ହସ ବିକୁଥିବା ଝିଅ
ଲେଖନୀରୁ ଭଲ କବିତାଟିଏ ଉତୁରିବା ନିଶ୍ଚିତ ଭାଗ୍ୟର କଥା । ନିଜ ଭିତରେ ଗୁମୁରୁଥିବା ଭାବକୁ କବିଟିଏ ଯେମିତି ଚାହୁଁଥାଏ, ସେମିତି କ’ଣ ରୂପ ଦେଇପାରେ ! ଆଲୋକକୁ ଆସିଥିବା ଶିଶୁଟି କ’ଣ ସବୁବେଳେ ସୁନ୍ଦର ରାଜକୁମାର ହୋଇଥାଏ ! କେତେବେଳେ ଅନ୍ଧ, କୁଜା, ଛୋଟା, କଦାକାର ପିଲାଟିଏ ବି ଆସେ; ମିଠା କଲବଲ ଭିତରୁ ଜନ୍ମିତ ଏଇ ଶିଶୁଙ୍କ ପ୍ରତି ସ୍ରଷ୍ଟାର ସ୍ନେହ ଊଣା ନଥିଲେ ବି ସମାଜ ଆଖିରେ ଏମାନେ ଘୃଣିତ ଅବହେଳିତ, ଏକଥା କ’ଣ ଅସ୍ୱୀକାର କରିହେବ ! ଆଜି ଶହଶହ କବି ହଜାର ହଜାର କବିତା ରଚନା କରୁଛନ୍ତି । କେବଳ ଦୁର୍ଗାପୂଜାରେ ବାହାରୁଥିବା ଶତାଧିକ ଓଡ଼ିଆ ପତ୍ରପତ୍ରିକାରେ ପାଖାପାଖି ସାତ / ଆଠ ହଜାର କବିତା ପ୍ରକାଶ ପାଉଛି । ଏଥିରୁ ପାଞ୍ଚଶହ ଭଲ କବିତା କ’ଣ ଖୋଜି ପାଇହେବ ! ଚଳମାନ ସମୟର ନାନା ଘଟଣା କାଳଜୟୀ କଳାକୁ ଉତ୍ତୀର୍ଣ୍ଣ କରିବାର ସମର୍ଥପଣ କେତେ ଜଣ କବି ଭାଗ୍ୟରେ ଥାଏ ! କବିତାଟିଏ ପାଠକର ମନପ୍ରାଣ ଓ ଚେତନାକୁ କେତେଦୂର ଉଦ ବୋଧିତ କରିପାରୁଛି, ତା’ ହିଁ ବଡ଼କଥା ।
ସାମାଜିକ ପ୍ରତିବଦ୍ଧତା କିମ୍ବା ମାନବିକ ଦାୟିତ୍ୱବୋଧର କଥା ମୁଁ ଏଠାରେ କହୁନାହିଁ । ଏସବୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ଆସିପାରେ ବା ନଆସିପାରେ । ତେବେ କବିତାର ବଡ଼କଥା ନାନ୍ଦନିକ ସଫଳତା । ସଫଳ କବିତା ତ ତାହା, ଯା’ର ପ୍ରତିଟି ଶବ୍ଦ ପାଠକର ଚୁମ୍ବନର ପ୍ରତ୍ୟାଶା ରଖେ । ଚଳନ୍ତି ସମୟକୁ ଅନନ୍ତ ସମୟ ପ୍ରବାହ ମଧ୍ୟରେ ତଲ୍ଲୀନ କରିଦେବା ହିଁ ପ୍ରକୃତ କବିକର୍ମ ।