛି ଯେଉଁଠାରେ ବିଭିନ୍ନ ପ୍ରକାରର ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରାଯାଏ । ତେବେ ଦେଶରେ ଗୋପାଳନ ଓ ଦୁଗ୍ଧ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ଦୁଗ୍ଧ ଦିବସ ପାଳନ ହେଉଛି । ଏହି ଦିବସ ଅବସରରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନେକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ ।

Report an Error